କିଛିଦିନ ପାଇଁ ଗୁରୁ ଓ ଶିଷ୍ୟ ଗୋଟିଏ ସହରରେ ବାସ କରୁଥାନ୍ତି। ଦିନେ ଦେଖିଲେ, ମାଲିକ ତା’ର ଜଣେ କର୍ମଚାରୀକୁ ଖୁବ୍ ଜୋରରେ ଏକ ଚଟକଣା ମାରିଲେ। ବିଚରା କର୍ମଚାରୀ କିଛି ନ କହି ଘରକୁ ଫେରିଆସିଲା। ଘରେ ଆସି ସ୍ତ୍ରୀକୁ ଠାଏ କିନା ଚଟକଣା ବସେଇଦେଲା।
ସ୍ତ୍ରୀଟି ସ୍ୱାମୀକୁ କିଛି କହି ନ ପାରି ତା’ ପୁଅକୁ ବାଡ଼େଇ ପକେଇଲା। ପୁଅଟି କାନ୍ଦିକାନ୍ଦି ବାହାରକୁ ପଳେଇଗଲା ଓ ବାହାରେ ଶୋଇଥିବା କୁକୁରକୁ ଗୋଟିଏ ବାଡ଼ିରେ ଖୁବ୍ ଜୋରରେ ପିଟିବାକୁ ଲାଗିଲା। କୁକୁରଟି ପ୍ରାଣ ବିକଳରେ ଦଉଡିବାରେ ଲାଗିଲା। ବାଟରେ ଆସୁଥିଲେ ଜଣେ ଭଦ୍ରଲୋକ। କୁକୁରଟି ଭାବିଲା ବୋଧହୁଏ ସେହି ଲୋକଜଣକ ତା’ ପଳେଇ ଯିବାବାଟରେ ପ୍ରତିବନ୍ଧକ ସାଜିବ। ତେଣୁ ସେ ଆଗତୁରା ଭଦ୍ରଲୋକଟିକୁ କାମୁଡ଼ି ଖଣ୍ଡିଆଖାବରା କରିଦେଲା। ଏସବୁ ଦେଖି ଶିଷ୍ୟଟି କିଛି ବୁଝିପାରିଲାନି।
କୁକୁରକୁ ପିଟିଲା ଜଣେ। ହେଲେ ସେ କାମୁଡ଼ିଲା ଆଉଜଣଙ୍କୁ। ଗୁରୁ ବୁଝେଇଦେଲେ, ବାସ୍ତବରେ କୁକୁରଟି କିଛି ଭୁଲ କରିନାହିଁ। ବାସ୍ତବରେ ସେହି ଲୋକଟି ହିଁ ତ ଏ ନାଟକର ଆରମ୍ଭ କରିଥିଲା। କାରଣ ସେ ଲୋକଟି ଆଉ କେହି ନଥିଲା, ସେ ଥିଲା ତା’ କର୍ମଚାରୀକୁ ଚଟକଣା ମାରିଥିବା ମାଲିକ। ସେ ଯଦି କର୍ମଚାରୀକୁ ଚଟକଣା ମାରି ନଥାନ୍ତା ତା’ହେଲେ କର୍ମଚାରୀ ଆସି ତା’ ସ୍ତ୍ରୀକୁ ପିଟି ନଥାନ୍ତା। କିମ୍ବା ତା’ ସ୍ତ୍ରୀ ତା’ ପୁଅକୁ ପିଟି ନ ଥାନ୍ତା। ପୁଅଟି ବି କୁକୁରକୁ ବାଡ଼େଇ ନ ଥାନ୍ତା। ନା କୁକୁର ରାଗିଥାନ୍ତା ନା ମାଲିକକୁ କାମୁଡ଼ି ଥାନ୍ତା। ଗୁରୁ କହିଲେ, ଆଖି ଦେଖିଲା ଗଛରେ ଫଳଟିଏ ପାଚିଛି। ଗୋଡ଼ ଗଲା ଗଛପାଖକୁ। ହାତ ଫଳଟିକୁ ଆଣିଲା। ପାଟି ଫଳଟିକୁ ଖାଇଲା। ଗଛର ମାଲିକ ଏସବୁ ଜାଣି ବାଡ଼େଇଲା ପିଠିକୁ। ପିଠି ସିନା ପାହାର ଖାଇଲା; ହେଲେ କାନ୍ଦିଲା ଆଖି। କାରଣ ଗଛରେ ଫଳଟି ପାଚିଥିଲା ବୋଲି ପ୍ରଥମେ ଆଖି ହିଁ ତ ଦେଖିଥିଲା।



