ଗତକାଲି ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ଆଜି ୮ ନମ୍ୱର୍ ଏବଂ ୧୬ ପ୍ଲାଟଫର୍ମରେ ଭିଡ ଦେଖିବାକୁ ମିଳିଛି। ସ୍ଥିତି ଏଭଳି ହୋଇଛି ଯେ ଟ୍ରେନ ଭିତରୁ ଯାତ୍ରୀଙ୍କୁ ଜିଆରପି ଜୋର୍ ଜବରଦସ୍ତ ବାହାର କରିଛି।

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ଘଟଣାର ସମୀକ୍ଷା କରୁଛନ୍ତି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଗତକାଲିର ଘଟଣା ପାଇଁ କିଏ ଦାୟୀ ସେ ନେଇ ଆଲୋଚନା କରୁଥିବା ଜଣା ପଡ଼ିଛି। ଆଗକୁ କିଭଳି ଏଭଳି ସ୍ଥିତି ପୁନର୍ବାର ନ ଘଟିବ ସେ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।
ପ୍ରକାଶ ଥାଉ କି ଗତକାଲି ପ୍ରୟାଗରାଜରେ ବୁଡ଼ ପକାଇବାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ପରିବାର ଓ ଆହତଙ୍କୁ କ୍ଷତିପୂରଣ ଦେବା ପାଇଁ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି।

ଟ୍ରମ୍ପଙ୍କ ସହ ବୈଠକ ଓ ଆଲୋଚନା ପରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର ମୋଦିଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ମୋଦି ଭାରତୀୟ ପ୍ରବାସୀଙ୍କୁ ରକ୍ଷା କରିଛନ୍ତି। ସେ ବାଣିଜ୍ୟ ଆଲୋଚନାର ଫଳାଫଳକୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ ଉଭୟ ନେତାଙ୍କ ବକ୍ତବ୍ୟ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ମୋଦୀଙ୍କ ପ୍ରତି ଟ୍ରମ୍ପଙ୍କ ପ୍ରଶଂସାକୁ ତାଙ୍କ ଆଲୋଚନା ଦକ୍ଷତାର ଏକ ଦୃଢ଼ ସମର୍ଥନ ଭାବରେ ସ୍ୱୀକାର କରିଛନ୍ତି ଥରୁର।
ସ୍ପଷ୍ଟ ଭାବରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିବା ସମୟରେ, ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଜଣେ ମହାନ ନେତା ବୋଲି କହିଥିଲେ। ମୋଦି ଭଲ କାମ କରୁଛନ୍ତି ବୋଲି ଟ୍ରମ୍ପ କହିଥିଲେ; ଏହି ମନ୍ତବ୍ୟକୁ ଉଲ୍ଲେଖ କରି ଥରୁର ମୋଦିଙ୍କୁ ପ୍ରଶଂସା କରିଛନ୍ତି।
ପ୍ରକାଶ ଥାଉ କି ଗୁରୁବାର ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ନେଇ ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଆଲୋଚକ ଭାବେ କରିଥିଲେ। ଯାହା ଥରୁରଙ୍କୁ ଅଧିକ ପ୍ରଭାବିତ କରିଛି।
ଅପରପକ୍ଷେ ଜଣେ ବିରୋଧୀ ନେତା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ନେଇ ରାଜନୈତିକ ମହଲରେ ଭିନ୍ନ ଆଲୋଚନା ପାଇଁ ଖୋରାକ ଯୋଗାଇଛି।

ଗତକାଲି ରେଳ ଷ୍ଟେସନ ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରାଯିବ ସହ ୟୁପିର ସବୁ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି।
ଗତକାଲି ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବିହାରର ସର୍ବାଧିକ ମୃତକ ରହିଛନ୍ତି। ବିଭାଗୀୟ ସୂଚନା ଅନୁଯାୟୀ ଦଳାଚକଟାରେ ବିହାରର ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀର ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ହରିଆଣାର ଜଣେ ଯାତ୍ରୀଙ୍କ ମୃତ୍ୟୁ ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି।
ଅପରପକ୍ଷେ ରେଳବାଇ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ବିଭାଗୀୟ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିଭଳି ଗୁରୁତର ଆହତଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଅପରପକ୍ଷେ ଏଭଳି ଘଟିବା ପଛରେ କାରଣ ଖୋଜିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ୍ ଆଧାରରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୁମ୍ଭମେଳା ଯିବା ପାଇଁ ଯାତ୍ରୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ, ଦଳା ଚକଟାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧୦ ରୁ ଅଧିକ ଯାତ୍ରୀ ଏବେ ଚିକିତ୍ସାଧୀନ ଅଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।
ପ୍ରକାଶ ଥାଉ କି ଗତ ରାତି ପ୍ରାୟ ୮ ଟା ୫ ରେ ଶିବଗଙ୍ଗା ଏକ୍ସପ୍ରେସରେ ପ୍ରୟାଗରାଜ ଯିବା ପାଇଁ ଯାତ୍ରୀଙ୍କ ଭିଡ ଆରମ୍ଭ ହୋଇଥିଲା। ୧୨, ୧୩, ୧୪ ଓ ୮ ନମ୍ବର ପ୍ଲାଟଫର୍ମରେ ଏତେ ଭିଡ଼ ହୋଇଯାଇଥିଲେ ଲୋକେ ଅଣବିଶ୍ବାସୀ ହୋଇପଡ଼ିଥିଲେ। ଏହି ସମୟରେ ଶିବଗଙ୍ଗା ଏକ୍ସପ୍ରେସ ଛାଡ଼ି ଦେଇଥିଲା। ୧୨ ନମ୍ୱର୍ ପ୍ଲାଟଫର୍ମରୁ ଯାତ୍ରୀମାନେ ୧୪ ନମ୍ୱର୍ ପ୍ଲାଟଫର୍ମ ଆଡ଼କୁ ଦୌଡିଲେ। ଦୌଡ଼ ଧାପଡ ଭିତରେ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରତ୍ୟେକ ଲୋକଙ୍କର ନଜର ବା ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଥାଏ। ଗୋଟିଏ ଜିନିଷକୁ ଯିଏ ଯେଉଁ ଦୃଷ୍ଟିଭଙ୍ଗୀରେ ଦେଖେ ତାକୁ ତାହା ସେମିତି ଦେଖାଯାଏ।
ଥରେ ଜଣେ ଗୁରୁ ତାଙ୍କର କିଛି ଶିଷ୍ୟଙ୍କୁ ଧରି ତୀର୍ଥ ଭ୍ରମଣରେ ବାହାରିଥିଲେ। କିଛି ବାଟ ଯିବା ପରେ ଗୁରୁଜୀଙ୍କୁ ଖୁବ୍ ଶୋଷ ଲାଗିଲା। ସେ ତାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡାକି ତାଙ୍କ ଲାଗି ପାଣି ଆଣିବାକୁ କହିଲେ। ଶିଷ୍ୟ ଦୁହେଁ ବେଶ୍ କିଛି ବାଟ ଯିବା ପରେ ଆଗରେ ଗୋଟିଏ ଝରଣା ଥିବାର ଦେଖିଲେ। ହେଲେ ଝରଣାଟି ମଇଳା ଥିଲା। ଲୋକମାନେ ଶୌଚ ହେଉଥିଲେ। ଲୁଗା ସଫା କରୁଥିଲେ। ଗାଈ, ମେଣ୍ଢାଙ୍କୁ ଗାଧୋଇ ଦେଉଥିଲେ। ଏହା ଦେଖି ଜଣେ ଶିଷ୍ୟ ଆରଜଣକୁ କହିଲା, ଏ ପାଣି ଗୁରୁଜୀ ପିଇ ପାରିବେନି। ମୁଁ ଚାଲିଲି। ଏହା କହି ସେ ଫେରି ଆସିଲା। ଗୁରୁଜୀ ତା’ କଥା ଶୁଣି ଚୁପ୍ ରହିଲେ ଓ ଦ୍ୱିତୀୟ ଶିଷ୍ୟକୁ ଅପେକ୍ଷାକଲେ। କିଛି ସମୟ ପରେ ଦ୍ୱିତୀୟ ଶିଷ୍ୟଟି ଗୋଟିଏ ମାଟି ପାତ୍ରରେ କିଛି ଜଳ ଧରି ଆସି ପହଞ୍ଚିଲେ। ସେ ଜଳ କେଉଁଠୁ ଆଣିଲା ବୋଲି ଗୁରୁଜୀ ପଚାରିଲେ ତ ଶିଷ୍ୟଟି କହିଲା, ମୁଁ ସେହି ଝରଣାରୁ ପାଣି ଆଣିଛି।

ଗୁରୁଜୀ ପଚାରିଲେ, ଝରଣାଟି ମଇଳା ଥିଲା। ତା’ସତ୍ତ୍ୱେ ସେ ତାଙ୍କ ଲାଗି ମଇଳା ପାଣି ନେଇ ଆସିଲା। ଶିଷ୍ୟ କହିଲା, ଝରଣାଟି ମଇଳା ଥିଲା ସତ। ମାତ୍ର କିଛି ସମୟ ପରେ ମୁଁ ଦେଖିଲି, ମଇଳା ସବୁ ତଳେ ବସିଗଲା। ଆଉ ପାଣି ପରିଷ୍କାର ହୋଇଗଲା। ମୁଁ ସେହି ପରିଷ୍କାର ପାଣି ଆପଣଙ୍କ ଲାଗି ନେଇଆସିଛି।

–ରାଜେନ୍ଦ୍ର

ଜଣେ ଅଟୋ ଚାଳକଙ୍କ ଚାପୁଡ଼ା ମାଡ଼ରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ଘଟିଛି। ମୃତ ପୂର୍ବତନ ବିଧାୟକ ହେଲେ ଗୋଆର ଲାଭୋ ସୂର୍ଯ୍ୟଜୀ ମାମଲେଦା। ସୂର୍ଯ୍ୟଜୀଙ୍କ ବୟସ ଏବେ ୬୮ ବର୍ଷ।
ଖବର ନେବାରୁ ଜଣାପଡ଼ିଛି ଯେ, ମାମଲେଦାର ଗୋଆର ବାସିନ୍ଦା। ୨୦୧୨ ମସିହାରେ ପୋଣ୍ଡା ନିର୍ବାଚନ ମଣ୍ଡଳୀରୁ ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବ୍ୟବସାୟିକ କାମରେ କର୍ଣ୍ଣାଟକାର ବେଲଗାଭି ଆସିଥିଲେ। ଖାଡେ଼ ବଜାରସ୍ଥିତ ଶ୍ରୀନିବାସ ଲଜ୍‌ରେ ରହୁଥିଲେ। ସେଠାକୁ ସେ ଏକ ଗଳିରେ ଯାଉଥିବା ବେଳେ ତାଙ୍କ କାର୍‌ ସହ ଏକ ଅଟୋ ଘଷି ହୋଇଯାଇଥିଲା। ଯାହାକୁ ନେଇ ଅଟୋ ଡ୍ରାଇଭର ମୁଜାହିଦ ସାନେଡିଙ୍କ ସହ ତାଙ୍କର ଯୁକ୍ତି ହୋଇଥିଲା। ଫଳରେ ଅଟୋ ଡ୍ରାଇଭର ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ସ୍ଥାନୀୟ ଲୋକେ ଅଟୋ ଡ୍ରାଇଭର ମୁଜାହିଦକୁ ଟାଣି ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଚାପୁଡ଼ା ମାଡ଼ରେ ମାମଲେଦାର ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଓସିଏର ନୂଆ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଯଦିବା ବିଧିବଦ୍ଧ ଭାବେ ପଙ୍କଜଙ୍କ ନାମ ଘୋଷଣା କରାଯାଇନାହିଁ। କିନ୍ତୁ ସେ ଏକମାତ୍ର ବ୍ୟକ୍ତି ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଯାଞ୍ଚ ପରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଛି।

ଶ୍ରୀ ମହାନ୍ତି ଏବେ ଓସିଏର ଉପସଭାପତି ପଦରେ ରହିଛନ୍ତି। ସେ ଜଣେ ଉଦ୍ୟୋଗୀ ଏବଂ ବିଗତ ଦିନରେ କ୍ରିକେଟ୍‌ ପ୍ରତି ତାଙ୍କର ଅବଦାନ ରହିଛି। ପ୍ରକାଶ ଥାଉ କି ୨୦୨୨ ମସିହାରୁ ଓସିଏର ସଭାପତି ଭାବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଗତ ଡ଼ିସେମ୍ବର ମାସରେ ଶ୍ରୀ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲିପଡ଼ିଥିଲା। ତେବେ କିଏ ହେବ ଓସିଏ ସଭାପତି ତାକୁ ନେଇ ଆଲୋଚନା ଜୋର୍ ଧରିଥିଲା। ପ୍ରକାଶ ଥାଉ କି ସଞ୍ଜୟ ବେହେରା ଏବେ ଓସିଏର ସମ୍ପାଦକ ରହିଛନ୍ତି।

ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଟାର୍ଗେଟ କରିଛନ୍ତି ଜଣେ ମନ୍ତ୍ରୀଙ୍କୁ। ସେ କହିଛନ୍ତି ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ବିଭିନ୍ନ ଅଞ୍ଚଳ ପାଇଁ କଲେକ୍ସନ ଏଜେଣ୍ଟ ରଖିଛନ୍ତି। ଗୋଦାମ ପିଛା ଲକ୍ଷେ ଟଙ୍କା ଲେଖାଏଁ ଠନ୍ ଠନ୍ ଆଦାୟ କରୁଛନ୍ତି।

କେଉଁ ଗୋଦାମରୁ କେତେ ଆଦାୟ କରୁଛନ୍ତି ତା’ର ହିସାବ ତାରାଙ୍କ ପାଖରେ ଅଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ତାରା। ତାରାଙ୍କ ଏଭଳି ବୟାନକୁ ନେଇ ଏବେ ବିଭିନ୍ନ ମହଲାରେ ଆଲୋଚନା ଜୋର୍ ଧରିଛି। ଅପରପକ୍ଷେ ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ଯ ତାରାଙ୍କୁ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ତାରା ଭୋକ ବିକଳରେ ତାଟିଆ କମୁଡୁଛନ୍ତି। ଏମିତି ଶସ୍ତା ବୟାନ ନ ଦେଇ ତାଙ୍କ ପାଖରେ ଯଦି କିଛି ଠୋସ ପ୍ରମାଣ ଅଛି ତାହା ଗଣମାଧ୍ୟମ ଆଗରେ ପ୍ରକାଶ କରନ୍ତୁ। ଏମିତି ଶସ୍ତା ଲୋକପ୍ରୀୟତା ପାଇଁ ଗଣମାଧ୍ୟମ ଆଗରେ ମନଗଢ଼ା ବୟାନ ଦେବା ବନ୍ଦ୍ କରନ୍ତୁ ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।

ଦୀର୍ଘ ୭ ମାସର ବ୍ୟବଧାନ ପରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନକୁ ଫେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ।
ଗତକାଲି ନବନିଯୁକ୍ତ ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବିତ ଓ ଇସ୍ତଫା ଦେଇଥିବା ସମସ୍ତ କଂଗ୍ରେସ ନେତାଙ୍କୁ ପୁନର୍ବାର ଦଳକୁ ସ୍ୱାଗତ କରିବା ପରେ ଆଜି ସକାଳେ ସୁର ନିଜ ଘରେ ନଡ଼ିଆ ବାଡେ଼ଇ ପୂଜା ପାଠ କରି କଂଗ୍ରେସ ଭବନ ଭିତରକୁ ପ୍ରବେଶ କରିଥିଲେ। ପ୍ରବେଶ କରିବା ସମୟରେ ଆତ୍ମ ବିହ୍ୱଳ ହୋଇପଡ଼ିଥିଲେ ସୁର। ପ୍ରବେଶ କରିବା କ୍ଷଣି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଏହି ଅବସରରେ ସୁର କହିଛନ୍ତି ଯେ, କଂଗ୍ରେସ ଭବନ ହେଉଛି ମୋ ପାଇଁ ମନ୍ଦିର। ନେହୁର ପରିବାର ମୋ ପାଇଁ ଦେବତା। ୧୯୬୨ ମସିହାଠାରୁ ଦଳ ସହିତ ରହି ଆସିଛି ଏବଂ ଦଳ ପାଇଁ କାମ କରି ଆସିଛି। ତେଣୁ ଦଳପ୍ରତି ମୋର ଆନୁଗତ୍ୟ ରହିଥିଲା ଓ ରହିଛି। ଦଳ ମୋତେ ପୁନର୍ବାର ଆସିବାର ସୁଯୋଗ ଦେଇଥିବାରୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି।
କେବଳ ନିଜେ ଦଳରେ ସାମିଲ ହୋଇନାହାନ୍ତି, ଯେଉଁମାନେ ଦଳ ବାହାରେ ଅଛନ୍ତି ସେମାନେ କଂଗ୍ରେସକୁ ଫେରି ଆସିବା ପାଇଁ ନିବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପିସିସି ଲବିରେ ଥିଲେ ମେମାନେ ସମସ୍ତେ ଭୁଲିଯାଇ ଦଳକୁ ଫେରି ଆସନ୍ତୁ। ଭକ୍ତ ଦାସ ଜଣେ ଭଲ ନେତା। ତେଣୁ ତାଙ୍କ ସହ କାମ କରିବାକୁ ଆସିଲେ ଦଳ ପୁଣିଥରେ ପୂର୍ବ ସ୍ଥିତିକୁ ଫେରି ଆସିବ ବୋଲି କହିଛନ୍ତି ସୁର।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳଆ ଖମାର ଗ୍ରାମର ଏକ ବନ୍ଦ ଘରୁ ୩ଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ମୃତକମାନେ ହେଲେ ଶଙ୍କର୍ଷଣ ଦାସ, ସୁବର୍ଣ୍ଣ ଦାସ ଓ ସନ୍ତୋଷ ଦାସ। ତିନିଜଣ ସମ୍ପର୍କରେ ବାପା, ଝିଅ ଓ ନାତି। ଘଟଣାସ୍ଥଳରୁ ପୋଲିସ ଏକ ମିନି ଡାଏରୀ ଜବତ କରିଛି ପୁଲିସ। ବନ୍ଦ ଘର ବାହାରେ ବୃଦ୍ଧ ଜେଜେ ମାଆ ଥିବା ଜଣା ପଡିଛି। ଏମିତି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡିନାହିଁ। ଘଟଣାସ୍ଥଳରୁ ମୃତଦେହ ୩ ଟି ଉଦ୍ଧାର କରାଯାଇଥିବା ବେଳେ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏନେଇ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିଲେ ମଧ୍ୟ ଏଯାଏଁ ମୃତ୍ୟୁର କାରଣ ଜାଣି ପାରିନି। ପାରିବାରିକ କଲହରୁ ଏହି ଆତ୍ମହତ୍ୟା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।