TT Ads

ଦୀର୍ଘଦିନ ପରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି। ସେହିଭଳି ଭାରତ – ଇଂଲଣ୍ଡ ସିରିଜ୍ ୨.୦ ପଏଣ୍ଟରେ ଆଗୁଆ ଅଛି। ଏପରିସ୍ଥଳେ ଗତକାଲି ମ୍ୟାଚ୍ ଅଧାରେ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଖରାପ ହୋଇଯିବା ଓ ଦୀର୍ଘ ଅଧା ଘଣ୍ଟା କାଳ ଷ୍ଟାଡିୟମ୍ ଅନ୍ଧାର ରହିବା ଘଟଣା ପାଇଁ ବିଶ୍ଵସ୍ତରରେ ବାରବାଟୀକୁ ନିନ୍ଦିତ ହେବାକୁ ପଡ଼ିଛି।

ସରକାର ଓ ଓସିଏର ଅବ୍ୟବସ୍ଥା ଓ ଦାୟିତ୍ୱହୀନତାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। କେବଳ ଭାରତ ନୁହେଁ ପାକିସ୍ତାନ ଓ ଅନ୍ୟ ଦେଶରେ ଏହାକୁ ନେଇ ଭାରତକୁ ଲଜ୍ଜିତ ହେବାକୁ ପଡ଼ିଛି। ବିଜେଡି ଅଭିଯୋଗ କରିଛି ସରକାର କିଭଳି ଶାସକ ଦଳର କର୍ମୀଙ୍କୁ ପାସ୍ ଦିଆଯିବ ସେଥିପ୍ରତି ଅଧିକ ସଜାଗ ରହିଲେ। ସୁରକ୍ଷା ଓ ସୁବ୍ୟବସ୍ଥା କଥା ଭୁଲିଗଲେ। ବିଜେଡି ନେତା ଲେନିନ ମହାନ୍ତି ଏଥିପାଇଁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ ନେତା ତଥା ବିଧାୟକ ତାରା ବାହିନୀପତି କହିଛନ୍ତି ଏହା ଓଡ଼ିଶା ଅସ୍ମିତା ପ୍ରତି ଅଭିଶାପ।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ଓସିଏ ନୁହେଁ, ବାରବାଟୀ ଦାୟିତ୍ବ ବିଜେପି ନେଇଥିଲା ବୋଲି କହିଛନ୍ତି। ଏ ନେଇ ବିସିସିଆଇ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବହୁ ବରିଷ୍ଠ କ୍ରୀଡାବିତ୍ ତଥା କ୍ରୀଡ଼ା ସମୀକ୍ଷକ ମତ ଦେଇଛନ୍ତି।

ସବୁଠାରୁ ବଡ କଥା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ଜେନେରେଟର ଆସିବା ବାଟରେ ବସ୍ ରହି ଯାଇଥିବାରୁ ଫ୍ଲଡ ଲାଇଟ୍ ମରାମତିରେ ବିଳମ୍ବ ହୋଇଛି। ଯଦିବା ଏ ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ସରକାର ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ ୧୦ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବାରମ୍ବାର ସମୀକ୍ଷା କରିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା ଓ ସରକାର କାହାକୁ ଦାୟୀ କରିବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ।

OJ Ads

Leave a Reply

Your email address will not be published. Required fields are marked *