ଗୁରୁବାର ଦୁବାଇଠାରେ ଅନୁଷ୍ଠିତ ଭାରତ-ବାଂଲାଦେଶ ଦିନିକିଆ ମ୍ୟାଚରେ ଭାରତ ବାଂଲାଦେଶକୁ ୬ ୱିକେଟରେ ହରାଇଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଭାରତ ୪୬.୩ ଓଭରରେ ୨୩୧ ରନ କରି ବାଂଲାଦେଶ ପରାସ୍ତ କରି ତା’ର ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ବିଜୟ ଅଭିଯାନ ଆରମ୍ଭ କରିଛି।

ଭରତୀୟଦଳର ଶୁଭମନ ଗିଲଙ୍କ ୧୨୯ ବଲରେ ୧୦୧ ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ୪୧ ରନ ଲେଖାଏଁ କରିଛନ୍ତି। ସେହିଭଳି ବିରାଟ କୋହଲି ୨୨ ରନ କରିଥିଲେ। ଆରମ୍ଭରୁ ବାଂଲାଦେଶ ଦଳ ବ୍ୟାଟିଂ କରି ମାତ୍ର ୩୫ ରନରେ ୫ ଟି ଓ୍ବିକେଟ ହରାଇଥିଲା। ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ। ସରକାର କିଛି ରନ୍ କରିବା ଆଗରୁ ମହମ୍ମଦ ସମ୍ମି ତାଙ୍କୁ ଆଉଟ୍ କରିଦେଇଥିଲେ। ସେହିଭଳି ବାଂଲାଦେଶ ଟିମର ନଜମଲ ହୁସେନ ସାଣ୍ଟୋ କିଛି ସଂଗ୍ରହ କରିବା ଆଗରୁ ହର୍ଷିତ ରାଣାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ଆଉଟ୍ ହୋଇଯାଇଥିବା ବେଳେ ତେବେ ତାଞ୍ଜିଦ ୨୫ ରନ କରି ଆଉଟ ହୋଇଥିଲେ। ତେବେ ତାଓ୍ବିଦ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ। ହ୍ରିଦୟ ଏକ ଲଢୁଆ ଶତକ ଅର୍ଜନ କରିଥିବାବେଳେ ଜାକର ୬୮ ରନ କରିଥିଲେ। ତେବେ ଦଳ ୨୨୮ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସମ୍ମି ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ ।

ଭୁବନେଶ୍ୱର ବିମାନବନ୍ଦରକୁ ମିଳିବ ଖୁବ୍‌ଶୀଘ୍ର ଆଉ ଟର୍ମିନାଲ୍‌। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଆଉଏକ ଟର୍ମିନାଲ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିବା ବେଳେ ଏବେ ତୃତୀୟ ଟର୍ମିନାଲ୍‌ ପାଇଁ ନିଷ୍ପତ୍ତି ହୋଇଛି।
ଆସନ୍ତା ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ୍‌ ନିର୍ମାଣ କାମ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଏହି ଟର୍ମିନାଲ୍‌ ନିର୍ମାଣ ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।
ପ୍ରକାଶ ଥାଉ କି ଗତ ଅକ୍ଟୋବର ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡ଼ୁ ଏ ନେଇ ସୂଚନା ଦେଇଥିଲେ। ଭୁବନେଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉଏକ ଟର୍ମିନାଲ୍‌ର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏ ନେଇ ବ୍ୟୟ ଆକଳନ କରାଯାଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ପ୍ରକାଶ ଥାଉ କି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶ ୨୦ଟି ସ୍ଥାନକୁ ସିଧାସଳଖ ବିମାନ ଚଳାଚଳ କରୁଥିବା ବେଳେ ଏଠାରୁ ବିଦେଶର ୪ଟି ସ୍ଥାନକୁ ବିମାନ ଚଳାଚଳ ବ୍ୟବସ୍ଥା ରହିଛି।
କୁହାଯାଏ ସମୟ ବଡ଼ ବଳବାନ୍‌। କେତେବଳେ କାହାକୁ କେଉଁଠି ନେଇ ଠିଆ କରିଦେବ କହିହେବ ନାହିଁ। ସେମିତି ଏକ ସମୟ ଭିତରେ ଆଜି ଦିଲ୍ଲୀ ବିଧାନସଭାରେ ମନୋନିତ ବାଚସ୍ପତିଙ୍କ କ୍ଷେତ୍ରରେ ଘଟିଛି।
ଆଜକୁ ଠିକ୍‌ ୧୦ ବର୍ଷ ତଳେ ଏକଦା ତକ୍ରାଳୀନ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବାହାର କରି ଦିଆଯାଇଥିଲା।ବିଧାନସଭାର ସୁରକ୍ଷାକର୍ମୀ ତାଙ୍କୁ ଗୃହରୁ ଏକ ପ୍ରକାରର ଟେକି ନେଇ ବାହାରେ ଛାଡ଼ି ଦେଇ ଆସିଥିଲେ। ଗୃହରୁ ତାଙ୍କୁ ଟେକି ନେଇ ଯିବାର ଭିଡିଓ ସେତେବେଳେ ବେଶ ଭାଇରାଲ ହୋଇଥିଲା। କିନ୍ତୁ ସମୟ ବଦଳିବା ସହ ତାଙ୍କର ସ୍ଥିତି ବି ବଦଳିଛି। ଯାହାକୁ ଦିନେ ବିଧାନସଭାରୁ ବାହାର କରାଯାଇଥିଲା ସେ ଏବେ ସେହି ଗୃହର ସର୍ବମୟ କର୍ତ୍ତା ଆସନରେ ବସିବାକୁ ଯାଉଛନ୍ତି। ଏବେ ସେ ନିଜେ ସେହି ବାଚସ୍ପତି ଆସନ୍‌ରେ ବସିବାକୁ ଯାଉଛନ୍ତି। ସେ ଆଉ କେହି ନୁହନ୍ତି। ସେ ହେଉଛନ୍ତି ନବ ନିର୍ବାଚିତ ବାଚସ୍ପତି ବିଜେନ୍ଦର ଗୁପ୍ତା।
ପ୍ରକାଶ ଥାଉ କି ଗତ ଦୁଇ ଦୁଇ ଥର ନିର୍ବାଚନରେ ଦିଲ୍ଲୀରେ ଆପ୍‌ ସରକାର ଗଠନ କରିଥିଲା। ଏସବୁ ଭିତରେ ବିଜେନ୍ଦର  ରୋହିନୀ ବିଧାନସଭା ଆସନରୁ ଜିତିଥିଲେ। ୨୦୨୫ରେ ମଧ୍ୟ ସେ ବିଜେପି ଟିକେଟରୁ ଉକ୍ତ ଆସନରେ ଜିତିଛନ୍ତି। ବିଜେନ୍ଦର ଜିତିଥିବା ବେଳେ ବିଜେପି ବିଧାୟକ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ବଣିଆ ସଂପ୍ରଦାୟରୁ ଆସିଥିବା ଗୁପ୍ତା ଏଥର  ନିର୍ବାଚନରେ ଆପ୍‌ ପ୍ରଦୀପ ମିତ୍ତଲଙ୍କୁ ୩୭ ହଜାରରୁ ଅଧିକ ଭୋଟରେ ପରାଚିତ କରିଛନ୍ତି। ଗତ ଦିଲ୍ଲୀ ବିଧାନସଭାରେ ଶ୍ରୀ ଗୁପ୍ତା ବିରୋଧୀ ଦଳର ନେତା ଭାବେ କାମ କରିଥିଲେ।

ଦିଲ୍ଲୀରେ ନୂଆ ସରକାର। ରେଖା ଗୁପ୍ତାଙ୍କ ନେତୃତ୍ବରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପିର ୬ ବିଧାୟକ। ସେମାନଙ୍କ ମଧ୍ୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି, ପରବେଶ ବର୍ମା, ଆଶିଷ ସୁଦ୍, ରବୀନ୍ଦ୍ର ଇନ୍ଦ୍ରାଜ୍ ସିଂ କପିଲ ମିଶ୍ର, ମଜିନ୍ଦର୍ ସିଂ ସିର୍ଶା, ପଙ୍କଜ କୁମାର ସିଂ। ପରବେଶ ଓ ଆଶିଷ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଇଛନ୍ତି ରେଖା।
ଗୁରୁବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ଉପ ରାଜ୍ୟପାଳ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ଅନ୍ୟ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ। ଶପଥ ଗ୍ରହଣ ଅବସରରେ ମହିଳା ସମୃଦ୍ଧି ଯୋଜନାରେ ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ଅଢେଇ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ଘୋଷଣା କରିଛନ୍ତି।
ଅପରପକ୍ଷେ ନିର୍ବାଚନ ପରେ ଦିଲ୍ଲୀରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ା ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି।

ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱାଶିଂଟନ ଡିସି ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

କୁହାଯାଉଛି ଯେ ଉଭୟ ଦେଶର ନେତା ଶୁଳ୍କ, ପ୍ରବାସୀ ସମସ୍ୟା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବହୁ ପ୍ରତୀକ୍ଷିତ ବୈଠକ ପୂର୍ବରୁ ଟ୍ରମ୍ପ ଏକ ବିବୃତ୍ତି ଦେଇ କହିଛନ୍ତି, ଯେଉଁ ଦେଶ ଆମେରିକା ଉପରେ ଶୁଳ୍କ ଲଗାନ୍ତି, ଆମେ ସେମାନଙ୍କଠାରୁ ଶୁଳ୍କ ଆଦାୟ କରୁ।
ଏଲନ୍ ମସ୍କଙ୍କ ଫକ୍ସ ନ୍ୟୁଜ୍ ସହିତ ସାକ୍ଷାତକାରରେ , ଟ୍ରମ୍ପ ଭାରତର ଟାରିଫ୍ ନୀତି ବିଷୟରେ କହିଛନ୍ତି ଯେ, ବିଶ୍ୱର ପ୍ରତ୍ୟେକ ଦେଶ ଆମଠାରୁ ଫାଇଦା ଉଠାନ୍ତି ଏବଂ ସେମାନେ ଟାରିଫ୍ ସହିତ ଏହା କରନ୍ତି। ଉଦାହରଣ ସ୍ୱରୂପ, ସେମାନେ ଆମ ପାଇଁ ଭାରତରେ ଏକ କାର ବିକ୍ରୟ କରିବା ପ୍ରାୟ ଅସମ୍ଭବ କରିଦିଅନ୍ତି। ଯଦିବା ସେ ନିଶ୍ଚିତ ନୁହଁନ୍ତି, କିନ୍ତୁ ସତ୍ୟ ବୋଲି ବିଶ୍ୱାସ କରୁଥିବା ଟ୍ରମ୍ପ ଗଣ ମାଧ୍ୟମ ଆଗରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଦ୍ୱାରା ଲାଗୁ କରାଯାଇଥିବା ଉଚ୍ଚ ଶୁଳ୍କ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯାହା ଫଳରେ ଆମେରିକୀୟ କମ୍ପାନୀଗୁଡ଼ିକ ସେଠାରେ ଉତ୍ପାଦ ବିକ୍ରୟ କରିବା କଷ୍ଟକର ହୋଇପଡ଼ିଛି।

ଭୁବନେଶ୍ୱର ସହରରେ ପ୍ରକଳ୍ପ ଅନୁମୋଦନ ଦାୟିତ୍ବ ବିଏମସି ହାତରେ ରହିଛି। ଏସବୁ ସତ୍ତ୍ୱେ ବିଡିଏ ପ୍ରକଳ୍ପ ଅନୁମୋଦନ ଦେଉଛି ଓ ସେ ବାବଦରେ ରାଜସ୍ବ ମଧ୍ୟ ନେଉଛି। କିନ୍ତୁ ପରବର୍ତ୍ତୀ ସମୟରେ ନିର୍ମାଣାଧୀନ ସମସ୍ୟା ତଥା ଜଳବନ୍ଦୀ ସମସ୍ୟା ଉପୁଜିଲେ ବିଏମସି ଦୋଷ ମୁଣ୍ଡାଉଛି।

ଭୁବନେଶ୍ୱରରେ ଯୋଜନା ଅନୁମୋଦନ ଦାୟିତ୍ବ ବିଡ଼ିଏ ହାତରେ ଥିଲେ ମଧ୍ୟ ୨୦୧୫ରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)କୁ ଯୋଜନା ଅନୁମୋଦନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପୂର୍ବବତ୍ ଯୋଜନା ଅନୁମୋଦନ ପ୍ରଦାନ କରିଚାଲିଛି। ଯାହା ନାଗରିକ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି କରୁଛି।

ସୂଚନା ଅଧିକାର (ଆରଟିଆଇ) ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ ବିଡିଏ ୨୦୨୫ରୁ ୨୦୨୩ ପର୍ଯ୍ୟନ୍ତ ୨୮୫୮ ଟି ପ୍ରକଳ୍ପକୁ ମଞ୍ଜୁର କରିଛି। ୪୮.୧୪ କୋଟି ଟଙ୍କାର ରାଜସ୍ୱ ବିଡିଏ ପାଣ୍ଠିକୁ ପଠାଯାଇଛି, ଯାହା ଆଇନଗତ ଭାବରେ ଭୁବନେଶ୍ୱରର ନାଗରିକ ସଂସ୍ଥା, ବିଏମସିର ହେବା କଥା।
ଯେଉଁମାନେ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଦ୍ୱୈତ ବ୍ୟବସ୍ଥା ସେମାନଙ୍କର ନିର୍ମାଣ ଯୋଜନାର ବୈଧତା ସମ୍ପର୍କରେ ଏକ ଦ୍ୱନ୍ଦ୍ୱର ସ୍ତର ଆଣିଥାଏ। ବିଏମସି ଅନୁମୋଦନଗୁଡ଼ିକ ତଦାରଖ କରିବା ଉଚିତ ବୋଲି ନିୟମାବଳୀ ସୂଚାଇଥିଲେ ମଧ୍ୟ, ବିଡିଏ ଅନୁମତି ପ୍ରଦାନ କରିବାରେ ସକ୍ରିୟ ଅଂଶଗ୍ରହଣକାରୀ ରହିଛି।
ଗତ ୮ ବର୍ଷ ମଧ୍ୟରେ ବିଡ଼ିଏ ଦ୍ୱାରା ଅନୁମୋଦିତ ଅନେକ ପ୍ରକଳ୍ପର ବୈଧତା ଉପରେ ବାସିନ୍ଦାମାନେ ପ୍ରଶ୍ନ ଉଠାଇବା ସହିତ ଏହି କାରବାରଗୁଡ଼ିକୁ ନିୟମିତ କରିବା ପାଇଁ ସ୍ଥାନୀୟ ସରକାରଙ୍କ ଉପରେ ଚାପ ବଢ଼ୁଛି।

ଦିଲ୍ଲୀ ସିଂହାସନରେ ବସିଲେ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀ। ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା। ଏଥିପାଇଁ ରାମଲୀଳା ମଇଦାନରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।
ରେଖା ହେଉଛନ୍ତି ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ।
ଦୀର୍ଘ ୨୭ ବର୍ଷ ତଳେ ଦିଲ୍ଲୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ସୁଷମା ସ୍ୱରାଜ। ତେବେ ସୁଷମା ସ୍ୱରାଜ ମାତ୍ର ୫୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ୧୯୯୮ ମସିହା ଅକ୍ଟୋବର ୧୨ ରୁ ୩ ଡିସେମ୍ବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ସୁଷମା।  ସୁଷମାଙ୍କ ପରେ ଶିଲା ଦୀକ୍ଷିତ ୧୫ ବର୍ଷ ୨୫ ଦିନ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ପରବର୍ତ୍ତୀ ସମୟରେ ଆପ୍‌ ନେତା ଅରବିନ୍ଦ କେଜ୍ରିିୱାଲ ମୁଖ୍ୟମନ୍ତ୍ରୀ ରହିଥିଲେ। ଦୀର୍ଘ ୧୨ ବର୍ଷ କାଳ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବା ପରେ ଅତିଶୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଆତିଶୀ ମାର୍ଲନା୧୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗତ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଛି। ବିଜେପି ଦ୍ୱିତୀୟ ଥର ପାଇଁ ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଅପରପକ୍ଷେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କୁ ଦଳୀୟ ବିଧାୟକମାନେ ଚୟନ କରିଛନ୍ତି। ପରବେଶ ବର୍ମା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହରାଇଥିବାରୁ ତାଙ୍କୁ ପୁରସ୍କାର ସ୍ୱରୂପ ଏହି ଆସନ ଦିଆଯାଇଛି।
ଜଣେ ମହିଳା ପ୍ରତିଦିନ ୭୦୦ କିଲୋମିଟର ଯିବା ଆସିବା କରୁଛନ୍ତି। ତାହା ବି ପୁଣି ବିମାନରେ। ମହିଳା ଜଣଙ୍କ ନିଜ ପିଲାଙ୍କ ପାଇଁ ପ୍ରତିଦିନ ଘରଠୁ ୩୫୦ କିଲୋମିଟର ଦୂରର ଅଫିସକୁ ଫ୍ଲାଇଟରେ ଯାଉଛନ୍ତି ଏବଂ ଘରକୁ ମଧ୍ୟ ଫେରୁଛନ୍ତି। ସେମାନେ ଜଣେ ମହିଳା ହେଉଛନ୍ତି ମାଲେସିଆରେ ରହୁଥିବା ରାଚେଲ କୌର। ଭାରତୀୟ ବଂଶୋଦ୍ଭବ ରାଚେଲ ଯିଏ କି ଏୟାର ଏସିଆର ଅର୍ଥ ବିଭାଗରେ ସହକାରୀ ପରିଚାଳକ ଭାବେ କାମ କରନ୍ତି । ତାଙ୍କ ଘରଠୁ ଅଫିସର ଦୂରତା ହେଉଛି ସାଢେ଼ ୩ଶହ କିଲୋମିଟର।
୨୦୨୪ରୁ ଏମିତି ପ୍ରତିଦିନ ବିମାନରେ ଯାଆସ କରୁଥିବା ରାଚେଲଙ୍କର ଗୋଟିଏ ୧୨ ବର୍ଷର ପୁଅ ଏବଂ ଜଣେ ୧୧ ବର୍ଷର ଝିଅ। ରାଚେଲ ପୂର୍ବରୁ କ୍ୱାଲାଲମପୁରେ ଘରଭଡ଼ା ନେଇ ରହୁଥିଲେ ଆଉ ସପ୍ତାହରୁ ଥରେ ଛୁଟିରେ ଘରକୁ ଆସୁଥିଲେ। ମାତ୍ର ପିଲାଙ୍କ ପାଇଁ ମାଆର ଉପସ୍ଥିତି ଅଧିକ ଦରକାର ପଡ଼ିବାରୁ ରାଚେଲ ଭଡ଼ାଘର ଛାଡି ଏବେ ପ୍ରତିଦିନ ୭ଶହ କିଲୋମିଟର ଯିବା ଆସିବା କରୁଛନ୍ତି। ଏଥିପାଇଁ ତାଙ୍କୁ ୨୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଭଡାରେ ରହୁଥିବା ବେଳେ ତାଙ୍କର ମାସିକ ୪୨ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅର୍ଥାତ୍‌ ୧୪ ହଜାର ଟଙ୍କା କମ୍‌ ଖର୍ଚ୍ଚ ହେଉଛି।
ପ୍ରତିଦିନ ଭୋରୁ ୪ଟାରୁ ଉଠି ୫.୫୫ରେ ବିମାନ ଧରନ୍ତି। ଅଫିସରେ ୭.୪୫ ସୁଦ୍ଧା ପହଞ୍ଚି ଯାଆନ୍ତି ଏବଂ ନିଜ ଡ୍ୟୁଟି ସାରି ପୁଣି ରାତି ୮ ଟାରେ ସେ ଘରେ ପହଞ୍ଚନ୍ତି ତାପରେ ନିଜ ପିଲା ଓ ପରିବାର ସହ ସମୟ ବିତାନ୍ତି। ଏଥିପାଇଁ ସେ ଏବେ ସୋସିଆଲ ମିଡିଆରେ ‘ସୁପର ମମ୍‌’ ଭାବେ ଭାଇରାଲ ହେବାରେ ଲାଗିଛନ୍ତି।

ସ୍କୁଲରେ ଚାଲିଥିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ପିଲାମାନେ ଏକାଠି ବସି ହସଖୁସିରେ ମଧ୍ୟାହ୍ନ ଭୋଜନ ଖାଉଥିଲେ। କିନ୍ତୁ ସେଇ ପିଲାର ଭାଗ୍ୟରେ ଆଜିର ମଧ୍ୟାହ୍ନ ଭୋଜନ ପୂରା ହୋଇପାରିଲା ନାହିଁ। ଅଧା ଖାଇବାରେ ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଲା। ପାଚେରି ତଳେ ଚାପି ହୋଇଗଲା ୫ ଶ୍ରେଣୀରେ ପଢ଼ୁଥିବା କୁନି ପିଲାଟି।
ଖବର ନେବାରୁ ଜଣାପଡ଼ିଛି ଯେ, ନିଆଳି ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୋଧା ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟହ୍ନ ଭୋଜନ ଚାଲିଥିଲା। ଆମିଷ ବାରି ଥିବାରୁ ପିଲାମାନେ ଅଣ୍ଡା ଖାଇବା ପାଇଁ ବସିଥିଲେ। ହେଲେ ପଛପଟେ ଥିବା ପୁରୁଣା ଦୁର୍ବଳ ପାଚେରି ହଠାତ୍‌ ଭୂଶୁଡ଼ି ପଡ଼ିଥିଲା। ପ୍ରାଚେରି ଭୁଶୁଡ଼ିବା ବେଳେ କିଛିପିଲା ଦୌଡ଼ି ଆସିଥିବା ବେଳେ ୫ମ ଶ୍ରେଣୀର ଜଣେ ଛାତ୍ର ପାଚେରି ତଳେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ଗୋବିନ୍ଦପୁର ଅଞ୍ଚଳ ନୋଦା ଗ୍ରାମର।
ପିଲାର ମୃତ୍ୟୁ ପରେ ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଏକାଠି ହୋଇ କସରଦା-ଅଡ଼ଶପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସ୍କୁଲ ପ୍ରାଚେରି ମରାମତି ସହ ପ୍ରାଶସନ ପକ୍ଷରୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ।

କଥାଟି ଶୁଣି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଓଡ଼ିଶାରେ ଏବେ  ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ବଣ୍ଟାଯାଉଛି। ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର ଉତ୍ତର ଦେଇଛନ୍ତି।

 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଜିଲ୍ଲା ଅର୍ଥାତ୍‌ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୩୫ ହଜାର ୫୫୦ ଜଣ ମୃତକ  ରାସନ କାର୍ଡ ହାତେଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ଜିଲ୍ଲାରେ ୨୫ ହଜାର ୭୮୯ ଜଣ ମୃତକଙ୍କ ନାଁରେ ରାସନ ସାମଗ୍ରୀ ବଣ୍ଟନ ହେଉଥିବା ବେଳେ ମୟୂରଭଞ୍ଜରେ ୨୩ ହଜାର ୭୯୯, ରାୟଗଡ଼ାରେ ୨୨ ହଜାର ୪୧୧ଜଣ ମୃତ ବ୍ୟକ୍ତି ରାସନ ଚାଉଳ ଉଠାଉଥିବା ମନ୍ତ୍ରୀ କହିଛନ୍ତି ।
ସେହିଭଳି ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ଆଜି ପର୍ୟ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି, ତାର ରିପୋର୍ଟ ମାଗିଥିଲେ। ଯାହାର ଉତ୍ତର ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ।