ବର୍ଷକରେ ଥରେ ଆସିଥାଏ ମୌସୁମୀ। ତାହା ପୁଣି ଅନେକ ଉକ୍ରଣ୍ଠା ନେଇ। ଏଥର ବି ଆସୁଛି ମୌସୁମୀ। ଆଉ ମୌସୁମୀର ହାତ ଧରି ଟାଣି ଆଣୁଛି ଲଗୁଚାପ। ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସେ କହିଛନ୍ତି, ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥି ପାଇଁ ଦୁଇଦିନ ଭିତରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨ ଦିନ ପ୍ରବଳ ବର୍ଷିବ। ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ। ଆଗାମୀ ୫ ଦିନ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ରାଜ୍ୟରେ ତାପମାତ୍ରା କମିଥିବା ବେଳେ ଏବେ ବି କାଳବୈଶାଖୀ ବର୍ଷା ଜାରି ରହିଛି।

ଆଗାମୀ ଦୁଇ ଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଓଡ଼ିଶା ଅଗ୍ରସର ପାଇଁ ପାଗ ଅନୁକୂଳ ହୋଇପାରି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ।
ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ। ଲଘୁଚାପ ସୃଷ୍ଟି ହେବାର ୨ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।
ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ବାଟ ଫିଟିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ପାଗ ଅନୁକୂଳ ସହ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପୂର୍ବ ସୂଚନା ଦେଇଛି।
ଯଦି ଲଘୁଚାପ ହୁଏ ତାର ପ୍ରଭାବରେ ମେ ୨୭ ଓ ୨୮ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ସହ ଝଡି ପବନ ବହିବାର ଆଶାଙ୍କା ରହିଥିବା କୁହାଯାଇଛି।
ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ୩୦ରୁ ୪୦ କିମି ବେଗରେ ବହିବ ଝଟକା ପବନ।
ମୋଟ ୧୩ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରିଛି। ଆସନ୍ତାକାଲି ୧୨ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର ମୟୂରଭଞ୍ଜ ରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଟାର୍ଗେଟ୍‌ କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଅପରେସନ ସିନ୍ଦୂର ବନ୍ଦ କରିବା ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି ଯେ ମୋଦୀ ଭାରତର ସମ୍ମାନ ସହିତ ସାଲିସ କରିଛନ୍ତି। ପ୍ରଧାନମନ୍ତ୍ରୀ ପାକିସ୍ତାନର କଥାକୁ କାହିଁକି ବିଶ୍ୱାସ କଲେ ବୋଲି ପ୍ରଶ୍ନ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଆହୁରି କହିଛନ୍ତି, ମୋଦୀ ଜୀ, ଫମ୍ପା ଭାଷଣ ଦେବା ବନ୍ଦ କରନ୍ତୁ। କେବଳ କୁହନ୍ତୁ ଯେ ଆପଣ ଆତଙ୍କବାଦ ଉପରେ ପାକିସ୍ତାନର ବୟାନକୁ କାହିଁକି ବିଶ୍ୱାସ କଲେ? ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇ ଭାରତର ସ୍ୱାର୍ଥକୁ କାହିଁକି ବଳି ଦେଲେ ଏବଂ କେବଳ କ୍ୟାମେରା ସାମ୍ନାରେ ଆପଣଙ୍କ ରକ୍ତ କାହିଁକି ଫୁଟୁଛି? ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ସମ୍ମାନ ସହିତ ବୁଝାମଣା କରିବାର ଅଭିଯୋଗ କରିଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ପ୍ରତିକ ଦେଶକୁ ଏକ୍ସରେ ଦେଇଥିବା ସମ୍ବୋଧନର ଭିଡିଓର ଏକ ଅଂଶ ସେୟାର କରିଛନ୍ତି, ଯେଉଁଥିରେ ମୋଦୀ କହିଛନ୍ତି ଯେ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରରେ ଆଲୋଚନା ସମୟରେ ପାକିସ୍ତାନ ଆଶ୍ୱାସନା ଦେଇଥିଲା ଯେ ତାଙ୍କ ପକ୍ଷରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ କରାଯିବ ନାହିଁ। ଏହା ପରେ ଭାରତ ପାକିସ୍ତାନର ପ୍ରସ୍ତାବ ଉପରେ ରାଜି ହୋଇଥିଲା ବୋଲି କୁହାଯାଉଛି।
ଆଦିବାସୀଙ୍କୁ ଅସମୟରେ ସହାୟତା ବାହାନାରେ ଆଉ ବଡ଼ବଡ଼ିଆ ଠକିପାରିବେ ନାହିଁ କି ତାଙ୍କ ଜମି ହଡ଼ପ କରିପାରିବେ ନାହିଁ। ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏହି ନିୟମ ଅନୁଯାୟୀ ଅର୍ଥର ଆବଶ୍ୟକ ପଡ଼ିଲେ ଆଦିବାସୀମାନେ ଚାହିଁଲେ ସରକାରଙ୍କୁ ଜମି ବିକ୍ରି କରିପାରିବେ।
ଏଥିପାଇଁ ସରକାର ଖୁବଶୀଘ୍ର ଏକ କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରିଛି।
ଏହି କମିଟିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗରର ପ୍ରମୁଖ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ। ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ।
ଏହାସହ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କର ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଗୃହ କମିଟି, ବିଧାୟକମାନଙ୍କର ପରାମର୍ଶ ମଧ୍ୟ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲା ପରେ ନିଷ୍ପତ୍ତି ଗ୍ରହଣ କରାଯିବ।
ମନ୍ତରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେକୌଣସି ସମୟରେ ଚାହିଁଲେ ଜଣେ ଆଦିବାସୀ ଜମି ବିକ୍ରି କରିପାରିବ ନାହିଁ। ବିଶେଷକରି ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚ଼ଶିକ୍ଷା ପାଇଁ କେବଳ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ। ସରକାର ଉକ୍ତ ଜମିକୁ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ।
ଏହି ସମୟ ମଧ୍ୟରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି ପୂର୍ବ ନିର୍ଦ୍ଧାରିତ ଅର୍ଥ ପଇଠ କରି ଫେରସ୍ତ ନେଇପାରିବେ। ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କ ପାଇଁ ହିଁ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ନକଲି ଡିଗ୍ରୀ ତିଆରି ଏବଂ ବିକ୍ରି ଅଭିଯୋଗରେ ହାପୁରର ପିଲଖୁୱାରେ ଅବସ୍ଥିତ ମୋନାଡ ବିଶ୍ୱବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଛି ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌। ଏସ୍‌ଟିଏଫ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ଚଢ଼ଉ କରାଯାଇଛି।
ମୋନାଡ ବିଶ୍ୱବିଦ୍ୟାଳୟର ମାନ୍ୟତା ବାତିଲ ସମ୍ପର୍କରେ ହାପୁରର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ଏସପି ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏହି ମାମଲାରେ ପୁଲିସ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ବିଜେନ୍ଦ୍ର ସିଂହ ହୁଡାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଛାତ୍ରଛାତ୍ରୀମାନଙ୍କଠାରୁ ଗୋଟିଏ  ନକଲି ଡିଗ୍ରୀ ପାଇଁ ୫୦ ହଜାରରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ପୁଲିସ ପ୍ରଶାସନ ଜାଣିବାକୁ ପାଇଛି।
ବିଶ୍ୱବିଦ୍ୟାଳୟର ମାନ୍ୟତା ବାତିଲ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଭିଷେକ ପାଣ୍ଡେ ଏବଂ ଏସପି ଜ୍ଞାନଞ୍ଜୟ ସିଂହ। ଆଗକୁ ନକଲି ଡିଗ୍ରୀର ଏହି ଖେଳରେ ଅନ୍ୟ ରାଜ୍ୟରେ ମଧ୍ୟ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇପାରେ। ବିଶ୍ୱବିଦ୍ୟାଳୟରୁ ନକଲି ଡିଗ୍ରୀ ବିକ୍ରି ହେଉଥିବାର ସୂଚନା ଏସଟିଏଫକୁ ଗୋଟିଏ ମାସ ପୂର୍ବରୁ ମିଳିଥିଲା।
ଏଠାରୁ ନକଲି ଡିଗ୍ରି ହାସଲ କରି ସରକାରୀ ଚାକିରି ପାଉଥିବା ଲୋକଙ୍କ ମଧ୍ୟରେ ହରିୟାଣା, ବିହାର ଏବଂ ମହାରାଷ୍ଟ୍ରର ଯୁବବର୍ଗମାନେ ଅଧିକ ରହିଛନ୍ତି। ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଯୁବବର୍ଗମାନେ ଏହି ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି ଏବଂ ଘରୋଇ ତଥା ସରକାରୀ ପ୍ରତିଷ୍ଠାନରେ କାମ କରୁଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ମୋନାଡ୍‌ ଅଧ୍ୟକ୍ଷ ବିଜେନ୍ଦ୍ର ସିଂହ ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟରେ ନକଲି ଡିଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ଯେଉଁଥିରେ ବିଭିନ୍ନ ସହରରେ ଏଜେଣ୍ଟ ନିଯୁକ୍ତ କରି ସେମାନେ ଯୁବବର୍ଗମାନଙ୍କୁ ଫସାଉଥିଲେ।

ଧରାପଡ଼ିଲା ନିମ୍ନମାନର ଔଷଧ। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଦ୍ୱାରା କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଗତ ଏପ୍ରିଲ ମାସରେ ୧୯୬ଟି ଔଷଧ ନମୁନା ମାନକ ଗୁଣବତ୍ତା ଯୋଗ୍ୟ ନୁହେଁ ବୋଲି ଜଣାପଡିଥିଲା। ଏଥିରେ କେନ୍ଦ୍ରୀୟ ପରୀକ୍ଷାଗାରରେ ୬୦ଟି ଏବଂ ରାଜ୍ୟ ପରୀକ୍ଷାଗାରରେ ୧୩୬ଟି ଔଷଧର ନମୁନା ରହିଥିଲା।

ପ୍ରକାଶ ଥାଉ କି ସିଡିଏସସିଓ ତଦନ୍ତର ଉଦ୍ଦେଶ୍ୟ ହେଉଛି ଏପରି ଔଷଧଗୁଡ଼ିକୁ ଚିହ୍ନଟ କରି ବଜାରରୁ ଅପସାରଣ ନିଶ୍ଚିତ କରିବା। ପୂର୍ବରୁ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡିସେମ୍ବରରେ ନିଆଯାଇଥିବା ଔଷଧ ନମୁନାର ଫଳାଫଳ ପ୍ରକାଶ କରିଥିଲା। ଏହି ଅନୁସାରେ, ୧୩୫ରୁ ଅଧିକ ଔଷଧ ମାନଦଣ୍ଡ ପୂରଣ କରୁ ନ ଥିବା ଜଣାପଡ଼ିଥିଲା।
ଯେଉଁ ଔଷଧଗୁଡ଼ିକର ନମୁନା ବିଫଳ ହୋଇଥିଲା, ସେଥିରେ ହୃଦ୍‌ରୋଗ, ଚିନି, କିଡନୀ, ବିପି ଏବଂ ଆଣ୍ଟିବାୟୋଟିକ୍‌ ସମେତ ଅନେକ ଔଷଧ ଅନ୍ତର୍ଭୁକ୍ତ ଥିଲା। ଏହି ଔଷଧଗୁଡ଼ିକ ଦେଶର ଅନେକ ବଡ଼ ଔଷଧ କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଏ। କେନ୍ଦ୍ରୀୟ ପରୀକ୍ଷାଗାର ୫୧ଟି ଔଷଧ ନମୁନା ପାଇଥିଲା ଏବଂ ରାଜ୍ୟ ଔଷଧ ପରୀକ୍ଷଣ ପରୀକ୍ଷାଗାର ୮୪ଟି ଔଷଧ ନମୁନା ମାନକ ଗୁଣବତ୍ତା ଅନୁକୂଳ ନଥିଲା ବୋଲି ଜଣାପଡିଥିଲା।
ଏହି ଔଷଧଗୁଡ଼ିକ ମଧ୍ୟରେ ଜନ ଔଷଧି କେନ୍ଦ୍ରଗୁଡ଼ିକୁ ପ୍ରଦାନ କରାଯାଇଥିବା ଆଣ୍ଟିବାୟୋଟିକ୍‌ ଅନ୍ତର୍ଭୁକ୍ତ। ସେସବୁ ମଧ୍ୟରେ ସେଫପୋଡକ୍ସିମ ଟାବଲେଟ୍‌ ଆଇପି ୨୦୦-ମିଗ୍ରା, ଡିଭାଲପ୍ରୋଏକ୍ସ ଏକ୍ସଟେଣ୍‌ଡେଡ୍‌-ରିଲିଜ୍‌ ଟାବଲେଟ୍‌, ମେଟଫର୍ମିନ୍‌ ହାଇଡ୍‌ରୋକ୍‌ଲୋରାଇଡ୍‌ ଟାବଲେଟ୍‌, ଜିଙ୍କ ସଲଫେଟ୍‌ ଟାବଲେଟ୍‌, ମେଟଫର୍ମିନ୍‌ ଟାବଲେଟ୍‌ ୫୦୦ ମିଗ୍ରା, ଆମୋକ୍ସିମନ୍‌ ସିଭି-୬୨୫, ପାରାସିଟାମଲ୍‌ ୫୦୦ ମିଗ୍ରା ପ୍ରଭୃତି ରହିଛି।

ଲୁଟିବା ପାଇଁ ଜଣଙ୍କ ପରେ ଜଣଙ୍କୁ ବିବାହ କରୁଥିଲେ। ବିବାହ ପରେ ବରଘରୁ ସମ୍ପତ୍ତି ଧରି ଚମ୍ପଟ ମାରିଥିଲେ। ରାଜସ୍ଥାନ ମାଧୋପୁର ପୋଲିସ ଅନୁରାଧା ପାଶୱାନ ନାମ୍ନୀ ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି।

ଅନୁରାଧା ଥିଲେ ନକଲି ବିବାହ ଗ୍ୟାଙ୍ଗର ନେତା, ଯିଏ ଲୋକଙ୍କ ବିଶ୍ୱାସ ଏବଂ ଟଙ୍କା ଠକିବା ପାଇଁ ଜଣାଶୁଣା। ଅନୁରାଧାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କର ଫଟୋ ଏବଂ ପ୍ରୋଫାଇଲକୁ ସମ୍ଭାବ୍ୟ ବରଙ୍କ ପାଖକୁ ନେଇ ଏକ ଆଦର୍ଶ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି। ବିବାହ ପ୍ରସ୍ତୁତକାରୀ, ମୂଳତଃ ଜଣେ ଗ୍ୟାଙ୍ଗ ସଦସ୍ୟ, ବିବାହ ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କା ନିଅନ୍ତି। ଚୁକ୍ତିନାମା ସ୍ଥିର ହେବା ପରେ, ଏକ ବିବାହ ସମ୍ମତି ପତ୍ର ପ୍ରସ୍ତୁତ କରାଯାଏ।

ଦମ୍ପତି ରୀତିନୀତି ଅନୁସାରେ ମନ୍ଦିରରେ କିମ୍ବା ଘରେ ପ୍ରତିଜ୍ଞା ନିଅନ୍ତି। ଏବଂ ତା’ପରେ ନାଟକ ଆରମ୍ଭ ହୁଏ। ବର ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ବହୁତ ସୁନ୍ଦର ଏବଂ ସରଳ ବ୍ୟବହାର କରନ୍ତି ଅନୁରାଧା। ସେମାନଙ୍କ ବିଶ୍ୱାସ ଜିତିବା ପାଇଁ, ସେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରନ୍ତି। କିଛି ଦିନ ମଧ୍ୟରେ, ସେ ତାଙ୍କର ଯୋଜନାର ଶେଷ କାର୍ଯ୍ୟ କାର୍ଯ୍ୟକାରୀ କରନ୍ତି। ଖାଦ୍ୟରେ ନିଶା ଦେଇ ଅଳଙ୍କାର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ନେଇ ପଳାଇଥାଆନ୍ତି।
୨୫ ଜଣ ପୀଡିତଙ୍କ ମଧ୍ୟରୁ ଜଣେ ବିଷ୍ଣୁ ଶର୍ମା ବିବାହ ପାଇଁ ଋଣ ନେଇଥିଲେ।

ଏପ୍ରିଲ ୨୦ ତାରିଖରେ ସୱାଇ ମାଧୋପୁରର ବାସିନ୍ଦା ବିଷ୍ଣୁ ଶର୍ମା ମଧ୍ୟପ୍ରଦେଶର ଅନୁରାଧାଙ୍କୁ ବିବାହ କରିଥିଲେ। ଦଲାଲ ପପ୍ପୁ ମୀନାଙ୍କ ମାଧ୍ୟମରେ ବିବାହ ସ୍ଥିର କରାଯାଇଥିଲା। ଯାହା ପାଇଁ ବିଷ୍ଣୁ ତାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ।

ବିବାହର ଦୁଇ ସପ୍ତାହ ମଧ୍ୟରେ, ଶ୍ରୀମତୀ ପାସୱାନ ୧.୨୫ ଲକ୍ଷ ଟଙ୍କାର ଅଳଙ୍କାର, ୩୦,୦୦୦ ଟଙ୍କା ନଗଦ ଏବଂ ୩୦,୦୦୦ ଟଙ୍କାର ଏକ ମୋବାଇଲ୍ ଫୋନ୍ ନେଇ ପଳାଇ ଯାଇଥିଲେ। ଏ ନେଇ ଶ୍ରୀ ଶର୍ମା କହିଛନ୍ତି ଯେ, ସେ ଏକ ହାତଗାଡ଼ି ଚଲାନ୍ତି। ସେ ଋଣ ନେଇ ବିବାହ କରିଥିଲେ। ସେ ଏକ ମୋବାଇଲ୍ ମଧ୍ୟ ଉଧାର ନେଇଥିଲି। ସେ ତାହା ମଧ୍ୟ ଅନୁରାଧା ନେଇଯାଇଥିଲା। ଶ୍ରୀ ଶର୍ମା କେବେ ଅନୁଭବ କରିନଥିଲେ ଯେ ଅନୁରାଧା ତାଙ୍କୁ ଠକିବ।

ଅନୁରାଧା ତାଙ୍କ ଘରୁ ବାହାରିଥିବା ରାତିକୁ ମନେ ପକାଇ ଶ୍ରୀ ଶର୍ମା କହିଛନ୍ତି ଯେ, ସେ ବିଳମ୍ବିତ ରାତିରେ କାମରୁ ଫେରିଥିଲେ ଏବଂ ରାତ୍ରୀ ଭୋଜନ ପରେ ଶୀଘ୍ର ଶୋଇପଡ଼ିଥିଲେ। ଶ୍ରୀ ଶର୍ମା ସାଧାରଣତଃ ଅଧିକ ଶୋଇ ନଥାଏ, କିନ୍ତୁ ସେହି ରାତିରେ ସେ ନିଘୋଡ଼ ନିଦରେ ଶୋଇଥିଲା। କାରଣ ଅନୁରାଧା ତାଙ୍କୁ ନିଦ ବାଟିକା ଦେଇ ଥିଲେ। ଶ୍ରୀ ଶର୍ମାଙ୍କ ମାଆ ମଧ୍ୟ ଅନୁରାଧାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଶର୍ମା ପରିବାର ପୋଲିସରେ ଅଭିଯୋଗ କରିଥିଲେ।

ପୁଣି କାୟା ମେଲାଇଲା କରୋନା

କୋଭିଡ ୧୯ ର ଆତଙ୍କ ମନରୁ ଯାଇ ନ ଥିବା ବେଳେ ଏବେ ପୁଣି କରୋନା ଆତଙ୍କ ଖେଲାଉଛି। ଗତ କିଛିଦିନ ତଳେ ହଂ କଂ ରେ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ଦୁଇ ଜଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଗୁରୁତର ଥିଲା।
ମୃତକଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ଥିଲା ଓ ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ ବା କିଡ୍‌ନି ରୋଗରେ ପୀଡିତ ଥିଲେ। ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ନୁହେଁ ବରଂ ପୂର୍ବ ସ୍ଥିତି ଯୋଗୁଁ ହୋଇଛି ବୋଲି ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରୁଥିବାର ଆଶଙ୍କା ବୃଦ୍ଧି ପାଇଛି।
ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି। ସେମାନଙ୍କୁ ବୁଷ୍ଟର୍‌ ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି ଯେ, ଚୀନ୍ ମଧ୍ୟ କୋଭିଡ୍‌ର ଏକ ନୂତନ ଲହର ଦେଇ ଗତି କରୁଛି। ଗତ ପାଞ୍ଚ-ଛଅ ସପ୍ତାହ ମଧ୍ୟରେ ଚୀନ୍‌ବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ହାର ଦୁଇଗୁଣରୁ ଅଧିକ ହୋଇଛି । ଏପଟେ ହଂକଂ ଏବଂ ସିଙ୍ଗାପୁରରେ ମଧ୍ୟ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି। ଭାରତ ପାଇଁ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଠି ହେବାକୁ ଯାଉଛି।

କାର୍‌ ଭିତରେ ଖେଳୁଥିଲେ; ଡୋର୍‌ ଲକ୍‌ ହୋଇଗଲା

ପିଲା ଖେଳୁଥିଲେ। ଖେଳୁ ଖେଳୁ କାର୍‌ ଭିତରେ ପଶିଗଲେ ଆଉ ବାହାରିପାରିଲେ ନାହିଁ। ସେମାନେ ଜାଣି ନ ଥିଲେ ତାହା ତାଙ୍କର ଶେଷ ଖେଳ ଥିଲା। ଯେଉଁ ଖେଳ ପାଇଁ ତାଙ୍କୁ ଜୀବନ ଦେବାକୁ ପଡ଼ିଲା।
ଏଭଳି ୪ ଜଣ ଶିଶୁ କାର୍‌ ଭିତରେ ପଶି ଖେଳୁ ଖେଳା ତାହା ଲକ୍‌ ହୋଇଯାଇଥିଲା। ଆଉ ଖୋଲି ବାହାରିପାରି ନ ଥିଲେ। ଶେଷରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ଅଭାବନୀୟ ଏବଂ ମର୍ମନ୍ତୁଦ ଘଟଣା ଘଟିଛି  ଆନ୍ଧ୍ରପ୍ରଦେଶର ବିଜୟନଗରମର ଦ୍ୱାରପୁରୀ ଗାଁରେ।
ଖବର ନେବାରୁ ଜଣାପଡ଼ିଛି ଯେ, ରବିବାର ସକାଳେ ପିଲାମାନେ ଖେଳିବା ପାଇଁ ଘରୁ ବାହାରିଥିଲେ। ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ମିଳି ନ ଥିଲା। ଶେଷରେ ସମସ୍ତଙ୍କ ମୃତଦେହ ଏକ ବନ୍ଦ କାର ଭିତରେ ମିଳିଥିଲା। ପରେ ଜଣାପଡିଲା ଯେ କାରଟି ଗାଁର ମହିଳା ସମ୍ପ୍ରଦାୟ କେନ୍ଦ୍ରର ପାର୍କିଂ ସ୍ଥାନରେ ରଖାଯାଇଥିଲା।
ପିଲାମାନେ ଖେଳୁଥିବା ସମୟରେ ଗାଡ଼ିରେ ବସିଥିଲେ ଏବଂ ଗାଡ଼ିର ଡୋର୍‌ ହଠାତ୍‌ ବନ୍ଦ ହୋଇଯାଇଥିଲା। କାରର ସମସ୍ତ କାଚ ମଧ୍ୟ ବନ୍ଦ ଥିଲା। ଏପରି ପରିସ୍ଥିତିରେ, ପିଲାମାନଙ୍କୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିଲା ନାହିଁ, ଯାହା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁବରଣ କରିଥିବା ପିଲାମାନେ ହେଉଛନ୍ତି ୮ ବର୍ଷର ଉଦୟ, ୮ ବର୍ଷର ଚାରୁମତୀ, ୬ ବର୍ଷର କରିଶ୍ମା ଏବଂ ମନସ୍ୱିନୀ। ପିଲାମାନଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ନେବାରୁ ଜଣାପଡ଼ିଛି ଯେ, ସମସ୍ତ ପିଲାମାନେ ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ।
ଘଟଣାସ୍ଥଳରେ ମୋଟ ୯ ଜଣ ପିଲା ଖେଳୁଥିଲେ। ତେବେ ଖେଳୁଥିବା ସମୟରେ, ଏହି ଚାରି ଜଣ ପିଲା ଗାଡ଼ିରେ ବସିଗଲେ ଏବଂ ଡୋର୍‌ ଲକ୍‌ ହୋଇଯାଇଥିଲା। ପିଲାମାନେ ଶ୍ୱାସରୁଦ୍ଧ ହୋଇ ଜୀବନ ହାରିଦେଇଛନ୍ତି। ତେବେ ଗାଡି ମାଲିକ କିଏ ସେନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନ କ୍ୟାନସର ପୀଡ଼ିତ ନେଇ ତାଙ୍କ ପରିସ୍ରା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କ୍ୟାନସର ତାଙ୍କ  ହାଡ଼କୁ ବ୍ୟାପିଥିବା ନେଇ ଡେମୋକ୍ରାଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଡେମୋକ୍ରାଟ ନେତାଙ୍କ ପରିସ୍ରା ଲକ୍ଷଣ ଅନୁଭବ କରିବା ପରେ ତାଙ୍କୁ ଏହି ରୋଗ ନିର୍ଣ୍ଣୟ କରାଯାଇଥିଲା ଏବଂ ଏକ ପ୍ରୋଷ୍ଟେଟ ନୋଡ୍ୟୁଲ୍ ମିଳିଥିଲା। ବର୍ତ୍ତମାନ, ବିଡେନ ପରିବାର ସମ୍ଭାବ୍ୟ ଚିକିତ୍ସା ଯୋଜନା ପାଇଁ ବିକଳ୍ପଗୁଡ଼ିକର ସମୀକ୍ଷା କରୁଛନ୍ତି।

ଏହା ରୋଗର ଏକ ଅଧିକ ଆକ୍ରମଣାତ୍ମକ ରୂପ ନେଉଥିବା ବେଳେ, କର୍କଟ ରୋଗ ହରମୋନ-ସମ୍ବେଦନଶୀଳ ପରି ମନେହୁଏ। ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ଡାକ୍ତରଙ୍କ ସହିତ ଚିକିତ୍ସା ବିକଳ୍ପଗୁଡ଼ିକର ସମୀକ୍ଷା କରୁଛନ୍ତି ବୋଲି  ବିବୃତ୍ତିରେ କୁହାଯାଇଛି।

୮୨ ବର୍ଷୀୟ ନେତାଙ୍କ ପୁଅ ବ୍ୟୁ ବିଡେନ ମଧ୍ୟ ୨୦୧୫ ମସିହାରେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ବିବୃତ୍ତି ଅନୁଯାୟୀ, ବିଡେନଙ୍କ କର୍କଟ ରୋଗରେ ଗ୍ଲିସନ ସ୍କୋର ୯ (ଗ୍ରେଡ୍ ଗ୍ରୁପ୍ ୫) ଥିବା ଜଣାପଡିଛି।

ବିନା ପାଇଲଟରେ ୧୦ ମିନିଟ୍ ଉଡ଼ିଲା ବିମାନ

ଆପଣ କେବେ ଭାବିଛନ୍ତି କି ବିନା ପାଇଲଟରେ ବିମାନ ଉଡ଼ିପାରିବ? ପାଇଲଟ ବିନା ବିମାନ ଉଡ଼ାଣ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଯୁକ୍ତିବିଦ୍ୟା ନାହିଁ, କିନ୍ତୁ ଏକ ଯାତ୍ରୀବାହୀ ବିମାନ ପାଇଲଟ ବିନା ୧୦ ମିନିଟ ଧରି ଆକାଶରେ ଉଡ଼ିଥିଲା।
ଜର୍ମାନ ସମ୍ବାଦ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗତବର୍ଷ ସ୍ପେନ ଯାଉଥିବା ଲୁଫଥାନ୍ସାର ଏକ ବିମାନର କୋ-ପାଇଲଟ କକପିଟରେ ଏକା ଥିବା ସମୟରେ ହଠାତ୍ ଚେତାଶୂନ୍ୟ ହୋଇପଡିଲେ। ଏଭଳି ସ୍ଥିତିରେ ପ୍ରାୟ ୧୦ ମିନିଟ୍ ପାଇଁ ପାଇଲଟ ବିନା ବିମାନଟି ଉଡ଼ିଥିଲା।
ପ୍ରକାଶ ଥାଉ କି ବିମାନରେ ମୋଟ ୧୯୯ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ।

କ୍ୟାପଟେନ ଶୌଚାଳୟ ଯାଇଥିବାବେଳେ କକପିଟରେ ଏକା ଥିବା କୋ-ପାଇଲଟ ଚେତା ହରାଇ ବସିଥିଲେ। ଯେତେବେଳେ କ୍ୟାପଟେନ ଶୌଚାଳୟରୁ ବାହାରକୁ ଆସିଲେ, ସେ କ୍ୟାବିନ ଦ୍ୱାର ଖୋଲିବାକୁ ଠକ୍ ଠକ୍ କଲେ। କିନ୍ତୁ ଦ୍ୱାର ଖୋଲିଲା ନାହିଁ।

ଏହା ପରେ କ୍ୟାପଟେନ ଜରୁରୀକାଳୀନ ବଟନ୍ ଦବାଇ ସାହାଯ୍ୟ ମାଗିଲେ, କିନ୍ତୁ ଏହି ସମୟ ମଧ୍ୟରେ କୋ-ପାଇଲଟ ଚେତା ଫେରି ପାଇଥିଲେ ଏବଂ କକପିଟ ଦ୍ୱାର ଖୋଲିଦେଇଥିଲେ। ଏହା ପୂରା ୧୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ପରେ ବିମାନଟିକୁ ମାଦ୍ରିଦରେ ଅବତରଣ କରିଥିଲା।
କୋ-ପାଇଲଟ୍ ଚେତାଶୂନ୍ୟ ହେବା ପରେ ଏକ ସକ୍ରିୟ ଅଟୋପାଇଲଟ୍ ଯୋଗୁ ବିମାନଟି ସ୍ଥିର ଭାବରେ ଉଡ଼ିପାରିଥିଲା ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ଭଏସ୍ ରେକର୍ଡର୍ କକପିଟରେ ଅଜବ ଶବ୍ଦ ରେକର୍ଡ କରିଥିଲା ​​ଯାହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଭଳି ଥିଲା ବୋଲି ଡିପିଏ ରିପୋର୍ଟ କରିଛି।

ଲୁଫଥାନ୍ସା ଡିପିଏକୁ କହିଛି ଯେ, ଆମେ ତଦନ୍ତ ରିପୋର୍ଟ ବିଷୟରେ ଅବଗତ ଅଛୁ ଏବଂ ଆମର ନିଜସ୍ୱ ବିମାନ ସୁରକ୍ଷା ବିଭାଗ ମଧ୍ୟ ଏକ ତଦନ୍ତ କରିଛି। ଡିପିଏ କହିଛି ଯେ, କମ୍ପାନୀ ନିଜର ତଦନ୍ତର ଫଳାଫଳ ପ୍ରକାଶ କରିନାହିଁ। କିନ୍ତୁ ଏହି ଘଟଣାଟି ସ୍ପଷ୍ଟ କରିଛି ଯେ, ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ପାଇଲଟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା କେତେ ଗୁରୁତ୍ୱପୂର୍ଣ୍ଣ।

Air Connectivity From Odisha: ଆଉ ୯ ସହରକୁ ସିଧାସଳଖ ଉଡାଣ