ବାଣୀବିହାର-ରସୁଲଗଡ଼ ରାସ୍ତାରେ ପଡ଼ିଛି ମୁଣ୍ଡବିହିନ ମୃତଦେହ
ଭୁବନେଶ୍ୱର, ୮/୧(ଓଡ଼ିଶା ଜାଗରଣ): ରାଜଧାନୀରେ ମାଳ ମାଳ ପୁଲିସ। ପୂରା ସୁରକ୍ଷା ସ୍କାନରରେ ସହର। ମାଛି ନ ଗାଳିବାର ବ୍ୟବସ୍ଥା କରାଯାଇଛି। ଏ ସବୁସତ୍ତ୍ୱେ ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଖୋଦ ରାଜଧାନୀ ରାସ୍ତାକଡ଼ରୁ ମୃତଦେହ ମିଳିବା ଏବେ ପୋଲିସର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଧବାର ସକାଳୁ ରାଜଧାନୀର ରସୁଲଗଡ଼ ଅଞ୍ଚଳରୁ ମିଳିଛି ଏକ ମୁଣ୍ଡବିହୀନ ମୃତଦେହ। ରସୁଲଗଡ଼ ବାଣୀବିହାର ରାସ୍ତାରୁ ମିଳିଥିବା ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ସେହିଭଳି ମୃତଦେହ ନିକଟରେ ଏକ ସ୍କୁଟି ପଡ଼ିଛି। ମୃତକ ଜଣକ ହେଲେ କେଦାର ପଲ୍ଲୀ ଅଞ୍ଚଳର ସହଦେବ ନାୟକ। ସହଦେବ ବିଏମସି ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି। ପୋଲିସର କହିବା ଅନୁଯାୟୀ ଗତକାଲି ରାତିରେ ୪ ଜଣ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି।
ଏତେ ପୁଲିସ ଓ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମୁଣ୍ଡ ବିହୀନ ମୃତଦେହ ମିଳିବା ନିଶ୍ଚିତ ଭାବେ ପୋଲିସ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।



