ବିମାନ ଅବତରଣ ବେଳେ ରନୱେରେ ଓଲଟି ପଡ଼ିଲା ବିମାନ। ଫଳରେ ୧୮ ଜଣ ବିମାନ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ବିମାନ ଦୁର୍ଘଟଣା ଘଟିଛି କାନାଡ଼ାର ଟରୋଣ୍ଟୋ ସହରରେ।
ଖବର ନେବାରୁ ଜଣାପଡିଛି ଯେ, କାନାଡ଼ାରେ ପ୍ରବାହିତ ହେଉଥିବା ପ୍ରବଳ ବରଫମିଶ୍ରିତ ପବନ ଯୋଗୁଁ ବିମାନଟି ଭାରସାମ୍ୟ ହରାଇ ବସିଥିଲା। ଫଳରେ ବିମାନଟି ଅବତରଣ ବେଳେ ଓଲଟି ପଡ଼ିଥିବା କୁହାଯାଉଛି। ବିମାନ ଦୁର୍ଘଟଣା ପରେ ସୁରକ୍ଷା କର୍ମୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବିମାନରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଗୁରୁତର ଆହତ ହୋଇଥିବା ବେଳେ ଏକ ଶିଶୁର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଶିଶୁ ଏବଂ ଅନ୍ୟ ୧୨ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅପରପକ୍ଷେ ବିମାନ ଦୁର୍ଘଟଣାର କାରଣ ଖୋଜୁଛନ୍ତି ସ୍ଵତନ୍ତ୍ର ବୈଷୟିକ ଟିମ୍। ବିମାନ ଅବତରଣ ଓ ଦୁର୍ଘଟଣାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି।


