ବାପା ଚାଲିଯିବାର ୨ ମାସ ନ ପୂରୁଣୁ ମାଆ ଅନ୍ୟ ପୁରୁଷର ହାତ ଧରି ଚାଲିଗଲେ। ବିଚରା ଦୁନିଆ କ’ଣ ଜାଣିବା ଆଗରୁ ଅସହାୟ ହୋଇପଡ଼ିଛନ୍ତି ୫ ସନ୍ତାନ। ଏବେ କକାଙ୍କ ସାହାରାରେ ବଞ୍ଚି ରହିଛନ୍ତି ଭାଇଭଉଣୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡୋ ପଞ୍ଚାୟତ ପୋଡାସିଙ୍ଗିଡ଼ି ଗ୍ରାମରେ।
ଖବର ନେବାରୁ ଜଣା ପଡ଼ିଛି ଯେ, ଗାଁର ମରା ହୋଙ୍କ ବଡ଼ଝିଅକୁ ୧୪ ବର୍ଷ ହୋଇଥିବା ବେଳେ ବଡ଼ପୁଅର ବୟସ ୧୨ ବର୍ଷ। ବାକି ୩ ପିଲାଙ୍କ ବୟସ ୩ ରୁ ୬ ବର୍ଷ ଭିତରେ। ଗତବର୍ଷ ରୋଗରେ ପଡ଼ି ମରାଙ୍କ ମୃତ୍ୟୁ ଘଟିଥିଲା। ମରାଙ୍କ ପରେ ପତ୍ନୀଙ୍କ ଉପରେ ପଡ଼ିଲା ୫ ପିଲାଙ୍କ ଲାଳନପାଳନ କରିବାର ଦାୟିତ୍ୱ। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁର ଦୁଇମାସ ମଧ୍ୟରେ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କ ସହ ଚାଲିଗଲେ।
ସେପଟେ ବଡ଼ଭାଇଙ୍କ ମୃତ୍ୟୁ ଓ ଭାଉଜ ଅନ୍ୟଆଡେ଼ ଚାଲିଯିବା ପରେ ଏବେ କକା ମୁଦୁଙ୍କ ଉପରେ ପଡ଼ିଛି ବୋଝ। ସେ ଏକ ଗ୍ୟାରେଜରେ କାମ କରୁଥିବା ବେଳେ ଏତେ ସନ୍ତାନଙ୍କୁ ପୋଷିବା ତାଙ୍କ ପକ୍ଷେ କାଠିକର ପାଠ ହୋଇପଡ଼ିଛି। ଯେତିକି ରୋଜଗାର କରୁଛନ୍ତି ସେଥିରେ ଛୁଆଙ୍କୁ ପେଟପୂରା ଖାଇବାକୁ ମଧ୍ୟ ଦେଇପାରୁ ନାହାନ୍ତି। ଅନ୍ୟପକ୍ଷରେ, ୫ ଜଣଙ୍କ ମଧ୍ୟରୁ ୩ ଶିଶୁଙ୍କ ଆଧାର କାର୍ଡ ନାହିଁ। ଯେଉଁଥିପାଇଁ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଛନ୍ତି ସେମାନେ। ବଡ଼ ଝିଅ ଏବଂ ପୁଅ ପାଠପଢ଼ା ଛାଡ଼ିଥିବାବେଳେ ସାନ ୩ ଶିଶୁ ଏଯାଏଁ ପାଠପଢ଼ା ଆରମ୍ଭ କରି ନାହାନ୍ତି।



