କାହା ସହ ବୌଦ୍ଧିକ ସ୍ତରରେ ବିତର୍କ କରିବା ଆଗରୁ ମନରୁ ଅହଙ୍କାର ଦୂର କରି ନିଜର ବୁଦ୍ଧିକୁ ମାପିବା ଆବଶ୍ୟକ। ନଚେତ୍ ନିଜେ ନିଜ ନିକଟରେ ପରାସ୍ତ ହେବା ସୁନିଶ୍ଚିତ।
ବିଶ୍ୱ ସାହିତ୍ୟରେ ଯେଉଁମାନେ ରୁଚି ରଖନ୍ତି ସେମାନେ ରୁଡ୍ୟାର୍ଡ କିପଲିଙ୍ଗଙ୍କ ନାଁ ନିଶ୍ଚୟ ଶୁଣିଥିବେ । ଇଂରାଜୀ ଭାଷାର ପ୍ରଥମ ଲେଖକ ଭାବରେ ସେ ୧୯୦୭ ମସିହାରେ ନୋବେଲ ପୁରସ୍କାର ହାସଲ କରିଥିଲେ । କିପଲିଙ୍ଗଙ୍କର ଅନେକ ଶତ୍ରୁ ଥିଲେ । ସେମାନେ ତାଙ୍କ ବିଷୟରେ ନାନାଦି ଅପପ୍ରଚାର କରୁଥିଲେ । କିପଲିଙ୍ଗ କୁଆଡ଼େ ଜଣେ ଅର୍ଥଲୋଭୀ । ସେ ଅର୍ଥ ନ ପାଇଲେ ଶବ୍ଦଟିଏ ବି ଲେଖିବେ ନାହିଁ । ଏଭଳି ଅପପ୍ରଚାର କରି ତାଙ୍କୁ ଚାରିଆଡ଼େ ଅପଦସ୍ତ କରାଯାଉଥିଲା । ଥରେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ଏଭଳି ବିରକ୍ତ କରିଦେଲେ ଯେ, କିପଲିଙ୍ଗ ରାଗିଗଲେ ଆଉ କହିଦେଲେ: ହଁ, ମୋର ଗୋଟିଏ ଶବ୍ଦର ମୂଲ୍ୟ ଶହେ ଡଲାର । ମୋ ଶବ୍ଦ ମୁଁ ବିକିବି । ମୋତେ କହିବାକୁ ତୁମେମାନେ କିଏ? ସାମ୍ବାଦିକ ଜଣକ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ଏକଶହ ଡଲାରର ନୋଟ୍ଟିଏ ବାହାରକରି କିପଲିଙ୍ଗଙ୍କୁ ଧରାଇଦେଲେ ଆଉ କହିଲେ: ମହାଶୟ! ମୁଁ ଆପଣଙ୍କଠୁ ଗୋଟିଏ ଏକଶହ ଡଲାରର ଶବ୍ଦ କିଣିବାକୁ ଚାହୁଁଛି । କିପଲିଙ୍ଗ ନୋଟକୁ ନେଇ ପକେଟରେ ରଖିଦେଲେ । ଆଉ କହିଲେ: ଧନ୍ୟବାଦ!
ସାମ୍ବାଦିକ କହିଲେ: ମୁଁ ଧନ୍ୟବାଦ ଚାହୁଁନି, ଚାହୁଁଛି ଏକଶହ ଡଲାରର ଗୋଟିଏ ଶବ୍ଦ । କିପଲିଙ୍ଗ ହସିଦେଇ କହିଲେ: ମୁଁ ବି ତୁମକୁ ଧନ୍ୟବାଦ ଦେଉନି । ତୁମେ ମୋତେ ଯେଉଁ ଏକଶହ ଡଲାର ଦେଲ ତା’ ପ୍ରତିବଦଳରେ ମୁଁ ତୁମକୁ ‘ଧନ୍ୟବାଦ’ ଶବ୍ଦଟିକୁ ବିକ୍ରି କରିଦେଉଛି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଲୋକମାନେ ତାଳିମାରି ହସିଉଠିଥିଲେ । ସାମ୍ବାଦିକଙ୍କର ମୁହଁଟି ମଉଳି ପଡ଼ିଥିଲା ।
-ରାଜେନ୍ଦ୍ର


