ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଏକ ଅଢେ଼ଇ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଛି ପ୍ରେମିକ। ଏଭଳି ଅଭିଯୋଗ ଆସିଛି ନନ୍ଦନକାନନ ଥାନା ଅଞ୍ଚଳରୁ। ମାଆର ଅନୈତିକ ପ୍ରେମ ପାଇଁ ବଳି ପଡିଛି ଅଢେ଼ଇବର୍ଷ ବୟସର ଶିଶୁପୁତ୍ର
ଉଲ୍ଲେଖନୀୟ କଥା ହେଉଛି, ମାଆ ଆଗରେ ଶିଶୁପୁତ୍ରଟିକୁ ପ୍ରେମିକ ତଣ୍ଟିଚିପି ହତ୍ୟା କରିଥିଲେ ହେଁ ମହିଳା ଜଣକ ପ୍ରେମିକକୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଜଣାପଡିଛି। କିନ୍ତୁ ସ୍ଥାନୀୟ ଲୋକେ ଧରିପକାଇବାରୁ ମହିଳା ଜଣକ ଖସିବାକୁ ନାଟକ କରିଛି।
ନନ୍ଦନକାନନ ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ଖୋଳତାଡ କରୁଛି। ଶିଶୁପୁତ୍ରକୁ ପ୍ରେମିକ ହିଁ ହତ୍ୟା କରିଛି ବୋଲି ସ୍ପଷ୍ଟ ହୋଇଛି ଏବଂ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଅଭିଯୁକ୍ତ ହେଉଛି ମୟୂରଭଞ୍ଜର ବବି ଦେହୁରି। ତଦନ୍ତରୁ ମହିଳାଙ୍କ ସମ୍ପୃକ୍ତି ପଦାକୁ ଆସିଲେ, ତାକୁ ମଧ୍ୟ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
ଖବର ନେବାରୁ ଜଣାପଡ଼ିଛି ଯେ, ସୋମବାର ବାରଙ୍ଗ ଥାନା ବେଲଗଛିଆ ନିକଟ କୁଆଖାଇ ନଦୀବନ୍ଧରେ ଏକ ଶ୍ରମିକ ଦମ୍ପତି ଚାଲିଚାଲି ଯାଉଥିଲେ। ସେମାନଙ୍କ ଗତିବିଧି ସନ୍ଦେହଜନକ ଥିଲା। ମାଆ କାଖରେ କପଡାରେ ଗୁଡା ହୋଇଥିବା ଏକ ଶିଶୁ ଥିଲା। ହଠାତ୍‌ ମହିଳାଜଣକ କପଡାରେ ଗୁଡା ହୋଇଥିବା ଶିଶୁକୁ ଏକ ବୁଦା ଭିତରକୁ ଫିଙ୍ଗି ଦେଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ।
ବୁଦା ଭିତରୁ ଶିଶୁର ମୃତଦେହକୁ ବାହାର କରିବା ପରେ ମହିଳାଜଣକ ହଠାତ୍‌ କାନ୍ଦି ଉଠିଲେ ଏବଂ ସାଙ୍ଗରେ ଥିବା ପୁରୁଷଜଣକ ଶିଶୁପୁତ୍ରର ତଣ୍ଟି ଚିପି ମାରିଦେଇଛି ବୋଲି କହିଥିଲେ। ତୁରନ୍ତ ଲୋକେ ବାରଙ୍ଗ ଥାନାକୁ ଜଣାଇଥିଲେ।
ବାରଙ୍ଗ ପୁଲିସ ପହଞ୍ଚି ପଚରାଉଚରା କରିଥିଲା। ଜଣାପଡିଥିଲା ଯେ ମହିଳାଙ୍କ ନାମ ମାନ ସିଂ ଓ ପୁରୁଷଜଣକ ବବି ଦେହୁରି। ସେମାନେ ମୟୂରଭଞ୍ଜ ବାସିନ୍ଦା ଏବଂ ନନ୍ଦନକାନନ ଥାନା ଅଧୀନ ଶିଖରଚଣ୍ଡୀ ସାହିବସ୍ତିରେ ରହି ଜଣେ ଠିକାଦାର ପାଖରେ ଶ୍ରମିକ ଭାବେ କାମ କରୁଛନ୍ତି। ମହିଳାଜଣକ ବିବାହିତ ଓ ଦୁଇଟି ସନ୍ତାନର ଜନନୀ। ବବି ହେଉଛି ମହିଳାଙ୍କ ପ୍ରେମିକ। କିନ୍ତୁ ସେମାନେ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ଏକାଠି ରହୁଥିଲେ। ବାରଙ୍ଗ ଥାନା ପୁଲିସଠାରୁ ସୂଚନା ପାଇ ନନ୍ଦନକାନନ ଥାନା ପୁଲିସ ପହଞ୍ଚିଥିଲା ଏବଂ ଶିଶୁର ମୃତଦେହ ଜବତ କରିବା ସହ ବବି ଓ ମାନକୁ ଥାନାକୁ ନେଇଥିଲା।
ଗତକାଲି ରାତିରେ କୌଣସି କଥାକୁ ନେଇ ବବି ରାଗରେ ଶିଶୁପୁତ୍ରର ତଣ୍ଟି ଚିପି ଦେଇଥିଲା। ପିଲାଟି ମରିଯିବା ପରେ ଦୁହିଁଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ପ୍ରମାଣ ନଷ୍ଟ କରିବାକୁ ସେମାନେ ଉପାୟ ଚିନ୍ତା କରିଥିଲେ ଏବଂ ନଦୀ ବନ୍ଧରେ ବଣ ଭିତରେ ଫୋପାଡିବାକୁ ସକାଳୁ ସକାଳୁ ବାହାରିଥିଲେ।
ବିମାନବନ୍ଦର ନିକଟରେ ବିସ୍ଫୋରକ ଲୁଚାଇ ରଖାଯାଇଛି। ତୁରନ୍ତ ବିମାନବନ୍ଦର ଖାଲି କରନ୍ତୁ। ଏଭଳି ଏକ ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ଉତ୍ତରପ୍ରଦେଶ ପୁଲିସର ନିଦ ହଜି ଯାଇଛି।
ଏ ନେଇ ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଶାହଗଞ୍ଜ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।  ଭାରତର ଅନ୍ୟ ବିମାନବନ୍ଦରଗୁଡିକୁ ମଧ୍ୟ ଏଭଳି ମେଲ୍‌ ପଠାଯାଇଛି। ଆଗ୍ରା ପୁଲିସ ଷ୍ଟେସନ ଶାହଗଞ୍ଜ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। “ରୋଡକିଲ୍‌ ଏବଂ କ୍ୟୋ’ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇଥିବା ମେଲରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଆଗ୍ରା ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଅଭିଯୋଗରେ କହିଛନ୍ତି, ‘ଆମକୁ ମିଳିଥିବା ଧମକରେ କୁହାଯାଇଛି ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ ଲୁଚାଇ ରଖାଯାଇଛି। ଆପଣଙ୍କୁ ତୁରନ୍ତ ବିମାନବନ୍ଦର ଖାଲି କରିବାକୁ ହେବ। ନଚେତ ଅନେକ ଯାତ୍ରୀଙ୍କ ଜୀବନ ଜୀବନ ଚାଲିଯିବ ବୋଲି ଉଲ୍ଳେଖ କରାଯାଇଛି।
ଏହି ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ ଡିସିପି  ସୋନମ କୁମାର କହିଛନ୍ତି ଯେ ରବିବାର ମୁଖ୍ୟ ସୁରକ୍ଷା ଅଧିକାରୀ ଏକ ଅଭିଯୋଗ କରିଥିଲେ। ଯେଉଁଥିରେ ଆଗ୍ରା ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବା ପାଇଁ ଏକ ଧମକପୂର୍ଣ୍ଣ ମେଲ୍‌ ମିଳିଥିବାର ସୂଚନା ଦେଇଥିଲେ। ଯେଉଁ ଇମେଲ୍‌ ଠିକଣାରୁ ଏହି ମେଲ୍‌ ପଠାଯାଇଛି ତାହା ଠାବ କରାଯାଉଛି, ଖୁବ୍‌ ଶୀଘ୍ର ଅପରାଧୀମାନଙ୍କୁ ପୁଲିସ କାବୁ କରିବ।
ଅପରପକ୍ଷେ ତାଜମହଲର ପାର୍କିଂ ନିକଟରେ ମଧ୍ୟ ଗୁଳିବିନିମୟ ହୋଇଛି। ଗୁଳି ଫୁଟିବା ଶବ୍ଦ ଶୁଣି ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ତାଜମହଲର ପାର୍କିଂ ନିକଟରେ ଏକ କାରରେ ଥିବା ଦୁଇଜଣ ଯୁବକ ଏହି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।  ଗୁଳି ଚଳାଇବା ପରେ ଉଭୟ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ କରୁଥିବା ଜଣାପଡ଼ିଛି।

ରଥଯାତ୍ରା ଅବସରରେ ପୁରୀ ଶରଧାବାଲିରେ ରବିବାର ଭୋରରୁ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି

ଅପରପକ୍ଷେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସରକାରଙ୍କ ପକ୍ଷରୁ ଏସପି ଓ ଜିଲ୍ଲାପାଳଙ୍କ ସମେତ ଡିସିପି ବିଷ୍ଣୁ ପତି, କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ମିଶାଇ ୪ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ଏସପି ଭାବେ ପିନାକ ମିଶ୍ର ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣାଙ୍କୁ ଦାୟିତ୍ବ ଦିଆଯାଇଛି। ସେହିଭଳି ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ଵ ଦିଆଯାଇଛି।

ଅପରପକ୍ଷେ ଏଭଳି ଏକ ଅଘଟଣକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ପରିଚାଳନା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ନବୀନ।
ଶାରଧା ବାଲୁ ଅଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଘଟଣା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୋଷୀକୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ। ପୀଡିତଙ୍କ ଏବଂ ମୃତକଙ୍କୁ ସହଯୋଗ ଓ ସହାୟତା କରିବା ପାଇଁ କଂଗ୍ରେସ କର୍ମକର୍ତ୍ତାଙ୍କୁ ରାହୁଲ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଥାଉ କି ପୂର୍ବ ବର୍ଷ ଗୁଡିକରେ ରାତିରେ ପହୁଡ଼ ପଡ଼ିବା ବ୍ୟବସ୍ଥା ନ ଥିବା ବେଳେ ଏଥର ପହୁଡ଼ ପଡ଼ିବାରୁ ରାତି ସାଢ଼େ ଦଶଟାରୁ ଆସିଥିବା ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଶରଧା ବାଲିରେ ଅପେକ୍ଷା କରିଥିଲେ।
ଭୋର ୪ ଟା ବେଳକୁ ରଥ ଉପରେ ପହଡ଼ ଖୋଲିବା ପରେ ହଜାର ହଜାର ଭକ୍ତ ରଥ ନିକଟକୁ ଏକ କାଳୀନ ଯାଇଥିଲେ। ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତଙ୍କୁ ମେଡ଼ିକାଲ ନିଆଯାଇଥିଲା। ମେଡ଼ିକାଲରେ ଆଉ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି।

ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଶୋକବ୍ୟକ୍ତ କରିବା ସହ ଘଟଣାର ତଦନ୍ତ କରାଯିବ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ବିମାନ ଦୁର୍ଘଟଣା ପରେ ଉତ୍ସବ ପାଳନ କରି ୪ ନିଲମ୍ବିତ

ହିନ୍ଦୀକୁ ତୃତୀୟ ଭାଷା ଭାବରେ ବାଧ୍ୟତାମୂଳକ କରାଯିବା ପରେ ମହାରାଷ୍ଟ୍ର ରାଜନୀତିରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଛି। ଶିବସେନା ସାଂସଦ ସଞ୍ଜୟ ରାଉତ ସମାଲୋଚନା କରି କହିଛନ୍ତି ଯେ, ଫଡନାବିସ୍‌ ନିଜେ କିଛି ନିଷ୍ପତ୍ତି ନେଇପାରୁ ନାହାନ୍ତି। କାରଣ ତାଙ୍କ ବାପା ଦିଲ୍ଲୀରେ ବସିଛନ୍ତି ବୋଲି ସମାଲୋଚନା କରିଛନ୍ତି ଶ୍ରୀ ରାଉତ।
ହିନ୍ଦୀ ଭାଷା ପ୍ରସଙ୍ଗକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହିତ,ଏମଏନଏସ ମୁଖ୍ୟ ରାଜ ଠାକରେ ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଆନ୍ଦୋଳନ ଘୋଷଣା କରିଛନ୍ତି। ଏଥିସହିତ ମହା ବିକାଶ ଅଘାଡିର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି।
ଏହି ପ୍ରସଙ୍ଗରେ ମହାୟୁତି ସରକାର ପଛକୁ ହଟିବା ପରେ, ବିଜେପି ପାଲଟା ଜବାବ ଦେଇ କହିଛି ଯେ, ଏହି ନିଷ୍ପତ୍ତି ଏବେର ନୁହେଁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ନିଆଯାଇଥିଲା।
ଏବେ ଊଦ୍ଧବ ଠାକରେଙ୍କ ଦଳ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ଏବଂ ଗଣମାଧ୍ୟମକୁ ତତ୍କାଳୀନ କ୍ୟାବିନେଟ ବୈଠକର କାର୍ଯ୍ୟପନ୍ଥା ପଢି ଶୁଣାଇଛନ୍ତି। ଦେବେନ୍ଦ୍ର ଫଡନବୀସଙ୍କ ବାପା ଦିଲ୍ଲୀରୁ ଶିକ୍ଷା ନୀତି ଲାଗୁ କରୁଛନ୍ତି।
ସଞ୍ଜୟ ରାଉତ ଅହୁରି କହିଛନ୍ତି ଯେ, ଏହି କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟକୁ ଗ୍ରହଣ କରି ଉଦ୍ଧବ ଠାକରେ ଏହାକୁ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତଥାପି, ସେ ଏହି ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ସରକାରୀ ନିର୍ଦ୍ଦେଶ ଜାରି କରି ନ ଥିଲେ।
ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ତତ୍କାଳୀନ କ୍ୟାବିନେଟ ବୈଠକ ବିଷୟରେ ସଞ୍ଜୟ ସୂଚନା ଦେଇ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅଧ୍ୟୟନ ପାଇଁ ଗଠିତ ଡକ୍ଟର ରଘୁନାଥ ମାସେଲକର କାର୍ଯ୍ୟଗୋଷ୍ଠୀର ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପିତ ହୋଇଥିଲା।
ଅହମଦାବାଦରେ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଏକ ଉତ୍ସବ ପାଳନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଚି। ଏହି ଘଟଣାରେ କର୍ତ୍ତୃପକ୍ଷ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପ୍ରକାଶ ଥାଉ କି ଅହମଦାବାଦ୍‌ ବିମାନ ଦୁର୍ଘଟଣା ପରେ ଯାତ୍ରୀଙ୍କ ସମେତ ୨୭୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯାହା ବିଶ୍ୱବ୍ୟାପୀ ଶୋ ଖେଳାଇ ଦେଇଥିଲା।
ବିମାନ ଦୁର୍ଘଟଣା ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଆୟୋଜିତ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏତେବଡ଼ ବିବାମ ଦୁର୍ଘଟଣାକୁ ନେଇ ଏୟାର ଇଣ୍ଡିଆ ଏବଂ ଟାଟା ଗ୍ରୁପ୍‌ ଗୁଜରାଟ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରୁଥିଲେ। ଏପରି ପରିସ୍ଥିତିରେ ଏଭଳି ଉତ୍ସବ ପାଳନ କରିବା ଘଟଣାକୁ ଅମାନବୀୟ ବୋଲି ଉଲ୍ଲେଖ କରାଯାଇଛି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ପାର୍ଟି ପାଳନ ସମୟର ଭିଡିଓ ଭାଇରାଲ ହେବା ମାତ୍ରେ ଟାଟା ଗ୍ରୁପ୍‌ ଏବଂ ଏଆଇଏସଏଟିଏସ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ କମ୍ପାନିର ସିଓଓ ଆବ୍ରାହମ ଜାକାରିଆଙ୍କ ସମେତ ଏସଭିପି ସମ୍ପ୍ରିତ, ଏସଭିପି ବଲଜିନ୍ଦର ସାମିଲ ଅଛନ୍ତି।  ଏଥିସହିତ କମ୍ପାନିର ଶୀର୍ଷ ନେତୃତ୍ୱ ଥିବା ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟସ୍ଥଳରେ ଏପରି ଦାୟିତ୍ୱହୀନ ଆଚରଣରେ ଲିପ୍ତ ନ ହେବାକୁ ଚେତାବନୀ ମଧ୍ୟ ଦିଆଯାଇଛି।
ଏୟାର ଇଣ୍ଡିଆ ଏସଏଟିଏସ ଏୟାରପୋର୍ଟ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ଏକ ମିଳିତ ଶାଖା, ଯାହା ଟାଟା ଗ୍ରୁପ୍‌ ଏବଂ ଏସଏଟିଏସ ଲିମିଟେଡ୍‌ (ସିଙ୍ଗାପୁର ବିମାନବନ୍ଦର ଟର୍ମିନାଲ୍‌ ସେବା) ମଧ୍ୟରେ ଚୁକ୍ତିବଦ୍ଧ। ଏହା ଭାରତରେ ବିମାନ କମ୍ପାନିଗୁଡ଼ିକୁ ଭୂମି ପରିଚାଳନା, କ୍ୟାଟରିଂ ଏବଂ ଅନ୍ୟାନ୍ୟ ଯାତ୍ରୀ ସମ୍ବନ୍ଧୀୟ ସେବା ପ୍ରଦାନ କରେ। ଏଆଇ ୧୭୧ ବିମାନ ଦୁର୍ଘଟଣାର କିଛି ଦିନ ପରେ ଏଆଇଏସଏଟିଏସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପାର୍ଟି କର୍ମଚାରୀଙ୍କ ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ଉଠାଇଛି।
ପ୍ରସିଦ୍ଧ ବଲିଉଡ ଗାୟକ ଉଦିତ ନାରାୟଣଙ୍କ ଜଣେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ତାଙ୍କ ପୁଅ ଆଦିତ୍ୟ ନାରାୟଣ। ସେ କହିଛନ୍ତି ଯେ, ବାପା ଚୁମ୍ବନ ଦେଲେ ବୋଲି ଏବେ ବିବାଦ ହେଲା। ମୁଁ ଚୁମ୍ବନ ଦେଇଥିଲେ ଏତେ ବିବାଦ ହୋଇ ନ ଥାନ୍ତା।
ଉଦିତ ନାରାୟଣଙ୍କ କଣ୍ଠସ୍ୱର ପାଇଁ ପ୍ରଶଂସକମାନେ ପାଗଳ। ଉଦିତ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ହିଟ୍‌ ଗୀତ ଗାଇ ସାରିଛନ୍ତି। ନିଜ ସଙ୍ଗୀତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍‌ ଚଳିତ ବର୍ଷ ଫେବ୍ରୁଆରିରେ ଏକ ଲଜ୍ଜାଜନକ କାମ କରି ବିବାଦୀୟ ହୋଇଥିଲେ।
ଏକ ଲାଇଭ୍‌ କନସର୍ଟ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ ଚୁମ୍ବନ ଦେଉଥିବା ସାମ୍ନାକୁ ଆସିଥିଲା। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ଏବେ ତାଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଆଦିତ୍ୟ ନାରାୟଣ କହିଛନ୍ତି ଯେ, ଯେତେବେଳେ ତାଙ୍କ ପିତା ଉଦିତ ନାରାୟଣ ଏହି ଘଟଣା ପାଇଁ ବିବାଦୀୟ ହେଲେ, ସେତେବେଳେ ସେ ଲୋକଙ୍କ କ୍ରୋଧକୁ ବୁଝିପାରି ନ ଥିଲେ।
ତାଙ୍କ କହିବା ମୁତାବକ, ବାପା ଏପରି ଏକ ସମୟରୁ ଆସିଛନ୍ତି ଯେଉଁଠି ଜଣେ ପ୍ରଶଂସକ ଆପଣଙ୍କୁ ଭଲପାଇବା ଦେଲେ, ପ୍ରତିବଦଳରେ ତାଙ୍କୁ ଭଲପାଇବା ଦେବାକୁ ହୁଏ। ହେଲେ ଏବେ ସମୟ ବଦଳିଛି। ଏବେ ସେସବୁ କରିବା ପୂର୍ବରୁ ସହମତି ନେବାକୁ ପଡୁଛି, ଯାହା ତାଙ୍କୁ ଜଣାନଥିଲା।
କିନ୍ତୁ ଏହି ଘଟଣା ପରଠୁ ସେ ସହମତିର ଗୁରୁତ୍ୱ ବୁଝିସାରିଛନ୍ତି। ମୋତେ ଲାଗୁଛି ତାଙ୍କ ବୟସ ପାଇଁ ଏହି କଥାଟି ଏତେ ବଞ୍ଚିଗଲା। ଯଦି ମୁଁ କୌଣସି ୩୨ବର୍ଷୀୟ ମହିଳାଙ୍କ ସହ ଏଭଳି କରିଥାନ୍ତି, ବୋଧହୁଏ ଏତେ ବିବାଦ ହୋଇ ନ ଥାନ୍ତା ବୋଲି କହିଛନ୍ତି ଆଦିତ୍ୟ।
ପଶ୍ଚିମବଙ୍ଗରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାଧୁ ସ୍ୱାମୀ ପ୍ରଦୀପ୍ତାନନ୍ଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଅଭିଯୋଗ ଅନୁଯାୟୀ, ସ୍ୱାମୀ ପ୍ରଦୀପ୍ତାନନ୍ଦ ମହିଳାଙ୍କୁ ଏକ ସ୍କୁଲରେ ଚାକିରି କରାଇ ଦେବା ବାହାନାରେ ୨୦୧୩ ମସିହାରୁ ବାରମ୍ବାର ଦୁଷ୍କର୍ମ କରିଥିଲେ।
ପ୍ରକାଶ ଥାଉ କି ମହାରାଜ ଚଳିତ ବର୍ଷ ଦେଶର ସର୍ବାଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। କିନ୍ତୁ ଏଭଳି ଅଭିଯୋଗ ପରେ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି। ମହିଳାଙ୍କ ଅଭିଯୋଗ ମୁତାବକ, ସେ ୨୦୧୨ ମସିହା ଡିସେମ୍ବର ମାସରେ ମହାରାଜଙ୍କୁ ଭେଟିଥିଲି। ସେତେବେଳେ ତାଙ୍କୁ ଆଶ୍ରମର ଏକ ସ୍କୁଲ, ଚାଣକ ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଜାନୁଆରି ୨୦୧୩ରେ ଶୀଘ୍ର ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦେଇ ସ୍କୁଲର ହଷ୍ଟେଲରେ ମଧ୍ୟ ରଖାଯାଇଥିଲା। ଏହି ସମୟ ମଧ୍ୟରେ, ପ୍ରାୟ ପ୍ରତିଦିନ ସନ୍ନାସୀ ତାଙ୍କୁ କ୍ୟାମ୍ପସର ପଞ୍ଚମ ମହଲାରେ ଥିବା ଏକ କୋଠରୀକୁ ନେଇ ଦୁଷ୍କର୍ମ କରୁଥିବା ଅଭିଯୋଗ କରିଛନ୍ତି ମହିଳା।
ମହିଳା ଆହୁରି ଅଭିଯୋଗ କରିଛନ୍ତି, ୨୦୧୩ ମସିହାରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ। କିନ୍ତୁ ସନ୍ନାସୀ କିଛି ସ୍କୁଲ କର୍ମଚାରୀଙ୍କ ସହିତ ମିଶି ଗର୍ଭପାତ ପାଇଁ ବ୍ରହ୍ମପୁରର ଏକ ଘରୋଇ ନର୍ସିଂ ହୋମକୁ ନେଇଯାଇଥିଲେ। ଯେତେବେଳେ ମହିଳା ଏହାକୁ ବିରୋଧ କରିଥିଲି। ସେ ମହିଳାଙ୍କୁ ଧମକ ଦେଇଥିଲେ ଏବଂ ଜବରଦସ୍ତ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ।
ଏହା ପରେ ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ମୋତେ ଅନେକ ବର୍ଷ ଠକି ଚାଲିଥିଲେ। ଜୁନ୍‌ ୧୨ରେ ମୁଁ ତାଙ୍କୁ ଫୋନ କରି ଚାକିରି ବିଷୟରେ ପଚାରିବାରୁ ସେ ତାଙ୍କ ଲୋକଙ୍କ ଦ୍ୱାରା ଧମକ ଦେଇ ତାଙ୍କ ସହ ଯୋଗାଯୋଗ ନ କରିବାକୁ କହିଥିବା ଅଭିଯୋଗ କରିଛନ୍ତି ମହିଳା। କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସନ୍ନାସୀ ସାଧୁ ସ୍ୱାମୀ ପ୍ରଦୀପ୍ତାନନ୍ଦ।

ବାଦବିବାଦ ମଧ୍ୟରେ ଆସନ୍ତା କାଲି ୨୭ ତାରିଖରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ‘ସର୍‌ଦ୍ଦାରଜୀ ୩’ ପାକିସ୍ତାନରେ ରିଲିଜ୍‌ ହେବାକୁ ଯାଉଛି।

ପାକିସ୍ତାନ ସ୍ଥିତ ମୁଭି ଥିଏଟର ସିନେଗୋଲ୍ଡ ପ୍ଲେକ୍ସ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ପୋଷ୍ଟ ଅନୁଯାୟୀ ଦିଲଜିତ ଏବଂ ହାନିଆ ଅଭିନୀତ ଫିଲ୍ମଟି ଶୁକ୍ରବାର ଦେଶରେ ରିଲିଜ୍‌ ହେବାକୁ ଯାଉଛି।

ସେମାନେ ପୋଷ୍ଟରେ ଲେଖିଛନ୍ତି – “ଅପେକ୍ଷା ଶେଷ ହୋଇଛି। ସର୍‌ଦ୍ଦାର ଜୀ ଫେରି ଆସିଛନ୍ତି! ସର୍‌ଦ୍ଦାର ଜୀ ୩ ଜୁନ୍‌ ୨୭ ତାରିଖରେ କମେଡି, ଡ୍ରାମା ସହିତ ବଡ଼ ପରଦାକୁ ଆସୁଛି!

ନିର୍ମାତାମାନେ ଏହି ବିଷୟରେ କହିଥିଲେ ଯେ ଫିଲ୍ମଟି ଫେବୃଆରୀ ପାଖାପାଖି ସୁଟିଂ ହୋଇଥିଲା ଯେତେବେଳେ ପହଲଗାମ ଆକ୍ରମଣ ଏପ୍ରିଲରେ ହୋଇଥିଲା। ତେଣୁ ଏହି ଦୁଇଟି ଜିନିଷ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ସେମାନେ କହିଥିଲେ ଯେ, “ଏହି ସମ୍ବେଦନଶୀଳ ସମୟରେ ଆମେ ଆମ ଦେଶ ଏବଂ ଆମର ଦେଶବାସୀଙ୍କ ସହିତ ଠିଆ ହୋଇଛୁ। ଏହାକୁ ଧ୍ୟାନରେ ରଖି, ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଆମେ ଭାରତରେ ଫିଲ୍ମ ରିଲିଜ୍‌ ନକରିବାକୁ ନିଷ୍ପତ୍ତି ନେଇଛୁ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ବୁଧବାର ପଞ୍ଜାବୀ ତଥା ବଲିଉଡ ଅଭିନେତା ଦିଲଜିତ ଦୋସାଞ୍ଜ ତାଙ୍କ ଫିଲ୍ମ ‘ସର୍‌ଦ୍ଦାରଜୀ ୩’ର ଟ୍ରେଲର ଲଞ୍ଚ କରିଥିଲେ ଏବଂ ଏହା ପରେ, ପଞ୍ଜାବୀ ଗାୟକ-ଅଭିନେତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛିଥିଲା। କାରଣ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ଏହି ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଟ୍ରେଲର ଲଞ୍ଚ ହେବା ମାତ୍ରେ ନେଟିଜେନମାନେ ମଧ୍ୟ ପଞ୍ଜାବୀ ଗାୟକଙ୍କ ଉପରେ ବହୁତ କ୍ରୋଧିତ ହୋଇଗଲେ।

ପହଲଗାମ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ନିଷିଦ୍ଧ କରାଯାଇଥିଲା। ମୁକ୍ତିଲାଭ କରିବାକୁ ଥିବା ବାଣୀ କପୁର ଏବଂ ଫୱାଦ ଖାନଙ୍କ ଫିଲ୍ମ ‘ଅବିର ଗୁଲାଲ’ ମଧ୍ୟ ନିଷେଧ କରାଯାଇଥିଲା। ଏପରି ସମୟରେ, ଏକ ପଞ୍ଜାବୀ ଫିଲ୍ମରେ ଜଣେ ପାକିସ୍ତାନୀ ଅଭିନେତ୍ରୀ ଦେଖାଯିବା ଏବଂ ତା’ପରେ ଏହାର ଟ୍ରେଲର ରିଲିଜ ପରେ ବିବାଦ ଦେଖିବାକୁ ମିଳିଥିଲା।

ଆଇସ୍କ୍ରିମ୍‌ରୁ ଝିଟିପିଟି ଲାଙ୍ଗୁଡ଼ ବାହାରିବା ଭଳି ସାଘାତିକ ଅଭିଯୋଗ ଲୋକଙ୍କ ମନରୁ ନ ଯାଉଣୁ ଏବେ ମହାରାଷ୍ଟ୍ରରେ ଅନ୍ୟଏକ ଘଟଣା ନଜରକୁ ଆସିଛି। ମହାରାଷ୍ଟ୍ରରେ ଗୋଟିଏ ପରିବାର ଲୋକେ ଲଡ଼ୁ ଖାଉଥିବା ବେଳେ ସେଥିରୁ ଏକ କଟା ଆଙ୍ଗୁଳି ବାହାରିଛି। ଯାହାକୁ ଖାଇ ପରିବାର ଲୋକେ ଅସୁସ୍ଥ ହୋଇପଡ଼ିଛନ୍ତି।
ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ମହାରାଷ୍ଟ୍ରର ଗୋହେ ବୁଡରୁକ ବାସିନ୍ଦା ରାମଚନ୍ଦ୍ର ପୋଟକୁଲେଙ୍କ ପରିବାର ସ୍ଥାନୀୟ ମିଠା ଦୋକାନରୁ ଲଡୁ କିଣିଥିଲେ। ଘରେ ପହଞ୍ଚି ପରିବାରଲୋକେ ମିଶି ଉକ୍ତ ଖାଉଥିବା ସମୟରେ ସେଥିରୁ  ମଣିଷର ଏକ କଟା ଆଙ୍ଗୁଳି ବାହାରିଥିଲା। ପ୍ରଥମେ ପରିବାର ଲୋକେ ଏହାକୁ ଦେଖି ବିଶ୍ୱାସ କରିପାରି ନ ଥିଲେ। କିନ୍ତୁ ଭଲ ଭାବରେ ନିରୀକ୍ଷଣ କରିବା ପରେ ଏହା ଏକ ମଣିଷର କଟା ଆଙ୍ଗୁଠି ବୋଲି ଜଣାପଡ଼ିଥିଲା।
ତଦନ୍ତରୁ ଜଣାପଡିଛି ଯେ ଏହି ଆଙ୍ଗୁଳି ଆକସ୍ମିକ ଭାବରେ ଲଡୁ ତିଆରି ପାଇଁ ଥିବା ବଟରରେ ମିଶିଯାଇଛି। ଲଡୁ ପ୍ରସ୍ତୁତ ପାଇଁ କାମ କରୁଥିବା ବେଳେ କୌଣସି ହୋଟେଲ କର୍ମଚାରୀଙ୍କ ଆଙ୍ଗୁଳି ବୋଧ ହୁଏ ମେସିନରେ କଟି ଯାଇଥିବ। ଯଦ୍ୱାରା ଆଙ୍ଗୁଳିଟି ଲଡୁ ତିଆରି ସାମଗ୍ରୀରେ ମିଶି ଯାଇଥିବା ଅନୁମାନ କରାଯାଉଛି।
ଏହି ଘଟଣା ପରେ, ରାମଚନ୍ଦ୍ର ପୋଟକୁଲେଙ୍କ ପରିବାରର କିଛି ସଦସ୍ୟ ବାନ୍ତି ଏବଂ ଝାଡ଼ାର ଶିକାର ହୋଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି। ଏଭଳି ଘଟଣାକୁ ପ୍ରଶାସନଗମ୍ଭୀରତାକୁ ବିଚାର କରି ତଦନ୍ତ ଆରମ୍ଭ କରିଛି।
କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯଦିବା ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବାର ଦାୟିତ୍ୱ ପ୍ରଶାସନ ହାତରେ। କିନ୍ତୁ ଦୁଭାର୍ଗ୍ୟ ଓ ବିଡ଼ମ୍ବନାର କଥା, ଜନମଙ୍ଗଳକାରୀ ଯୋଜନା ବାବଦରେ କେତେକ ଅଫିସର ବୁଝିପାରୁନାହାନ୍ତି କି ଲୋକଙ୍କୁ ସଚେତନ କରୁନାହାନ୍ତି।
ଏଭଳି ସଙ୍ଗୀନ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ଖାଲି ସେତିକି ନୁହେଁ, ରାଜ୍ୟରେ ୯୫% ଲୋକ କେନ୍ଦ୍ରୀୟ ଯୋଜନାର ସୁବିଧା ଜାଣିନାହାନ୍ତି। ମାତ୍ର ୫ ପ୍ରତିଶତ ଲୋକ ବିଭିନ୍ନ ସାମାଜିକ ଯୋଜନା ବାବଦରେ ଅବଗତ ଅଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ। ଯାହା ଯୋଜନାର ସଫଳ କାର୍ଯ୍ୟକାରିତାକୁ ପଦାରେ ପକାଇଛି।
ସରକାରୀଙ୍କ ପକ୍ଷରୁ ହେଉଥିବା ଯୋଜନା ବାବଦରେ କିଛି ବାବୁ ଜାଣୁନାହାନ୍ତି ଏକଥା ଉଠାଇ ପ୍ରାଶାସନିକ ଅବହେଳାକୁ ପଦାରେ ପକାଇଛନ୍ତି ରାଜ୍ୟପାଳ। କେବଳ ଏତିକି ନୁହେଁ ଲୋକଙ୍କ ସରକାରରେ ଲୋକଙ୍କ ଅଭିଯୋଗର ସମାଧାନ ତ୍ୱରିତ ହେଉନି ବୋଲି ପୁଣିଥରେ ଚେତାଇ ଦେଇଛି ସାଧାରଣ ପ୍ରଶାସନ ବିଭାଗ।
ଗତ ଫେବ୍ରୁଆରି ୪ ଓ ମେ ୨୨ରେ ଚିଠି ଲେଖି ଲୋକଙ୍କ ଅଭିଯୋଗ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲା ସିଏମଓ କିନ୍ତୁ ସାଧାରଣ ପ୍ରଶାସନର ଚିଠି ସଙ୍କେତ ଦେଉଛି,  ସ୍ଥିତି ଯଥା ପୂର୍ବଂ ତଥା ପରଂ।
ଅଥାର୍ତ ତୃଣମୂଳସ୍ତରର ଅଫିସର ମାନେ ଜନଶୁଣାଣି ଅଭିଯୋଗର ଶୁଣାଣି ନ କରି ମନମାନି କରୁଛନ୍ତି। ତେବେ ରାଜ୍ୟପାଳଙ୍କ ଉଦବେଗ ଓ ସାଧାରଣ ପ୍ରଶାସନ ବିଭାଗର ଏ ଚିଠିକୁ ନେଇ ପ୍ରଶ୍ନ ଉଠୁଛି। କାହିଁକି ମନମାନି କରୁଛନ୍ତି ବାବୁ? ଅଭିଯୋଗ ଶୁଣାଣିକୁ ଅବହେଳା କରିବାର କାରଣ କ’ଣ?