ଆସନ୍ତା ଏପ୍ରିଲ ଦୁଇ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ଯଦି ଉତାପ ତାତି ବୃଦ୍ଧି ପାଏ ଅଙ୍ଗନବାଡି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଛୁଟି କରି ଦିଆଯିବ। ତେବେ ପିଲାଙ୍କ ପାଇଁ ଥିବା ଅଙ୍ଗନବାଡ଼ି ଖାଦ୍ୟ ତାଙ୍କ ଘରେ ନେଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ। ସେହିଭଳି ଦିନ ୧୧ଟାରୁ ଅପରାହ୍ଣ ୩ଟା ଭିତରେ ଶ୍ରମିକଙ୍କୁ ବାହାର କାମ କରିବା ପାଇଁ ବାରଣ କରାଯାଇଛି। ଯଦି ଶ୍ରମିକମାନଙ୍କୁ କିଏ ଏହି ସମୟ ମଧ୍ୟରେ କାମ କରାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିଭଳି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିରୋ କାଜୁଆଲିକୁ ଗୁରୁତ୍ୱ ଦିଆଯାଇଛି।
ଶ୍ରୀ ପୂଜାରୀ କହିଛନ୍ତି ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ। ଜଳଛତ୍ର ଖୋଲାଯିବ। ନଳକୂପ ଖନନ ପାଇଁ ଜିଲାଗୁଡିକୁ ୩୦୦ କୋଟି ବ୍ୟୟ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଅପରପକ୍ଷେ ରାଜ୍ୟରେ ଅଘୋଷିତ ବିଜୁଳି କାଟ ହେବ ନାହିଁ କିମ୍ବା ଦିନ ୧୧ଟାରୁ ଅପରାହ୍ଣ ୩ଟା ଓ ରାତିରେ ବିଦ୍ୟୁତ୍‌ କାଟ ହେବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ନାଗପୁରର ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ନେଇ ହିଂସାକୁ ନେଇ ଏକ ସମ୍ବେଦନଶୀଳ ଅଭିଯୋଗ ଲୋକଲୋଚନକୁ ଆସିଛି। ଗଣ୍ଡଗୋଳ ସମୟରେ ଜଣେ ପୋଲିସ ଅଧିକାରୀଙ୍କୁ ଅସଦାଚରଣ କରାଯାଇଥିବାର ଖବର ଆସିଛି। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧର୍ମଗ୍ରନ୍ଥ ପୋଡ଼ିବା ଗୁଜବ ଯୋଗୁଁ ଦଙ୍ଗାର ସୂତ୍ରପାତ ହୋଇଥିବା ପୁଲିସ ଜାଣିବାକୁ ପାଇଛି।
ବୁଧବାର ଏ ସମ୍ପର୍କରେ ହୋଇଥିବା ମାମଲାରେ କୁହାଯାଇଛି ଯେ ମହାରାଷ୍ଟ୍ରର ନାଗପୁର ହିଂସା ସମୟରେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଜଣେ ପୁରୁଷ ଅସଦାଚରଣ କରିଥିଲେ। ଏଫଆଇଆରରେ ଆହୁରି ଉଲ୍ଲେଖ ରହିଛି ଯେ, ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ କିଛି ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ। ଘଟଣାଟି ମାର୍ଚ୍ଚ ୧୭ ତାରିଖ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୧୧.୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ଡଙ୍ଗା ନିୟନ୍ତ୍ରଣରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ଶରୀର ଏବଂ ୟୁନିଫର୍ମକୁ ମଧ୍ୟ ଅଭିଯୁକ୍ତ ହାତ ଦେବାକୁ ମଧ୍ୟ କୁଣ୍ଠାବୋଧ କରି ନ ଥିଲା।

ଔରଙ୍ଗାବାଦରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧି ବିବାଦ ମଧ୍ୟରେ ନାଗପୁରର ବିଭିନ୍ନ ସ୍ଥାନରେ ହିଂସା ଘଟିବାର ଦୁଇ ଦିନ ପରେ ଏଭଳି ଗୁରୁତର ଅଭିଯୋଗ ଥିବା ଏଫଆଇଆର ପଞ୍ଜିକୃତ ହୋଇଛି । ଏକ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏକ ଦକ୍ଷିଣପନ୍ଥୀ ଗୋଷ୍ଠୀ ମୁସଲମାନ ସମ୍ପ୍ରଦାୟର ପବିତ୍ର ଗ୍ରନ୍ଥ କୁରାନ ଜାଳି ଦେଇଥିବା ଗୁଜବ ଯୋଗୁଁ ଦଙ୍ଗା ବ୍ୟାପିଥିଲା। ତେବେ ଏହା ପଛରେ କେତେ ସତ୍ୟ, କେତେ ଗୁଜବ ସେ ନେଇ ପୁଲିସ ଅନୁସନ୍ଧାନ କରୁଛି।

ଗୋଷ୍ଠୀକନ୍ଦଳରୁ ଗଡ଼ିଲା ୩ ମୁଣ୍ଡ

ଶୂନ୍ୟରେ ଫସି ରହିଥିବା ନାସାର ମହାକାଶଚାରୀ ବୁଚ୍ ୱିଲମୋର୍ ଏବଂ ସୁନିତା ୱିଲିୟମ୍ସ ମଙ୍ଗଳବାର (ଆମେରିକୀୟ ସମୟ)ରେ ପୃଥିବୀକୁ ଫେରି ଆସିଛନ୍ତି।

ଏଥିସହିତ ନାସାର ମହାକାଶଚାରୀ ନିକ୍ ହେଗ୍ ଏଵଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର୍ ଗୋର୍ବୁନୋଭ୍ ପୃଥିବୀକୁ ଫେରି ଆସିଛନ୍ତି। ସେମାନେ ଫ୍ଲୋରିଡାର ତଲାହାସି ନିକଟରେ ଛିଟିକି ପଡ଼ିଥିଲେ।
ସ୍ପେସଏକ୍ସ ଦ୍ୱାରା ପ୍ରଦାନ କରାଯାଇଥିବା ଭିଡିଓରୁ ନିଆଯାଇଥିବା ଏହି ଚିତ୍ରରେ ନାସାର ସୁନି ୱିଲିୟମ୍ସଙ୍କୁ ସ୍ପେସଏକ୍ସ କ୍ୟାପସୁଲରୁ ବାହାରିବା ପରେ ସାହାଯ୍ୟ କରାଯାଉଥିବା ଦେଖାଯାଉଛି।

ଯାନ୍ତ୍ରିକ ତ୍ରୁଟି ପାଇଁ ମାତ୍ର ୮ ଦିନ ପାଇଁ ଯାଇଥିବା ଏହି ଦୁଇ ମହାକାଶଚାରୀ ୯ ମାସରୁ ଅଧିକ ସମୟ ମହାକାଶରେ ଫସି ରହିଥିଲେ। ଶେଷରେ ବିଫଳ ପରୀକ୍ଷଣ ଉଡ଼ାଣ ସହିତ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପୂର୍ଣ୍ଣଛେଦ ପଡ଼ିଛି ଏବଂ ଏକ ଭିନ୍ନ ଯାତ୍ରାରେ ପୃଥିବୀକୁ ଫେରି ଆସିଲେ। ପ୍ରାୟ ୯୦୦ ଘଣ୍ଟାରୁ ଅଧିକ ସମୟ ଶୂନ୍ୟରେ ବିତାଇଥିବା ଦୁଇ ମହାକାଶଚାରୀ ଦେଢ଼ଶହରୁ ଅଧିକ ଗବେଷଣା କରିବାରେ ସଫଳ ହୋଇଛନ୍ତି।

ଅପରପକ୍ଷେ ଦୀର୍ଘଦିନ ଧରି ଫସିଥିବା ମହାକାଶଚାରୀଙ୍କ ସମେତ ତାଙ୍କୁ ଉଦ୍ଧାର ପାଇଁ ଯାଇଥିବା ଅନ୍ୟ କ୍ରୁ ୯ ସଦସ୍ୟ ସୁସ୍ଥ ଥିବା ନାସା ପକ୍ଷରୁ କୁହାଯାଇଛି।
ପ୍ରକାଶ ଥାଉ କି ଜୁନ୍ ୨୦୨୪ ରେ ଷ୍ଟାରଲାଇନର୍ ମହାକାଶଯାନରେ ଉତକ୍ଷେପଣ କରିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମହାକାଶରେ ନଅ ମାସ ବିତାଇବା ପରେ ପୃଥିବୀକୁ ଫେରି ଆସିଥିଲେ। ଯାହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ରେ ହାରାହାରି ୬ ମାସ ଘୂର୍ଣ୍ଣନ ଠାରୁ ଅଧିକ।

ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

ମହାକାଶରେ ଦୀର୍ଘ ସମୟ ବିତାଇବା ପରେ ଘରକୁ ଫେରିବା ସମୟରେ ମହାକାଶଚାରୀଙ୍କ ଶରୀର କିପରି ସଂଘର୍ଷ କରିବ ତାହା ବୁଧବାର ଦିନ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ବ୍ୟାଖ୍ୟା କରିଛି। ନାସାର ଜଣେ ଅଧିକାରୀ କହିଛନ୍ତି ଯେ ମହାକାଶଚାରୀମାନେ ଭାସ୍କୁଲାର ଏବଂ ହୃଦରୋଗ ପୁନଃନିର୍ମାଣ କରିପାରନ୍ତି ଏବଂ ପୃଥିବୀର ଗୁରୁତ୍ୱାକର୍ଷଣ ସହିତ ସେମାନଙ୍କ ଶରୀର ପୁନଃନିର୍ମାଣ ହେବା ସମୟରେ ଘୂରିବା ଅନୁଭବ କରିପାରନ୍ତି।

ସୁନିତା ୱିଲିୟମ୍ସଙ୍କୁ ‘ମନ୍ଥର ଲାଗିପାରେ। ଉଠିବାରେ ଅସୁବିଧା ହୋଇପାରେ। ନାସା କହିଛି ଯେ ମହାକାଶଚାରୀଙ୍କ ଶରୀର ପୃଥିବୀରେ ସଂଘର୍ଷ କରିବାକୁ ହେବ। ନାସା ଅଧିକାରୀ କହିଛନ୍ତି ଯେ, ମହାକାଶଚାରୀମାନେ ଭାସ୍କୁଲାର ଏବଂ ହୃଦରୋଗ ପୁନଃନିର୍ଦ୍ଦେଶନ କରିପାରନ୍ତି ଏବଂ ପୃଥିବୀର ଗୁରୁତ୍ୱାକର୍ଷଣ ସହିତ ସେମାନଙ୍କ ଶରୀର ପୁନଃସ୍ଥାପିତ ହେବା ସମୟରେ ଘୁରିବ ଅନୁଭବ କରିବେ।

ସ୍ବପ୍ନ ଦେଖିବାର ବି ଗୋଟେ ସୀମା ଅଛି

ଅନେକ ସମୟରେ ଆମେ ଯେତିକି ଭାବିବା କଥା ତା ଠାରୁ ଅଧିକ ଚିନ୍ତା କରି ବସୁ। ସେଥିପାଇଁ ଆମକୁ ବହୁ ମୂଲ୍ୟ ଦେବାକୁ ପଡେ। ସ୍ବପ୍ନ ତ ଭାଙ୍ଗି ଯାଏ। ସ୍ବପ୍ନ ସାଙ୍ଗରେ ବାସ୍ତବତା ବି ଚୂରମାର୍ ହୋଇଯାଏ।
ଜଣେ ଯୁବ ଅଣ୍ଡା ବ୍ୟବସାୟୀ ଝୁଡ଼ିରେ କିଛି ଅଣ୍ଡା ନେଇ ବଜାରକୁ ବିକ୍ରି ଉଦ୍ଦେଶ୍ୟରେ ଯାଇଥାନ୍ତି। ଯୁବକ ହିସାବରେ ଅନେକ ସ୍ବପ୍ନ ତାଙ୍କ ମନକୁ ଆସୁଥାଏ। ଭାବିଲେ ମୋ ଝୁଡ଼ିରେ ଯେତିକି ଅଣ୍ଡା ଅଛି ତାକୁ ବିକିଲେ ଦୁଇଗୁଣ ପଇସା ହେବ। ସେଥିରେ ପୁଣି ଅଣ୍ଡା କିଣିବି ଆଉ ବିକିବି। ମୋର ଟଙ୍କା ବଢ଼ି ବଢି ଯିବ। ଏତେ ହୋଇଯିବ ଯେ, ସେଥିରେ କୁକୁଡ଼ା କିଣି ନିଜେ ଅଣ୍ଡା ଉତ୍ପାଦନ କରିବି।

ଅଧିକ ପଇସା ହେଲେ ଘରଟିଏ କରିବି। ତା ପରେ ଭଲ ଝିଅ ଦେଖି ବାହା ହୋଇଯିବି। ମୋର ବି ଅନ୍ୟମାନଙ୍କ ଭଳି ପୁଅ, ଝିଅ ସନ୍ତାନ ଜନ୍ମ ନେବେ। ସେମାନେ ବଡ଼ ହେବେ। ମୁଁ ଯେତେବେଳେ ରାଗିଯିବି ଋଷି ଖାଇବିନି। ମୋ ପିଲାମାନେ ମୋତେ ଡାକି ବୁଝେଇବେ। ମୁଁ କହିବି ‘ନେହିଁ ଖାଉଙ୍ଗା’
ଏତିକି କହିଲା ବେଳକୁ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଜୋରରେ ହଲେଇ ଦେଲେ। ମୁଣ୍ଡରୁ ଅଣ୍ଡା ଖୁଡି ତଳେ ପଡ଼ିଗଲା। ସବୁ ଅଣ୍ଡା ଭାଙ୍ଗିଗଲା। ସେତିକିରେ ଯୁବକଙ୍କ ସବୁ ସ୍ବପ୍ନ ଚୂରମାର୍ ହୋଇଗଲା।

ଯୁବ ଅଣ୍ଡା ବ୍ୟବସାୟୀଙ୍କ ଭଳି ଆମେ ଅଧିକ ଆଗକୁ ଚିନ୍ତା ନ କରି ଯେତିକି ଆବଶ୍ୟକ ବାସ୍ ସେତିକି ଚିନ୍ତା କରିବା କଥା। ତାହେଲେ ଆମ ସଫଳ ହୋଇପାରିବ।

କେଉଁ ବେଦ ନିହାତି ପଢ଼ିବା ଦରକାର

ଗୁଣିଗାରେଡ଼ିକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଖାରିପଲ୍ଲୀ ଗାଁର ପୁରୁଣା ଗୋଷ୍ଠୀକନ୍ଦଳ ଉଗ୍ର ରୂପ ନେଇଥିଲା। ପରିଣାମରେ ଗୋଷ୍ଠୀକନ୍ଦଳ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ହେଲେ ଖଦାଳ ବେହେରା (୬୫) ଓ ରତ୍ନାକର ବେହେରା (୪୦) ଏବଂ ରମେଶ ବେହେରା(୪୫)। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅରୁଣ  ବେହେରା(୩୦), ଭିକାରୀ ବେହେରା (୧୮), ଜଗନ୍ନାଥ ବେହେରା(୧୮)। ଗତ ୫ ବର୍ଷ ତଳେ ଗାଁରେ ଲଗାତାର କିଛିଲୋକଙ୍କ ମୃତ୍ୟୁକୁ ନେଇ ଗାଁ ଲୋକେ ଗୁଣିବିଦ୍ୟାର ସାହାରା ନେଇଥିଲେ। ଯାହାକୁ ନେଇ ଗାଁରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ରକରି ଛକାପଞ୍ଝା ଲାଗି ରହିଥିଲା। ମଙ୍ଗଳବାର ସନ୍ଧ୍ୟାରେ ତାହା ଉଗ୍ର ରୂପ ନେଇଥିଲା। ପରିସ୍ଥିତି ହଣାହଣି ପର୍ଯ୍ୟନ୍ତ ଯାଇଥିଲା। ହତ୍ୟାକାଣ୍ଡ ପରେ ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ବିଳମ୍ବିତ ରାତିରେ ଗାଁର କିଛିଲୋକଙ୍କ୍‌ୁ ଅଟକ ରଖିଛି। ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୂୟନ କରାଯାଇଛି ଓ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।
ଦୀର୍ଘଦିନ ପରେ ପୂର୍ବସ୍ଥିତିକୁ ଫେରିବାରେ ଲାଗିଛି ଷ୍ଟକ୍‌ ବଜାର। ବାରମ୍ବାର କ୍ଷତି ସହୁଥିବା ନିବେଶକମାନେ ମଙ୍ଗଳବାର ଲାଭ ଉଠାଇଛନ୍ତି।
ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ପହଞ୍ଚିଥିଲା। ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି ୫୦ ଇନ୍‌ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଯାଇଛି।
ସୂଚନାଯୋଗ୍ୟ, ସୋମବାର ଷ୍ଟକ ବଜାରରେ ସାମାନ୍ୟ ସୁଧାର ଆସିଥିଲା। ବିଏସଇ ସେନ୍‌ସେକ୍ସ ୩୪୧.୦୪ ପଏଣ୍ଟ ବୃଦ୍ଧି ପାଇ ୭୪,୧୬୯.୯୫ ପଏଣ୍ଟ ଏବଂ ନିଫ୍ଟି ୧୧୧.୫୫ ପଏଣ୍ଟ ବୃଦ୍ଧି ପାଇ ୨୨,୫୦୮.୭୫ ପଏଣ୍ଟରେ ବନ୍ଦ ହୋଇଥିଲା।
କିନ୍ତୁ ଆଜି ସେନ୍‌ସେକ୍ସରେ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୬ଟି କମ୍ପାନିର ସେୟାର ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବାକି ୪ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ନିଫ୍ଟି-୫୦ରେ ଥିବା ୫୦ଟି କମ୍ପାନି ମଧ୍ୟରୁ ୪୭ଟି କମ୍ପାନିର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ବାକି ୩ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଥିବା କମ୍ପାନିଗୁଡ଼ିକ ମଧ୍ୟରେ ଜୋମାଟୋର ସେୟାର ସର୍ବାଧିକ ୭.୪୩ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ବଜାଜ ଫିନସର୍ଭର ସେୟାର ସର୍ବାଧିକ ୧.୩୩ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।
ତାତିରେ ଲାଗିବ ବ୍ରେକ୍‌। ମାତ୍ର ବୁଧବାର ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ହେବ। ଯଦିବା ଏହା କାଳବୈଶାଖୀ ବର୍ଷା କିନ୍ତୁ ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ୧୯ ତାରିଖରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ୧୯ ଏବଂ ୨୨ ତାରିଖରେ କାଳବୈଶାଖୀ ଯୋଗୁ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ଏକ ଲଘୁଚାପ ପ୍ରଣାଳୀ ପ୍ରଭାବରେ ଜଳୀୟବାଷ୍ପଯୁକ୍ତ ବାୟୁ ରାଜ୍ୟ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।
ଏହି ସମୟ ମଧ୍ୟରେ ବାୟୁମଣ୍ଡଳର ଉପର ଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉଷ୍ମ ପବନ ସଂସ୍ପର୍ଶରେ ଆସିଲେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।
ପବନର ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି।
ବଦଳି ଅଧିକାରୀଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୧ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ ସମର୍ଥ ବର୍ମା, ୨୦୧୧ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ୨୦୧୩ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ ଶୁଭମ ସାକ୍‌ସେନା ଅଛନ୍ତି।
ଓଡ଼ିଶା ସରକାରଙ୍କ ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ, ଚକ୍ରବର୍ତ୍ତୀ ରାଜ୍ୟ ଲଘୁ ଖଣିଜ ପଦାର୍ଥ ବିଭାଗର ନିର୍ଦ୍ଦେଶକ ଥିଲେ।
ଏହା ସହିତ, ୨୦୧୩ ବ୍ୟାଚର ଆଇଏଏସ୍‌ ଅଧିକାରୀ ଶୁଭମ ସାକ୍‌ସେନାଙ୍କୁ ଓଡ଼ିଶା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପ୍ରକାଶ ଥାଉ କି ଏହି ବଦଳି ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ବଡ଼ ଧରଣର ବଦଳି କରିଛନ୍ତି।

​​ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଥିବା ଏକ ଦକ୍ଷିଣପନ୍ଥୀ ଗୋଷ୍ଠୀ ଦ୍ୱାରା ପ୍ରତିବାଦ ସମୟରେ ଏକ ପବିତ୍ର ପୁସ୍ତକ ପୋଡ଼ି ଦିଆଯିବାକୁ କେନ୍ଦ୍ରକରି ସୋମବାର ରାତିରେ ମହାରାଷ୍ଟ୍ରର ନାଗପୁରରେ ହିଂସା ଘଟିଥିଲା।

ହିଂସାକୁ ଦୃଷ୍ଟିରେ ରଖି ନାଗପୁରର ଅନେକ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୬୩ ଅନୁଯାୟୀ କର୍ଫ୍ୟୁ ଜାରି କରାଯାଇଛି। ବିଶେଷକରି କୋତୱାଲି, ଗଣେଶପେଠ, ତହସିଲ, ଲକଡଗଞ୍ଜ, ପଚପାଓଲି, ଶାନ୍ତିନଗର, ସକ୍କରଦରା, ନନ୍ଦନବନ, ଇମାମୱାଡା, ଯଶୋଧରନଗର ଏବଂ କପିଳନଗର ପୋଲିସ ଷ୍ଟେସନର କ୍ଷେତ୍ରାଧିକାରରେ କର୍ଫ୍ୟୁ ଲାଗୁ ହୋଇଛି।
ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ମହଲର ଚିଟନିସ୍ ପାର୍କ ଅଞ୍ଚଳରେ ସଂଘର୍ଷ ଆରମ୍ଭ ହୋଇଥିଲା। କିଛି ହିଂସାକାରୀ ପୋଲିସ ଉପରେ ପଥର ଫିଙ୍ଗାଯାଇଥିଲା। ଯେଉଁଥିରେ ୬ ଜଣ ସାଧାରଣ ନାଗରିକ ଏବଂ ତିନି ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ।

ପରେ ଉତ୍ତେଜନା କୋତୱାଲି ଏବଂ ଗଣେଶପେଠକୁ ବ୍ୟାପିଗଲା, ସନ୍ଧ୍ୟାରେ ତାହା ତୀବ୍ରତର ହୋଇଗଲା। ପ୍ରାୟ ଏକ ହଜାର ଲୋକ ପଥର ପିଙ୍ଗିବା ସହ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିଥିଲେ। ଫଳରେ ଅନେକ ଯାନବାହନ ଏବଂ ଘର କ୍ଷତିଗ୍ରସ୍ତ ହୋଇଛି। ନାଗପୁର ପୋଲିସ କମିଶନରଙ୍କ କହିବାନୁଯାୟୀ ଅନୁଯାୟୀ, ରାତି ଆଠଟାରୁ ସାଢେ଼ ଆଠଟା ମଧ୍ୟରେ ହିଂସା ଶୀର୍ଷରେ ପହଞ୍ଚିଥିଲା। ଯାହା ଫଳରେ ସୁରକ୍ଷା ବାହିନୀ ହସ୍ତକ୍ଷେପ କରିଥିଲେ।

ନାଗପୁରର ହଂସପୁରୀ ଅଞ୍ଚଳରେ ହିଂସା ବ୍ୟାପିଗଲା, ଯେଉଁଠାରେ ଅଜ୍ଞାତ ବ୍ୟକ୍ତିମାନେ ଦୋକାନ ଭଙ୍ଗାରୁଜା କରିଥିଲେ, ଯାନବାହାନ ପୋଡ଼ି ଦେଇଥିଲେ ଏବଂ ପଥର ମାଡ଼ କରିଥିଲେ ଯାହା ପୂର୍ବରୁ ମାହାଲରେ ଏକ ସଂଘର୍ଷକୁ ଉତ୍ତେଜନା ବୃଦ୍ଧି କରିଥିଲା। ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ ଟା ମଧ୍ୟରେ ପୁରୁଣା ଭଣ୍ଡାରା ରୋଡ୍ ନିକଟରେ ଏକ ନୂତନ ସଂଘର୍ଷ ଆରମ୍ଭ ହୋଇଥିଲା। ଯେଉଁ ଥିରେ ଉତ୍ତେଜିତ ଜନତା ଅନେକ ଯାନବାହାନ ପୋଡ଼ି ଦେଇଛନ୍ତି।

ହିଂସା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଲୋକମାନଙ୍କୁ ଶାନ୍ତି ଏବଂ ସଦଭାବନା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଦ୍ୱାରା ଉଦ୍ଧୃତ ପୋଲିସ ଅନୁସାରେ, ବଜରଙ୍ଗ ଦଳର ସଦସ୍ୟମାନେ ମହଲରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦର୍ଶନ କରିବା ପରେ ଅପରାହ୍ନରେ ଅଶାନ୍ତି ଆରମ୍ଭ ହୋଇଥିଲା।

କେଉଁ ବେଦ ନିହାତି ପଢ଼ିବା ଦରକାର

ଆପଣ ଯେତେ ପାଠ ପଢ଼ିଥାନ୍ତୁ, ଯଦି ବାସ୍ତବ ଜୀବନ ସମ୍ପର୍କରେ ପାଠ ପଢି ନାହାନ୍ତି ସେ ପାଠର ମୂଲ୍ୟ କିଛି ନାହିଁ। ଯେତେ ବେଦ ପଢ଼ିଥାନ୍ତୁ ସବୁ ବେଦ ଠାରୁ ମୂଲ୍ୟବାନ ଜୀବନ ବେଦ।
ପଣ୍ଡିତ ଥରେ ନାଆରେ ନଦୀ ପାର ହେଉଥାନ୍ତି। ପଣ୍ଡିତଙ୍କ ମନକୁ କାହୁଁ କେତେ ପ୍ରସଙ୍ଗ ଆସୁଥିଲା। ଯାହା ଆସୁଥିଲା ସେ ନେଇ ନାଉରିଆ ସହ ଆଳାପ କରୁଥିଲେ। ନାଉରିଆ ତ ସହଜେ ଅପାଠୁଆ। ସେ ବା କାହୁଁ ପଣ୍ଡିତଙ୍କ ମାରମ୍ ଜ୍ଞାନ ବୁଝିବ। ପଣ୍ଡିତ କହିଲେ ଆଛା ନାଉରିଆ ପୁଅ, ତୁ ରୁକ୍ ବେଦ ପଢ଼ିଛୁ ? ନାଉରିଆ କହିଲା, ନାଇଁ ଆଜ୍ଞା ମୁଁ ତ ଦିନ ରାତି ଘାଟରେ ନାଆ ଜଗିଜଗି ବେଳ ଗଲା। ବେଦ ପଢିବାକୁ ଆଉ ସମୟ ମିଳିଲା କୋଉଠୁ ! ପଣ୍ଡିତ କହିଲେ ତୋ ଜୀବନର ଏକ ଚତୁର୍ଥାଂଶ ପାଣିରେ ପଡ଼ିଲା।

କିଛି ସମୟ ପରେ ପୁଣି ପଣ୍ଡିତ ପଚାରିଲେ, ଆଛା ନାଉରିଆ ପୁଅ ତୁ ସାମ ବେଦ ପଢିଛୁ ? ନାଉରିଆ ସମାନ ଉତ୍ତର ଦେଲା। ପଣ୍ଡିତ କହିଲେ, ତୋ ଜୀବନର ଅଧା ପାଣିରେ ଗଲା। ଏହିଭଳି ଚାରି ବେଦ ବିଷୟରେ ପଚାରିବାରୁ ନାଉରିଆ କହିଲା, ଆଜ୍ଞା ଆମ ପାଇଁ ଦାନା କନା ହିଁ ସବୁଠାରୁ ମୂଲ୍ୟବାନ। ତାକୁ ଯୋଗାଡ କରୁ କରୁ ବେଳ ଯାଉଛି ଆଉ ଚାରି ବେଦ କେତେବେଳେ ପଢ଼ିବୁ ? ପଣ୍ଡିତେ କରିଲେ ତୋ ଜୀବନର ଏକ ତୃତୀୟାଂଶ ନଷ୍ଟ ହେଲା।

ପଣ୍ଡିତଙ୍କ ପାଟିରୁ କଥା ସରିଛି କି ନାହିଁ, ହଠାତ୍ ନଈ ମଝିରେ ଝଡ଼ ଆସିଲା। ଡଙ୍ଗା ହଲଚଲ ହେଲା। ପୋଷେ ପୋଷେ ପାଣି ନାଆରେ ପଶିଲା। ନାଆ ବୁଡ଼ିବାକୁ ଲାଗିଲା। ଏହି ସମୟରେ ନାଉରିଆ ପଚାରିଲା, ପଣ୍ଡିତେ ତମେ ପହଁରା ଜାଣିଛ ? ପଣ୍ଡିତ କହିଲେ ନା। ମୋର ତ ଜ୍ଞାନ ଚର୍ଚ୍ଚାରେ ବେଳ ଗଲା, ପହଁରା କେତେବେଳେ ଶିକ୍ଷିଲି। ନାଉରିଆ କହିଲା, ପଣ୍ଡିତେ ତମେ ଚାରି ପାଞ୍ଜିରୁ ଗଲ। କିଛି ସମୟ ପରେ ଡଙ୍ଗା ବୁଡିଗଲା। ପଣ୍ଡିତ ସଲିଳ ସମାଧି ନେଲେ।

ନାହାନ୍ତି ୬୭ ଆଇଏଏସ୍, ୬୯ ଆଇପିଏସ୍