ଆଉ ୪ ଦିନ ପରେ ଭାରତ – ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଆଜିଠାରୁ ଟିକେଟ ପାଇଁ କାଉଣ୍ଟର ଆଗରେ ଠେଲାପେଲା ଦେଖିବାକୁ ମିଳିଛି

ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍। ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ପକ୍ଷରୁ ଅଫଲାଇନରେ ଟିକେଟ ବିକ୍ରି ଜାରି ରହିଥିବା ବେଳେ ବୁଧବାର ଟିକେଟ ପାଇଁ ଷ୍ଟାଡିୟମ୍ ଆଗରେ ଥିବା କାଉଣ୍ଟରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗତକାଲି ରାତିରୁ ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ମଧ୍ୟାହ୍ନ ବେଳକୁ ଭିଡ ଆହୁରି ବଢି ଯାଇଥିଲା। ଗୁଳୁଗୁଳି ସାଙ୍ଗକୁ ଭିଡ଼ରେ ଫସି ଯାଇଥିଲେ କ୍ରିକେଟ ପ୍ରେମୀ। ପରିସ୍ଥିତି ଏଭଳି ହୋଇଥିଲା ଯେ ଲୋକେ ଠେଲାପେଲା କରିବା ଆରମ୍ଭ କରିଥିଲେ। ଦଳାଚକଟା ଯୋଗୁଁ ଅନେକ ଗୁରୁତର ଆହତ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏଣେ ଟିକେଟ କିଣୁଥିବା ଲୋକଙ୍କ ପାଇଁ ଓସିଏ ପକ୍ଷରୁ ପିଇବା ପାଣି ଭଳି ସର୍ବନିମ୍ନ ବ୍ୟବସ୍ଥା କରାଯାଇ ନ ଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସଂଧ୍ୟା ସୁଦ୍ଧା ଓସିଏ ସହ ଅନୁବନ୍ଧିତ ୭୦ରୁ ଅଧିକ ଅନୁଷ୍ଠାନ ଏବଂ ଓସିଏ କର୍ମକର୍ତ୍ତାଙ୍କ ପାଇଁ ଟିକେଟ ବିକ୍ରି ସରିଯାଇଛି। ଏମାନଙ୍କ ଲାଗି ପାଖାପାଖି ୯ ହଜାର ଟିକେଟ ବିକ୍ରି ପାଇଁ ରହିଥିଲା। ୨ ତାରିଖରେ ଅନ୍‌ଲାଇନରେ ୪ ହଜାର ଟିକେଟ ବିକ୍ରି‌ ହୋଇଥିଲା। ବୁଧଠାରୁ ଦୁଇଦିନ ଧରି ଷ୍ଟାଡିୟମ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯାଉଛି। ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା‌ ୪୪୫୭୪ ରହିଥିବା ବେଳେ ସେଥିମଧ୍ୟରୁ ୨୪୬୯୨ ଟିକେଟ ବିକ୍ରି ପାଇଁ ରହିଥିଲା।

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ୫ମ ଟି-୨୦ରେ ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ହରାଇଛି ଭାରତ। ଏହା ସହିତ ସିରିଜକୁ ୪-୧ରେ ଦାଖଲ କରିଛି ଭାରତ

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତୀୟ ଖେଳାଳିମାନେ ମୋଟ ୨୪୮ ରନ ହାସଲ କରିଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ କରିଥିଲେ ବି ସଂଜୁ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା ଓ ସେ ମାତ୍ର ୩୭ ବଲରେ ଶତକ ଅର୍ଜନ କରିଥିଲେ । ସେ ମୋଟ ୧୩୫ ରନ କରିଥିଲେ । ସେହିପରି ଶିବମ ଦୁବେ ୩୦ ରନ କରିଥିଲେ । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନ ଥିଲେ ।

ପ୍ରତିଜବାବରେ ଇଂଲଣ୍ଡର ସମସ୍ତ ଖେଳାଳି ୧୦.୩ ଓଭରରେ ମାତ୍ର ୯୭ ରନରେ ଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ଫିଲିପ ସଲ୍ଟ ୫୫ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଅଳ୍ପ ରନ କରି ଆଉଟ୍ ହୋଇଯାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସମି ୩ ଟି ଓ୍ବିକେଟ ନେଇଥିବାବେଳେ ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତି ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି
ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୩ଟି ଓ୍ବିକେଟ ନେଇଥିବାବେଳେ ମାର୍କ ଉଡ୍ ୨ଟି ଓ୍ବିକେଟ ନେଇଥିଲେ।