TT Ads
ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଶୁକ୍ରବାର ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି। ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ପ୍ରଭାରୀ ଦାୟିତ୍ୱ ମିଳିଛି। ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏନେଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
ଏଆଇସିସି ପକ୍ଷରୁ ଆଜି ପଞ୍ଜାବ ଓ ଜମ୍ମୁ କଶ୍ମୀରରେ ନୂଆ ସଂପାଦକ ନିଯୁକ୍ତ କରାଯାଇଛି। ହିମାଚଳ ପ୍ରଦେଶ, ଚଣ୍ଡିଗଡ, ହରିୟାଣା, ମଧ୍ୟପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, ଓଡିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା, ମଣିପୁର, ତ୍ରିପୁରା, ସିକ୍କିମ,  ନାଗାଲାଣ୍ଡ ଓ ବିହାର ପାଇଁ ମଧ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି।
ଉତ୍ତର ପ୍ରଦେଶର ୪୫ ବର୍ଷୀୟ ଅଜୟ ୧୯୯୮-୯୯ରେ ଛାତ୍ର ସଂଘ ନିର୍ବାଚନ ମାଧ୍ୟମରେ ରାଜନୀତିକୁ ପ୍ରବେଶ କରିଥିଲେ। ୧୯୯୯-୨୦୦୦ରେ ଛାତ୍ରସଂଘ ନିର୍ବାଚନରେ ବିଜୟୀ ହୋଇ ସଭାପତି ହୋଇଥିଲେ। ୨୦୦୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପରେ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୨ ଓ ୨୦୧୭ରେ କୁଶୀନଗର ଜିଲ୍ଲା ତମକୁହି ରାଜ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଦୁଇ ଦିନ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ରେ ନୂଆ ସଭାପତି ଭାବେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଥିଲା। ଅପରପକ୍ଷେ ଶ୍ରୀ ଦାସଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ ଓ ବହିଷ୍କୃତ ହୋଇଥିଲେ ଦଳ ପକ୍ଷରୁ ତାହା ପ୍ରତ୍ୟାହାର କରାଯାଇଛି। ସେମାନେ ପୁଣିଥରେ ଦଳକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ। ଦଳ ପକ୍ଷରୁ ସେମାନଙ୍କୁ ସମ୍ମାନର ସହ ସ୍ୱାଗତ କରାଯିବ।
TT Ads

Leave a Reply

Your email address will not be published. Required fields are marked *