ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ହେବା ପରେ ମଙ୍ଗଳବାର କଂଗ୍ରେସ ସଂକଳ୍ପ ପଦଯାତ୍ରା ଆୟୋଜନ କରିଛି। ଏଥିରେ ହଜାର ହଜାର କର୍ମୀ ସାମିଲ ହୋଇଛନ୍ତି। କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ। ସବୁଠାରୁ ଆକର୍ଷଣ ସାଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଓ ତାଙ୍କ ପୁଅ ମନ୍ମଥ ରାଉତରାୟ।

ମଧ୍ୟାହ୍ନରେ ଭକ୍ତ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର କର୍ମୀ ଏକତ୍ରିତ ହୋଇଥିଲେ। ଭକ୍ତ ଦାସ ଜିନ୍ଦାବାଦ, ପ୍ରଦେଶ କଂଗ୍ରେସ ଜିନ୍ଦାବାଦ ସ୍ଲୋଗାନରେ ବିମାନବନ୍ଦର ପ୍ରକମ୍ପିତ ହୋଇଥିଲା। ତା ପରେ ଭକ୍ତଙ୍କୁ ଏକ ବଡ ପଟୁଆରରେ ନିଆଯାଇ ଦଳର ଐତିହାସିକ ସଂକଳ୍ପ ଯାତ୍ରାରେ ସାମିଲ କରାଯାଇଥିଲା।
ପ୍ରକାଶ ଥାଉ କି ପ୍ରଦେଶ କଂଗ୍ରେସ କମିଟି ସଭାପତି ହେବା ପରେ ଭକ୍ତ ପ୍ରଥମେ ଏକ ଗୁରୁତତ୍ୱପୂର୍ଣ ଘୋଷଣା କରିଥିଲେ। ସମସ୍ତ ନିଲମ୍ବିତ ନେତାଙ୍କୁ ବିନା ସର୍ତ୍ତରେ ଦଳକୁ ସ୍ବାଗତ କରିଥିଲେ। ଏମିତି କି ଯେଉଁମାନେ ନିଜପଟୁ ଦଳ ଛାଡିଥିଲେ ସେମାନଙ୍କୁ ପୁନର୍ବାର ସ୍ବାଗତ କରିଥିଲେ ଓ ତାଙ୍କୁ ପୂର୍ବଭଳି ସମ୍ମାନ ମିଳିବ ବୋଲି ଘୋଷଣା କରିଥିଲେ। ଫଳରେ ଦଳ ଛାଡିଥିବା ଅନେକ ନେତା କଂଗ୍ରେସକୁ ଫେରି ଆସିଛନ୍ତି। ଯେଉଁମାନଙ୍କୁ ଆଜି ପଦଯାତ୍ରାରେ ଦେଖିବାକୁ ମିଳିଥିଲା।

ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ଚଢ଼ଉ କରିଛି ସିବିଆଇ। ସିବିଆଇର ଏକ ୮ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସକାଳ ୭ ଟାରୁ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ସାଢ଼େ ୪ ଘଣ୍ଟା ଧରି ଏହି ଚଢ଼ଉ ଜାରି ରହିଥିଲା।

ଅପରପକ୍ଷେ ସିବିଆଇ ମାମଲାରେ ପ୍ରଥମ ଥର ପାଇଁ ମୁଁହ ଖୋଲିଛନ୍ତି ଆଇଏଏସ ବିଷ୍ଣୁପଦ। ସେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ଧରି ସ୍ଵଚ୍ଚତାର ସହ ସେବା ଯୋଗାଇ ଆସିଛନ୍ତି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ କିମ୍ବା ଚଞ୍ଚଳ ମୁଖାର୍ଜୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି କେବେ ନ ଥିଲା। ଏପରି ସ୍ଥଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଏଭଳି ହଇରାଣ କରାଯାଉଛି ବୋଲି କହିଛନ୍ତି ବିଷ୍ଣୁପଦ। ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନ ଥିଲେ ମଧ୍ୟ କେଉଁ ଆଧାରରେ ତାଙ୍କୁ ବାରମ୍ବାର ସିବିଆଇ ଚଢ଼ଉ କରୁଛି ସେ ଜାଣନ୍ତିନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି। ସବୁଠାରୁ ବଡ ଅଭିଯୋଗ ଆଣି ବିଷ୍ଣୁପଦ କହିଛନ୍ତି ଯେ ବିନା ମହିଳା କର୍ମଚାରୀ କିମ୍ବା ସ୍ଥାନୀୟ ପୁଲିସକୁ ନ ଆଣି ଏଭଳି ଚଢ଼ଉ କରିଛନ୍ତି।
ଯଦି ଚଞ୍ଚଳ ମୁଖାର୍ଜୀଙ୍କ ସହ ସମ୍ପର୍କ ବା ଆର୍ଥିକ କାରବାର ନେଇ ସିବିଆଇ ଚଢ଼ଉ କରୁଥାଏ ତେବେ ତାଙ୍କୁ ନ ଆଣି ଏଭଳି ରେଡ କରୁଥିବା କହିଛନ୍ତି ବିଷ୍ଣୁପଦ।

ବିମାନ ଅବତରଣ ବେଳେ ରନୱେରେ ଓଲଟି ପଡ଼ିଲା ବିମାନ। ଫଳରେ ୧୮ ଜଣ ବିମାନ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ବିମାନ ଦୁର୍ଘଟଣା ଘଟିଛି କାନାଡ଼ାର ଟରୋଣ୍ଟୋ ସହରରେ।
ଖବର ନେବାରୁ ଜଣାପଡିଛି ଯେ, କାନାଡ଼ାରେ ପ୍ରବାହିତ ହେଉଥିବା ପ୍ରବଳ ବରଫମିଶ୍ରିତ ପବନ ଯୋଗୁଁ ବିମାନଟି ଭାରସାମ୍ୟ ହରାଇ ବସିଥିଲା। ଫଳରେ ବିମାନଟି ଅବତରଣ ବେଳେ ଓଲଟି ପଡ଼ିଥିବା କୁହାଯାଉଛି। ବିମାନ ଦୁର୍ଘଟଣା ପରେ ସୁରକ୍ଷା କର୍ମୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବିମାନରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଗୁରୁତର ଆହତ ହୋଇଥିବା ବେଳେ ଏକ ଶିଶୁର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଶିଶୁ ଏବଂ ଅନ୍ୟ ୧୨ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅପରପକ୍ଷେ ବିମାନ ଦୁର୍ଘଟଣାର କାରଣ ଖୋଜୁଛନ୍ତି ସ୍ଵତନ୍ତ୍ର ବୈଷୟିକ ଟିମ୍। ବିମାନ ଅବତରଣ ଓ ଦୁର୍ଘଟଣାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି।

ଜଣେ ମହିଳାଙ୍କ ମୃତ୍ୟୁର କାରଣ ନେଇ ପୋଲିସ ପ୍ରଶାସନ ଓ ଆଇନ ଦରବାର ଯାଏଁ ସମସ୍ତେ ଚିନ୍ତାରେ ଥିବା ବେଳେ ୪ ବର୍ଷର ଝିଅ କିନ୍ତୁ ଖୋଲି ଦେଇଛି ମୃତ୍ୟୁର ରହସ୍ୟ। କଥା କହି ପରୁ ନଥିଲେ ମଧ୍ୟ ଚିତ୍ର ମାଧ୍ୟମରେ ସେ ପ୍ରକାଶ କରିଛି ମାଆଙ୍କ ମୃତ୍ୟୁର ପୂରା ରହସ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଝାନସିରେ।
କୋଟୱାଲି ଏକ ଶିବ ମନ୍ଦିର ନିକଟରେ ରହୁଥିବା ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ଉତ୍ତର ପ୍ରଦେଶ ଲକ୍ଷ୍ନୌ ରେ ରହୁଥିବା ଜଣେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ ସନ୍ଦୀପ ବୁଧୋଲିଆଙ୍କ ପତ୍ନୀ ସୋନାଲି। ସୋନାଲିଙ୍କ ମୃତ୍ୟୁର କାରଣ ହତ୍ୟା ନା ଆତ୍ମାହତ୍ୟା ତାକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ଥିଲା। ବାପା କିଭଳି ମାଆଙ୍କ ମୁଣ୍ଡଙ୍କୁ ପଥରରେ ଛେଚି ହତ୍ୟା କଲେ ସବୁକିଛି ଚିତ୍ରରେ ବଖାଣିଛି ଚାରି ବର୍ଷର ଝିଅ। ଛୋଟ ଝିଅର ଚିତ୍ର ମାଧ୍ୟମରେ ବୟାନକୁ ଆଧାର କରି ପୁଲିସ ତଦନ୍ତ କରୁଛି।
ପ୍ରକାଶ ଥାଉ କି ବିବାହ ସମୟରେ ଝିଅକୁ ୨୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ସୋନାଲିଙ୍କ ସ୍ବାମୀ। ଏମିତିକି ଝିଅ ଜନ୍ମହେବା ପରେ ପତ୍ନୀଙ୍କୁ ସ୍ଵାମୀ ସନ୍ଦୀପ ଏକୁଟିଆ ମେଡିକାଲରେ ଛାଡ଼ି ଆସିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସୋନାଲିଙ୍କ ବାପ ଘର ଲୋକେ।

ଐତିହାସିକ ଉଜ୍ଜୟିନୀ ନଗରୀରେ ରହୁଥାନ୍ତି ଜଣେ ଧନୀ ସୌଦାଗର। ସେ ଅସହାୟ ଲୋକମାନଙ୍କୁ ମୁକ୍ତ ହସ୍ତରେ ଦାନ କରୁଥାନ୍ତି।

ସମୟକ୍ରମେ ସୌଦାଗରଙ୍କ ବ୍ୟବସାୟ ଦାୟିତ୍ୱ ପୁଅମାନଙ୍କୁ ଦେଲେ। ପୁଅମାନେ ବ୍ୟବସାୟ ବୁଝିଲେ। ବୃଦ୍ଧ ସୌଦାଗର କିନ୍ତୁ ପୂର୍ବପରି ଦରିଦ୍ର ଅସହାୟଙ୍କୁ ସାହାଯ୍ୟ କରୁଥାନ୍ତି। ଦିନେ ପୁଅମାନେ ସୌଦାଗରଙ୍କ ନିକଟରେ ପହଞ୍ଚିଲେ। ସମୟ ସନ୍ଧ୍ୟାରେ ସୌଦାଗର ପୁଅମାନଙ୍କୁ ଦେଖି ପାଖକୁ ଡାକିଲେ ଓ ଆସିବାର କାରଣ ପଚାରିଲେ। ପୁଅମାନେ କହିଲେ ବାପା, ଆପଣ ଏବେ ଧନ ବାଣ୍ଟିବା ବନ୍ଦ କରିଦିଅନ୍ତୁ। ନହେଲେ ଦିନେ ଆମ ନିକଟରୁ ବି ଧନ ସରିଯିବ।

ବୃଦ୍ଧ ସୌଦାଗର ହସିଲେ। ଆଉ ପାଖରେ ରଖିଥିବା ଦୀପଟିକୁ ଲିଭେଇଦେଲେ। ପୁଅମାନେ ଅନ୍ଧାରରେ ଆସିବା ବେଳେ ଗୋଟିଏ ଦୀପ ଧରି ଆସିଥିଲେ। ସେ ପୁଅମାନଙ୍କୁ ତାଙ୍କର ଦୀପଟିକୁ ଲଗାଇଦେବାକୁ କହିଲେ। ଜଣେ ପୁଅ ଯାଇ ବୃଦ୍ଧ ସୌଦାଗରଙ୍କ ଦୀପ ଲଗେଇଦେଲା। ବୃଦ୍ଧ ସୌଦାଗର ପଚାରିଲେ: ମୋ ଦୀପ ଜଳାଇବା ଦ୍ୱାରା କ’ଣ ତମ ଦୀପର ଆଲୁଅ କମିଗଲା? ପୁଅମାନେ କିଛି ବୁଝିପାରିଲେନି। ବୃଦ୍ଧ ସୌଦାଗର ବୁଝେଇ କହିଲେ: ଯଦି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲାଗିବା ଦ୍ୱାରା ପ୍ରଥମ ଦୀପର ଆଲୁଅ କମି ଯାଉନାହିଁ; ତା’ହେଲେ ଆମେ ଯଦି କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ତା’ହେଲେ ଆମର ଧନ କେମିତି କମିଯିବ ? ପୁଅମାନେ ନିଜର ଭୁଲ ବୁଝିପାରିଲେ।

-ରାଜେନ୍ଦ୍ର

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡର୍ଡ ଅପରେସନ ପ୍ରୋସିଜିୟର ବା ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ଏସଓପି ସମ୍ପର୍କରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଉଲ୍ଲେଖ ରହିଛି। ବିଶେଷକରି ପାଠପଢ଼ା ଓ ପରୀକ୍ଷାକୁ ସକାଳୁଆ କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ପାନୀୟ ଜଳ ଓ ଓଆରଏସ୍ ରଖିବା ପାଇଁ କୁହାଯାଇଛି। ସେହିଭଳି ଅପରାହ୍ନରେ କୋନସି ବାହ୍ୟ କାର୍ଯ୍ୟକ୍ରମ ନ କରିବା ପାଇଁ ଏସଓପି ଉଲ୍ଲେଖ କରାଯାଇଛି। ଶିକ୍ଷାନୁଷ୍ଠାନରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ଏବଂ ଶିକ୍ଷାନୁଷ୍ଠନ ପରିସରରେ ଥିବା ନଳକୂଅ ଏବଂ ପମ୍ପଗୁଡିକ ମରାମତି କରିବା ପାଇଁ ଉଲ୍ଲେଖ ରହିଛି। ଏସବୁକୁ ଅନୁଧ୍ୟାନ କରିବା ପାଇଁ ଏନଫୋର୍ସ ମେଣ୍ଟ ଟିମ୍ ଗଠନ କରାଯାଇଛି।

ପ୍ରକାଶ ଥାଉ କି ଗତ କିଛିଦିନ ହେଲା ରାଜ୍ୟରେ ଅହେତୁକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରମୁକ୍ କିଛି ସହର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ଵର ତାପମାତ୍ରା ୩୫ ଡିଗ୍ରୀ ଟପିଛି।

ବାପା ଚାଲିଯିବାର ୨ ମାସ ନ ପୂରୁଣୁ ମାଆ ଅନ୍ୟ ପୁରୁଷର ହାତ ଧରି ଚାଲିଗଲେ। ବିଚରା ଦୁନିଆ କ’ଣ ଜାଣିବା ଆଗରୁ ଅସହାୟ ହୋଇପଡ଼ିଛନ୍ତି ୫ ସନ୍ତାନ। ଏବେ କକାଙ୍କ ସାହାରାରେ ବଞ୍ଚି ରହିଛନ୍ତି ଭାଇଭଉଣୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡୋ ପଞ୍ଚାୟତ ପୋଡାସିଙ୍ଗିଡ଼ି ଗ୍ରାମରେ।
ଖବର ନେବାରୁ ଜଣା ପଡ଼ିଛି ଯେ, ଗାଁର ମରା ହୋଙ୍କ ବଡ଼ଝିଅକୁ ୧୪ ବର୍ଷ ହୋଇଥିବା ବେଳେ ବଡ଼ପୁଅର ବୟସ ୧୨ ବର୍ଷ। ବାକି ୩ ପିଲାଙ୍କ ବୟସ ୩ ରୁ ୬ ବର୍ଷ ଭିତରେ। ଗତବର୍ଷ ରୋଗରେ ପଡ଼ି ମରାଙ୍କ ମୃତ୍ୟୁ ଘଟିଥିଲା। ମରାଙ୍କ ପରେ ପତ୍ନୀଙ୍କ ଉପରେ ପଡ଼ିଲା ୫ ପିଲାଙ୍କ ଲାଳନପାଳନ କରିବାର ଦାୟିତ୍ୱ। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁର ଦୁଇମାସ ମଧ୍ୟରେ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କ ସହ ଚାଲିଗଲେ।
ସେପଟେ ବଡ଼ଭାଇଙ୍କ ମୃତ୍ୟୁ ଓ ଭାଉଜ ଅନ୍ୟଆଡେ଼ ଚାଲିଯିବା ପରେ ଏବେ କକା ମୁଦୁଙ୍କ ଉପରେ ପଡ଼ିଛି ବୋଝ। ସେ ଏକ ଗ୍ୟାରେଜରେ କାମ କରୁଥିବା ବେଳେ ଏତେ ସନ୍ତାନଙ୍କୁ ପୋଷିବା ତାଙ୍କ ପକ୍ଷେ କାଠିକର ପାଠ ହୋଇପଡ଼ିଛି। ଯେତିକି ରୋଜଗାର କରୁଛନ୍ତି ସେଥିରେ ଛୁଆଙ୍କୁ ପେଟପୂରା ଖାଇବାକୁ ମଧ୍ୟ ଦେଇପାରୁ ନାହାନ୍ତି। ଅନ୍ୟପକ୍ଷରେ, ୫ ଜଣଙ୍କ ମଧ୍ୟରୁ ୩ ଶିଶୁଙ୍କ ଆଧାର କାର୍ଡ ନାହିଁ। ଯେଉଁଥିପାଇଁ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଛନ୍ତି ସେମାନେ। ବଡ଼ ଝିଅ ଏବଂ ପୁଅ ପାଠପଢ଼ା ଛାଡ଼ିଥିବାବେଳେ ସାନ ୩ ଶିଶୁ ଏଯାଏଁ ପାଠପଢ଼ା ଆରମ୍ଭ କରି ନାହାନ୍ତି।

କିଟ୍‌ର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅପ୍ରିତିକର ପରିସ୍ଥିତି କ୍ରମରେ ନେବାର ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ନୋଟିସ କରିଥିଲେ କିଟ୍‌ କର୍ତ୍ତୃପକ୍ଷ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ଏବେ ପୁଣି ଥରେ ଫେରି ଆସିବାକୁ ଅପିଲ୍‌ କରିଛନ୍ତି କର୍ତ୍ତୃପକ୍ଷ।

ଖବର ନେବାରୁ ଜଣାପଡ଼ିଛି ଯେ, କିଟ୍‌ରେ ପଡଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କୁ ମୃତଦେହ ମିଳିବା ପରେ କ୍ୟାମ୍ପସ୍‌ ଭିତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌ ଭିତରେ ଭଙ୍ଗାରୁଜା କରିବା ସହ ହୋ-ହଲ୍ଲା କରିଥିଲେ। ଏପରିସ୍ଥଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ପ୍ରେମରେ ପ୍ରତାରଣା ପାଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି।
ସେପଟେ ବିଶ୍ୱବିଦ୍ୟାଳୟରେ ପରିସ୍ଥିତିକୁ ଦେଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଥିଲା। ନେପାଳର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌ ଛାଡ଼ିବା ପାଇଁ ନୋଟିସ୍‌ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବସ୍‌ରେ କଟକ ରେଳ ଷ୍ଟେସନ୍‌ରେ ଛାଡ଼ି ଦିଆଯାଇଥିଲା। ସେଠାରୁ ରିଜର୍ଭେସନ ଟିକଟ ନ ମିଳିବାରୁ ସେମାନେ ଜେନେରାଲ୍‌ ବଗିରେ ପୁରୀ-ପାଟଣା ଏକ୍ସପ୍ରେସ୍‌ରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନେପାଳର ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ କାହିଁକି କ୍ୟାମ୍ପସ୍‌ରୁ ଫେରାଇ ଦିଆଗଲା ସେ ନେଇ ପଚାରି ବୁଝିଛନ୍ତି। ଖୁବ୍‌ ଶିଘ୍ର ଦୁଇଜଣ ଅଧିକାରୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି। ଏହା ପରେ ଏବେ ପୁଣିଥରେ ନଇଁଛି କିଟ୍‌ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଫେରି ଆସିବା ପାଇଁ ଅପିଲ କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି।
ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ କରାଯାଇଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଉପସ୍ଥାପନ କରାଯାଇଛି।
ବଜେଟର ପ୍ରଥମ ଭାଗରେ କୃଷି କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ।
କୃଷି ଓ କୃଷକଙ୍କ ସଶକ୍ତୀକରଣ ଦିଗରେ ସରକାର ୧୪, ୭୦୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ଅଧିକ ଅର୍ଥ ଇନପୁଟ ସହାୟତା ଆକାରରେ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛି ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଖରିଫ ଋତୁରେ ଫେବ୍ରୁଆରି ୧୫ ସୁଦ୍ଧା ମୋଟ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛନ୍ତି। ସିଏମ କିଶାନ ଲାଗି ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୨୦୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୧.୮୦ ଲକ୍ଷଙ୍କ କୃଷକଙ୍କୁ ଆଳୁ ମିଶନରେ ସାମିଲ କରାଯାଇଛି। ଏହି ମିସନରେ ଚଳିତ ରବି ଋତୁରେ ମୋଟ ୧ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ ଆଳୁ ବିହନ ଯୋଗାଇଦିଆଯାଇଛି। ଫସଲ ବିବିଧତା ପାଇଁ ୬୯୫ କୋଟି ଟଙ୍କା ବ୍ୟୟ କରାଯିବ। ସେହିଭଳି ରାଜ୍ୟ ସରକାର ୨୫୨ କୋଟି ଟଙ୍କାର ବ୍ୟୟରେ ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆସିଛି ଗୁରୁଡିଝାଟିଆ ଥାନା ଗୋବାରା ପଞ୍ଚାୟତ ଓରାଙ୍ଗବାଡ଼ି ଗ୍ରାମରୁ।
ଖବର ନେବାରୁ ଜଣାପଡ଼ିଛି ଯେ, ଜମିବାଡ଼ିକୁ କେନ୍ଦ୍ରକରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଏପରି ହୋଇଥିଲା ଯେ, ଗ୍ରାମ ୩୮ ବର୍ଷୀୟ ବିକ୍ରମ ଓ ସେହି ଗ୍ରାମର କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଠେଙ୍ଗାରେ ପିଟିଥିଲେ। ଏହାକୁ ତାଙ୍କ ସ୍ତ୍ରୀ ଦେଖୁଥିଲେ ମଧ୍ୟ କିଛି କରି ପାରି ନ ଥିଲେ। ଓଲଟା ବିକ୍ରମଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ ଆକ୍ରମଣକାରୀ। ବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ କଟକ SCB ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଗୁରୁଡ଼ିଝାଟିଆ ଥାନା ପୁଲିସ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ପରିସ୍ଥିତିର ଅନୁଧ୍ୟାନ କରୁଛି। ଗ୍ରାମର କିଛି ଲୋକଙ୍କୁ ପୁଲିସ ଅଟକ ରଖିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।