ଲଗୁହେଵ ଆଭା କାର୍ଡ, ଆକାଉଣ୍ଟରେ ରହିବ ରୋଗର ରେକର୍ଡ
ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ଆଉ ରୋଗ ସଂକ୍ରାନ୍ତୀୟ ପ୍ରେସ୍କ୍ରିବସନ୍ କାଗଜ ରଖିବାର ଆବଶ୍ୟକତା ନାହିଁ। ରୋଗୀଙ୍କୁ ମିଳିବ ରୋଗୀ ଓ ଔଷଧ ସଂକ୍ରାନ୍ତ ପୁଳାପୁଳା କାଗଜ ସାଇତି ରଖିବାରୁ ମିଳିବ ମୁକ୍ତି। ଗୋଟିଏ ଆକାଉଣ୍ଟରେ ରହିବ ରୋଗ ସମ୍ପର୍କିତ ସମସ୍ତ ତଥ୍ୟ। କେବଳ କ୍ୟୁଆର କୋଡକୁ ସ୍କାନ କରିବାକୁ ପଡ଼ିବ। ଏଭଳି ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ। ଯାହାର ନାମ ରଖା ଯାଉଛି ଆଭା (ଆୟୁଷ୍ମାନ ଭାରତ ହେଲତ ଆକାଉଣ୍ଟ) କାର୍ଡ। ଏହି କାର୍ଡରେ ରୋଗୀର ପ୍ରାଥମିକ ରୋଗର ସ୍ଥିତି ସମ୍ପର୍କରେ ସବିଶେଷ ବିବରଣୀ ରହିବ। ସେ କେଉଁଠାରେ କିଭଳି ରୋଗ ପରୀକ୍ଷା କରିଛନ୍ତି ଓ କେଉଁଠାରୁ କେଉଁ ପ୍ରକାର ମେଡିସିନ ସେବନ କରିଛନ୍ତି ତାହା ଉଲ୍ଲେଖ ରହିବ। କାର୍ଡରେ ଏକ କ୍ୟୁଆର୍ କୋଡ ରହିବ। ଯେଉଁ କୋଡ଼କୁ ସ୍କାନ କଲେ ସବୁ ଜାଣିହେବ। ଫଳରେ ରୋଗୀ ନିଜର ରୋଗ ସମ୍ପର୍କିତ ତଥ୍ୟ ଡାକ୍ତରଙ୍କୁ ବାରମ୍ବାର କହିବାକୁ ପଡ଼ିବ ନାହିଁ କି ବାରମ୍ବାର ଅନାବଶ୍ୟକ ପରୀକ୍ଷା କରିବାକୁ ପଡ଼ିବ ନାହିଁ। ଏମିତିକି ଡାକ୍ତରଖାନାକୁ ବାରମ୍ବାର ଯିବାରୁ ମୁକ୍ତି ପାଇବ। ଏଥିପାଇଁ ଖୁବ ଶୀଘ୍ର ଆଭା କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଲୋକେ ସରକାରୀ ତଥା ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇପାରୁଥିଲେ। ଏବେ ନୂଆ ସରକାର ଆସିବା ପରେ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ଆଭା କାର୍ଡ ବଣ୍ଟନ ପାଇଁ ଲକ୍ଷ ରଖାଯାଇଛି।


