କଥାରେ ଅଛି ନଈକେ ବାଙ୍କ୍‌ ଦେଶକେ ଫାଙ୍କ୍‌। କେଉଁ ଦେଶରେ କେତେ ପ୍ରକାର ପରମ୍ପରା ରହିଛି। ସେଥି ମଧ୍ୟରୁ ଭିନ୍ନଏକ ପରମ୍ପରା ରହିଛି ଯେଉଁ ପରମ୍ପରା ଅନୁଯାୟୀ ବିବାହ ବେଦୀରେ ବରକୁ ଟଙ୍କା ଗଣିବାକୁ ଦିଆଯାଏ ସେ ଗଣି ନ ପାରିଲେ କନ୍ୟା ପକ୍ଷ ଚାହିଁଲେ ବାହାଘର ଭାଙ୍ଗି ଦେଇପାରିବ। ଏମିତି ଏକ ପରମ୍ପରାରେ ବିହାରରେ ବାହାଘର ଭାଙ୍ଗି ଦେଇଛନ୍ତି କନ୍ୟାପକ୍ଷ ଲୋକେ।
ଘଟଣାଟି ଘଟିଛି ବିହାରର ମୋତିହାରୀ ଅଞ୍ଚଳରେ। ପୂର୍ବ ପ୍ରସ୍ତୁତି ପରେ ଆସିଥିଲା ବିବାହ ଉତ୍ସବ।  ବିବାହ ପାଇଁ ଆସିଥିବା ବର ଏବଂ ବରଯାତ୍ରୀ ହସଖୁସିରେ କନ୍ୟା ଘରେ ପହଞ୍ଚିଥିଲେ। ହେଲେ ବିବାହ ରୀତିନୀତି ମଧ୍ୟରେ ହିଁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ବର ସମ୍ପୂର୍ଣ୍ଣ ଅଶିକ୍ଷିତ ଏବଂ ଟଙ୍କା ଗଣି ପାରୁନାହିଁ ବୋଲି କହି କନ୍ୟା ନିଜେ ବାହାଘର ଭାଙ୍ଗିବାକୁ କହିଥିଲା। ଶେଷରେ ତାହା ହିଁ ହୋଇଥିଲା।
ସୂଚନା ମୁତାବକ ଘୋଡ଼ାସହନ ଥାନା ଅଞ୍ଚଳର କଦମବା ଗାଁରୁ ବର, ବରଯାତ୍ରୀଙ୍କୁ ଧରି ପତାହୀ ଥାନା ଅଞ୍ଚଳର ଏକ ଗାଁରେ ପହଞ୍ଚିଥିଲା। ବର ପହଞ୍ଚିବା ପରେ ରାତିରେ ବରଣମାଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରଣମାଳା ପରେ ପରମ୍ପରା ଅନୁଯାୟୀ, କନ୍ୟା ପକ୍ଷ ବରକୁ ଗଣିବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ବର ନିଜେ ଟଙ୍କା ଠିକ୍‌ ଭାବରେ ଗଣି ପାରି ନ ଥିଲା। କନ୍ୟା ଏଥିରେ ଅସନ୍ତୋଷ ପ୍ରକାଶ କରି ବିବାହ କରିବାକୁ ମନା କରିଦେଇଥିଲା।
ଏହା ପରେ, ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ଗାଁ ଲୋକେ ରାତିସାରା ବର ପକ୍ଷକୁ ବନ୍ଧକ ରଖିଥିଲେ। ପରେ ପୁଲିସର ହସ୍ତକ୍ଷେପ ପରେ ପରଦିନ ବର ଏବଂ ବରଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା।
କୁହାଯାଏ ଯେ ଯଦିବା ବିବାହ ବେଦୀ ବର ଟଙ୍କା ଗଣି ନ ପାରିଲେ ବାହାଘର ଭାଙ୍ଗି ଦେବାର ପରମ୍ପରା ଏଠାରେ ପ୍ରଚଳିତ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ବିବାହ ସମୟରେ ଜାଣିଶୁଣି କମ୍‌ ପରିମାଣର ଟଙ୍କା ଗଣିବାକୁ ଦିଆଯାଇଥାଏ। ଏଥିପାଇଁ ମଧ୍ୟ ବରକୁ ପୂର୍ବରୁ ଅବଗତ କରାଯାଇଥାଏ। ଫଳରେ ପରମ୍ପରା ରକ୍ଷା କରିବାକୁ କେବଳ ଟଙ୍କା ଗଣତି ପ୍ରକ୍ରିୟା ହୋଇଥାଏ ଓ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେବେ ଏଭଳି କାହିଁଁକି ହେଲା ତାକୁ ନେଇ ପୁଲିସ ତଦନ୍ତ କରୁଛି।
ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ମମତା ସିଧା ନିଶାନା କରି କହିଛନ୍ତି ବିଜେପି ଅପରେସନ୍‌ ସିନ୍ଦୂର ନାଁରେ ରାଜନୈତିକ ହୋଲି ଖେଳୁଛି। ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି ବିଜେପି। ଯେତେବେଳେ ସାରା ଦେଶ ଅପରେସନ ସିନ୍ଦୂର ସପକ୍ଷରେ ଛିଡ଼ା ହେଉଛି ଆଉ ପ୍ରତିନିଧି ଦଳ ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବାକୁ ଯାଇଛନ୍ତି ସେତେବେଳେ ଏମାନେ ଅପରେସନ ବେଙ୍ଗଲ କରିବେ ବୋଲି କହୁଛନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ହୋଇ ନ ପାରେ ବୋଲି ମମତା କହିଛନ୍ତି।
ମମତା ମୋଦୀଙ୍କ ଚ୍ୟାଲେଞ୍ଜ କରି କହିଛନ୍ତି, ଦମ୍‌ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରି ଦେଖନ୍ତୁ ମୋଦୀ। ଆମେ ସବୁ ପ୍ରକାର ଚାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ। ମୋଦୀ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ବିଜେପି ସଭାପତି ଭାବରେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରୁଛନ୍ତି ବୋଲି କହିଛନ୍ତି ମମତା। ମୋଦୀ ପଶ୍ଚିମବଙ୍ଗର ମହିଳାଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ମମତା।
ମମତା ଆହୁରି କହିଛନ୍ତି, ଯେତେବେଳେ ଆମ ସାଂସଦ ବିଦେଶ ବୁଲି ଦେଶର ଅପରେସନ୍‌ ସିନ୍ଦୂର ନେଇ ଗୁଣଗାନ କରୁଛନ୍ତି ଠିକ୍‌ ସେତେବେଳେ ମୋଦୀ ବେଙ୍ଗଲ ଆସି ପଶ୍ଚିମବଙ୍ଗ ସରକାରଙ୍କୁ ଅପମାନିତ କରିବା କି ପ୍ରକାରର ରାଜନୀତି ବୋଲି ମମତା ପ୍ରଶ୍ନ କରିଥିବା ବେଳେ ପହଲଗାମ୍‌ ହମଲାର ଆତଙ୍କୀମାନେ ଏବେ କେଉଁଠି ଅଛନ୍ତି? ସେମାନଙ୍କୁ ଧରାଗଲାଣି କି? ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ।
ମୋଦୀଙ୍କ ସହ ଏକ ଖୋଲା ବିତର୍କର ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରସଙ୍ଗ ନେଇ ଟିଭି ଡିବେଟ୍‌ କରିବାକୁ ଦିଦି ଆହ୍ୱାନ କରିଥିବା ବେଳେ ମୋଦୀଙ୍କୁ ତାଙ୍କ ଟେଲିପ୍ରମ୍ପଟର ନେଇ ଆସିବାକୁ ମଧ୍ୟ କହିଛନ୍ତି।
ଦିନଥିଲା ବର୍ଷା ଦିନ ଆସିଲେ ମାଟି ସାରା ଘୂରିବୁଲୁଥିଲେ ଲାଲ୍‌ ଟୁକ୍‌ଟୁକ୍‌ ସାଧବ ବୋହୂ। ସାଧବବୋହୂ ଏକ ପ୍ରକାର ରଙ୍ଗୀନ ଓ ଆକର୍ଷୀୟ କୀଟ, ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ମନୋରମ। ତେବେ ଏଭଳି କୀଟ ଏବେ ଆଉ ଦେଖିବାକୁ ମିଳୁ ନାହାନ୍ତି। ସହରୀକରଣ ପ୍ରଭାବରେ ପରିବେଶ ପ୍ରଦୂଷଣ ହେବାରୁ ଏଭଳି ଜୀବମାନେ କ୍ରମେ ଲୋପ ପାଇପାଇବାକୁ ବସିଲାଣି। 
ସହରଠାରୁ ଗାଁ ଯାଏଁ ସବୁଆଡେ଼ ସାଧବବୋହୂ ଦେଖିବାକୁ ମିଳୁଥିଲା। ବର୍ଷା ଆସିଲେ ପିଲାମାନେ ଏହି ସାଧବବୋହୂଙ୍କ ସଂଗ୍ରହ କରୁଥିବା ବେଳେ ଏହା ପରିବେଶ ସନ୍ତୁଳନର ଅନ୍ୟତମ ଉପାଦାନ ସାଜିଥିଲେ। ତେବେ ଗତ ୩୦ ବର୍ଷ ଧରି ଏଭଳି ରଙ୍ଗୀନ କୀଟ କ୍ରମେ ଲୋପ ପାଇବାରେ ଲାଗିଛନ୍ତି। ବିଶେଷକରି ଗତକିଛି ଦଶନ୍ଧୀ ମଧ୍ୟରେ ଦ୍ରୁତ ସହରୀକରଣ ଯୋଗୁଁ ଏଭଳି ବିରଳ ପ୍ରଜାତିର କୀଟ ଲୋପ ପାଇବାକୁ ବସିଛି।
ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବହୁତଳ ବିଶିଷ୍ଟ ଅଟାଳିକା କ୍ରମେ ବୃଦ୍ଧି ପାଇବା କାରଣରୁ ଏହା ପ୍ରକୃତିକ ପାଇଁ ବିପଦ ପାଲଟିଛି। ସାଧବବୋହୂ ସଂଖ୍ୟା ମଧ୍ୟ ଏକ ପ୍ରକାର ବିଲୋପ ହୋଇଛି ବୋଲି କୁହାଯାଇପାରେ।
ପରିବେଶବିତଙ୍କ କହିବାନୁଯାୟୀ ସହରୀକରଣ ପ୍ରଭାବ ସାଙ୍ଗକୁ ରାସାୟନିକ ସାରର ବହୁଳ ପ୍ରୟୋଗ ଏବଂ ବ୍ୟାପକ ପଲିଥିନ ବ୍ୟବହାର ଯୋଗୁଁ ସେଭଳି ଜୀବମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି।
ଗତ ୧୦ ବର୍ଷ ତଳେ ନନ୍ଦନକାନନ, ଶିଖରଚଣ୍ଡୀ, ଦାରୁଠେଙ୍ଗ, ପଥର ଗାଡ଼ିଆ, ରଘୁନାଥପୁରଠାରୁ ଆରମ୍ଭ କରି ବାଲିଅନ୍ତା, ବାଲିପାଟଣା, ମଳିପଡ଼ା, ମେଣ୍ଢାଶାଳ, ପାଇକରାପୁର ଆଦି ଅଞ୍ଚଳରେ ସାଧବ ବୋହୂ ଦେଖିବାକୁ ମିଳୁଥିଲା। ହେଲେ ସହରୀକରଣ ପାଇଁ ଏସବୁ ଅଞ୍ଚଳରେ ଏବେ ବହୁ ତଳବିଶିଷ୍ଟ ଅଟ୍ଟାଳିକା ଠିଆ ହୋଇଛି। ଯାହା ସାଧବ ବୋହୂ ଭଳି କୀଟଙ୍କ ବଂଶ ନିପାତର କାରଣ ପାଲଟିଛି।
    ପକ୍ଷୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ମାଟିରେ ଅଧିକ ରାସାୟନିକ ସାର ପ୍ରୟୋଗ ଏବଂ ମଶା ମାରିବା ପାଇଁ ଧୂଆଁ ପ୍ରୟୋଗ ଏବଂ ପରିବେଶ ପ୍ରଦୂଷଣ ଦ୍ୱାରା ଏହି କୀଟ ପତଙ୍ଗ ବଂଶ ଲୋପ ପାଇବାରେ ଲାଗିଛନ୍ତି। ଆଉ ଆଗକୁ ଏହି ସବୁ କୀଟ ପତଙ୍ଗ ଦେଖିବାକୁ ସ୍ୱପ୍ନ ହୋଇଯିବେ ବୋଲି ସେ କହିଛନ୍ତି।
ପରିବେଶ ବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବାନୁଯାୟୀ ସାଧବବୋହୂମାନଙ୍କ ଶରୀର ଉପରେ ଥିବା ଲାଲ ମାଇଟ୍‌  ବା ଭେଲଭେଟ୍‌ ହେଉଛି ଆରାକନିଡ୍‌ ଜାତୀୟ ପ୍ରାଣୀ। ଯାହା ସାଧାରଣତଃ ମାଟି ଓ ପତ୍ରର ଅଳିଆ ଆବର୍ଜନାରେ ଦେଖାଯାଏ। ଗ୍ରୀଷ୍ମର ପ୍ରଭାବରେ ମାଟିରେ ଲୁଚି ରହିଥିବା ଏହି ପ୍ରାଣୀ ବର୍ଷାଭିଜା ନରମ ମାଟିର ସ୍ପର୍ଶରେ ବାହାରକୁ ନିର୍ଗତ ହୋଇ ପ୍ରାକୃତିକ ଦୃଶ୍ୟକୁ ଅତ୍ୟନ୍ତ ଉପଭୋଗ୍ୟ କରିଥାନ୍ତି।
କିନ୍ତୁ ସେମାନଙ୍କ ବାସସ୍ଥଳୀର ଅବକ୍ଷୟ, ମୃତ୍ତିକା ପ୍ରଦୂଷଣ ଏବଂ କୀଟନାଶକ ପଦାର୍ଥର ଅତ୍ୟଧିକ ବ୍ୟବହାର ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇ ଚାଲିଛି। ମୃତ୍ତିକାର ଜୈବବିବିଧତା ପ୍ରତି ଲୋକମାନଙ୍କର ସଚେତନତା ବୃଦ୍ଧି କରାଗଲେ ସେମାନଙ୍କୁ ସଂରକ୍ଷଣ କରାଯାଇ ପାରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଆମେରିକାରେ ପୁନର୍ବାର ଟ୍ରମ୍ପଙ୍କୁ କ୍ଷମତା ଫେରାଇ ଆଣିବାରେ ବିଶେଷ ଭୂମିକା ନିଭାଇଥିବା ଏଲନ୍ ମସ୍କ୍ ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମସ୍କ ଅଚାନକ ନିଜ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ।
ସେ ଉଲ୍ଲେଖ କରିଛନ୍ତି, ଯେ ଆମେରିକା ସରକାରରେ ବିଶେଷ କର୍ମଚାରୀ ଭାବେ ମୋର କାର୍ଯ୍ୟକାଳ ଶେଷ ହୋଇଛି। ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ମସ୍କ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଡିଓଜିଇ ବିଭାଗ ଆହୁରି ଶକ୍ତିଶାଳୀ ହେବ।
ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ଦାୟିତ୍ଵ ମିଳିଥିଲା। ଏହି ବିଭାଗର ମୁଖ୍ୟ କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା। ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଉଦ୍ଦେଶ୍ୟ ସାଧିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଅନେକ ବିଭାଗରୁ ଛଟେଇ କରାଯାଇଥିବା ବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା।
ତେବେ ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି, ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ବେଶ ବିବାଦୀୟ ହେଉଛି ଏବଂ ଦେଶ ପାଇଁ ଶୁଭଙ୍କର ନୁହେଁ। ଆଉ ଏହି କାରଣରୁ ମସ୍କ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ପର୍ଯ୍ୟନ୍ତ ଏନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି ଟ୍ରମ୍ପ।

ପୁଅଙ୍କ ପାଇଁ ପାକିସ୍ତାନ ସପକ୍ଷରେ ଟ୍ରମ୍ପ

ଅପରେସନ ସିନ୍ଦୂର ପରେ ଅଚାନକ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନକୁ ଯେଉଁଭଳି ଭାବେ ପ୍ରଶଂସା କରିଛନ୍ତି ତାହା ବିଶ୍ୱବାସୀଙ୍କୁ ଚକିତ କରି ଦେଇଛି। ତେବେ ପାକିସ୍ତାନକୁ ଅପ୍ରତ୍ୟାଶିତ ଟ୍ରମ୍ପ୍‌ଙ୍କ ପ୍ରଶଂସାର କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
କୁହାଯାଉଛି ଯେ, ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ୍‌ (ଡବ୍ଲୁଏଲଏଫ), ଏକ କ୍ରିପ୍‌ଟୋ କରେନ୍ସି କମ୍ପାନି ଯେଉଁଥିରେ ଟ୍ରମ୍ପଙ୍କ ପୁଅ ଏରିକ ଏବଂ  ଡୋନାଲ୍ଡ ଜୁନିଅରଙ୍କର ଅଂଶୀଦାର ରହିଛି ଏବଂ ଏହା ସହ ପାକିସ୍ତାନ କ୍ରିପ୍‌ଟୋ କାଉନସିଲ୍‌ (ପିସିସି)ର ଚୁକ୍ତି ହୋଇଛି। ଗତ ଏପ୍ରିଲ ୨୨ ତାରିଖ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ୫ ଦିନ ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
କେବଳ ଏତିକି ନୁହେଁ କମ୍ପାନିର ସହ-ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜ୍ୟାକ୍‌ ୱିଟକାଲ୍ଫ। ଯେ କି ଟ୍ରମ୍ପଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଏବଂ ପଶ୍ଚିମ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍‌ ୱିଟକାଲ୍ଫଙ୍କ ପୁଅ। ସେ ସମ୍ପ୍ରତି ଜଣେ ଆମେରିକୀୟ ବନ୍ଧକଙ୍କୁ ହମାସ ହାତରୁ ଉଦ୍ଧାର କରିଥିଲେ।
ପାକିସ୍ତାନ ସରକାରଙ୍କ ଦ୍ୱାରା ଗଠିତ ପିସିସିର ସିଇଓ ହେଉଛନ୍ତି ବିଲାଲ ବିନ୍‌ ସାକିବ। ପିସିସି ଏକ ସଦ୍ୟ ପ୍ରତିଷ୍ଠିତ କମ୍ପାନି। ଡବ୍ଲୁଏଲଏଫ ୨୦୨୪ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଟ୍ରମ୍ପ ପରିବାରର ଏଥିରେ ୬୦ ପ୍ରତିଶତ ଅଂଶଧନ ଅଛି। ବିଲାଲଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟର ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା।
ପିସିସି ସହିତ ଚୁକ୍ତିନାମା ପୂର୍ବରୁ, ଡବ୍ଲୁଏଲଏଫମଧ୍ୟ ଏପ୍ରିଲ ୧୫ ତାରିଖରେ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ବିଲାଲଙ୍କୁ ତାଙ୍କର ପରାମର୍ଶଦାତା ଭାବରେ ଘୋଷଣା କରିଥିଲା।
ଚୁକ୍ତି ସମୟରେ ଜ୍ୟାକ୍‌ ୱିଟକାଲ୍ଫଙ୍କ ସହିତ ଚେଜ୍‌ ହେରୋ ଏବଂ ଜ୍ୟାକ୍‌ ଫୋକମ୍ୟାନ୍‌ ମଧ୍ୟ ଥିଲେ।
ସେମାନେ ପାକିସ୍ତାନର ଡିଜିଟାଲ୍‌ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ବ୍ଲକଚେନ୍‌ ପ୍ରତିଷ୍ଠା କରିବା ପାଇଁ ଡବ୍ଲୁଏଲଏଫ ପକ୍ଷରୁ ପିସିସି ସହିତ ଆଲୋଚନା କରିବା ପାଇଁ ଇସଲାମାବାଦ ଯାତ୍ରା କରିଥିଲେ। ଦୁହେଁ ଡବ୍ଲୁଏଲଏଫର ସହ-ପ୍ରତିଷ୍ଠାତା ମଧ୍ୟ କାର୍ଯ୍ୟ କରୁଛନ୍ତି।
ପିସିସି ସହିତ ଚୁକ୍ତିକୁ ଐତିହାସିକ ଏବଂ ପାକିସ୍ତାନର ଅଭିଜ୍ଞତାକୁ ଅବିଶ୍ୱସନୀୟ ବୋଲି ବର୍ଣ୍ଣନା କରିଛନ୍ତି ଜ୍ୟାକ୍‌ ୱିଟକାଲ୍ଫ। ଏହା ସହିତ, ଚାଙ୍ଗପେଙ୍ଗ ଝାଓ  ଯିଏ ଏକ କ୍ରିପ୍ଟୋ ଏକ୍ସଚେଞ୍ଜ ଚଳାଉଛନ୍ତି, ଯାହାକୁ ପିସିସି  ନିଜର ରଣନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛି। ସମ୍ପ୍ରତି ଆମେରିକାରେ ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ୪ ମାସ ଜେଲଦଣ୍ଡ ଦିଆଯାଇଥିଲା।

ଋଣ ବୋଝରେ ପଡ଼ି ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଏଭଳି ଦୁଃଖଦ ଖବର ଅଭିଯୋଗ ଆସିଛି ହରିଆଣାର ପଞ୍ଚକୁଳରୁ। ସେମାନେ କାର୍ ଭିତରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।

ଖବର ନେବାରୁ ଜଣା ପଡ଼ିଛି ଯେ ଡେରାଡୁନର ୪୨ ବର୍ଷୀୟ ପ୍ରବୀଣ ମିତ୍ତଲ, ତାଙ୍କ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ ସମେତ ତାଙ୍କ ବାପା ମାଆ ଏକ ଗାଡ଼ିରେ ପଞ୍ଚକୁଳରେ ଚାଲିଥିବା ବାବା ବାଗେଶ୍ୱରଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ। କିନ୍ତୁ ମାନସିକ ଚାପରେ ସପରିବାର କାର ଭିତରେ ଆତ୍ମହତ୍ୟା କରିଛନ୍ତି।

ପୋଲିସର କହିବାନୁଯାୟୀ ପଞ୍ଚକୁଳରେ ୫ ଦିନିଆ ହନୁମାନ କଥା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ପ୍ରବଚନ ଶୁଣିବା ପାଇଁ ଗତ ରବିବାର ସେମାନେ ସପରିବାର ଆସିଥିଲେ। କିନ୍ତୁ ଦୁଇଦିନ ଧରି ପାର୍କିଂ ସ୍ଥଳରେ କାର ଟି ରଖାଯାଇଥିବା ଦେଖି ଲୋକେ ପୋଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଭିତରୁ ମୃତଦେହ ଉଦ୍ଧାର କରିଥିବା। ପୁଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇଛି।

ଜ୍ୟୋତିଙ୍କୁ ପାକିସ୍ତାନର ଏତେ ସୁରକ୍ଷା କାହିଁକି

ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଲାହୋରରେ ଅବସ୍ଥିତ ପ୍ରସିଦ୍ଧ ଅନାରକଲି ବଜାରରେ ବୁଲୁଥିବା ବେଳେ ଯେଉଁଥିରେ ଜ୍ୟୋତିଙ୍କ ପାକିସ୍ତାନ ପକ୍ଷରୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଛି।
ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ଜ୍ୟୋତିଙ୍କୁ ଜଗି ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ତାଙ୍କ ସହିତ ପ୍ରାୟ ୫ ରୁ ୬ ଜଣ ସଶସ୍ତ୍ର ବନ୍ଧୁକଧାରୀ ମଧ୍ୟ ଅଛନ୍ତି। ଯେଉଁମାନେ ତାଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି।
ତେବେ ଏହି ଭିଡିଓଟି ଜ୍ୟୋତି ପୋଷ୍ଟ କରି ନାହାନ୍ତି ବରଂ ସ୍କଟଲ୍ୟାଣ୍ଡର ପ୍ରସିଦ୍ଧ ଟ୍ରାଭେଲ୍‌ ବ୍ଲଗର୍‌ କ୍ୟାଲମ ମିଲ୍‌ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ଭିଡିଓରେ କ୍ୟାଲମ ନିଜେ ଅନାରକଲି ବଜାରର ରାସ୍ତାରେ ବୁଲୁଥିବାର ଦେଖାଯାଉଛି ଏବଂ ଏହି ସମୟରେ ସେ ହଠାତ୍‌ ଜ୍ୟୋତି ମାଲହୋତ୍ରାଙ୍କୁ ଭେଟୁଛନ୍ତି। ଭିଡିଓରେ ଉଭୟ ୟୁଟ୍ୟୁବର ପରସ୍ପର ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।
ଭିଡିଓରେ ଜ୍ୟୋତି ନିଜକୁ ଭାରତର ନାଗରିକ ବୋଲି କହୁଥିବା ବେଳେ ସେ କ୍ୟାଲମଙ୍କୁ କେତେଥର ପାକିସ୍ତାନ ଆସିଛନ୍ତି ବୋଲି ପଚାରିଛନ୍ତି। ଏହାର ଉତ୍ତରରେ, କ୍ୟାଲମ କହୁଛନ୍ତି, ସେ ଏପର୍ଯ୍ୟନ୍ତ ୫ ଥର ପାକିସ୍ତାନ ଗସ୍ତ କରିସାରିଛନ୍ତି। ଉତ୍ତରରେ ଜ୍ୟୋତି କହୁଛନ୍ତି, ମୁଁ ଭାରତରୁ ଆସିଛି, କେବେ ଭାରତକୁ ଆସନ୍ତୁ। କଥାବାର୍ତ୍ତା ସମୟରେ, ଉଭୟଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଦେଖିବାକୁ ମିଳୁଛି। କିନ୍ତୁ ତା’ପରେ ଦେଖାଯାଇଥିବା ଦୃଶ୍ୟ ଆଶ୍ଚର୍ଯ୍ୟଜନକ ରହିଛି।
ଯେତେବେଳେ ଜ୍ୟୋତି ମାଲହୋତ୍ରା ଆଗକୁ ଯାଉଛନ୍ତି, ତାଙ୍କ ଚାରିପାଖରେ ୬ ଜଣ ସଶସ୍ତ୍ର ବନ୍ଧୁକଧାରୀ ଦେଖାଯାଉଛନ୍ତି। ସେମାନେ ତାଙ୍କୁ ସୁରକ୍ଷା ଘେରାରେ ନେଇଯାଉଛନ୍ତି। ଜ୍ୟୋଙ୍କୁ ନେଇ ଯାଉଥିବା ବନ୍ଧୁକଧାରୀମାନେ  ‘ନୋ ଫିୟର’ଲେଖାଥିବା ଜ୍ୟାକେଟ୍‌ ପିନ୍ଧିଛନ୍ତି।
ସାଧାରଣତଃ ଜଣେ ୟୁଟ୍ୟୁବରଙ୍କୁ ପାକିସ୍ତାନରେ ଏତେ ସୁରକ୍ଷା ମିଳେ ନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ପାକିସ୍ତାନରେ ଜ୍ୟୋତି ମାଲହୋତ୍ରାଙ୍କୁ ଏତେ ଭିଆଇପି ସୁବିଧା କାହିଁକି ଦିଆଯାଇଥିଲା? ଏହା କେବଳ ଏକ ପର୍ଯ୍ୟଟକ ଭିଡିଓ ନା ଏହା ପଛରେ କୌଣସି ବଡ ଷଡ଼ଯନ୍ତ୍ର ଅଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଗୁଜରାଟର ଦାହୋଦରେ ଅନେକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯଦି କେହି ଆମ ଭଉଣୀମାନଙ୍କର ସିନ୍ଦୂର ପୋଛିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କର ମୂଳପୋଛ ହେବା ନିଶ୍ଚିତ। ତେଣୁ ଅପରେସନ ସିନ୍ଦୂର କେବଳ ଏକ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଯେହେତୁ ଦେଶବାସୀ ମୋତେ ପ୍ରଧାନ ସେବକର ଦାୟିତ୍ୱ ଦେଇଥିଲେ, ଅପରେସନ୍‌ ସିନ୍ଦୂର ଭଳି କଠୋର ପଦକ୍ଷେପ ନିଆଗଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି, ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଥିଲେ ସେମାନେ ସ୍ୱପ୍ନରେ ମଧ୍ୟ କଳ୍ପନା କରି ନ ଥିଲେ ଯେ ମୋଦୀଙ୍କ ସହିତ ଲଢ଼ିବା ଏତେ କଷ୍ଟକର ହୋଇପାରେ।
୨୨ ତାରିଖରେ ଯେଉଁ ଖେଳ ଖେଳିଥିଲେ ତାହାକୁ ଆମେ ବିଫଳ କରିଦେଲୁ। ଆମର ସେନା ପାକିସ୍ତାନୀ ସେନାକୁ ପରାସ୍ତ କଲା। ଆମେ ଦେଶର ସେନାର ସାହସକୁ ସଲାମ କରୁଛୁ। ସେହି ଦେଶର ଏକମାତ୍ର କାମ ହେଉଛି ଭାରତ ପ୍ରତି ଶତ୍ରୁତା।
ସେ କହିଥିଲେ, ଆଜି ଆମେ ଖେଳଣାଠାରୁ ଆରମ୍ଭ କରି ସାମରିକ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ସବୁକିଛି ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନି କରୁଛୁ। ଆଜି ଭାରତ ରେଳ, ମେଟ୍ରୋ ଏବଂ ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ତିଆରି କରେ ଏବଂ ବିଶ୍ୱକୁ ମଧ୍ୟ ରପ୍ତାନି କରେ। କିଛି ସମୟ ପୂର୍ବରୁ ଏଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି।
ଏସବୁ ପରେ ମୋତେ ନିୟମିତ ଗାଳି କରିବା କିଛି ଲୋକଙ୍କ କିଛି ଲୋକଙ୍କ ଅଭ୍ୟାସରେ ହୋଇଗଲାଣି। ସେମାନେ କହୁଥିଲେ ଯେ ନିର୍ବାଚନ ଆସିଗଲା, ମୋଦୀ ଜୀ ଶିଳାନ୍ୟାସ କଲେ, କିଛି ନିର୍ମାଣ ହେବ ନାହିଁ। ତିନି ବର୍ଷ ପରେ ଏହି କାରଖାନାରେ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍‌ ତିଆରି ହୋଇଛି, ଆଜି ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।

ଆମେ ମାନେ ଜାଣିଛନ୍ତି ଭାରତୀୟମାନେ ଉଭୟ ଆମିଷ ଓ ନିରମିଂଶ ଭୋଜନ କରନ୍ତୁ। ସେଥିମଧ୍ୟରୁ ହିନ୍ଦୁମାନେ ଅଧିକାଂଶ କୁକୁଡ଼ା ମାଂସ ଓ ଛେଳି ମାଂସ ଭକ୍ଷଣ କରିଥାନ୍ତି। ମୋଟ ମାଂସ ଭକ୍ଷକଙ୍କ ମଧ୍ୟରୁ ୭୦ ପ୍ରତିଶତ ଛେଳି ଓ କୁକୁଡ଼ା ମାଂସ ଖାଇଥାନ୍ତି।

ଏଥି ସହିତ ଅନ୍ୟ ସମ୍ପ୍ରଦାୟର ଲୋକେ ଅନ୍ୟ ଜୀବଜନ୍ତୁଙ୍କ ମାଂସ ମଧ୍ୟ ଖାଇଥାନ୍ତି। କିନ୍ତୁ ଏମିତି କିଛି ଜୀବଜନ୍ତୁଙ୍କ ମାଂସ ଅଛି ଯାହାକୁ ଭାରତୀୟମାନଙ୍କ ପାଇଁ ବାରଣ କରାଯାଇଛି। ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ମାଂସ ଭୋଜି ବେଳେ ବିଦେଶୀମାନେ ପଚାରନ୍ତି ଆପଣଙ୍କ ଭିତରେ ହିନ୍ଦୁ କିଏ ଅଛନ୍ତି କି ? ତେବେ କେଉଁ ମାଂସ ସିଏ ?

ଦୁବାଇରେ ଯେବେ ପାର୍ଟି ହୁଏ ସେଠାରେ ଏହି ପ୍ରକାର ମାଂସ ସମ୍ପୂର୍ଣ୍ଣ ଭାବେ ଭାରତୀୟଙ୍କ ପାଇଁ ବାରଣ ଅଛି। ତାହା ହେଉଛି ଦୁବାଇ ଓଟ ମାଂସ। କୁହାଯାଏ ଯେ, ଓଟ ମାଂସରେ ହାଇ କ୍ୟାଲୋରୀ ପ୍ରୋଟିନ ରହୁଛି ଯାହା ସହଜରେ ହଜମ ହୋଇ ନ ଥାଏ। ଯଦି କେହି ଭାରତୀ ସେହି ମାଂସକୁ ଭୋଜନ କରେ ତେବେ ତାହା ୭ ଦିନ ପାଇଁ ହଜମ ହୋଇ ନ ଥାଏ। ତେଣୁ ଦୁବାଇରେ କେବେ ପାର୍ଟି ବା ଭୋଜି ହୁଏ ଭାରତୀୟମାନଙ୍କୁ ପଚରା ଯାଇ ପାର୍ଟିରେ ଓଟ ମାଂସ ପରସା ଯାଇଥାଏ।

ରାହୁଲ ମୋଦିଙ୍କୁ କହିଲେ ଫମ୍ପା ଭାଷଣ ଦେବା ବନ୍ଦ କରନ୍ତୁ

ଆମେ ଲୁଣ ବିନା କିଛି ବି ଖାଦ୍ୟ ଖାଇବା ଅସମ୍ଭବ ହୋଇପଡ଼ିଛି। ବିଶେଷକରି ପାକ  ଭୋଜନରେ ଲୁଣ ଅପରିହାର୍ଯ୍ୟ। ଏପରିସ୍ଥଳେ ଲୁଣ ସଂକଟ ଏବେ ଅନେକ ରାଷ୍ଟ୍ର ପାଇଁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତର ପଡେ଼ାଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏଭଳି ସଂକଟ ଏବେ ସୃଷ୍ଟି ହୋଇଛି।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଲୁଣର ଦର ବୃଦ୍ଧି ପାଇଛି। ସଙ୍କଟର ସୁଯୋଗ ନେଇ ଅନେକ ଲୋକ ଲୁଣର କଳାବଜାରୀ କରିବା ଆରମ୍ଭ କରିଛନ୍ତି। କଳା ବଜାରରେ ଲୁଣ ୨ରୁ ୩ ଗୁଣ ଦରରେ ବିକ୍ରି ହେଉଛି। ତଥାପି ଲୁଣ କିଣିବା ପାଇଁ ଲୋକଙ୍କ ଭିତରେ ଭିଡ଼ ପରିଲକ୍ଷିତ ହୋଇଛି। ଏବେ ଶ୍ରୀଲଙ୍କାରେ ଲୁଣ ମୂଲ୍ୟ କିଲୋଗ୍ରାମ ପ୍ରତି ଦର ରହିଛି ୧୪୫ ଟଙ୍କା।
ପ୍ରକାଶ ଥାଉ କି ଶ୍ରୀଲଙ୍କାରେ ଆବଶ୍ୟକ ଥିବା ଲୁଣର ମାତ୍ର ୨୩ ପ୍ରତିଶତ ନିଜ ଦେଶରେ ଉତ୍ପାଦିତ ହୋଇଥାଏ। ଭାରତ ୩,୦୫୦ ମେଟ୍ରିକ୍‌ ଟନ୍‌ ଲୁଣ ପଠାଇ ପଡେ଼ାଶୀକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୋଟ ପଠାଯାଇଥିବା ଲୁଣ ମଧ୍ୟରୁ ୨,୮୦୦ ମେଟ୍ରିକ୍‌ ଟନ୍‌ ଭାରତର ନ୍ୟାସନାଲ୍‌ ଲୁଣ କମ୍ପାନିର ବୋଲି ଜଣାପଡ଼ିଛି। ତେବେ ବାକି ୨୫୦ ମେଟ୍ରିକ୍‌ ଟନ୍‌ ଘରୋଇ କ୍ଷେତ୍ରର କମ୍ପାନିଗୁଡ଼ିକ ଦ୍ୱାରା ପଠାଯାଇଛି।
ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶ୍ରୀଲଙ୍କାର ଲୋକମାନେ ଲୁଣର ଅଭାବ ଓ ସଂକଟ ନେଇ ବିଭିନ୍ନ ପୋଷ୍ଟ କରିଛନ୍ତି। ଅନେକ ଲୋକେ ଲୁଣ ଖୋଜି ଖୋଜି ପାଉ ନ ଥିବା ଲଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି କିଛିଦିନ ପୂର୍ବେ ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ୬୦ ଲକ୍ଷରୁ  ଅଧିକ ଲୋକ ଏବେ ବି ଖାଦ୍ୟ ସୁରକ୍ଷାର ସମ୍ମୁଖୀନ ହେଉଛନ୍ତି। ଦେଶର ୨୮% ରୁ ଅଧିକ ଜନସଂଖ୍ୟା ଏହି ପରିସ୍ଥିତି ଯୋଗୁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।