ଗୁରୁବାର ଦୁବାଇଠାରେ ଅନୁଷ୍ଠିତ ଭାରତ-ବାଂଲାଦେଶ ଦିନିକିଆ ମ୍ୟାଚରେ ଭାରତ ବାଂଲାଦେଶକୁ ୬ ୱିକେଟରେ ହରାଇଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଭାରତ ୪୬.୩ ଓଭରରେ ୨୩୧ ରନ କରି ବାଂଲାଦେଶ ପରାସ୍ତ କରି ତା’ର ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ବିଜୟ ଅଭିଯାନ ଆରମ୍ଭ କରିଛି।

ଭରତୀୟଦଳର ଶୁଭମନ ଗିଲଙ୍କ ୧୨୯ ବଲରେ ୧୦୧ ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ୪୧ ରନ ଲେଖାଏଁ କରିଛନ୍ତି। ସେହିଭଳି ବିରାଟ କୋହଲି ୨୨ ରନ କରିଥିଲେ। ଆରମ୍ଭରୁ ବାଂଲାଦେଶ ଦଳ ବ୍ୟାଟିଂ କରି ମାତ୍ର ୩୫ ରନରେ ୫ ଟି ଓ୍ବିକେଟ ହରାଇଥିଲା। ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ। ସରକାର କିଛି ରନ୍ କରିବା ଆଗରୁ ମହମ୍ମଦ ସମ୍ମି ତାଙ୍କୁ ଆଉଟ୍ କରିଦେଇଥିଲେ। ସେହିଭଳି ବାଂଲାଦେଶ ଟିମର ନଜମଲ ହୁସେନ ସାଣ୍ଟୋ କିଛି ସଂଗ୍ରହ କରିବା ଆଗରୁ ହର୍ଷିତ ରାଣାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ଆଉଟ୍ ହୋଇଯାଇଥିବା ବେଳେ ତେବେ ତାଞ୍ଜିଦ ୨୫ ରନ କରି ଆଉଟ ହୋଇଥିଲେ। ତେବେ ତାଓ୍ବିଦ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ। ହ୍ରିଦୟ ଏକ ଲଢୁଆ ଶତକ ଅର୍ଜନ କରିଥିବାବେଳେ ଜାକର ୬୮ ରନ କରିଥିଲେ। ତେବେ ଦଳ ୨୨୮ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସମ୍ମି ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ ।

ଓସିଏର ନୂଆ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଯଦିବା ବିଧିବଦ୍ଧ ଭାବେ ପଙ୍କଜଙ୍କ ନାମ ଘୋଷଣା କରାଯାଇନାହିଁ। କିନ୍ତୁ ସେ ଏକମାତ୍ର ବ୍ୟକ୍ତି ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଯାଞ୍ଚ ପରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଛି।

ଶ୍ରୀ ମହାନ୍ତି ଏବେ ଓସିଏର ଉପସଭାପତି ପଦରେ ରହିଛନ୍ତି। ସେ ଜଣେ ଉଦ୍ୟୋଗୀ ଏବଂ ବିଗତ ଦିନରେ କ୍ରିକେଟ୍‌ ପ୍ରତି ତାଙ୍କର ଅବଦାନ ରହିଛି। ପ୍ରକାଶ ଥାଉ କି ୨୦୨୨ ମସିହାରୁ ଓସିଏର ସଭାପତି ଭାବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଗତ ଡ଼ିସେମ୍ବର ମାସରେ ଶ୍ରୀ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲିପଡ଼ିଥିଲା। ତେବେ କିଏ ହେବ ଓସିଏ ସଭାପତି ତାକୁ ନେଇ ଆଲୋଚନା ଜୋର୍ ଧରିଥିଲା। ପ୍ରକାଶ ଥାଉ କି ସଞ୍ଜୟ ବେହେରା ଏବେ ଓସିଏର ସମ୍ପାଦକ ରହିଛନ୍ତି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ କ୍ଲିନ୍‌ ସୁଇପ୍‌ କରି ଇଂଲଣ୍ଡକୁ ହରାଇଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୫୭ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଇଂଲଣ୍ଡ ଖେଳାଳି ୩୪.୨ ଓଭରରେ ୨୧୪ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ।
ଭାରତୀୟ ବୋଲର ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍‌ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ୱାସିଂଟନ୍‌ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।
ଭାରତୀୟ ଟିମ୍‌ର ରୋହିତ ଶର୍ମା ମାତ୍ର ୨ଟି ବଲ୍‌ ସାମ୍ନା କରି ଆଉଟ୍‌ ହୋଇଯାଇଥିଲେ। ୬ ରନ୍‌ରେ ଭାରତ ପ୍ରଥମ ୱିକେଟ୍‌ ହରାଇଥିଲା କିନ୍ତୁ ଦ୍ୱିତୀୟ ୱିକେଟ୍‌ ପାଇଁ ବିରାଟ କୋହଲି ଓ ଶୁଭମନ୍‌ ଗିଲ୍‌ ୧୧୬ ରନ୍‌ ଭାଗିଦାରୀ କରିପାରିଥିଲେ। ଇଂଲଣ୍ଡର ଦ୍ୱିତୀୟ ଶିକାର ହୋଇଥିଲେ ବିରାଟ କୋହଲି ୫୫ ବଲ୍‌ରେ ୫୨ ରନ୍‌ କରିଥିଲେ। ସେ ୭ ଚୌକା ଓ ଗୋଟିଏ ଛକା କରିଥିଲେ। ଭରତାଠାରୁ ଇଂଲଣ୍ଡ ୧୪୨ ରନ୍ ରେ ପରାଜିତ ହୋଇଛି।
ଯୁବ ବ୍ୟାଟର ଶୁଭମନ୍‌ ଗିଲ ତାଙ୍କ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍‌ ସଂଗ୍ରହ କରିଥିଲେ।  ଶ୍ରେୟସ ଆୟର ୬୪ବଲ୍‌ରେ ୮ ଚୌକା ଓ ୨ଛକା ସହ ୭୮ରନ୍‌ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ଟି ବଲ୍‌ରେ ୯ଟି ଛକା ମାରିଥିଲେ।

ଦୀର୍ଘଦିନ ପରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି। ସେହିଭଳି ଭାରତ – ଇଂଲଣ୍ଡ ସିରିଜ୍ ୨.୦ ପଏଣ୍ଟରେ ଆଗୁଆ ଅଛି। ଏପରିସ୍ଥଳେ ଗତକାଲି ମ୍ୟାଚ୍ ଅଧାରେ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଖରାପ ହୋଇଯିବା ଓ ଦୀର୍ଘ ଅଧା ଘଣ୍ଟା କାଳ ଷ୍ଟାଡିୟମ୍ ଅନ୍ଧାର ରହିବା ଘଟଣା ପାଇଁ ବିଶ୍ଵସ୍ତରରେ ବାରବାଟୀକୁ ନିନ୍ଦିତ ହେବାକୁ ପଡ଼ିଛି।

ସରକାର ଓ ଓସିଏର ଅବ୍ୟବସ୍ଥା ଓ ଦାୟିତ୍ୱହୀନତାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। କେବଳ ଭାରତ ନୁହେଁ ପାକିସ୍ତାନ ଓ ଅନ୍ୟ ଦେଶରେ ଏହାକୁ ନେଇ ଭାରତକୁ ଲଜ୍ଜିତ ହେବାକୁ ପଡ଼ିଛି। ବିଜେଡି ଅଭିଯୋଗ କରିଛି ସରକାର କିଭଳି ଶାସକ ଦଳର କର୍ମୀଙ୍କୁ ପାସ୍ ଦିଆଯିବ ସେଥିପ୍ରତି ଅଧିକ ସଜାଗ ରହିଲେ। ସୁରକ୍ଷା ଓ ସୁବ୍ୟବସ୍ଥା କଥା ଭୁଲିଗଲେ। ବିଜେଡି ନେତା ଲେନିନ ମହାନ୍ତି ଏଥିପାଇଁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ ନେତା ତଥା ବିଧାୟକ ତାରା ବାହିନୀପତି କହିଛନ୍ତି ଏହା ଓଡ଼ିଶା ଅସ୍ମିତା ପ୍ରତି ଅଭିଶାପ।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ଓସିଏ ନୁହେଁ, ବାରବାଟୀ ଦାୟିତ୍ବ ବିଜେପି ନେଇଥିଲା ବୋଲି କହିଛନ୍ତି। ଏ ନେଇ ବିସିସିଆଇ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବହୁ ବରିଷ୍ଠ କ୍ରୀଡାବିତ୍ ତଥା କ୍ରୀଡ଼ା ସମୀକ୍ଷକ ମତ ଦେଇଛନ୍ତି।

ସବୁଠାରୁ ବଡ କଥା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ଜେନେରେଟର ଆସିବା ବାଟରେ ବସ୍ ରହି ଯାଇଥିବାରୁ ଫ୍ଲଡ ଲାଇଟ୍ ମରାମତିରେ ବିଳମ୍ବ ହୋଇଛି। ଯଦିବା ଏ ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ସରକାର ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ ୧୦ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବାରମ୍ବାର ସମୀକ୍ଷା କରିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା ଓ ସରକାର କାହାକୁ ଦାୟୀ କରିବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ।

ଲାବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଖରାପ ହୋଇଥିବା ବେଳେ ସମସ୍ତେ ସରକାର ଓ ଓସିଏକୁ ସମାଲୋଚନା ହଠାତ୍ ବାଜି ଉଠିଲା ଛି ଛି ଛିରେ ନନୀ ଗୀତ

ଭାରତ ଇଂଲଣ୍ଡ କ୍ରିକେଟ ସିରିଜର ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟ ହାସଲ କରିଛି ସତ କିନ୍ତୁ ମ୍ୟାଚ୍ ଅଧାରେ ଷ୍ଟାଡିୟମରେ ଗୋଟିଏ ଫ୍ଲଡ ଲାଇଟ୍ ବନ୍ଦ୍ ହୋଇଯିବା ଘଟଣା ପାଇଁ ପୂରା ବିଶ୍ୱରେ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସିଛି।
ତେବେ ସବୁଠାରୁ ରୋଚକ ଘଟଣା ହେଉଛି ଯେଉଁ ଅଧା ଘଣ୍ଟା ପାଇଁ ଫ୍ଲଡ ଲାଇଟ୍ ବନ୍ଦ୍ ରହିଲା ସେହି ଭିତରେ ଷ୍ଟାଡିୟମରେ ‘ଛି ଛି ଛି ରେ ନନୀ, ଛି ଛି ଛି’ ଗୀତ ବହିବାକୁ ନେଇ ଓସିଏ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। କିଏ ଏବଂ କାହିଁକି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତ ଲଗାଇଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି ଏହାକୁ ଉଦ୍ଦେଶ୍ୟମୂଳକ ବଦନାମ୍ ଓ କଟାକ୍ଷ ବୋଲି କହୁଥିବା ବେଳେ ବାସ୍ତବରେ ସରକାରଙ୍କୁ ତାତ୍ସଲ୍ୟ କରି ଏହି ଗୀତ ଲଗା ଯାଇନି ତ।
ଅପରପକ୍ଷେ ଫ୍ଲଡ ଲାଇଟ୍ ବନ୍ଦ୍ ଘଟଣାକୁ ନେଇ କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ। ସେପଟେ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ସମାଲୋଚନା କରିଛନ୍ତି।

ବାରବାଟୀ ଫ୍ଲଡ ଲାଇଟ୍ ଖରାପ ଘଟଣାକୁ ନେଇ ସରକାରଙ୍କ ଉପରେ ବିଜେଡି ଘେରିବା ବେଳେ ଏକ ଅଜବ ସଫେଇ ଦେଇଛନ୍ତି ଓସିଏ ସମ୍ପାଦକ

କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ ମ୍ୟାଚ୍ ଆଧାରେ ଫ୍ଲଡ ଲାଇଟ୍ ଖରାପ ଖୋଇଯିବା ପ୍ରସଙ୍ଗକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଆଦୌ ସାଧାରଣ ଘଟଣା ନୁହେଁ, ବରଂ ଓଡ଼ିଆ ଅସ୍ମିତା ପ୍ରତି ଘୋର ଆଘାତ ବୋଲି ସେ କହିଛନ୍ତି। ଗର୍ବିତ କଟକିଆଙ୍କୁ ଆଘାତ ଲାଗିଛି। ଆଗାମୀ ଦିନରେ ବାରବାଟୀରେ ଆନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ନେଇ ମଧ୍ୟ ଶ୍ରୀ ଜେନା ସନ୍ଦେହ ପ୍ରକଟ କରିଛନ୍ତି।
ଅପରପକ୍ଷେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏ ନେଇ କହିଛନ୍ତି ଯେ, ଫ୍ଲଡ ଲାଇଟ୍ ଖରାପ ହେବା ଘଟଣା ବିଚାରକୁ ନିଆଯିବ। ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସବୁଠାରୁ ଦୁଃଖଦ ଘଟଣା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସଫେଇ। ସେ କହିଛନ୍ତି ଯେ, ବାଟରେ ବସ୍ ରହି ଯାଇଥିବାରୁ ଜେନେରେଟର ଠିକ୍ ସମୟରେ ଷ୍ଟାଡିୟମକୁ ଆସି ପାରି ନ ଥିଲା। ଯେଉଁଥିପାଇଁ ଲାଇଟ୍ ଜଳିବାରେ ବିଳମ୍ବ ହେଲା। ତେବେ ଲାଇଟ୍ ଆସିବା ପରେ ମ୍ୟାଚ୍ ଚାଲିଲା ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ସଫେଇ ଦେଇଛନ୍ତି।

ବାରବାଟୀରେ ଚାଲିଥିବା ଭାରତ – ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୟ ଲାଭ କରିଛି। ରୋହିତ ଶର୍ମାଙ୍କ ବଡ଼ ରନ୍ ଓ ଜାଡେଜାଙ୍କ ଦମଦାର ବୋଲିଂ ପାଇଁ ଭାରତ ବିଜୟ ହାସଲ କରିପାରିଲା

ଟଚ୍ ଜିତି ପ୍ରଥମେ ଇଂଲଣ୍ଡ ଦଳ ବ୍ୟାଟିଂ କରିଥିଲେ। ଇଂଲଣ୍ଡ ଦଳ ସମସ୍ତ ୱିକେଟ ହରାଇ ମୋଟ ୩୦୪ ରନ କରିଥିଲେ। ପ୍ରତି ଜବାବରେ ଭାରତୀୟ ଖେଳାଳି ୪୪.୩ ଓଭରରେ ୬ ୱିକେଟ ହରାଇ ୩୦୮ ରନ୍ କରିବାରେ ସଫଳ ହୋଇଥିଲେ। ଇଂଲଣ୍ଡ ଦଳର ଜୋ ରୁଟ ସର୍ବାଧିକ ୬୯ ରନ୍ ସଂଗ୍ରହ କରିଥିବା ବେଳେ ବେନ୍ ଡକେଟ୍ ୬୫ ରନ କରିଥିଲେ। ସେହିଭଳି ଭାରତୀୟ ଦଳର ରୋହିତ ଶର୍ମା ସର୍ବାଧିକ ୯୦ ବଲରେ ୧୧୯ ରନ୍ ସଂଗ୍ରହ କରିଥିଲେ। ଶୁଭମାନ ଗିଲ ୫୨ ବଲରେ ୬୦ ରନ୍ କରିଥିଲେ। ବିରାଟ କୋହଲି ୮ ବଲ ବଦଳରେ ୫ ରନ କରି ଆଉଟ୍ ହୋଇ ଯାଇଥିଲେ। ଶ୍ରେୟସ ଆୟର ୪୭ ବଲରେ ୪୪ ରନ୍, ହାର୍ଦ୍ଦିକ ପାଣ୍ଡିଆ ୬ ବଲରେ ୧୦ ରନ୍ କରିଥିଲେ ଓ କେ ଏଲ ରାହୁଲ ୧୪ ବଲରେ ୧୦ ରନ୍ କରିବାରେ ସକ୍ଷମ ହୋଇଥିଲେ। ତେବେ ଭାରତୀୟ ଟିମର ରବୀନ୍ଦ୍ର ଜାଡେଜା ୩ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡିଆ, ହର୍ଶିତ ରାଣା ଓ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।ଆଜିର ମ୍ୟାଚ୍ପ ପରେ ୨.୦ ପଏଣ୍ଟରେ ଭାରତ ସିରିଜ୍ ଆଗୁଆ ରହିଛି।

ଫ୍ଲଡ ଲାଇଟ୍ ପାଇଁ ଅଟକିଲ ମ୍ୟାଚ୍
କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ ଫ୍ଲଡ ଲାଇଟ୍ ଖରାପ ହୋଇଯିବାରୁ ଅଧାରେ ମ୍ୟାଚ୍ ଅଟକିଲା

ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟିଂ କରି ୩୦୪ ରନ୍ ସଂଗ୍ରହ କରିଛି। ଜବାବରେ ଭାରତୀୟ ଟିମ୍ କୌଣସି ୱିକେଟ ନ ହରାଇ ୬ ଓଭର ଓ ଗୋଟିଏ ବଲରେ ୪୮ ରନ କରିଥିବା ବେଳେ ହଠାତ୍ ଫ୍ଲଡ ଲାଇଟ୍ ଖରାପ ଯୋଗୁଁ ନିରାଶ ହୋଇଛନ୍ତି କ୍ରୀଡ଼ାପ୍ରେମୀ।
ପ୍ରଥମେ ଇଂଲଣ୍ଡ ଦଳ ବ୍ୟାଟିଂ କରି ଦଳର ଜୋ ରୁଟ୍, ବେନ୍ ଡକେଟ ଏବଂ ଲିଭିଂଷ୍ଟୋନଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ବଡ଼ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡ ଦଳର ଜୋ ରୁଟ୍ ୬୯ ରନ ସଂଗ୍ରହ କରିଥିବା ବେଳେ ବେନ୍ ଡକେଟ ୬୫ ରନ ହାସଲ କରିଥିଲେ। ପରେ ଲିଭିଂଷ୍ଟୋନ୍ ଇଂଲଣ୍ଡକୁ ୩୦୦ ରନ ଅତିକ୍ରମ କରିବାକୁ ନିଶ୍ଚିତ କରିଥିଲେ। ସେ ୩୨ ବଲ ୪୧ ରନ ସଂଗ୍ରହ କରିଥିଲେ।
ଅପରପକ୍ଷେ ଭାରତ ପାଇଁ ୩୦୫ ରନର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ଶାମି ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। କିନ୍ତୁ ଦୀର୍ଘ ଅଧ ଘଣ୍ଟା ଧରି ଫ୍ଲଡ ଲାଇଟ୍ ଖରାପ ହେବାରୁ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ। ପରେ ଆଲୋକ ବ୍ୟବସ୍ଥା ସୁଧୁରିବା ପରେ ଖେଳ ଚାଲୁ ରହିଥିଲା।

ବାରବାଟି ଷ୍ଟାଡିୟମରେ ଭାରତ – ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟିଂ କରି ୩୦୪ ରନ୍ ସଂଗ୍ରହ କରିଛି। ଶେଷ ବଲ୍ ପୂର୍ବରୁ ଇଂଲଣ୍ଡ ଦଳର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଛନ୍ତି। ଅପରପକ୍ଷେ ଭାରତ ପାଇଁ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି

ରବିବାର ଅପରାହ୍ନ ସାଢ଼େ ଗୋଟାଏରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଇଂଲଣ୍ଡ ଦଳର ଜୋ ରୁଟ୍, ବେନ୍ ଡକେଟ ଏବଂ ଲିଭିଂଷ୍ଟୋନ୍ ଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ବଡ଼ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡ ଦଳର ଜୋ ରୁଟ୍ ସର୍ବାଧିକ ୬୯ ରନ ସଂଗ୍ରହ କରିଥିବା ବେଳେ ବେନ୍ ଡକେଟ ୬୫ ରନ ହାସଲ କରିଥିଲେ। ପରେ ଲିଭିଂଷ୍ଟୋନ୍ ଇଂଲଣ୍ଡକୁ ୩୦୦ ରନ ଅତିକ୍ରମ କରିବାକୁ ନିଶ୍ଚିତ କରିଥିଲେ। ସେ ୩୨ ବଲ ୪୧ ରନ ସଂଗ୍ରହ କରିଥିଲେ। ସବୁଠାରୁ ବଡ କଥା ହେଉଛି ଇଂଲଣ୍ଡ ଦଳର ତିନିଜଣ ଖେଳାଳି ରନ ଆଉଟ୍ ହୋଇଯାଇଥିଲେ।

ଭାରତ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ଶାମି ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।

ଆଉ ଦିନକ ପରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ତେବେ ମଇଦାନରେ ଦୁଇ ଦେଶର ଖେଳାଳି ମୁକାବିଲା ପୂର୍ବରୁ ଖେଳ ଟିକେଟ୍‌ କଳା ବଜାରୀ ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। 
ସେମାନଙ୍କଠାରୁ ୨୫ଟି ଟିକଟ ଜବତ କରାଯାଇଥିବା ବେଳେ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏ ନେଇ ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କମିଶନରେଟ୍‌ ପୁଲିସର କହିବାନୁଯାୟୀ ଗିରଫ ୭ ଜଣଙ୍କ ମଧ୍ୟରୁ କ୍ୟାଣ୍ଟିନ୍‌ମେଣ୍ଟ ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦରଘାବଜାର ଥାନା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ୟାଣ୍ଟିନ୍‌ମେଣ୍ଟ ଥାନା ପୁଲିସ ୩ଟି ମାମଲା ରୁଜୁ କରିଥିବା ବେଳେ ଦରଘାବଜାର ଥାନା ପୁଲିସ ଗୋଟିଏ ମାମଲା ରୁଜୁ କରିଛି।
ପ୍ରକାଶ ଥାଉ କି ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ପାଇଁ ଫେବୃଆରୀ ୫ ତାରିଖ ଓ ୬ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୪ ତାରିଖ ରାତିରୁ ଟିକେଟ୍‌ କିଣିବା ପାଇଁ ଷ୍ଟାଡିୟମ୍‌ ଆଗରେ ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟିକେଟ୍‌ କାଉଣ୍ଟର ନିକଟରେ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇ ନ ଥିଲା। ଏମିତି କି ପାନୀୟ ଜଳର ବ୍ୟବସ୍ଥା କରାଯାଇ ନ ଥିଲା। ଯେଉଁଥିପାଇଁ ଠେଲାପେଲାରେ ଅନେକ କ୍ରିକେଟ୍‌ ପ୍ରେମୀ ଟିକେଟ୍‌ ପାଇଁ ଆସି ଅଚେତ ହୋଇ ପଡ଼ିଥିଲେ। ଟିକେଟ୍‌ ବିକ୍ରି ପାଇଁ ଦୁଇଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନ ଅଧାରେ ହିଁ ଟିକେଟ୍‌ ସରି ଯାଇଥିଲା। ତେଣୁ ପୂର୍ବ ରାତିରୁ ଧାଡ଼ିରେ ଠିଆ ହୋଇଥିବା କ୍ରିକେଟ୍‌ ପ୍ରେମୀ ନିରାଶ ହୋଇ ଫେରିଥିଲେ।