ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଟାର୍ଗେଟ କରିଛନ୍ତି ଜଣେ ମନ୍ତ୍ରୀଙ୍କୁ। ସେ କହିଛନ୍ତି ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ବିଭିନ୍ନ ଅଞ୍ଚଳ ପାଇଁ କଲେକ୍ସନ ଏଜେଣ୍ଟ ରଖିଛନ୍ତି। ଗୋଦାମ ପିଛା ଲକ୍ଷେ ଟଙ୍କା ଲେଖାଏଁ ଠନ୍ ଠନ୍ ଆଦାୟ କରୁଛନ୍ତି।
କେଉଁ ଗୋଦାମରୁ କେତେ ଆଦାୟ କରୁଛନ୍ତି ତା’ର ହିସାବ ତାରାଙ୍କ ପାଖରେ ଅଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ତାରା। ତାରାଙ୍କ ଏଭଳି ବୟାନକୁ ନେଇ ଏବେ ବିଭିନ୍ନ ମହଲାରେ ଆଲୋଚନା ଜୋର୍ ଧରିଛି। ଅପରପକ୍ଷେ ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ଯ ତାରାଙ୍କୁ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ତାରା ଭୋକ ବିକଳରେ ତାଟିଆ କମୁଡୁଛନ୍ତି। ଏମିତି ଶସ୍ତା ବୟାନ ନ ଦେଇ ତାଙ୍କ ପାଖରେ ଯଦି କିଛି ଠୋସ ପ୍ରମାଣ ଅଛି ତାହା ଗଣମାଧ୍ୟମ ଆଗରେ ପ୍ରକାଶ କରନ୍ତୁ। ଏମିତି ଶସ୍ତା ଲୋକପ୍ରୀୟତା ପାଇଁ ଗଣମାଧ୍ୟମ ଆଗରେ ମନଗଢ଼ା ବୟାନ ଦେବା ବନ୍ଦ୍ କରନ୍ତୁ ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।



