ସ୍ଵାଭିମାନ ଓ ଅଭିମାନ ଦୁଇଟି ପାଖାପାଖି ହେଲେ ମଧ୍ଯ ସ୍ଵଭିମାନରେ ଭରପୁର ନମ୍ରତା ରହିଥାଏ। ଯାହା ସତସଙ୍ଗ କରିବାର ସୁଯୋଗ ଦେଇଥାଏ

ରାଜା ଦୁଷ୍ମନ୍ତ ଥରେ ଜଙ୍ଗଲକୁ ପାରିଧି କରିବାକୁ ଯାଇଥାନ୍ତି । ସାଙ୍ଗରେ ପାତ୍ରମନ୍ତ୍ରୀ ବି ଥାଆନ୍ତି । ସେହି ଜଙ୍ଗଲରେ ଶିକାର ଖୋଜୁଖୋଜୁ ସେ ମହର୍ଷି କଣ୍ୱଙ୍କ ଆଶ୍ରମ ନିକଟରେ ପହଞ୍ଚôଗଲେ । ରାଜା ଦୁଷ୍ମନ୍ତ ଥିଲେ ଜଣେ ଧର୍ମପରାୟଣ ଓ ପ୍ରଜାପାଳକ ନରପତି । ତେଣୁ ସେ ମହର୍ଷି କଣ୍ୱଙ୍କୁ ସାକ୍ଷାତ ନ କରି ରାଜପ୍ରାସାଦକୁ ଫେରିବାକୁ ଚାହୁଁ ନଥିଲେ । ସେ ସାରଥୀଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କର ରଥ କଣ୍ୱ ମହର୍ଷିଙ୍କ ଆଶ୍ରମକୁ ନେଇଯିବା ପାଇଁ । ସମସ୍ତେ ଆଶ୍ରମ ଦ୍ୱାର ନିକଟରେ ପହଞ୍ଚିଲେ । ରାଜା ଦୁଷ୍ମନ୍ତ ଆଶ୍ରମ ଦ୍ୱାରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ନିଜର ତରବାରୀ ତଳେ ରଖିଦେଲେ । ଦେହରୁ ରକ୍ଷାକବଚ ଉତାରି ଦେଲେ । ସମସ୍ତ ଆଭୂଷଣ ଖୋଲିଦେଲେ । ଶେଷରେ ସେ ରାଜ ମୁକୁଟଟିକୁ ବି ମୁଣ୍ଡରୁ ଓହ୍ଲାଇଦେଲେ । ଏହା ଦେଖି ତାଙ୍କର ଜଣେ ଅନ୍ତରଙ୍ଗ ଅମାତ୍ୟ ତାଙ୍କୁ ପଚାରିଲେ, ମହାରାଜ! ଆପଣଙ୍କ ମସ୍ତକରୁ ରାଜ ମୁକୁଟ ଓହ୍ଲାଇଦେବା ମୋତେ ଶୋଭା ଦିଶିଲା ନାହିଁ । ରାଜା ଦୁଷ୍ମନ୍ତ କିନ୍ତୁ ସ୍ଥିର କଣ୍ଠରେ ଉତ୍ତର ଦେଲେ: ରାଜ ମୁକୁଟ ମୋର ଅଭିମାନର ସଙ୍କେତ । ଅଭିମାନକୁ ସାଥିରେ ଧରି କଦାଚିତ୍ ସତସଙ୍ଗ କରାଯାଇପାରେନା ।

ରାଜେନ୍ଦ୍ର

ଜୀବନରେ ଆମେ କାହାକୁ ବିଶ୍ଵାସ କରିବା ଆଗରୁ ବାରମ୍ବାର ତର୍ଜମା କରିଥାଉ। କିନ୍ତୁ ଦୁନିଆରେ ଏମିତି କେହି ବ୍ୟକ୍ତି ଅଛନ୍ତି ତାଙ୍କୁ ଅନ୍ଧଭାବେ ବିଶ୍ଵାସ କରାଯାଇ ପାରେ। ସେ କିଏ ?
ବିମାନଟିଏ ପ୍ରଶାନ୍ତ ମହାସାଗର ଉପରେ ଉଡ଼ିଯାଉଥାଏ। ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା। ଏକଥା ପ୍ରଘଟ ହୋଇଯିବା ମାତ୍ରେ ବିମାନରେ ଥିବା ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଗଲା। ସେମାନେ ପ୍ରଶାନ୍ତ ମହାସାଗରରେ ସଲୀଳ ସମାଧି ନେବେ। ଏହା ଭାବି ଯାତ୍ରୀମାନେ ଛାନିଆ ହୋଇଗଲେ। ହେଲେ ସେହି ବିମାନରେ ବସିଥିଲା କୁନିଝିଅଟିଏ। ନା ତା’ ଆଖିରେ ଡର ଥିଲା, ନା ତା’ ଭିତରେ ଥିଲା ଆତଙ୍କ। ଓଲଟି ସେ ମେଘମାଳାକୁ ଚିରି ଉଡ଼ିଯାଉଥିବା ବିମାନର ଝର୍କା ପାଖରେ ବସି ଖୁବ୍ ସ୍ଥିର ଓ ଆନନ୍ଦ ମନରେ ବାହାରର ଦୃଶ୍ୟକୁ ଉପଭୋଗ କରୁଥିଲା।

ଆସନ୍ନ ମୃତ୍ୟୁର ବିଭୀଷିକାରେ ପୀଡ଼ିତ ଜଣେ ବୟସ୍କା ଯାତ୍ରୀ ଏଥିରେ ଅତିଷ୍ଠ ହେଇ ପଚାରିଲେ, ଝିଅ! ବିମାନ ଦୁର୍ଘଟଣା ହେବାକୁ ଯାଉଛି। ତତେ ଡର ଲାଗୁନି? ଝିଅଟି ମୁଣ୍ଡ ହଲେଇ ମନାକଲା ଓ ହସିଦେଇ କହିଲା, ମତେ କାହିଁକି ଡର ଲାଗିବ। ମୋର ମୋ ବାପାଙ୍କ ଉପରେ ଭରସା ଅଛି। ସେ କେବେ ବି ମତେ କୌଣସି ବିପଦରେ ପଡ଼ିବାକୁ ଦେବେନି। ଯେତେ ବିପଦ ଆସୁ ସେ ମତେ ଭଲରେ ନେଇ ମୋ ମାଆଙ୍କ ପାଖରେ ପହଞ୍ଚାଇ ଦେବେ। ମହିଳା ଜଣକ ପୁଣି ପ୍ରଶ୍ନକଲେ, ତୁମ ବାପା କିଏ ? ସେ କ’ଣ କରନ୍ତି ? ଝିଅ କହିଲା, ମୋ ବାପା ଜଣେ ବିମାନ ଚାଳକ। ସେ ହିଁ ଏହି ବିମାନ ଚଳାଉଛନ୍ତି।

ପ୍ରତ୍ୟେକ ଦିନ ରେଳଷ୍ଟେସନରେ ବୁଢ଼ିଟିଏ ବୁଲିବୁଲି ଭିକ ମାଗୁଥିଲା । ଯାହାକୁ ଦେଖୁଥିଲା ସେ ତା’ ଦୁଃଖ କଥା କହୁଥିଲା । ପୁଅଝିଅଙ୍କୁ ପାଠପଢ଼େଇ ମଣିଷ କଲା । ଅଥଚ ସେମାନେ ଚାକିରି ପାଇ ତାକୁ ଭୁଲିଗଲେ

ଦିନେ ଗୁରୁଜୀ ସେହିବାଟ ଦେଇ ଯାଉଥିବା ବେଳେ ସେ ବୁଢ଼ୀଟିର କଥା ତାଙ୍କ କାନରେ ପଡ଼ିଲା । ସେ ବୁଢ଼ୀକୁ ଡାକିଲେ ଓ ପଚାରିଲେ, କ’ଣ ତୁମ ପିଲାମାନେ ତୁମକୁ ଭୁଲିଯାଇଛନ୍ତି? ବୁଢ଼ି କହିଲା, ନା ନା ଟଙ୍କା ଦଉନାହାନ୍ତି ସିନା । ହେଲେ ଭୁଲି ନାହାନ୍ତି । ମାସକୁମାସ ସେମାନେ ମୋ ପାଖକୁ ଦି’ଖଣ୍ଡ କାଗଜ ପଠଉଛନ୍ତି । ଗୁରୁଜୀ କହିଲେ, ସେ କାଗଜ ମତେ ଦେଖାଅ । ମୁଁ ଜାଣିବାକୁ ଚାହେଁ, ସେମାନେ ଟଙ୍କା ନଦେଇ କାଗଜ ପଠାଉଛନ୍ତି କାହିଁକି? ହୁଏତ ସେମାନେ ତୁମକୁ ସେମାନଙ୍କ ପାଖକୁ ନେଇଯିବାକୁ ଚିଠି ଲେଖୁଛନ୍ତି । ତୁମେ ତାହାର ଉତ୍ତର ଦଉନ । ବୁଢ଼ୀ ଗୁରୁଜୀଙ୍କୁ ତା’ ଘରକୁ ନେଇ ସେହି କାଗଜ ଦେଖାଇଲା । ଗୁରୁଜୀ ଦେଖିଲେ, ସେସବୁ ତୁଚ୍ଛା କାଗଜ ନଥିଲା । ସେସବୁ ଥିଲା ଗୋଟିଏ ଗୋଟିଏ ଡ୍ରାଫ୍ଟ । ମାତ୍ର ବୁଢ଼ୀ ସେ ଡ୍ରାଫ୍ଟକୁ ଚିହ୍ନି ନଥିଲା କି ତାହାର ମୂଲ୍ୟ ଜାଣି ନଥିଲା । ବର୍ତ୍ତମାନ ଆମ ସମସ୍ତେ ସେହି ବୁଢ଼ୀଟି ପରି । ଆମ ନିକଟରେ ଡ୍ରାଫ୍ଟ ରହିଛି । ଅଥଚ ଆମେ ବୁଲିବୁଲି ଭିକ ମାଗୁଛେ ।

-ରାଜେନ୍ଦ୍ର

ଆପଣ କେତେ ବୟସର ବ୍ୟକ୍ତିଙ୍କୁ ଗୁରୁ କରିପାରିବେ ? କାହାକୁ ଆପଣ ଗୁରୁ ବୋଲି ସମ୍ବୋଧନ କରି ପାରିବେ ? ଏଭଳି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରିଥାଏ। ଆସନ୍ତୁ ଜାଣିବା ଏ ନେଇ ବ୍ୟାସଦେବଙ୍କ ସମ୍ପର୍କରେ

ବେଦର ବ୍ୟାଖ୍ୟାକାର ତଥା ମହାଭାରତର ରଚୟିତା ବ୍ୟାସ ଥରେ ନିଜର ଶିଷ୍ୟମାନଙ୍କ ସହ ଯାଉଥାନ୍ତି । ସେମାନେ ଜଙ୍ଗଲ ମାର୍ଗ ଦେଇ ଗତି କରୁଥାନ୍ତି । ବ୍ୟାସ ଦେଖିଲେ, ଅନତି ଦୂରରେ ଜଣେ ଶବର ବାଳକ ଏକ ଅଦ୍ଭୁତ କାର୍ଯ୍ୟ କରୁଛି । ସେ ଗଛକୁ ନିଦେ୍ର୍ଦଶ ଦେଉଛି ତା’ ନିକଟକୁ ଆସିବା ପାଇଁ । ଗଛ ତା’ ନିକଟକୁ ନଇଁ ଆସୁଛି ଓ ସେ ସେହି ଗଛରୁ ଫଳ ତୋଳି ଖାଉଛି । ପୁଣି ଗଛଟି ନିଜ ସ୍ଥାନକୁ ଫେରିଯାଉଛି । ଏହା ବ୍ୟାସକୁ ଅଭିଭୂତ କଲା । ସେ ଏହି ଜ୍ଞାନଟିକୁ ହାସଲ କରିବାକୁ ଇଚ୍ଛା ପ୍ରକାଶ କଲେ ଓ ଶବର ବାଳକଟିକୁ ନିଜର ମନକଥା ଜଣାଇଲେ । ଶବର ବାଳକ କହିଲା, ମୋର ଏ ଜ୍ଞାନକୁ ଆପଣଙ୍କୁ ଦେବାରେ ମୋର କୌଣସି ଆପତ୍ତିନାହିଁ । ତେବେ, ଆପଣ ଯଦି ମୋତେ ଗୁରୁ ଭାବରେ ବରଣ ନ କରିବେ, ତା’ହେଲେ ମୁଁ ୟାକୁ ଆପଣଙ୍କୁ ଦେବି । ଏହାଦ୍ୱାରା ଆପଣଙ୍କର କ୍ଷତି । ମୋର ବି ଅମଙ୍ଗଳ । ବ୍ୟାସଙ୍କ ଶିଷ୍ୟମାନେ ହସିଲେ ଓ କହିଲେ, ବାଳକର ମତିଭ୍ରମ ହେଇଗଲା । ଏଡ଼େ ଛୋଟ ପିଲାକୁ ପୁଣି ବ୍ୟାସ ଗୁରୁ ଭାବରେ ବରଣ କରି ତା’ର ପୂଜା କରିବେ । ମାତ୍ର ପରମୁହୂର୍ତ୍ତରେ ଘଟିଲା ଏକ ଅଦ୍ଭୁତ ଘଟଣା।ବ୍ୟାସ ମହାତପସ୍ୱୀ ହେଇ ବି ଛୋଟ ବାଳକଟିର ପାଦ ପୂଜା କରିବାକୁ ଲାଗିଲେ । ଶିଷ୍ୟମାନଙ୍କୁ କହିଲେ, ଯିଏ ସଦଗୁରୁ ତାଙ୍କର କୌଣସି ବୟସ ନଥାଏ । ଆଉ ବିନା ଗୁରୁରେ ହାସଲ କରାଯାଇଥିବା ବିଦ୍ୟା ଅନିଷ୍ଟକର ହୋଇଥାଏ ।

-ରାଜେନ୍ଦ୍ର

ଖଚ, ମିଛ, କୁକର୍ମ କରି ଜଣେ ବଡ଼ ହେଇପାରେ; ହେଲେ ସତକର୍ମ ଆଉ ସଚ୍ଚୋଟପଣିଆ ନ ଥିଲେ କେହି କେବେ ମହାନ ହେଇପାରେନା।
ଆସନ୍ତୁ, କ୍ରିକେଟର ଈଶ୍ୱର ବୋଲି କଥିତ ସଚିନ ତେନ୍ଦୁଲକରଙ୍କ ଜୀବନର ଗୋଟିଏ ଘଟଣା ଜାଣିବା । ଗ୍ଲସେଷ୍ଟରସାୟାର ବିପକ୍ଷରେ ଭାରତ ଖେଳୁଥାଏ । ଇଆନ୍ ଗ୍ରେଗଙ୍କୁ ବୋଲିଂ କରୁଥାନ୍ତି ରବି ଶାସ୍ତ୍ରୀ । ଗ୍ରେଗ ଗୋଟିଏ ବଲକୁ ଡିପ୍ ମିଡ-ୱିକେଟ୍ ଉପର ଦେଇ ବାଉଣ୍ଡରିକୁ ଖେଳିଦେଲେ। ସଚିନ ଉପରକୁ ଅନେଇ ଦଉଡ଼ିଲେ ବଲଟିକୁ ଧରିବା ପାଇଁ। ବଲଟିକୁ ସେ ଧରିନେଲେ ସତ, ହେଲେ ସେତେବେଳକୁ ସେ ବାଉଣ୍ଡରି ଅତିକ୍ରମି ଯାଇଥାଏ । ଅର୍ଥାତ୍, ବଲଟି କ୍ୟାଚ୍ ନହୋଇ ଛକ୍କା ହୋଇସାରିଥାଏ। ତେବେ ସଚିନ ଚାହିଁଥିଲେ, ସେ ତାହାକୁ କ୍ୟାଚ୍ ବୋଲି ଘୋଷଣା କରିପାରିଥାନ୍ତେ। କାରଣ, ସେଠାରେ ତାଙ୍କ ବ୍ୟତୀତ ଆଉ କେହି ଜଣିଏ ବି ନଥିଲେ । ତେଣୁ ସେ ସତ କହୁଛନ୍ତି କି ମିଛ କହୁଛନ୍ତି ସେକଥା କାହାରି ଜାଣିବାର ଜୁ’ ନଥିଲା । ମାତ୍ର ସଚିନ ଉପରକୁ ଦୁଇହାତ ଉଠେଇ ଛକ୍କା ହୋଇଛି ବୋଲି ସୂଚନା ଦେଇଥିଲେ। ସମ୍ଭବତଃ, ଏହି ସଚ୍ଚୋଟପଣିଆ ପାଇଁ ବିଶ୍ୱ କିକେଟରେ ଅନେକ ଷ୍ଟାର ଖେଳାଳି ଥିବା ସତ୍ତ୍ୱେ ସଚିନ୍ ହେଉଛନ୍ତି ଜଣେ। ଆପଣ କଣ କରୁଛନ୍ତି କେହି ଦେଖିବା ବା ଜାଣିବା ଆବଶ୍ୟକ ନାହିଁ।

ରାଜେନ୍ଦ୍ର

ମହାନ ପଦାର୍ଥବିତ୍ ଆଲବର୍ଟ ଆଇନଷ୍ଟାଇନଙ୍କର ପ୍ରିୟ ଡ୍ରାଇଭର ଥିଲା ହ୍ୟାରୀ । ଆଇନଷ୍ଟାଇନ ଯୁଆଡ଼େ ବି ଲେକ୍ଚର ଦେବାକୁ ଯାଉଥିଲେ, ହ୍ୟାରୀକୁ ସାଙ୍ଗରେ ନେଇ ଯାଉଥିଲେ । ଆଇନଷ୍ଟାଇନଙ୍କ ସହ ଯାଇଯାଇ ହ୍ୟାରୀ ମଧ୍ୟ “ଥିଓରି ଅଫ୍ ରିଲେଟିଭିଟି” ବିଷୟରେ ସବିଶେଷ ଜ୍ଞାନ ହାସଲ କରିସାରିଥିଲା

ଦିନେ ହ୍ୟାରୀ କହିଲା: ପ୍ରୋଫେସର ଆଇନଷ୍ଟାଇନ୍, ମୁଁ ତୁମଠୁ “ଥିଓରି ଅଫ୍ ରିଲେଟିଭିଟି” ଏତେଥର ଶୁଣି ସାରିଲିଣି ଯେ, ଯଦି ଆବଶ୍ୟକ ପଡ଼େ ମୁଁ ବି ନିର୍ଭୁଲ ଭାବରେ ଏହା ଉପରେ ଲେକ୍ଚର ଦେଇପାରିବି । କିଛିଦିନ ଗଲା । ଆଇନଷ୍ଟାଇନ୍ ବ୍ରାଉନ ୟୁନିଭର୍ସିଟିକୁ ଲେକଚର ଦେବାକୁ ଯାଉଥାନ୍ତି । ହ୍ୟାରୀ କାର ଚଳାଉଥାଏ । ଆଇଷ୍ଟାଇନ କହିଲେ: ହ୍ୟାରୀ, ମୁଁ ଆଜି ଟିକେ ଅସୁସ୍ଥତା ଅନୁଭବ କରୁଛି । ତୁମେ ମତେ ଗୋଟେ ଫେଭର କରିବ । ମୋ ପୋଷାକ ପିନ୍ଧି ତମେ ଲେକଚର ଦେଇଦବ । ହ୍ୟାରୀ ବି ହଁ ମାରିଦେଲା । ବ୍ରାଉନ ୟୁନିଭର୍ସିଟିକୁ ଆଗରୁ ଯାଇ ନଥିବା ହେତୁ ଆଇନଷ୍ଟାଇନଙ୍କୁ କେହି ଚିହ୍ନି ନଥାନ୍ତି । ତେଣୁ ହ୍ୟାରୀ ଆଇନଷ୍ଟାଇନଙ୍କ ଡ୍ରେସ ପିନ୍ଧି ଲେକଚର ଦେବାକୁ ଚାଲିଗଲେ । ଆଇନଷ୍ଟାଇନ କାରର ଡ୍ରାଇଭର ସିଟରେ ବସି ରହିଲେ । ଲେକଚର ସରିଲା । ହ୍ୟାରୀ ପୋଡ଼ିଅମ୍ ଛାଡ଼ିବାକୁ ଯାଉଥିଲେ । ଏତିକିବେଳେ ଦର୍ଶକଙ୍କ ମଧ୍ୟରୁ ଜଣେ ଉଠି ଏକ ଜଟିଳ ପ୍ରଶ୍ନ ପଚାରିଦେଲା । ଆଇନଷ୍ଟାଇନ ଭାବିଲେ, ଏବେ କାମ ଶେଷ । ହେଲେ ସେତିକିବେଳେ ହ୍ୟାରୀ ହସିଦେଇ କହିଲା: ଓଃ ଏଇ ପ୍ରଶ୍ନ । ଏଇଟା ଏତେ ସହଜ ଯେ ମୁଁ ତାହାର ଉତ୍ତର ଦେବାକୁ ଚାହୁଁନି । ମୁଁ ଏବେ ମୋ ଡ୍ରାଇଭରକୁ ଡାକୁଛି । ସେ ତାହାକୁ ସରଳ କରି ବୁଝେଇଦେବ ।

ରାଜେନ୍ଦ୍ର

#Einstein

#scientist

ଥୋମାସ ଏଡ଼ିସନ୍ ଦିନେ ସ୍କୁଲରୁ ଘରକୁ ଫେରିଲେ ଓ ତାଙ୍କ ମାଆଙ୍କୁ ଖଣ୍ଡିଏ କାଗଜ ବଢ଼େଇ ଦେଇ କହିଲେ, ମାଆ! ସାର ଏ ଚିଠି ଦେଇଛନ୍ତି ଓ କହିଛନ୍ତି, ଏ ଚିଠିକୁ କେବଳ ତୁମ ମାଆ ପଢ଼ିବେ । ଏଥିରେ ସାର କ’ଣ ଲେଖିଛନ୍ତି? ଚିଠିକୁ ଦେଖି ମାଆଙ୍କ ଆଖି ଲୁହରେ ଭରିଗଲା ଓ ସେ ତାକୁ ବଡ଼ ପାଟିରେ ପଢ଼ିଲେ: “ତୁମ ପୁଅ ଏଭଳି ବୁଦ୍ଧିମାନ ଯେ, ଏ ସ୍କୁଲ ତା’ ପଢ଼ିବା ପାଇଁ ଉପଯୁକ୍ତ ନୁହେଁ । ଏଠାରେ ତାକୁ ପଢ଼ାଇବା ଲାଗି ସେଭଳି ଶିକ୍ଷକ ନାହାନ୍ତି । ଦୟାକରି, ଆପଣ ତାହାର ଯତ୍ନ ନିଅନ୍ତୁ ।

ଏହାପରେ ଅନେକ ଦିନ ବିତିଗଲା । ଥୋମାସ ଏଡ଼ିସନଙ୍କ ମାଆ ପରଲୋକକୁ ଚାଲିଗଲେ । ଥୋମାସ ଏଡ଼ିସନ୍ ଇଲେକ୍ଟ୍ରିକ୍ ବଲବ ଉଦ୍ଭାବନ କରି ବିଶ୍ୱ ବିଖ୍ୟାତ ହେଇଗଲେ । ଦିନେ ସେ ମାଆଙ୍କର ଜିନିଷ ପତ୍ର ଖେଳାଉ ଖେଳାଉ ଚିଠିଟିକୁ ପାଇଲେ । ଆଗ୍ରହ ହୋଇ ପଢ଼ିବା ଆରମ୍ଭ କଲେ । ଚିଠିରେ ଲେଖାଥିଲା, “ତୁମ ପୁଅ ମାନସିକ ଅନଗ୍ରସର । ତା’ ଦ୍ୱାରା ପାଠ ହେବନାହିଁ କିମ୍ବା ଆମେ ତାକୁ ପଢ଼ାଇ ପାରିବୁନାହିଁ । ତାକୁ ଆମେ ସ୍କୁଲରୁ ବହିଷ୍କାର କରୁଛୁ ।” ଏଡ଼ିସନ ତାଙ୍କ ଡାଏରିରେ ଲେଖିଥିଲେ: “ଥୋମାସ ଏଡିସନ୍ ନାମକ ଜଣେ ମାନସିକ ଅନଗ୍ରସର ପିଲାକୁ ତା’ର ମାଆ ଶତାବ୍ଦୀର ଶେଷ୍ଠ ଉଦ୍ଭାବକ କରିଦେଲେ ।”

ରାଜେନ୍ଦ୍ର

ମଣିଷ ଏକ ସୁଖପ୍ରିୟ ପ୍ରାଣୀ। ଜୀବନକୁ ସୁଖ, ସମୃଦ୍ଧିରେ ଭରିଦେବା ହେଉଛି ତା’ର ପରମ କର୍ତ୍ତବ୍ୟ। ସେଥିଲାଗି କେତେ ଚିନ୍ତା, କେତେ ଯୋଜନା। ସବୁ କେବଳ ସୁଖ ଟିକିଏ ପାଇଁ। ଶାନ୍ତି ଟିକିଏ ପାଇଁ। ତେବେ ପ୍ରଶ୍ନ ଉଠେ ବାସ୍ତବରେ ଏଇ ସୁଖ କ’ଣ ? ଏହା କାହାପାଇଁ କିଭଳି ହୋଇଥାଏ

ଦିନକର କଥା। ମୁଣ୍ଡ ଉପରେ ଧୂଧୂ ଖରା । ବାଟୋଇଟିଏ ଆସି ଥକ୍କା ମାରି ଏକ ଗଛ ମୂଳରେ ବସିପଡ଼ିଲା । ଦେଖିଲା, ସେଇ ଗଛ ମୂଳରେ ଲୋକଟିଏ ଗାମୁଛା ପାରି ଶୋଇଛି। ବାଟୋଇ ଏହା ଦେଖି ରାଗିଗଲା। ଆଉ ଲୋକଟିକୁ ଡାକି କହିଲା- ତୁ କିଛି କାମଧନ୍ଦା ନକରି ଏମିତି ଗଛମୂଳଟାରେ ଶୋଇଛୁ କ’ଣ ପାଇଁ? ଲୋକଟା ଅଧାନିଦରୁ ଉଠିଥିଲା। ତେଣୁ ଆଖି ମଳିମଳି ପଚାରିଲା- ବାବୁ, କାମଧନ୍ଦା କଲେ କ’ଣ ହେବ? ବାଟୋଇ କହିଲା- କାମଧନ୍ଦା କଲେ କିଛି ପଇସା ତୋ ହାତକୁ ଆସିବ। ଲୋକଟି ପଚାରିଲା- ପଇସା ନେଇ ମୁଁ କ’ଣ କରିବି? ବାଟୋଇ କହିଲା- ପଇସା ହେଲେ ତୁ ଜାଗାବାଡ଼ି କିଣିବୁ। ଘରଟିଏ କରିବୁ। ଭଲରେ ଗଣ୍ଡେ ଖାଇବୁ। ସୁଖରେ ରହିବୁ  ଆଉ ଶାନ୍ତିରେ ଶୋଇବୁ। ଲୋକଟି ବାଟୋଇ ଆଡ଼କୁ ଚାହିଁ ହାଇଟିଏ ମାରି କହିଲା- ଟିକିଏ ଆଗରୁ ମୁଁ ଆଉ କ’ଣ କରୁଥିଲିକି ବାବୁ। ଶାନ୍ତିରେ ହିଁ ତ ଶୋଇଥିଲି। ମୋ ସୁଖନିଦ୍ରାକୁ ଆପଣ ଭାଙ୍ଗିଦେଲେ ସିନା।

-ରାଜେନ୍ଦ୍ର

ଏଇଟା ମହାଭାରତର ଏକ ଉପକଥା। ଘଟଣାଟି ଘଟିଥିଲା ପାଞ୍ଚାଳ ରାଜ୍ୟର ରାଜପ୍ରାସାଦରେ। ରାଜା ଦ୍ରୌପଦ ପୁତ୍ରେଷ୍ଟି ଯଜ୍ଞ କରି ପୁତ୍ର ଧ୍ରୁଷ୍ଟଦୁମ୍ନ ଏବଂ କନ୍ୟା ଯାଜ୍ଞସେନୀ ଦ୍ରୌପଦୀଙ୍କୁ ଲାଭ କରିଥାନ୍ତି

ଦ୍ରୌପଦୀ ଜଣେ ସାଧାରଣ ନାରୀ ନଥିଲେ। ପୃଥିବୀରୁ ପାପ ନାଶିବାକୁ ତାଙ୍କ ସୃଷ୍ଟି ହୋଇଥିଲା। ତେଣୁ ରାଜା ଦ୍ରୌପଦ ମୁନୀ ଋଷିଙ୍କ ଉପରେ ତାଙ୍କର ଶିକ୍ଷାର ଦାୟିତ୍ୱ ନ୍ୟସ୍ତ କରିଥିଲେ। ମୁନୀ, ଋଷିମାନେ ତାଙ୍କୁ ବେଦ, ପୁରାଣ, ଉପନିଷଦ, ଗଣିତ, ବ୍ୟାକରଣ, ସାହିତ୍ୟ ଆଦି ଶାସ୍ତ୍ର ପଠନ କରିବାକୁ ଦେଇଥାନ୍ତି। ଦ୍ରୌପଦୀଙ୍କ ମଧ୍ୟରେ ପଢ଼ିବାର ନିଶା ଏଭଳି ପ୍ରଖର ଥିଲା ଯେ, ସେ ଖୁବ୍ କମ୍ ଦିନରେ ସବୁକିଛି ପଢ଼ି ଶେଷ କରିଦେଉଥାନ୍ତି। ଦିନେ ମହର୍ଷି ବ୍ୟାସ ପାଞ୍ଚାଳକୁ ଆସିଲେ। ରାଜା ଦ୍ରୌପଦ ତାଙ୍କର ସାଦର ସକ୍ରାର କଲେ। ତାଙ୍କ ରହିବା ଖାଇବାର ବନେ୍ଦାବସ୍ତ କରିଦେଲେ। ସନ୍ଧ୍ୟା ସମୟରେ ଦ୍ରୌପଦୀ ଆସି ଭେଟିଲେ ବ୍ୟାସଦେବଙ୍କୁ। ପ୍ରଣାମ କରି କହିଲେ: ମହର୍ଷି! ମୁଁ ସବୁକିଛି ପଢ଼ି ସାରିଲିଣି। ମୋ ଲାଗି ପଢ଼ିବାକୁ ଆଉକିଛି ନାହିଁ । ମୁଁ ଏବେ କ’ଣ କରିବି ? ବ୍ୟାସଦେବ ହସିଲେ । କହିଲେ: ମା’ ଯାଜ୍ଞସେନୀ! ତମେ ଯେଉଁ ପୋଥିପୁରାଣ ପଢ଼ିଛ ତାହା ବାସ୍ତବ ପାଠ ନୁହେଁ। ମଣିଷ ଲାଗି ବାସ୍ତବ ପାଠ ହେଉଛି ତା’ ନିଜର ଜୀବନ। ପ୍ରତିମୁହୂର୍ତ୍ତରେ ଜୀବନ ତୁମକୁ ନୂଆ କଥା ଶିଖେଇବ। ସେସବୁକୁ ଯଦି ଶିଖି ପାରିବ ତା’ହେଲେ ଜାଣିବ ବାସ୍ତବରେ ତୁମେ କିଛି ପଢ଼ିଛ।

-ରାଜେନ୍ଦ୍ର

ଐତିହାସିକ ଉଜ୍ଜୟିନୀ ନଗରୀରେ ରହୁଥାନ୍ତି ଜଣେ ଧନୀ ସୌଦାଗର। ସେ ଅସହାୟ ଲୋକମାନଙ୍କୁ ମୁକ୍ତ ହସ୍ତରେ ଦାନ କରୁଥାନ୍ତି

ସମୟକ୍ରମେ ସୌଦାଗରଙ୍କ ବ୍ୟବସାୟ ଦାୟିତ୍ୱ ପୁଅମାନଙ୍କୁ ଦେଲେ। ପୁଅମାନେ ବ୍ୟବସାୟ ବୁଝିଲେ। ବୃଦ୍ଧ ସୌଦାଗର କିନ୍ତୁ ପୂର୍ବପରି ଦରିଦ୍ର ଅସହାୟଙ୍କୁ ସାହାଯ୍ୟ କରୁଥାନ୍ତି। ଦିନେ ପୁଅମାନେ ସୌଦାଗରଙ୍କ ନିକଟରେ ପହଞ୍ଚିଲେ। ସମୟ ସନ୍ଧ୍ୟାରେ ସୌଦାଗର ପୁଅମାନଙ୍କୁ ଦେଖି ପାଖକୁ ଡାକିଲେ ଓ ଆସିବାର କାରଣ ପଚାରିଲେ। ପୁଅମାନେ କହିଲେ ବାପା, ଆପଣ ଏବେ ଧନ ବାଣ୍ଟିବା ବନ୍ଦ କରିଦିଅନ୍ତୁ। ନହେଲେ ଦିନେ ଆମ ନିକଟରୁ ବି ଧନ ସରିଯିବ।

ବୃଦ୍ଧ ସୌଦାଗର ହସିଲେ। ଆଉ ପାଖରେ ରଖିଥିବା ଦୀପଟିକୁ ଲିଭେଇଦେଲେ। ପୁଅମାନେ ଅନ୍ଧାରରେ ଆସିବା ବେଳେ ଗୋଟିଏ ଦୀପ ଧରି ଆସିଥିଲେ। ସେ ପୁଅମାନଙ୍କୁ ତାଙ୍କର ଦୀପଟିକୁ ଲଗାଇଦେବାକୁ କହିଲେ। ଜଣେ ପୁଅ ଯାଇ ବୃଦ୍ଧ ସୌଦାଗରଙ୍କ ଦୀପ ଲଗେଇଦେଲା। ବୃଦ୍ଧ ସୌଦାଗର ପଚାରିଲେ: ମୋ ଦୀପ ଜଳାଇବା ଦ୍ୱାରା କ’ଣ ତମ ଦୀପର ଆଲୁଅ କମିଗଲା? ପୁଅମାନେ କିଛି ବୁଝିପାରିଲେନି। ବୃଦ୍ଧ ସୌଦାଗର ବୁଝେଇ କହିଲେ: ଯଦି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲାଗିବା ଦ୍ୱାରା ପ୍ରଥମ ଦୀପର ଆଲୁଅ କମି ଯାଉନାହିଁ; ତା’ହେଲେ ଆମେ ଯଦି କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ତା’ହେଲେ ଆମର ଧନ କେମିତି କମିଯିବ ? ପୁଅମାନେ ନିଜର ଭୁଲ ବୁଝିପାରିଲେ।

-ରାଜେନ୍ଦ୍ର