ତିରୁପତି ଶ୍ରୀଭେଙ୍କଟେଶ୍ୱର ମନ୍ଦିର ଲଡୁରେ ଅପମିଶ୍ରଣ ନେଇ ବିବାଦ ଘଟଣାରେ ସିବିଆଇ ପକ୍ଷରୁ ଗଠିତ ଏସଆଇଟି ୪ ଜଣଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତିମାନେ ହେଲେ ଭୋଲେ ବାବା ଡାଇରୀର ପୂର୍ବତନ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବୀ ଡାଏରୀର ଅପୂର୍ବ ଚାୱଡା ଏବଂ ଏଆର ଡାଏରୀର ରାଜୁ ରାଜଶେଖରନ। ଏସଆଇଟି ପକ୍ଷରୁ କୁହାଯାଇଛି ଯେ, ବୈଷ୍ଣବୀ ଡାଇରୀର ଅଧିକାରୀମାନେ ମନ୍ଦିରକୁ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ ଏବଂ ଟେଣ୍ଡର ପ୍ରକ୍ରିୟାକୁ ହେରଫେର କରିବା ପାଇଁ ନକଲି ରେକର୍ଡ ମଧ୍ୟ ପ୍ରସ୍ତୁତ କରିବାରେ ସଂପୃକ୍ତ ଥିଲେ।
ଏସଆଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୈଷ୍ଣବୀ ଡାଏରୀ ଦାବି କରିଥିଲା ଯେ ଭୋଲେ ବାବା ଡାଏରୀରୁ ଘିଅ ଆଣୁଛି। କିନ୍ତୁ ବୈଷ୍ଣବୀ ଡାଏରୀର ତିରୁମାଲା ତିରୁପତି ଦେବସ୍ଥାନମର ଚାହିଦା ପୂରଣ ଘିଅ ଯୋଗାଣ କରିବାର କ୍ଷମତା ନାହିଁ। ଯେଉଁଥିରୁ ଖିଅ ବାହାର କରି ଅନୁସନ୍ଧାନ କରାଯାଇଥିଲା ଓ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ପ୍ରକାଶ ଥାଉ କି ତିରୁପତି ମନ୍ଦିରରେ ପ୍ରସାଦ ଲାଗି ହେଉଥିବା ଲଡୁରେ ଚର୍ବି ଭାଗ ରହିଥିବା ନେଇ ଏକ ପରୀକ୍ଷାରୁ ଜଣାପଡିଥିଲା। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ପୂର୍ବ ଜଗନମୋହନ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ଏସଆଇଟି ଗଠନ କରାଯାଇଥିଲା। ଯେଉଁଥିରେ ସିବିଆଇର ୨ ଜଣ ଅଧିକାରୀ, ୨ ଜଣ ଆନ୍ଧ୍ର ପ୍ରଦେଶ ସରକାରୀ ଅଧିକାରୀଙ୍କ ସମେତ ଜଣେ ଏଫଏସଏସଏଆଇର ପ୍ରତିନିଧି ରହିଥିଲେ।


