ପଳାସୁଣୀ ଛକରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଆଉ ଜଣଙ୍କ ଜୀବନ ଯାଇଛି। ଜଣେ ଅଜଣା ଯୁବକଙ୍କ ମୁଣ୍ଡ ଉପରେ ଲଗାତାର ୩ ଟି ଟ୍ରକ୍ ଚଢ଼ିଯିବ ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଶନିବାର ରାତି ପ୍ରାୟ ସାଢ଼େ ୧ଟା ବେଳେ ଘଟିଛି ଏହି ଦୁର୍ଘଟଣା। ଯଦିବା ମୃତକଙ୍କ ପରିଚୟ ମିଳିପାରି ନାହିଁ, ଧାଡ଼ିରେ ଯାଉଥିବା ତିନୋଟି ଟ୍ରକ୍ ଯୁବକଙ୍କ ଉପରେ ଚଢ଼ି ଯାଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଲୋକେ ଦେଖି ଯୁବକଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା। ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ।
କିନ୍ତୁ ସେତେବେଳକୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଗୁଡ଼ିକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ପରେ ଲୋକଙ୍କୁ ବୁଝାସୁଝା ପରେ ଲୋକେ ରାସ୍ତାରୁ ହତିଥିଲେ।
ପ୍ରକାଶ ଥାଉ କି ପଳାସୁଣୀ ଛକରେ ରାସ୍ତା ନିର୍ମାଣଜନିତ ତ୍ରୁଟି ପାଇଁ ବାରମ୍ବାର ଦୁର୍ଘଟଣା ଘଟିବାରେ ଲାଗିଛି ଏଵଂ ଅନେକଙ୍କ ମୃତ୍ୟୁ ଘଟିଛି। ରାସ୍ତା ସମସ୍ୟାର ସମାଧାନ ପାଇଁ ବାରମ୍ବାର ସ୍ଥାନୀୟ ଲୋକେ ଫୁଟ୍ ଓଭର ବ୍ରିଜ ପାଇଁ ଦାବିକରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହୋଇ ପାରୁନାହିଁ। ସେଥିପାଇଁ ବାରମ୍ବାର ଏଭଳି ଘଟଣା ଘଟୁଛି। ବିଚରା ଏଥିପାଇଁ ପଳାସୁଣୀ ଦୁର୍ନାମ ମୁଣ୍ଡଉଛି।


