ଆମେରିକାର ୱାସିଂଟନ ନିକଟରେ ଥିବା ନିଜ ବାସଭବନରେ ମହୀଶୂରର ଜଣେ ଟେକ୍ ଉଦ୍ୟୋଗୀ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ତାଙ୍କ ପତ୍ନୀ ଓ ପୁଅଙ୍କୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତକମାନେ ହେଲେ ମହୀଶୂରର ବିଜୟନଗରସ୍ଥିତ ଏକ ରୋବୋଟିକ୍ସ କମ୍ପାନି ହୋଲୋୱାର୍ଲ୍ଡର ସିଇଓ ଥିବା ୫୭ ବର୍ଷୀୟ ହର୍ଷବର୍ଦ୍ଧନ କିକେରୀ, ତାଙ୍କ ୪୪ ବର୍ଷୀୟ ପତ୍ନୀ ଶ୍ୱେତା ପାନ୍ୟାମ୍, ଯିଏ କି କମ୍ପାନିର ସହ-ପ୍ରତିଷ୍ଠାତା ମଧ୍ୟ ଥିଲେ ଏବଂ ସେମାନଙ୍କର ୧୪ ବର୍ଷର ପୁଅ।
ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଘଟଣାପଛର ପ୍ରକୃତ କାରଣ କ’ଣ ତାହା ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି ବୋଲି ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି। ଆମେରିକା ସମୟ ଅନୁଯାୟୀ ଗୁରୁବାର ରାତିରେ ଏହି ଘଟଣା ଘଟିଛି ଏବଂ ଏହାର ତଦନ୍ତ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ୭ ବର୍ଷର ସାନ ପୁଅ ଘର ବାହାରେ ଥିବାରୁ ସେ ବଞ୍ଚି ଯାଇଥିଲେ। କର୍ଣ୍ଣାଟକର କିକେରୀ ଗାଁର ଟେକ୍ ଇନୋଭେଟର ହର୍ଷବର୍ଦ୍ଧନ କିକେରୀ ପ୍ରଥମେ ମହୀଶୂର ଓ ପରେ ଆମେରିକାରେ ଶିକ୍ଷା ଗ୍ରହଣ କରିଥିଲେ। ସେ ସିରାକ୍ୟୁଜ୍ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ନିଜେ କମ୍ପାନୀ ପ୍ରତିଷ୍ଠା କରିଥିଲେ।


