ପ୍ରତ୍ୟେକ ଦିନ ରେଳଷ୍ଟେସନରେ ବୁଢ଼ିଟିଏ ବୁଲିବୁଲି ଭିକ ମାଗୁଥିଲା । ଯାହାକୁ ଦେଖୁଥିଲା ସେ ତା’ ଦୁଃଖ କଥା କହୁଥିଲା । ପୁଅଝିଅଙ୍କୁ ପାଠପଢ଼େଇ ମଣିଷ କଲା । ଅଥଚ ସେମାନେ ଚାକିରି ପାଇ ତାକୁ ଭୁଲିଗଲେ ।

ଦିନେ ଗୁରୁଜୀ ସେହିବାଟ ଦେଇ ଯାଉଥିବା ବେଳେ ସେ ବୁଢ଼ୀଟିର କଥା ତାଙ୍କ କାନରେ ପଡ଼ିଲା । ସେ ବୁଢ଼ୀକୁ ଡାକିଲେ ଓ ପଚାରିଲେ, କ’ଣ ତୁମ ପିଲାମାନେ ତୁମକୁ ଭୁଲିଯାଇଛନ୍ତି? ବୁଢ଼ି କହିଲା, ନା ନା ଟଙ୍କା ଦଉନାହାନ୍ତି ସିନା । ହେଲେ ଭୁଲି ନାହାନ୍ତି । ମାସକୁମାସ ସେମାନେ ମୋ ପାଖକୁ ଦି’ଖଣ୍ଡ କାଗଜ ପଠଉଛନ୍ତି । ଗୁରୁଜୀ କହିଲେ, ସେ କାଗଜ ମତେ ଦେଖାଅ । ମୁଁ ଜାଣିବାକୁ ଚାହେଁ, ସେମାନେ ଟଙ୍କା ନଦେଇ କାଗଜ ପଠାଉଛନ୍ତି କାହିଁକି? ହୁଏତ ସେମାନେ ତୁମକୁ ସେମାନଙ୍କ ପାଖକୁ ନେଇଯିବାକୁ ଚିଠି ଲେଖୁଛନ୍ତି । ତୁମେ ତାହାର ଉତ୍ତର ଦଉନ । ବୁଢ଼ୀ ଗୁରୁଜୀଙ୍କୁ ତା’ ଘରକୁ ନେଇ ସେହି କାଗଜ ଦେଖାଇଲା । ଗୁରୁଜୀ ଦେଖିଲେ, ସେସବୁ ତୁଚ୍ଛା କାଗଜ ନଥିଲା । ସେସବୁ ଥିଲା ଗୋଟିଏ ଗୋଟିଏ ଡ୍ରାଫ୍ଟ । ମାତ୍ର ବୁଢ଼ୀ ସେ ଡ୍ରାଫ୍ଟକୁ ଚିହ୍ନି ନଥିଲା କି ତାହାର ମୂଲ୍ୟ ଜାଣି ନଥିଲା । ବର୍ତ୍ତମାନ ଆମ ସମସ୍ତେ ସେହି ବୁଢ଼ୀଟି ପରି । ଆମ ନିକଟରେ ଡ୍ରାଫ୍ଟ ରହିଛି । ଅଥଚ ଆମେ ବୁଲିବୁଲି ଭିକ ମାଗୁଛେ ।

-ରାଜେନ୍ଦ୍ର

ଅଜାଙ୍କ ମୃତ୍ୟୁ ସାଙ୍ଗକୁ ଦେହ ଅସୁସ୍ଥ। ଛୁଟି ପାଇଁ ସ୍କୁଲ୍‌ ଅଧ୍ୟକ୍ଷଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଛୁଟି ଦେବା ପାଇଁ ମନା କରି ଦେଇଥିଲେ ଶିକ୍ଷକ। ବାଧ୍ୟ ହୋଇ ସାଲାଇନ୍‌ ଲଗାଇ ସ୍କୁଲକୁ ଆସିଲେ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭଇଁସା ଆଦର୍ଶ ବିଦ୍ୟାଳୟରେ।
ଖବର ନେବାରୁ ଜଣାପଡ଼ିଛି ଯେ, କିଛିଦିନ ତଳେ  ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଅଜାଙ୍କ ପରଲୋକ ଘଟିଥିଲା। ଗୁରୁବାର ଅଜାଙ୍କ ଶୁଦ୍ଧିକ୍ରିୟା ଥିଲା। ସେହିଭଳି ତାଙ୍କ ଦେହ ମଧ୍ୟ ଅସୁସ୍ଥ ଥିଲା। ଜ୍ୱର ହେବାରୁ ତାଙ୍କୁ କଲେଜ ଛକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଔଷଧ ଦେବା ସହ ଡାକ୍ତର ତାଙ୍କ ଦେହରେ ସାଲାଇନ୍‌ ଲଗାଇଥିଲେ। କିଛିଦିନ ବିଶ୍ରାମ ପାଇଁ ଛୁଟି ଆବେଦନ କରିଥିଲେ ପ୍ରକାଶ। ସ୍କୁଲ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ପ୍ରଧାନ ଛୁଟି ମଞ୍ଜୁର କରିବାକୁ ମନା କରିବାରୁ ସେ ଅଜାଙ୍କ ଶୁଦ୍ଧିକ୍ରିୟା ସାରି ପ୍ରକାଶ ପରିବାର ଲୋକଙ୍କ ସହାୟତାରେ ହାତରେ ସାଲାଇନ୍‌ ଧରି ସ୍କୁଲକୁ ଆସିଥିଲେ। ସେ ଦଳିତ ବର୍ଗର ହୋଇଥିବାରୁ ସ୍କୁଲ ପ୍ରିନ୍ସିପାଲ ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରକାଶ। ଅନ୍ୟ ଶିକ୍ଷକ ମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରୁଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେ। ଏନେଇ ଜଣାପଡ଼ିବା ପରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶିକ୍ଷକଙ୍କ ଦେହ ପ୍ରକୃତରେ ଅସୁସ୍ଥ ରହିଛି ତାହେଲେ କହିକି ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିନାହାନ୍ତି ତାହାର ତଦନ୍ତ କରାଯିବ ବୋଲି ବିଇଓ କହିଛନ୍ତି।

China india relationship

ଚୀନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଏକ ବୈଠକ ପରେ ଭାଷଣ ଦେଇ ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଡ୍ରାଗନ ଏବଂ ହାତୀଙ୍କୁ ନଚାଇବା। ଅର୍ଥାତ ଚୀନ ଭାରତ ସହ ମିଶିଲେ ବିଶ୍ୱକୁ ନିୟନ୍ତ୍ରଣ କରିବା ସୁବିଧା ହେବ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ।
ବିଶେଷକରି ଆମେରିକା ଚୀନ୍ ଆମଦାନୀ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୨୦ ପ୍ରତିଶତ କରିବା ପରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ନୂଆଦିଲ୍ଲୀ ଏବଂ ବେଜିଂକୁ ଏକାଠି କାମ କରିବାକୁ ତଥା ଆଧିପତ୍ୟବାଦ ଏବଂ କ୍ଷମତା ରାଜନୀତିକୁ ବିରୋଧ କରିବାରେ ନେତୃତ୍ୱ ନେବାକୁ ଆହ୍ୱାନ କରିଛନ୍ତି।

ନ୍ୟାସନାଲ ପିପୁଲ୍ସ କଂଗ୍ରେସ ବୈଠକ ପରେ ଭାଷଣ ଦେଇ ଶ୍ରୀ ୱାଙ୍ଗ କହିଛନ୍ତି ଯେ ଡ୍ରାଗନ ଏବଂ ହାତୀଙ୍କୁ ନଚାଇବା। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଓ ଚୀନ ପରସ୍ପରକୁ ଦୁର୍ବଳ କରିବା ପରିବର୍ତ୍ତେ ପରସ୍ପର ସ୍ୱାର୍ଥରେ ଉଭୟ ଉଭୟଙ୍କୁ ସମର୍ଥନ କରିବା। ପରସ୍ପରକୁ ସୁରକ୍ଷା ଦେବା ଓ ସୁଦୃଢ଼ ​​କରିବା ପାଇଁ ସେ ଆହ୍ବାନ ଦେଉଛନ୍ତି।
ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଯଦି ଏସିଆର ଦୁଇଟି ବୃହତ୍ତମ ଅର୍ଥନୀତି ଏକାଠି ହୁଏ, ତେବେ ଅନ୍ତର୍ଜାତୀୟ ସମ୍ପର୍କର ଗଣତାନ୍ତ୍ରିକୀକରଣ, ‘ଗ୍ଲୋବାଲ୍ ସାଉଥ୍’ର ବିକାଶ ଏବଂ ସୁଦୃଢ଼ୀକରଣର ଭବିଷ୍ୟତ ଉଜ୍ଜ୍ୱଳ ହେବ।
ଯଦିବା ଭାରତ ଏପର୍ଯ୍ୟନ୍ତ ଏହି ବିବୃତ୍ତିର କୌଣସି ପ୍ରତିକ୍ରିୟା ଦେଇନାହିଁ। ତଥାପି, ଗତ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ସରକାର ଚୀନ୍ ସହିତ ସମ୍ପର୍କ ପାଇଁ ଏକ ଅଧିକ ପୂର୍ବାନୁମାନଯୋଗ୍ୟ ଏବଂ ସକାରାତ୍ମକ ଦିଗରେ ଯୋଜନା ପାଇଁ ଚୀନର ଆଭିମୁଖ୍ୟ ଜଣା ପଡୁଛି। କିଛିଦିନ ତଳେ ଚୀନ୍ ନିୟନ୍ତ୍ରଣାଧୀନ ସ୍ଥାନଗୁଡ଼ିକୁ ତୀର୍ଥଯାତ୍ରା ପୁନଃ ଆରମ୍ଭ କରିବା, ସିଧାସଳଖ ବିମାନ ଚଳାଚଳ ଏବଂ ସାମ୍ବାଦିକଙ୍କ ଆଦାନପ୍ରଦାନ ଯୋଜନାରୁ ସ୍ପଷ୍ଟ ହେଉଛି। ତେବେ ବିଗତ ଦିନରେ ଚୀନ ବିଭିନ୍ନ କ୍ଷେତ୍ରରେ ଭାରତ ସହ ବନ୍ଧୁତା କରିବା ଆଳରେ ଚାଲାକି ଦେଖାଇ ଆସିଛି।

China india relationship 

ଆମ ପତ୍ରିକା ବିଭାଗ ଖୋଲିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ 

୨୦୦୮ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପ୍ରମୁଖ ଅଭିଯୁକ୍ତ ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ସ୍ଥଗିତାଦେଶ ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ଯୁକ୍ତରାଷ୍ଟ୍ର ସୁପ୍ରିମକୋର୍ଟ। ରାଣା କାନାଡିୟ ନାଗରିକତା ଗ୍ରହଣ କରିଛ। କିନ୍ତୁ ସେ ପାକିସ୍ତାନୀର ମୂଳ ବାସିନ୍ଦା।

ରାଣା ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଯଦି ସ୍ଥଗିତାଦେଶ ପ୍ରଦାନ କରା ନ ଯାଏ, ତେବେ କୌଣସି ସମୀକ୍ଷା ହେବ ନାହିଁ, ଏବଂ ଆମେରିକାର କୋର୍ଟଗୁଡ଼ିକ କ୍ଷେତ୍ରାଧିକାର ହରାଇବେ ଏବଂ ଆବେଦନକାରୀ ଶୀଘ୍ର ମୃତ ହୋଇଯିବେ। ୨୬/୧୧ ଆତଙ୍କବାଦୀ ଆକ୍ରମଣର ସନ୍ଦିଗ୍ଧ ରାଣା ଅଭିଯୋଗ କରିଥିଲେ ଯେ ପାକିସ୍ତାନୀ ବଂଶୋଦ୍ଭବ ମୁସଲିମ ବ୍ୟକ୍ତି ଭାବରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଦ୍ୱାରା ତାଙ୍କୁ ନିର୍ଯାତନା ଦିଆଯିବ ବୋଲି ଆଶଙ୍କା କରାଯାଉଛି।

କିନ୍ତୁ ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଣାଙ୍କ ପ୍ରତ୍ୟର୍ପଣକୁ ସବୁଜ ସଙ୍କେତ ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହ୍ୱାଇଟ୍ ହାଉସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଣାର ପ୍ରତ୍ୟାର୍ପଣ ନେଇ ଟ୍ରମ୍ପ ନିଷ୍ପତ୍ତି ଘୋଷଣା କରିଥିଲେ।
ପ୍ରକାଶ ଥାଉ କି ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୭୦ରୁ ଅଧିକ ଲୋକ ପ୍ରାଣହାନୀ ଘଟିଥିଲା। ରାଣାଙ୍କ ସମ୍ପୃକ୍ତି ପାକିସ୍ତାନଭିତ୍ତିକ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଏଲଇଟି ସହିତ ହେଡଲିର ସମ୍ପର୍କ ରହିଥିବା ଜଣା ପଡ଼ିଥିଲା। ଏମିତି କି ସେ ହେଡଲିକୁ ମିଥ୍ୟା ପ୍ରମାଣପତ୍ର ପ୍ରଦାନ କରି ସକ୍ରିୟ ଭାବରେ ସମର୍ଥନ କରିଥିଲା। ଯାହା ହେଡଲିକୁ ଭାରତ ଯାତ୍ରା କରିବାକୁ ଏବଂ ଏଲ୍ ଇ ଟିର ୨୦୦୮ ଅପରେସନ୍ ପାଇଁ ସମ୍ଭାବ୍ୟ ଲକ୍ଷ୍ୟ ଖୋଜିବାକୁ ସକ୍ଷମ କରିଥିଲା।

ଏଣିକି ଆୟକର ଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଚାହିଁଲେ ଆୟକର ଅଧିକାରୀ ଦେଖି ପାରିବେ। ଅଧିକାରୀ ଚାହିଁଲେ ଆୟକର ଦାତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ, ବ୍ୟାଙ୍କ୍ ଆକାଉଣ୍ଟ, ଅନ୍ ଲାଇନ୍ ଇନଭେଷ୍ଟମେଣ୍ଟ ଆକାଉଣ୍ଟ ସହ ଟ୍ରେଡିଂ ଆକାଉଣ୍ଟ୍ ମଧ୍ୟ ସହଜରେ ଦେଖି ପାରିବେ। ଏଥିପାଇଁ କୌଣସି ସୂଚନା ଦେବାକୁ ପଡ଼ିବ ନାହିଁ କି କରଦାତା ଅଭିଯୋଗ କରିପାରିବେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆୟକର ବିଭାଗ ଚାହିଁଲେ କବାଟ ଭାଙ୍ଗି କରଦାତା ଘରେ ପଶି ଆଲମିରା ଓ ବାକ୍ସ ଭାଙ୍ଗି ତଲାସୀ ପାରିବେ। କମ୍ପ୍ୟୁଟର, ଲାପଟପ୍ ଦେଖିପାରିବେ। କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି କାହା ସହ କଥା ହୋଇଛି ଓ କଣ କଥା ହୋଇଛି ତାହା ଯାଞ୍ଚ କରିପାରିବେ। ଲୋକସଭାରେ ଆଗତ ଆୟକର ବିଲର ଧାରା ୨୪୭ ଅନୁଯାୟୀ ଆୟକର ଅଧିକାରୀଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। କୌଣସି ପୂର୍ବ ସୂଚନା କିମ୍ବା ଅନୁମତିରେ ଏଭଳି କରିପାରିବେ ଅଧିକାରୀ। ଅଧିକାରୀ ବା ବିଭାଗ ଚାହିଁଲେ ସମସ୍ତ ବ୍ୟକ୍ତିଗତ ତଥ୍ୟ ହାସଲ କରି ପାରିବେ।
ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ। କଂଗ୍ରେସ୍ ଏହାକୁ ଦୃଢ଼ ବିରୋଧ କରିଛି।

ବିପର୍ଯ୍ୟସ୍ତ ଆର୍ଥିକ ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ତଥା ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କାନାଡା ଏବଂ ମେକ୍ସିକୋକୁ ଦୃଷ୍ଟିରେ ରଖି ଶୁଳ୍କ ଲାଗୁ କରିବାରେ ବିଳମ୍ବ ନେଇ ଘୋଷଣା କରିଛନ୍ତି।
ପ୍ରକାଶ ଥାଉ କି ମଙ୍ଗଳବାର ଟ୍ରମ୍ପଙ୍କ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବା ପରେ ସେୟାର ବଜାର ହ୍ରାସ ପାଇଥିଲା। ଅର୍ଥନୀତିଜ୍ଞମାନେ ମଧ୍ୟ ଚେତାବନୀ ଦେଇଥିଲେ ଯେ କମ୍ବଲ ଲେଭି ଆମେରିକାର ଅଭିବୃଦ୍ଧି ଉପରେ ଭାର ପକାଇପାରେ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି କରିପାରେ। କିନ୍ତୁ ଟ୍ରମ୍ପ ଗୁରୁବାର ଉତ୍ତର ଆମେରିକୀୟ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ଆବୃତ କାନାଡିଆନ ଏବଂ ମେକ୍ସିକାନ ଆମଦାନୀ ପାଇଁ ନୂତନ ଶୁଳ୍କକୁ ସ୍ଥଗିତ ରଖିବାକୁ କହିଛନ୍ତି। ଅପରପକ୍ଷେ ତାଙ୍କ ଟିକସ ନିଷ୍ପତ୍ତି ବଜାର ଅସ୍ଥିରତା ସହିତ ଜଡିତ ବୋଲି ପରାମର୍ଶକୁ ଟ୍ରମ୍ଫ ଅସ୍ବୀକାର କରିଛନ୍ତି।
ଏହି ବନ୍ଦ ୨ ଏପ୍ରିଲ ପର୍ଯ୍ୟନ୍ତ ବଳବତ୍ତର ରହିବ। ଯାହା ଅଟୋମେକରମାନଙ୍କୁ ସାମୟିକ ଭାବେ ଆଶ୍ୱସ୍ତି ପ୍ରଦାନ କରିଛି। ତିନୋଟି ଆମେରିକୀୟ ଅଟୋମେକର, ଷ୍ଟେଲାଣ୍ଟିସ୍, ଫୋର୍ଡ ଏବଂ ଜେନେରାଲ ମୋଟର୍ସ ସହିତ ଆଲୋଚନା ପରେ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର-ମେକ୍ସିକୋ-କାନାଡା ଚୁକ୍ତିନାମା (USMCA) ମାଧ୍ୟମରେ ଆସୁଥିବା ଅଟୋ ଉପରେ ଗୋଟିଏ ମାସର ଛାଡ଼ ଘୋଷଣା କରାଯାଇଛି। ଅପରପକ୍ଷେ ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ କାନାଡାର ପ୍ରାୟ ୬୨ ପ୍ରତିଶତ ଆମଦାନୀ ଏବେ ବି ନୂତନ ଶୁଳ୍କ ଲାଗୁ ହେବ।

ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଗ୍ରୁପ୍ ‘ବି’ପଦବୀ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଗ୍ରୁପ୍ ‘ବି’ପଦବୀ ପାଇଁ ଆଗାମୀ ପରୀକ୍ଷାକୁ ସ୍ଥଗିତ ରଖିଛି। ଓପିଆରବି କହିଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି।
ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାକୁ ନେଇ ଓଡ଼ିଶାରେ ଆଶାୟୀମାନଙ୍କ ମଧ୍ୟରେ ହତାଶ ବୃଦ୍ଧି ପାଇଥିଲା। କାରଣ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯ ଦୁଇଦିନରେ ପଡୁଛି। କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ କିଛିଦିନ ତଳେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ।
ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ଏସବିଆଇ ପିଓ ପ୍ରିଲିମ୍ସ ଏବଂ ଓଡ଼ିଶା ପୁଲିସ ଏସଆଇ ପ୍ରିଲିମ୍ସ, ୮ ମାର୍ଚ୍ଚ ୨୦୨୫ରେ ହେବାକୁ ସ୍ଥିର କରାଯାଇଥିଲା। ଏହା ସହିତ, ଓପିଏସସି ସହକାରୀ କୃଷି ଅଧିକାରୀ (ଏଏଓ) ପରୀକ୍ଷା ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) କନଷ୍ଟେବଳ ପରୀକ୍ଷା ଉଭୟ ୯ ମାର୍ଚ୍ଚ ୨୦୨୫ରେ ହେବାକୁ ସ୍ଥିର କରାଯାଇଥିଲା।

ଆପଣ କେତେ ବୟସର ବ୍ୟକ୍ତିଙ୍କୁ ଗୁରୁ କରିପାରିବେ ? କାହାକୁ ଆପଣ ଗୁରୁ ବୋଲି ସମ୍ବୋଧନ କରି ପାରିବେ ? ଏଭଳି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରିଥାଏ। ଆସନ୍ତୁ ଜାଣିବା ଏ ନେଇ ବ୍ୟାସଦେବଙ୍କ ସମ୍ପର୍କରେ।

ବେଦର ବ୍ୟାଖ୍ୟାକାର ତଥା ମହାଭାରତର ରଚୟିତା ବ୍ୟାସ ଥରେ ନିଜର ଶିଷ୍ୟମାନଙ୍କ ସହ ଯାଉଥାନ୍ତି । ସେମାନେ ଜଙ୍ଗଲ ମାର୍ଗ ଦେଇ ଗତି କରୁଥାନ୍ତି । ବ୍ୟାସ ଦେଖିଲେ, ଅନତି ଦୂରରେ ଜଣେ ଶବର ବାଳକ ଏକ ଅଦ୍ଭୁତ କାର୍ଯ୍ୟ କରୁଛି । ସେ ଗଛକୁ ନିଦେ୍ର୍ଦଶ ଦେଉଛି ତା’ ନିକଟକୁ ଆସିବା ପାଇଁ । ଗଛ ତା’ ନିକଟକୁ ନଇଁ ଆସୁଛି ଓ ସେ ସେହି ଗଛରୁ ଫଳ ତୋଳି ଖାଉଛି । ପୁଣି ଗଛଟି ନିଜ ସ୍ଥାନକୁ ଫେରିଯାଉଛି । ଏହା ବ୍ୟାସକୁ ଅଭିଭୂତ କଲା । ସେ ଏହି ଜ୍ଞାନଟିକୁ ହାସଲ କରିବାକୁ ଇଚ୍ଛା ପ୍ରକାଶ କଲେ ଓ ଶବର ବାଳକଟିକୁ ନିଜର ମନକଥା ଜଣାଇଲେ । ଶବର ବାଳକ କହିଲା, ମୋର ଏ ଜ୍ଞାନକୁ ଆପଣଙ୍କୁ ଦେବାରେ ମୋର କୌଣସି ଆପତ୍ତିନାହିଁ । ତେବେ, ଆପଣ ଯଦି ମୋତେ ଗୁରୁ ଭାବରେ ବରଣ ନ କରିବେ, ତା’ହେଲେ ମୁଁ ୟାକୁ ଆପଣଙ୍କୁ ଦେବି । ଏହାଦ୍ୱାରା ଆପଣଙ୍କର କ୍ଷତି । ମୋର ବି ଅମଙ୍ଗଳ । ବ୍ୟାସଙ୍କ ଶିଷ୍ୟମାନେ ହସିଲେ ଓ କହିଲେ, ବାଳକର ମତିଭ୍ରମ ହେଇଗଲା । ଏଡ଼େ ଛୋଟ ପିଲାକୁ ପୁଣି ବ୍ୟାସ ଗୁରୁ ଭାବରେ ବରଣ କରି ତା’ର ପୂଜା କରିବେ । ମାତ୍ର ପରମୁହୂର୍ତ୍ତରେ ଘଟିଲା ଏକ ଅଦ୍ଭୁତ ଘଟଣା।ବ୍ୟାସ ମହାତପସ୍ୱୀ ହେଇ ବି ଛୋଟ ବାଳକଟିର ପାଦ ପୂଜା କରିବାକୁ ଲାଗିଲେ । ଶିଷ୍ୟମାନଙ୍କୁ କହିଲେ, ଯିଏ ସଦଗୁରୁ ତାଙ୍କର କୌଣସି ବୟସ ନଥାଏ । ଆଉ ବିନା ଗୁରୁରେ ହାସଲ କରାଯାଇଥିବା ବିଦ୍ୟା ଅନିଷ୍ଟକର ହୋଇଥାଏ ।

-ରାଜେନ୍ଦ୍ର

ବାପାର କଥା ମାନିଲାନି ଝିଅ। କ୍ରୋଧରେ ବଶବର୍ତ୍ତୀ ହୋଇ ନିଜ ଝିଅର ଗଳାକାଟି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୀତାପୁରରେ। ପାଞ୍ଚ ବର୍ଷର ଝିଅକୁ ଗଳା କାଟି ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୪ ଖଣ୍ଡ କରି କାଟିବା ଅଭିଯୋଗରେ ଗିରଫ ହୋଇଛି ନୃସଂଶ ବାପା ମୋହିତ।
ମୋହିତଙ୍କ କହିବାନୁଯାୟୀ ବାରମ୍ବାର ମନା କରିବା ସତ୍ତ୍ୱେ ତାଙ୍କର ୪ ବର୍ଷର ଝିଅଟି ପଡ଼ିଶା ଘରକୁ ଚାଲିଯିବାକୁ ନେଇ ସେ ହତ୍ୟା କରିଥିଲ। ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ଫେବ୍ରୁଆରି ୨୫ ତାରିଖରେ ଏକ ଶିଶୁଟି ତାଙ୍କ ଘର ନିକଟରୁ କେଉଁଆଡେ଼ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଶିଶୁଟିକୁ ଖୋଜିବା ପାଇଁ ୪ଟି ଟିମ୍‌ ଗଠନ କରିଥିଲା ପୁଲିସ। ପୁଲିସ୍‌ କହିବା ମୁତାବକ, ଖୋଜାଖୋଜି ସମୟରେ ତାଙ୍କ ଦଳ ପ୍ରଥମେ ଶିଶୁଟିର ଶରୀରର ଏକ ଖଣ୍ଡ ପାଇଲା। ପରଦିନ ଅନ୍ୟ ଏକ ଖଣ୍ଡ ମିଳିଲା। ତା’ପରେ ପୁଲିସ୍‌ ନିଶ୍ଚିତ ହୋଇ ଯାଇଥିଲା ଯେ ଶିଶୁଟିର ହତ୍ୟା କରାଯାଇଛି। ତେବେ କିଏ ହତ୍ୟା କଲା ତାକୁ ନେଇ ପୁଲିସ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଥିଲା।
ସେ ଆହୁରି କହିଛନ୍ତି ଯେ ଝିଅର ବାପା ଝିଅଟି ନିଖୋଜ ହେବା ପରେ ସେମାନେ ତଦନ୍ତର ଅଂଶ ଭାବରେ ଲୋକଙ୍କୁ ବାରମ୍ବାର ପଚରାଉଚରା କରୁଥିଲେ। ମାତ୍ର ପୁଲିସ୍‌ ଘଟଣାର ତଦନ୍ତ କରି ଜେରା କରିବା ବେଳେ ସେ ଶେଷରେ ନିଜ ଝିଅଟିକୁ ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିବା କଥା ସ୍ୱୀକାର କରିଥିଲା। ମୋହିତ ପୁଲିସକୁ କହିଛନ୍ତି ଯେ ତାଙ୍କ ପରିବାର ଏବଂ ପଡେ଼ାଶୀ ରାମୁର ପରିବାର ମଧ୍ୟରେ କିଛିଦିନ ପୂର୍ବରୁ ଝଗଡ଼ା ହୋଇଥିଲା। କିନ୍ତୁ ଝିଅ ତାଙ୍କ ଘରକୁ ଯାଇଥିବାରୁ ସେ ଏଭଳି କରିଛନ୍ତି।
ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ଶାମୀ ଉପବାସ କରିବାର ଥିଲା। କିନ୍ତୁ ଉପବାସ ନ କରି ଖେଳ ପଡ଼ିଆରେ ଜୁସ୍‌ ପିଇବାର ଦୃଶ୍ୟ ଦେଖି ଗର୍ଜିଛନ୍ତି ମୌଲାନା। ସେ କହିଛନ୍ତି ଯେ, ମହମ୍ମଦ ଶାମି ରମଜାନ ସମୟରେ ଉପବାସ ବା ରୋଜା ରଖିବାର ଥିଲା। କିନ୍ତୁ ତାହା ନ କରି ଜୁସ୍‌ ପିଇଥିଲେ। ଯାହା ଇସ୍‌ଲାମ ଧର୍ମରେ ପାପ।  ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ସମୟରେ ତାଙ୍କୁ ପଡିଆରେ ଜୁସ୍‌ ବା ଏନର୍ଜି ଡ୍ରିଙ୍କ୍‌ ପିଉଥିବାର ଦେଖିବାକୁ ମିଳିଥିଲା। ସେ ଜାଣିଶୁଣି ଉପବାସ ରଖି ନ ଥିଲେ, ଯାହା ଏକ ପାପ ବୋଲି କହିଛନ୍ତି ମୌଲାନା। ଶାମି ଜଣେ ଅପରାଧୀ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ମୌଲାନା।
ଖବର ନେବାରୁ ଜଣାପଡ଼ିଛି ଯେ, ଦୁବାଇରେ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍‌ ସମୟରେ ମହମ୍ମଦ ଶାମି ଜୁସ୍‌ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଅଲ୍‌ ଇଣ୍ଡିଆ ମୁସଲିମ୍‌ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ଏକ ବିବୃତି ଜାରିକରି କହିଛନ୍ତି ଯେ, “ଇସଲାମ ଉପବାସକୁ ବାଧ୍ୟତାମୂଳକ ଘୋଷଣା କରିଛି। ଯଦି ଜଣେ ବ୍ୟକ୍ତି ଜାଣିଶୁଣି ଉପବାସ ରଖୁ ନାହାନ୍ତି, ତେବେ ସେ ଦୋଷୀ। ମହମ୍ମଦ ଶାମି ଉପବାସ ରଖି ନ ଥିଲେ ଯଦିଓ ଉପବାସ ରଖିବା ତାଙ୍କର କର୍ତ୍ତବ୍ୟ। ଉପବାସ ନ ରଖି, ଶାମି ଏକ ବଡ଼ ପାପ କରିଛନ୍ତି ବୋଲି କହିଛନ୍ତି ମୌଲାନା।
ସେ ଆହୁରି କହିଛନ୍ତି ଯେ, ମହମ୍ମଦ ଶାମି କେବେବି ଏହା କରିବା ଉଚିତ୍‌ ନ ଥିଲା। ମୁଁ ସେମାନଙ୍କୁ ଇସଲାମର ନିୟମ ପାଳନ କରିବାକୁ ମାର୍ଗଦର୍ଶନ ଏବଂ ପରାମର୍ଶ ଦେଉଛି। କ୍ରିକେଟ୍‌ ଖେଳ, ସବୁ କାମ କର, କିନ୍ତୁ ଆଲ୍ଲା ବ୍ୟକ୍ତିଙ୍କୁ ଦେଇଥିବା ଦାୟିତ୍ୱ ମଧ୍ୟ ପୂରଣ କର। ଶାମି ଏସବୁ ବୁଝିବା ଉଚିତ। ଶାମି ତାଙ୍କ ପାପ ପାଇଁ ଆଲ୍ଲାହଙ୍କୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ମୌଲାନା।