ଏକ ଅଦ୍ଭୁତ ପରିସ୍ଥିତିରେ ଯୋଶେଫାଇନଙ୍କ ସହ ସାକ୍ଷାତ ହୋଇଥିଲା ନେପୋଲିଅନଙ୍କର। ଏହା ସେହି ସମୟର କଥା ଯେତେବେଳେ ନେପୋଲିଅନଙ୍କ ଆଖିର ଇସାରାରେ ଫ୍ରାନ୍ସର ମାଟି ପାଣି ପବନ ଜୀବନ୍ୟାସ ପାଉଥିଲେ ।
ଦିନେ ସେ ଏକ ଆଦେଶନାମା ଜାରିକଲେ- ଯାହା ଘରେ ଯେଉଁ ହତିଆର ଅଛି ସେସବୁକୁ ଆଣି ସେମାନେ ରାଜ କର୍ମଚାରୀଙ୍କ ନିକଟରେ ଜମା କରିବେ । ଗୋଟିଏ ଗାଁରେ ହତିଆର ସଂଗ୍ରହ ଅଭିଯାନ ଜାରି ରହିଥାଏ । ନିଜେ ନେପୋଲିଅନ୍ ବୁଲିବୁଲି କର୍ମଚାରୀଙ୍କର କାର୍ଯ୍ୟ ତଦାରଖ କରୁଥାନ୍ତି । ତାଙ୍କ ଆଖିରେ ପଡ଼ିଲା ଲୋକଙ୍କ ଧାଡ଼ିରେ ଠିଆ ହୋଇଥିବା ଜଣେ ୧୪ବର୍ଷର ଝିଅ । ସେ ଏକ ହତିଆର ଧରି ଠିଆ ହୋଇଥିଲା ଆଉ ସେହି ହତିଆରକୁ ଅନେଇ କୋହ ଉଠେଇ କାନ୍ଦୁଥିଲା ।
ଆଶ୍ଚର୍ଯ୍ୟ ହେଲେ ନେପୋଲିଅନ୍। ଝିଅଟିକୁ ପାଖକୁ ଡାକିଲେ ଆଉ ପଚାରିଲେ : କ’ଣ ତୋ ନାଁ? ତୁ କାନ୍ଦୁଛୁ କ’ଣ ପାଇଁ?
ଝିଅଟି କହିଲା, ତା’ ନାଁ ୟୁଜିନ୍ । ସେ ଯେଉଁ ତଲୱାରଟିକୁ ଆଜି ଆଣିଛି ରାଜକର୍ମଚାରୀଙ୍କୁ ଦେଇଦେବା ଲାଗି ସେଇଟି ହେଉଛି ତା’ର ଦିବଂଗତ ବାପାଙ୍କର ଯିଏ ଫ୍ରାନ୍ସ ପାଇଁ ଲଢ଼େଇ କରି ଜୀବନ ଦାନ ଦେଇଛନ୍ତି । ତା’ ନିକଟରେ ତା’ ବାପାଙ୍କର ସନ୍ତକ ଭାବରେ ଏହି ତଲୱାର ଖଣ୍ଡକ ହିଁ ଥିଲା । ଏଇଟିକୁ ଦେଇଦେଲେ ତା’ ପାଖରେ ତା’ ବାପାଙ୍କର ଆଉ କୌଣସି ସନ୍ତକ ଅବଶିଷ୍ଟ ରହିବ ନାହିଁ । ସେଥିଲାଗି ସେ କାନ୍ଦୁଛି ଆଉ ତା’ ବାପାଙ୍କୁ ମନେ ପକଉଛି ।
ଝିଅଟିର କଥା ଛୁଇଁଗଲା ନେପୋଲିଅନଙ୍କ ହୃଦୟକୁ । ତରଳିଗଲା ତାଙ୍କ ମନ । ସେ ଝିଅଟିର କପାଳରେ ବୁକ ଖାଇ କହିଲେ: ଝିଅରେ, ତୋ ବାପାଙ୍କର ତଲୱାର ତୋ ପାଖରେ ରହିବ । ତାକୁ ମୁଁ ନେଇଯିବିନି । ଯା, ତଲ୍ୱାର ନେଇ ତୁ ତୋ ଘରକୁ ଫେରିଯା ।
ସେଦିନ ନେପୋଲିଅନଙ୍କୁ କୃତଜ୍ଞତା ଜଣେଇ ଘରକୁ ଫେରିଗଲା ଝିଅଟି । ମାତ୍ର ଠିକ୍ ତା’ ପରଦିନ ଘଟିଲା ଏକ ଅପ୍ରତ୍ୟାଶିତ ଘଟଣା ଯାହା ଇତିହାସକୁ ଦେଲା ନୂଆ ଏକ ମୋଡ଼ । ନେପୋଲିଅନ୍ ନିଜର ମନ୍ତ୍ରୀ ଆଉ ସେନାପତିଙ୍କ ସହିତ ବାର୍ତ୍ତାଳାପ କରୁଥାନ୍ତି । ସେତିକିବେଳେ ଶୁଭିଲା ଏକ ସୁମଧୁର ନାରୀକଣ୍ଠର ଆୱାଜ୍ ।
“ମୁଁ ୟୁଜିନ୍ର ମା’ । କାଲି ମୋ ସ୍ୱାମୀଙ୍କର ତଲୱାରଟିକୁ ଆମକୁ ଫେରେଇଦେଇ ଆପଣ ଆମ ମା’ ଝିଅଙ୍କ ପ୍ରତି ଅନେକ ଉପକାର କରିଛନ୍ତି । ସେଥିପାଇଁ ମୁଁ ମୋ ଝିଅ ତରଫରୁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।”
ବୁଲି ଚାହିଁଲେ ନେପୋଲିଅନ୍ । ତାଙ୍କର ଆଖି ୟୁଜିନର ମା’ ଉପରେ ସ୍ଥିର ହୋଇ ଅଟକିଗଲା । ପାଟିରୁ କଥାଟିଏ ବି ବାହାରିଲା ନାହିଁ । ସେ କେବଳ ସେହି ମହିଳାଙ୍କୁ ଦେଖୁଥିଲେ ଆଉ ଦେଖି ଚାଲୁଥିଲେ ।
ଅପୂର୍ବ ରୂପ ଲାବଣ୍ୟ । ଟଣାଟଣା ଆଖି । ଆଙ୍କିଦେବା ପରି ଓଠ । ଗୋଲାପି ଚିବୁକ । ଏ ନାରୀ ନା କେଉଁ ଶିଳ୍ପୀ ହାତ ଅଙ୍କା ଚିତ୍ର ପ୍ରତିମା!
ୟୁଜିନ୍ ମା’ଙ୍କର ସୌନ୍ଦର୍ଯ୍ୟରେ ନେପୋଲିଅନ୍ ବିହ୍ୱଳିତ ହେଉଥିଲେ ସିନା; ମହିଳା ଜଣକ କିନ୍ତୁ କୃତଜ୍ଞତା ଜଣେଇ ଚୁପଚାପ୍ ଫେରି ଯାଇଥିଲେ ତାଙ୍କର ଘରକୁ । ଖାଲି ହାତରେ ଘରକୁ ଫେରି ନଥିଲେ ସେ । ନିଜ ସହିତ ସେ ନେଇଯାଇଥିଲେ ଫ୍ରାନ୍ସର ଭାବି ସମ୍ରାଟ ନେପୋଲିଅନଙ୍କ ହୃଦୟ ।
(କ୍ରମଶଃ)



