ଦିନେ ଟଲଷ୍ଟୟଙ୍କୁ ତାଙ୍କର ଜଣେ ଜିଜ୍ଞାସୁ ଛାତ୍ର ପଚାରିଲେ ଗୁରୁଜୀ ! ବାସ୍ତବରେ ଏ ଜୀବନ କ’ଣ ? ଏ ସଂସାର କ’ଣ ? ଏ ଜୀବନ ଆଉ ସଂସାରରେ ମଣିଷମାନଙ୍କର ସ୍ଥିତି କିପରି ? ମୁଁ ଏହାର ରହସ୍ୟ କିଛି ବୁଝିପାରୁନାହିଁ। ଟଲଷ୍ଟୟ ସେତେବେଳେ ତାଙ୍କ ଶସ୍ୟକ୍ଷେତରେ ବୁଲୁଥିଲେ। ବୁଲୁବୁଲି ସେ ଶିଷ୍ୟକୁ ଗପଟିଏ କହିବାରେ ଲାଗିଲେ।

ଥରେ ଜଣେ ଯାତ୍ରୀ ଜଙ୍ଗଲ ରାସ୍ତାଦେଇ ଯାତ୍ରା କରୁଥିଲା । ହଠାତ କଳା ମଚମଚ ଦନ୍ତାହାତୀ ଗର୍ଜନ କରି ତା’ ଆଡ଼କୁ ମାଡ଼ି ଆସିଲା। ଲୋକଟି ଡରିଗଲା ଆଉ କିଛି ଉପାୟ ନ ପାଇ ପାଖରେ ଥିବା ଏକ ଭଙ୍ଗା କୁଅ ଭିତରକୁ ଡେଇଁ ପଡ଼ିଲା। ଆଉ କୂଅ ଭିତରେ ବଢ଼ିଥିବା ଗୋଟେ ଗଛକୁ ଧରି ଝୁଲି ରହିଲା। କିଛି ସମୟ ପରେ ଦେଖିଲା ସେହି କୂଅ ଭିତରେ ରହିଛି ଗୋଟେ ଭୟଙ୍କର କୁମ୍ଭୀର । ତାକୁ ଲାଗିଲା, ସେଇଟା କୁମ୍ଭୀର ନୁହେଁ; ସାକ୍ଷାତ ତା’ର ମୃତ୍ୟୁ। ସେତିକିବେଳେ ଲୋକଟି ଦେଖିଲା, ଗଛର ଫଳ ସବୁ ପାଚି ଖୁବ୍ ସୁନ୍ଦର ବାସୁଛି। ଏହା ଦେଖି ଲୋକଟି ତା’ର ଲୋଭ ସମ୍ଭାଳି ପାରିଲାନି। ଗୋଟିଏ ପରେ ଗୋଟିଏ ସୁସ୍ୱାଦୁ ଫଳ ଆଣି ଖାଇବାରେ ଲାଗିଲା।
ଏତିକି କହି ଟଲଷ୍ଟୟ କହିଲେ, ଏ ସଂସାର ଆଉ ଆମ ଜୀବନ ଠିକ୍ ଏଇପରି। ହାତୀ ପରି କାଳ ଆମକୁ ଗୋଡ଼େଇ ଚାଲିଛି । ମଗର ପରି ମୃତ୍ୟୁ ଆମକୁ ଜଗି ରହିଛି। ତଥାପି ଆମେ ଆମର ଜୀବନକୁ ଗଛର ସୁଆଦିଆ ଫଳ କରି ଉପଭୋଗ କରିଚାଲିଛେ।

-ରାଜେନ୍ଦ୍ର

କାହା ସହ ବୌଦ୍ଧିକ ସ୍ତରରେ ବିତର୍କ କରିବା ଆଗରୁ ମନରୁ ଅହଙ୍କାର ଦୂର କରି ନିଜର ବୁଦ୍ଧିକୁ ମାପିବା ଆବଶ୍ୟକ। ନଚେତ୍ ନିଜେ ନିଜ ନିକଟରେ ପରାସ୍ତ ହେବା ସୁନିଶ୍ଚିତ

ବିଶ୍ୱ ସାହିତ୍ୟରେ ଯେଉଁମାନେ ରୁଚି ରଖନ୍ତି ସେମାନେ ରୁଡ୍ୟାର୍ଡ କିପଲିଙ୍ଗଙ୍କ ନାଁ ନିଶ୍ଚୟ ଶୁଣିଥିବେ । ଇଂରାଜୀ ଭାଷାର ପ୍ରଥମ ଲେଖକ ଭାବରେ ସେ ୧୯୦୭ ମସିହାରେ ନୋବେଲ ପୁରସ୍କାର ହାସଲ କରିଥିଲେ । କିପଲିଙ୍ଗଙ୍କର ଅନେକ ଶତ୍ରୁ ଥିଲେ । ସେମାନେ ତାଙ୍କ ବିଷୟରେ ନାନାଦି ଅପପ୍ରଚାର କରୁଥିଲେ । କିପଲିଙ୍ଗ କୁଆଡ଼େ ଜଣେ ଅର୍ଥଲୋଭୀ । ସେ ଅର୍ଥ ନ ପାଇଲେ ଶବ୍ଦଟିଏ ବି ଲେଖିବେ ନାହିଁ । ଏଭଳି ଅପପ୍ରଚାର କରି ତାଙ୍କୁ ଚାରିଆଡ଼େ ଅପଦସ୍ତ କରାଯାଉଥିଲା । ଥରେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ଏଭଳି ବିରକ୍ତ କରିଦେଲେ ଯେ, କିପଲିଙ୍ଗ ରାଗିଗଲେ ଆଉ କହିଦେଲେ: ହଁ, ମୋର ଗୋଟିଏ ଶବ୍ଦର ମୂଲ୍ୟ ଶହେ ଡଲାର । ମୋ ଶବ୍ଦ ମୁଁ ବିକିବି । ମୋତେ କହିବାକୁ ତୁମେମାନେ କିଏ? ସାମ୍ବାଦିକ ଜଣକ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ଏକଶହ ଡଲାରର ନୋଟ୍ଟିଏ ବାହାରକରି କିପଲିଙ୍ଗଙ୍କୁ ଧରାଇଦେଲେ ଆଉ କହିଲେ: ମହାଶୟ! ମୁଁ ଆପଣଙ୍କଠୁ ଗୋଟିଏ ଏକଶହ ଡଲାରର ଶବ୍ଦ କିଣିବାକୁ ଚାହୁଁଛି । କିପଲିଙ୍ଗ ନୋଟକୁ ନେଇ ପକେଟରେ ରଖିଦେଲେ । ଆଉ କହିଲେ: ଧନ୍ୟବାଦ!

ସାମ୍ବାଦିକ କହିଲେ: ମୁଁ ଧନ୍ୟବାଦ ଚାହୁଁନି, ଚାହୁଁଛି ଏକଶହ ଡଲାରର ଗୋଟିଏ ଶବ୍ଦ । କିପଲିଙ୍ଗ ହସିଦେଇ କହିଲେ: ମୁଁ ବି ତୁମକୁ ଧନ୍ୟବାଦ ଦେଉନି । ତୁମେ ମୋତେ ଯେଉଁ ଏକଶହ ଡଲାର ଦେଲ ତା’ ପ୍ରତିବଦଳରେ ମୁଁ ତୁମକୁ ‘ଧନ୍ୟବାଦ’ ଶବ୍ଦଟିକୁ ବିକ୍ରି କରିଦେଉଛି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଲୋକମାନେ ତାଳିମାରି ହସିଉଠିଥିଲେ । ସାମ୍ବାଦିକଙ୍କର ମୁହଁଟି ମଉଳି ପଡ଼ିଥିଲା ।

-ରାଜେନ୍ଦ୍ର