ଓସିଏର ନୂଆ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଯଦିବା ବିଧିବଦ୍ଧ ଭାବେ ପଙ୍କଜଙ୍କ ନାମ ଘୋଷଣା କରାଯାଇନାହିଁ। କିନ୍ତୁ ସେ ଏକମାତ୍ର ବ୍ୟକ୍ତି ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଯାଞ୍ଚ ପରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଛି।
ଶ୍ରୀ ମହାନ୍ତି ଏବେ ଓସିଏର ଉପସଭାପତି ପଦରେ ରହିଛନ୍ତି। ସେ ଜଣେ ଉଦ୍ୟୋଗୀ ଏବଂ ବିଗତ ଦିନରେ କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ରହିଛି। ପ୍ରକାଶ ଥାଉ କି ୨୦୨୨ ମସିହାରୁ ଓସିଏର ସଭାପତି ଭାବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଗତ ଡ଼ିସେମ୍ବର ମାସରେ ଶ୍ରୀ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲିପଡ଼ିଥିଲା। ତେବେ କିଏ ହେବ ଓସିଏ ସଭାପତି ତାକୁ ନେଇ ଆଲୋଚନା ଜୋର୍ ଧରିଥିଲା। ପ୍ରକାଶ ଥାଉ କି ସଞ୍ଜୟ ବେହେରା ଏବେ ଓସିଏର ସମ୍ପାଦକ ରହିଛନ୍ତି।


