ଦୀର୍ଘଦିନ ଧରି ଅଭାବ ଅନଟନ ମଧ୍ୟରେ ରହିଥିବା ପାକିସ୍ତାନର ଅବସ୍ଥା ଏବେ ସୁଧୁରିବା ନେଇ ଦେଶବାସୀ ଖୁସି ଅଛନ୍ତି। କାଙ୍ଗାଳ ହୋଇପଡ଼ିଥିବା ପାକିସ୍ତାନର ଆଥିକ ସ୍ଥିତି ସୁଧୁରିବା ନେଇ ଏବେ ଆଶା ଦେଖା ଦେଇଛି। ପାକିସ୍ଥାନର ସିନ୍ଧୁ ନଦୀ କୂଳରେ ଏକ ସୁନାଖଣି ଥିବାର ସନ୍ଧାନ ମିଳିଛି।
ଏଠାରେ ସୁନାର ଭଣ୍ଡାର ରହିଛି ବୋଲି ପ୍ରାଥମିକ ସର୍ଭେକ୍ଷଣରୁ ଜଣାପଡ଼ିଛି। ଆଟକଠାରେ ଆବଷ୍କୃତ ଏହି ଖଣି ୩୨ କିଲୋମିଟର ପରିବ୍ୟାପ୍ତ ରହିଛି। ଯେଉଁ ଖଣିରେ ପ୍ରାୟ ୮୦ ହଜାର କୋଟି ଟଙ୍କାର ସୁନା ରହିଛି ବୋଲି କହିଛନ୍ତି ପଞ୍ଜାବର ପୂର୍ବତନ ଖଣିମନ୍ତ୍ରୀ ଇବ୍ରାହିମ୍ ହାସନ୍। ଏହା ପାକିସ୍ଥାନ ପାଇଁ ଏକ ଐତିହାସିକ ଆବିଷ୍କାର ବୋଲି କହିଛନ୍ତି ଇବ୍ରାହିମ୍। ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଟକ ଜିଲ୍ଲାରେ ଏହି ସୁନା ଖଣି ରହିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଏହି ସୁନା ଖଣି ପରିଚାଳନା ନେଇ ପାକିସ୍ତାନ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି।
ବୈଜ୍ଞାନକ ଅନୁଶୀଳନ ପାଇଁ ୧୨୫ଟି ସ୍ଥାନରୁ ନମୁନା ସଂଗ୍ରହ କରିଛନ୍ତି ପାକିସ୍ତାନ ସରକାର। ଖଣି ପ୍ରକଳ୍ପ ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ ନ୍ୟାସ୍ନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ଥାନ ଓ ପଞ୍ଜାବ ଖଣି ଏବଂ ଖଣିଜ ବିଭାଗ ଦ୍ୱାରା ଏହାର ପରିଚାଳନା କରାଯିବ। ପ୍ରକାଶ ଥାଉ କି ଗତ କିଛି ଦିନ ହେବ ପାକିସ୍ତାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ବେକାରୀ ହାର ୧.୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେଠାରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସର ଦରରେ ସେଠାକାର ଲୋକେ କଲବଲ ହେଉଛନ୍ତି। ଏଭଳିସ୍ଥିତିରେ ଏକ ସୁନା ଖଣି ମିଳିବା ପାକିସ୍ତାନ ପାଇଁ ଆଶାର ଦୀପ ସଦୃଶ ପାଲଟିଛି। ଦୀର୍ଘଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ବଦଳାଇବାରେ ଏହି ସୁନା ଘଣିର ଗୁରୁ ଭୂମିକା ରହିବ ବୋଲି ସେଠାକାର ଅର୍ଥ ବିଶେଷଜ୍ଞମାନେ ମତ ଦେଇଛନ୍ତି।



