TT Ads

ଅଧିକାଂଶ ଭାରତୀୟ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ବିଦେଶ ମୁହାଁ ହୋଇଛନ୍ତି। ପରବର୍ତ୍ତୀ ସମୟରେ ବିଦେଶ ମୋହରେ ପଡ଼ି ସେଠାରୁ ଫେରି ପାରୁନାହାନ୍ତି ଏଵଂ ନିର୍ଯାତିତ ହେଉଛନ୍ତି। ଏପରିସ୍ଥଳେ ଭାରତରେ ଯଦି ସେହି ମାନର ଶିକ୍ଷା ଓ ନିଯୁକ୍ତି ଦିଆଯାଇ ପାରିବ ତେବେ ଆଉ ବିଦେଶ ଯିବାକୁ ପଡ଼ିବନି

ନିକଟରେ ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ବିଦା କରିବା ଆରମ୍ଭ କରିଛି ଆମେରିକା ସରକାର। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୮ ହଜାରରୁ ଅଧିକ ଭାରତୀୟଙ୍କୁ ବିଦା କରିବା ପାଇଁ ଆମେରିକା ସରକାର ଯୋଜନା କରିଥିବା ବେଳେ ନିକଟରେ ୧୦୪ ଜଣଙ୍କୁ ଭାରତ ପଠାଇ ଦେଇଛି। ସବୁଠାରୁ ପରିତାପର ବିଷୟ ହେଉଛି, ଆମେରିକାକୁ ସର୍ବଦା ସମ୍ମାନ ଦେଇ ଆସୁଥିବା ଭାରତୀୟଙ୍କୁ ଯେଉଁଭଳି ଭାବେ ବିଦା କରାଯାଇଛି ତାହା ଜାଣିଲେ ଅନେକ ଭାରତୀୟ ଲଜ୍ଜା ଅନୁଭବ କରିବେ। ବିମାନରେ ଅମୃତସରରେ ପହଞ୍ଚିଥିବା ଭାରତୀୟମାନେ କହିଛନ୍ତି ଯେ, ସାମରିକ ବିମାନରେ ସେମାନଙ୍କ ହାତ ଗୋଡ ବାନ୍ଧି ପଠା ଯାଇଛି। ପ୍ରଧାନମନ୍ତ୍ରୀ ମିତ୍ର ରାଷ୍ଟ୍ର ବୋଲି ସମ୍ବୋଧନ କରୁଥିବା ଆମେରିକାର ଏହି ବର୍ବରତା ଆଗକୁ ବଢ଼ିବ ନା କମିବ ତାହା ପର କଥା। ଅନ୍ତତଃପକ୍ଷେ ସମ୍ମାନର ସହ ପ୍ରତିଟି ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବା ଉଚିତ୍ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଭାରତର ବହୁ ହିନ୍ଦୁ ସଙ୍ଗଠନ ଗୋମାତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିବାଦ କରି ଆସୁଛନ୍ତି। ବିଶେଷକରି ଗୋମାତାଙ୍କୁ ଗାଡ଼ିରେ ବାନ୍ଧି ନେଉଥିବା ଘଟଣାକୁ ବିରୋଧ କରି ଆସୁଛନ୍ତି। କିନ୍ତୁ ହିନ୍ଦୁତ୍ୱର ନାରା ଦେଇ କ୍ଷମତାକୁ ଆସିଥିବା ସରକାର ଆମେରିକାର ଏଭଳି ବର୍ବରତାର କି ଜବାବ ଦେଉଛି ତାହା ଦେଖିବାର କଥା।

ଶେଷ କଥାକୁ ଯିବା। ଯେଉଁମାନେ ଭାରତରୁ ପଡୋଶୀ ଲୋକଙ୍କୁ ବିଦା କରିବା ପାଇଁ ସ୍ଲୋଗାନ ଦେଉଛନ୍ତି ବା ଭିତିରି ସ୍ରୋତ ସୃଷ୍ଟି କରୁଛନ୍ତି ତାହା ଯେତିକି ସ୍ବାଗତଯୋଗ୍ୟ ବିଦେଶରେ ରହୁଥିବା ଭାରତୀୟଙ୍କୁ ଫେରାଇ ଆଣିବା ସେତିକି ଆହ୍ବାନପୂର୍ଣ୍ଣ।

ସେହିଭଳି ଭାରତୀୟ ଯୁବଗୋଷ୍ଠୀ କିଭଳି ବିଦେଶ ନ ଯିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଥିପାଇଁ କେବଳ, ହିନ୍ଦୀ, ହିନ୍ଦୁ, ହିନ୍ଦୁସ୍ଥାନର ନାରା ଦେଲେ ଚଳିବ ନାହିଁ, ବରଂ ଯେଉଁଥିପାଇଁ ଆମେରିକା, ଇଂଲଣ୍ଡ, ଋଷିଆ ଭଳି ଦେଶକୁ ଭାରତୀୟମାନେ ଯାଉଛନ୍ତି ସରକାର ତାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍। ବିଶେଷକରି ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ଵ ଦେଲେ ଏ ଦିଗରେ ସୁଧାର ଆସି ପାରିବ ବୋଲି ମନେ ହେଉଛି।

TT Ads

Leave a Reply

Your email address will not be published. Required fields are marked *