ବାପା ଓ ମାଆଙ୍କ ସହ କୁନି ପୁଅଟି ପ୍ଲେ ସ୍କୁଲ ଯାଉଥିଲା। କିନ୍ତୁ ଦୁର୍ଘଟଣାରେ ଚାଲିଗଲା ଚାଲିଗଲା ମାଆର ଜୀବନ। ଏଭଳି ଘଟିଛି କେନ୍ଦ୍ରାପଡ଼ା ତିନିମୁହାଣୀ ଅଞ୍ଚଳରେ।‌

ଶ୍ରଦ୍ଧାଞ୍ଜଳି ସାହୁ ନିଜ ସ୍ଵାମୀଙ୍କ ସହ ଛୋଟ ପୁଅକୁ ଧରି ସ୍କୁଲରେ ଛାଡ଼ିବାକୁ ଯାଉଥିଲେ। କିନ୍ତୁ ପଛପଟୁ ଏକ ହାଇୱା ଧକ୍କା ଦେବାରୁ ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଶ୍ରଦ୍ଧାଞ୍ଜଳିଙ୍କ ସ୍ବାମୀ ଓ ପୁଅ ଆହତ ହୋଇ କେନ୍ଦ୍ରାପଡ଼ା ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। କୁନି ପୁଅର ହାତ ଭାଙ୍ଗି ଯାଇଥିବା ଜଣା ପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଲୋକେ ହାଇୱା ଡ୍ରାଇଭରକୁ ମାଡ଼ ମାରିଛନ୍ତି। ପରେ ସ୍ଥାନୀୟ ଲୋକେ ଟାୟାର ଜାଳି କଟକ ଚାନ୍ଦବାଲି ରାସ୍ତାରେ ଅବରୋଧ କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି।
ଖବର ପାଇ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତା ହଟାଇ ଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି।

ଆଇସିସି ଚାମ୍ପିଅନ ଟ୍ରଫିରେ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ପୂର୍ବାନୁମାନ କରିଥିବା ଆଇଆଇଟି ବାବା ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହୋଇଛନ୍ତି। ବିଭିନ୍ନ ମହଲରେ ତାଙ୍କୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଟ୍ରୋଲ କରାଯାଇଥିବା ଦେଖିବାକୁ ମିଳିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ମ୍ୟାଚ୍ ପୂର୍ବରୁ ପାକିସ୍ତାନଠାରୁ ଭାରତ ହରିବ ବୋଲି ପୂର୍ବାନୁମାନ କରିଥିଲେ ଆଇଆଇଟି ବାବା। ଏମିତି କି କୋହଲି ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ଜିତି ପାରିବ ନାହିଁ ବୋଲି କହିଥିଲେ। କିନ୍ତୁ ମ୍ୟାଚରେ ଓଲଟା ଫଳ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି। ଏମିତି କି ତାଙ୍କର ପୁରୁଣା ଭିଡ଼ିଓକୁ ପୋଷ୍ଟ କରି ଟ୍ରୋଲ୍ କରୁଛନ୍ତି କୋହଲିଙ୍କ ପ୍ରଶଂସକ।
ପ୍ରକାଶ ଥାଉ କି ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାକୁ ଆସି ଚର୍ଚ୍ଚାର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଥିଲେ ଆଇଆଇଟି ବାବା ଅଭୟ ସିଂ। ବିଶେଷକରି ସେ ଅଘୋରି ବାବା ହେବା ପୂର୍ବରୁ ତାଙ୍କୁ କିଭଳି ହାଡ଼ ଖାଇବାକୁ ପଡ଼ିଥିଲା ଓ ମଦ୍ୟପାନ କରିବାକୁ ପଡ଼ିଥିଲା ସେ ନେଇ ଗଣମାଧ୍ୟମ ଆଗରେ କହି ବିବାଦୀୟ ହୋଇ ପଡ଼ିଥିଲେ। ସେ ଆଇଆଇଟି ଚାକିରି ଚାକିରି ଛାଡ଼ି ସନ୍ନ୍ୟାସ ହୋଇଥିବାରୁ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

କ୍ରିକେଟରେ ଇତିହାସ ରଚିଲେ ବିରାଟ କୋହଲି। କ୍ରିକେଟର ଭଗବାନ କୁହାଯାଉଥିବ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ। ଦିନିକିଆ କ୍ରିକେଟ୍‌ରେ କୋହଲି ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳିର ମାନ୍ୟତା ହାସଲ କରିଛନ୍ତି।

୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକର ୩୫୦ତମ ଇନିଂସରେ ଏହି ରେକର୍ଡ କରିଥିଲେ। ସଚିନଙ୍କ ପରେ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦିନିକିଆରେ ୩୭୮ ଇନିଂସରେ ୧୪ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, କୋହଲି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ୨୨ ରନ୍ କରିଥିଲେ। ସେତେବେଳେ ସେ ଏହି ଐତିହାସିକ ରେକର୍ଡଠାରୁ ମାତ୍ର ୧୫ ରନ୍‌ ଦୂରରେ ଥିଲେ। କିନ୍ତୁ ଆଜି ସେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ୧୩ତମ ଓଭରର ଦ୍ୱିତୀୟ ବଲରେ ଚୌକା ମାରି କୋହଲି ଏହି ରେକର୍ଡ କରିଥିଲେ।
ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଏକ ରନ୍ କରିବା ମାତ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଓପନର ଭାବରେ ODIରେ ୯୦୦୦ ରନ୍‌ ପୂରଣ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ରୋହିତ ୧୮୧ଟି ଦିନିକିଆ ଇନିଂସରେ ଓପନର ଭାବରେ ଏହି ସଫଳତା ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା ଯିଏ ୧୯୭ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ଦୁବାଇ ଠାରେ ଚାଲିଥିବା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଆଇସିସି ଚାମ୍ପିଅନ ଟ୍ରଫିର ଦିନିକିଆ ମ୍ୟାଚରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାଜିତ କରିଛି।

ପ୍ରଥମେ ପାକିସ୍ତାନ ଟିମ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଟିମ୍ ସବୁ ୱିକେଟ୍ ହରାଇ ୨୪୧ ରନ୍ କରିଥିଲେ। ଜବାବରେ ଭାରତୀୟ ଟିମ୍ ୪ ୱିକେଟ ହରାଇ ୪୨.୩ ଓଭରରେ ୨୪୪ ରନ୍ କରି ବିଜୟ ହାସଲ କରିଛି। ଆଫ୍ରିଦ ୫୩ ରନ୍ କରିଥିବା ବେଳେ ଏନ ଶାହ ୩୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ସେହିଭଳି ଏଚ ରାଉଫ୍ ୪୬ ରନ୍ କରିଥିବା ବେଳେ ଅହମ୍ମଦ ୨୮ ରନ୍, କେ ଶାହ ୩୧ ରନ୍, ଏସ୍ ଆଗା ୮ ରନ୍ କରିବାରେ ସଫଳ ହୋଇଥିଲେ।
ଅପରପକ୍ଷେ ଭାରତୀୟ ଟିମ୍ ୨୪୨ ରନ୍ ପାଇଁ ବିଜୟ ଲକ୍ଷ୍ୟ ରଖି ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ଭାରତୀୟ ଟିମର ରୋହିତ ଶର୍ମା ୧୫ ବଲରେ ୨୦ ରନ୍ କରିଥିବା ବେଳେ ଶୁଭମନ୍ ଗିଲ୍ ୫୨ ବଲରେ ୪୬ ରନ୍ କରିଥିଲେ ଓ ବିରାଟ କୋହଲି ୯୯ ବଲରେ ୮୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶ୍ରେୟସ ଲୟର ୬୭ ବଳରେ ୫୬ ରନ୍ କରିଥିଲେ। ବିରାଟ ଓ ଶ୍ରେୟସ୍ ଲାୟରଙ୍କ ଦୁଇଟି ଅର୍ଦ୍ଧଶତକ ଟିମକୁ ବିଜୟ ପଥରେ ଆଗେଇ ନେଇଥିଲା। ସେହିଭଳି ବିରାଟ କୋହଲିଙ୍କ ଶତକ ଟିମକୁ ବିଜୟୀ କରିଥିଲା।

ଆଜି ଦୁବାଇ ଠାରେ ଚାଲିଥିବା ଭାରତ ପାକିସ୍ତାନ ଦିନିକିଆ ମ୍ୟାଚରେ ପାକିସ୍ତାନ ଟିମ୍ ୨୪୧ ରନ୍ ସଂଗ୍ରହ କରି ଭାରତ ପାଇଁ ୨୪୨ର ବିଜୟ ଲକ୍ଷ୍ୟ ରଖିଛି।

ଦୁବାଇ ଠାରେ ଚାଲିଥିବା ଆଇସିସି ଚାମ୍ପିଅନ ଟ୍ରଫିରେ ରବିବାର ଭାରତ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାକିସ୍ତାନ ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୨୪୧ ରନ୍ ସଂଗ୍ରହ କରିଛି। ଭାରତ ପାଇଁ ୨୪୨ ରନର ବିଜୟ ଲକ୍ଷ୍ୟ ରହିଛି।

ପାକିସ୍ତାନ ଟିମ୍ ସବୁ ୱିକେଟ୍ ହରାଇ ୨୪୧ ରନ୍ କରିଥିଲେ। ଆଫ୍ରିଦ ୫୩ ରନ୍ କରିଥିବା ବେଳେ ଏନ ଶାହ ୩୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ସେହିଭଳି ଏଚ ରାଉଫ୍ ୪୬ ରନ୍ କରିଥିବା ବେଳେ ଅହମ୍ମଦ ୨୮ ରନ୍, କେ ଶାହ ୩୧ ରନ୍, ଏସ୍ ଆଗା ୮ ରନ୍ କରିବାରେ ସଫଳ ହୋଇଥିଲେ। ଭାରତୀୟ ଟିମର କୁଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଦୁଇଟି ୱିକେଟ ମିଳିଛି। ସେହିଭଳି ଯଡେଜା, ରାଣା ଓ ଅକ୍ଷର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଦୀର୍ଘଦିନ ଧରି ୟୁକ୍ରେନ ଓ ଋଷିଆ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ଉଭୟ ରଷ୍ଟ୍ରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଏକ ଘରୋଇ ଖବର ସଂସ୍ଥା ପକ୍ଷରୁ ମିଳିଥିବା ରିପୋର୍ଟ୍ ଅନୁଯାୟୀ ଋଷିଆ ସେନା ଅଭାବ ଦୂର ପାଇଁ ଯୁଦ୍ଧରେ ଆହତ ସେନା କର୍ମଚାରୀଙ୍କୁ ପୁନର୍ବାର ଯୁଦ୍ଧକ୍ଷେତ୍ରକୁ ପଠାଇଛି।

ଏ ନେଇ କିଛି ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ଋଷିଆ ସୈନିକମାନେ ଆଶାବାଡି ଧରିଥିବା ଦେଖିବାକୁ ମିଳିଛି। ଏମିତିକି କିଛି ସୈନିକଙ୍କ ଗୋଡ଼ରେ ବ୍ୟାଣ୍ଡେଜ ପଡିଥିବାର ଫଟୋ ଓ ଭିଡ଼ିଓ ଦେଖିବାକୁ ମିଳିଛି।ସିଏନଏନର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ରୁଷିଆ ସେନା ବଢ଼ୁଥିବା ମାନବସମ୍ବଳ ସମସ୍ୟାର ସମ୍ମୁଖୀନ ହେଉଛି।

ୟୁକ୍ରେନୀୟ ଡ୍ରୋନ୍ ଅପରେଟର ଏବଂ ରୁଷିଆନ୍ ସୈନ୍ୟମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫ୍ରଣ୍ଟ-ଲାଇନ୍ ଫୁଟେଜ୍‌ରେ ଯୁଦ୍ଧକ୍ଷେତ୍ରରେ ସୈନିକ ଆଶାବାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେତେକଙ୍କ ଗୋଡ଼ରେ ସ୍ପଷ୍ଟ ଆଘାତ ଲାଗିଥିବାର ଦେଖାଯାଉଛି। କେତେକଙ୍କ ଗୋଡ଼ରେ ଏବେ ବି ବ୍ୟାଣ୍ଡେଜରେ ବନ୍ଧାଥିବା ଦେଖାଯାଇଛି। ସେମାନଙ୍କୁ ୟୁକ୍ରେନୀୟ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଆଶାବାଡ଼ିରେ ଧରିଥିବା ସୈନିକମାନଙ୍କୁ ଆଗ ଧାଡ଼ି ଯୁଦ୍ଧକୁ ଫେରାଇ ନିଆଯାଉଥିବାର ଏକ ଭିଡିଓରେ ଏହା ଦେଖିବାକୁ ମିଳୁଛି।ଭିଡିଓରେ ଚଣେ ଆହତ ସୈନିକଙ୍କୁ ଦେଖାଯାଉଛି, ତାଙ୍କୁ କ୍ରାସନୋଡାର ଅଞ୍ଚଳର ଦକ୍ଷିଣ ରୁଷିଆ ସହର ୟେସ୍କର ଏକ ସାମରିକ ହସ୍ପିଟାଲରୁ ୟୁନିଫର୍ମ ପିନ୍ଧା ସୈନ୍ୟମାନେ ଯୁଦ୍ଧ କରିବାକୁ ଟାଣି ନେଉଛନ୍ତି।

ଈ-କେୱାଇସି ଅପ୍-ଡେଟ୍ କରିବାରେ ବଣ୍ଡାଘାଟିର ଲୋକେ ପଛୁଆ ଥିବାରୁ ସେଠାକାର ଅନେକ ମହିଳାଙ୍କ ପାଇଁ ଈ-କେୱାଇସି ସ୍ବପ୍ନ ହୋଇ ପଡ଼ିଛି। ବିଶେଷକରି ମୋବାଇଲ ନେଟୱର୍କ ସମସ୍ୟା, ଉପାନ୍ତ ଅଂଚଳକୁ ଯୋଗାଯୋଗ ନ ଥିବା ଯୋଗୁଁ ସେଠାକାର ଲୋକେ ଈ-କେୱାଇସି କରିପାରୁ ନାହାନ୍ତି।

ଯୋଗାଣ ବିଭାଗ କହିଛି ଏ ଦିଗରେ ଦୃଷ୍ଟି ଦିଆଯାଉଛି, କିଭଳି ଇ-କେୱାଇସି ସମସ୍ତ ହିତାଧିକାରୀ ସାମିଲ ହେବେ ସେନେଇ ଚେଷ୍ଟା କରାଯାଉଛି।
ବଣ୍ଡାଘାଟିରେ ଥିବା ତାଜାବେଡା ଗ୍ରାମବାସୀଙ୍କ କହିବାନୁଯାୟୀ ହେଲା ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ସେମାନଙ୍କ ଗ୍ରାମର ଅନେକ ମହିଳା ଇ-କେୱାଇସି କରିପାରୁ ନାହାନ୍ତି। ବଣ୍ଡାଘାଟିର କଥା ଯଦି କହିବା ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ ଇ-କେଵାଇସିରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି।
ସେହିପରି ମାଲକାନଗିରି ଜିଲ୍ଲାର ଯଦି କଥା କହିବା ତେବେ ଜିଲ୍ଲାରେ ମୋଟ ୫ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ହୋଇପାରିଛି। ଯାହାକି ୮୫ ପ୍ରତିଶତ ହୋଇଛି। ଏବେ ବି ୮୨ ହଜାର ୭୭୮ ହିତାଧିକାରୀ ଇ-କେୱାଇସି କରିନାହାନ୍ତି।

୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଅନ୍ୟଜଣେ କର୍ମଚାରୀ। ସେମାନେ ହେଲେ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ବ୍ଲକ୍ ବୈଷୟିକ ପରିଚାଳକ ସୁରେନ୍ଦ୍ର ସିଂବୁନ୍ଦେଲା।
ଜଳନିଧି ଯୋଜନାରେ ଜଣେ ଚାଷୀଙ୍କ ଠାରୁ ବୋରୱେଲ ଖନନ ବାବଦରେ ସବସିଡି କରାଇଦେବା ପାଇଁ ଟଙ୍କା ନେବା ପାଇଁ ପୂର୍ବରୁ କଥା ହୋଇଥିଲେ। ଚାଷୀ ଜଣକ ଏ ନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ପରାମର୍ଶ ମୁତାବକ ଚାଷୀ ରଙ୍ଗବୋଳ ନୋଟ୍ ନେଇ ଦୁଇ କର୍ମଚାରୀଙ୍କୁ ଦେଇଥିଲେ। ଏହି ସମୟରେ ଯୋଜନା ବଦ୍ଧ ଭାବେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ମାଡି ବସିଥିଲେ। ଭିଜିଲାନ୍ସ ପକ୍ଷରୁ ଦୁଇ କର୍ମଚାରୀଙ୍କ ଠାରୁ ୫ ହଜାର ଟଙ୍କା ଜବତ କରାଯାଇଛି। କୋରାପୁଟ ଭିଜିଲାନ୍ସରେ ଉଭୟଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଉଭୟଙ୍କ ସମ୍ପତ୍ତି ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ।

ଦେଶରେ ମେଦ ବହୁଳତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏବେ ପ୍ରତି ୮ ଜଣରେ ଜଣେ ମେଦ ବହୁଳତା ଶିକାର ହୋଇଛନ୍ତି। ସେହିଭଳି ଶିଶୁଙ୍କ କ୍ଷେତ୍ରରେ ଏହା ୪ ଗୁଣା ବୃଦ୍ଧି ପାଇଛି। ଏପରିକ୍ଷେତ୍ରରେ ୧୦ ପ୍ରତିଶତ କମ୍ ତେଲ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୧୧୯ ତମ ମନ୍ କୀ ବାତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେଦ ବହୁଳତାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛି।
ସେ ଏହି କ୍ରମରେ ନାରୀଶକ୍ତିକୁ ଗୁରୁତ୍ଵ ଦେବା ସହ ତାହା ଦେଶ ପାଇଁ ଏକ ବଡ଼ ସମ୍ପଦ ବୋଲି କହିଛନ୍ତି। ସେହିଭଳି ଶହେ ତମ ରାକେଟ ଉତକ୍ଷେପଣରେ ଇସ୍ରୋର ସଫଳତାକୁ ଦୋହରାଇ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ଗତ ୧୦ ବର୍ଷରେ ଭାରତ ୪ ଶହରୁ ଅଧିକ ସ୍ୟାଟେଲାଇଟ ଲାଞ୍ଚ କରିଛି। ଏଆଇ କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗରେ ରହିଥିବା ବେଳେ ବୈଷୟିକ ଜ୍ଞାନ କୌଶଳରେ ଭାରତ ପଛଘୁଞ୍ଚା ଦେଉନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସକାରାତ୍ମକ ଚିନ୍ତା ନେଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

ଦିନସାରା ଫାର୍ମ ହାଉସରେ କାମ ସାରି ସୋଇଥିଲେ। ନିଘୋଡ଼ ନିଦରେ ଶୋଇଥିବା ବେଳେ ଶୁଭିଲା ପ୍ରଚଣ୍ଡ ଶବ୍ଦ। କିଛି ଭାବିବା ପୂର୍ବରୁ ଶିକାରୀଙ୍କ ବନ୍ଧୁକରୁ ଗୁଳି ଆସି ବାଜିଥିଲା ଫାର୍ମ ହାଉସ୍ ମାଲିକଙ୍କ କାନମୁଣ୍ଡରେ। ମାତ୍ର କିଛି ସମୟ ମଧ୍ୟରେ ଉଡିଗଲା ପ୍ରାଣ ବାୟୁ।

ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ। ମୃତକ ହେଲେ ଫାର୍ମ ହାଉସ୍ ମାଲିକ ଗୋବିନ୍ଦ ନାୟକ। ଖବର ନେବାରୁ ଜଣାପଡ଼ିଛି ଯେ, ଢେଙ୍କାନାଳ ଜିଲ୍ଲା ଭାପୁର ଫାଶୀ ଗ୍ରାମରେ ଥିବା ଫାର୍ମ ହାଉସରେ ଗୋବିନ୍ଦ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ଶିକାରୀଙ୍କ ଗୁଳିରେ ଫାର୍ମ ହାଉସ ମାଲିକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଢେଙ୍କାନାଳ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ଜଣେ ଶିକାରୀଙ୍କୁ ଅଟକ ରଖିଛି। ତେବେ କାହିଁକି ସେ ଗୁଳି କରିଥିଲେ ତା’ର କାରଣ ନେଇ କିଛି ଜଣା ପଡିନାହିଁ।