TT Ads
ଦିନଥିଲା ବର୍ଷା ଦିନ ଆସିଲେ ମାଟି ସାରା ଘୂରିବୁଲୁଥିଲେ ଲାଲ୍‌ ଟୁକ୍‌ଟୁକ୍‌ ସାଧବ ବୋହୂ। ସାଧବବୋହୂ ଏକ ପ୍ରକାର ରଙ୍ଗୀନ ଓ ଆକର୍ଷୀୟ କୀଟ, ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ମନୋରମ। ତେବେ ଏଭଳି କୀଟ ଏବେ ଆଉ ଦେଖିବାକୁ ମିଳୁ ନାହାନ୍ତି। ସହରୀକରଣ ପ୍ରଭାବରେ ପରିବେଶ ପ୍ରଦୂଷଣ ହେବାରୁ ଏଭଳି ଜୀବମାନେ କ୍ରମେ ଲୋପ ପାଇପାଇବାକୁ ବସିଲାଣି। 
ସହରଠାରୁ ଗାଁ ଯାଏଁ ସବୁଆଡେ଼ ସାଧବବୋହୂ ଦେଖିବାକୁ ମିଳୁଥିଲା। ବର୍ଷା ଆସିଲେ ପିଲାମାନେ ଏହି ସାଧବବୋହୂଙ୍କ ସଂଗ୍ରହ କରୁଥିବା ବେଳେ ଏହା ପରିବେଶ ସନ୍ତୁଳନର ଅନ୍ୟତମ ଉପାଦାନ ସାଜିଥିଲେ। ତେବେ ଗତ ୩୦ ବର୍ଷ ଧରି ଏଭଳି ରଙ୍ଗୀନ କୀଟ କ୍ରମେ ଲୋପ ପାଇବାରେ ଲାଗିଛନ୍ତି। ବିଶେଷକରି ଗତକିଛି ଦଶନ୍ଧୀ ମଧ୍ୟରେ ଦ୍ରୁତ ସହରୀକରଣ ଯୋଗୁଁ ଏଭଳି ବିରଳ ପ୍ରଜାତିର କୀଟ ଲୋପ ପାଇବାକୁ ବସିଛି।
ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବହୁତଳ ବିଶିଷ୍ଟ ଅଟାଳିକା କ୍ରମେ ବୃଦ୍ଧି ପାଇବା କାରଣରୁ ଏହା ପ୍ରକୃତିକ ପାଇଁ ବିପଦ ପାଲଟିଛି। ସାଧବବୋହୂ ସଂଖ୍ୟା ମଧ୍ୟ ଏକ ପ୍ରକାର ବିଲୋପ ହୋଇଛି ବୋଲି କୁହାଯାଇପାରେ।
ପରିବେଶବିତଙ୍କ କହିବାନୁଯାୟୀ ସହରୀକରଣ ପ୍ରଭାବ ସାଙ୍ଗକୁ ରାସାୟନିକ ସାରର ବହୁଳ ପ୍ରୟୋଗ ଏବଂ ବ୍ୟାପକ ପଲିଥିନ ବ୍ୟବହାର ଯୋଗୁଁ ସେଭଳି ଜୀବମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି।
ଗତ ୧୦ ବର୍ଷ ତଳେ ନନ୍ଦନକାନନ, ଶିଖରଚଣ୍ଡୀ, ଦାରୁଠେଙ୍ଗ, ପଥର ଗାଡ଼ିଆ, ରଘୁନାଥପୁରଠାରୁ ଆରମ୍ଭ କରି ବାଲିଅନ୍ତା, ବାଲିପାଟଣା, ମଳିପଡ଼ା, ମେଣ୍ଢାଶାଳ, ପାଇକରାପୁର ଆଦି ଅଞ୍ଚଳରେ ସାଧବ ବୋହୂ ଦେଖିବାକୁ ମିଳୁଥିଲା। ହେଲେ ସହରୀକରଣ ପାଇଁ ଏସବୁ ଅଞ୍ଚଳରେ ଏବେ ବହୁ ତଳବିଶିଷ୍ଟ ଅଟ୍ଟାଳିକା ଠିଆ ହୋଇଛି। ଯାହା ସାଧବ ବୋହୂ ଭଳି କୀଟଙ୍କ ବଂଶ ନିପାତର କାରଣ ପାଲଟିଛି।
    ପକ୍ଷୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ମାଟିରେ ଅଧିକ ରାସାୟନିକ ସାର ପ୍ରୟୋଗ ଏବଂ ମଶା ମାରିବା ପାଇଁ ଧୂଆଁ ପ୍ରୟୋଗ ଏବଂ ପରିବେଶ ପ୍ରଦୂଷଣ ଦ୍ୱାରା ଏହି କୀଟ ପତଙ୍ଗ ବଂଶ ଲୋପ ପାଇବାରେ ଲାଗିଛନ୍ତି। ଆଉ ଆଗକୁ ଏହି ସବୁ କୀଟ ପତଙ୍ଗ ଦେଖିବାକୁ ସ୍ୱପ୍ନ ହୋଇଯିବେ ବୋଲି ସେ କହିଛନ୍ତି।
ପରିବେଶ ବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବାନୁଯାୟୀ ସାଧବବୋହୂମାନଙ୍କ ଶରୀର ଉପରେ ଥିବା ଲାଲ ମାଇଟ୍‌  ବା ଭେଲଭେଟ୍‌ ହେଉଛି ଆରାକନିଡ୍‌ ଜାତୀୟ ପ୍ରାଣୀ। ଯାହା ସାଧାରଣତଃ ମାଟି ଓ ପତ୍ରର ଅଳିଆ ଆବର୍ଜନାରେ ଦେଖାଯାଏ। ଗ୍ରୀଷ୍ମର ପ୍ରଭାବରେ ମାଟିରେ ଲୁଚି ରହିଥିବା ଏହି ପ୍ରାଣୀ ବର୍ଷାଭିଜା ନରମ ମାଟିର ସ୍ପର୍ଶରେ ବାହାରକୁ ନିର୍ଗତ ହୋଇ ପ୍ରାକୃତିକ ଦୃଶ୍ୟକୁ ଅତ୍ୟନ୍ତ ଉପଭୋଗ୍ୟ କରିଥାନ୍ତି।
କିନ୍ତୁ ସେମାନଙ୍କ ବାସସ୍ଥଳୀର ଅବକ୍ଷୟ, ମୃତ୍ତିକା ପ୍ରଦୂଷଣ ଏବଂ କୀଟନାଶକ ପଦାର୍ଥର ଅତ୍ୟଧିକ ବ୍ୟବହାର ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇ ଚାଲିଛି। ମୃତ୍ତିକାର ଜୈବବିବିଧତା ପ୍ରତି ଲୋକମାନଙ୍କର ସଚେତନତା ବୃଦ୍ଧି କରାଗଲେ ସେମାନଙ୍କୁ ସଂରକ୍ଷଣ କରାଯାଇ ପାରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
TT Ads

Leave a Reply

Your email address will not be published. Required fields are marked *