ମାଲେଗାଓ ବିସ୍ଫୋରଣ ଘଟଣାର ଦୀର୍ଘ ୧୭ ବର୍ଷ ପରେ ପ୍ରକାଶ ପାଇଛି ରାୟ। ଏଥିରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‌ ପ୍ରସାଦ ପୁରୋହିତଙ୍କ ସମେତ ମୋଟ ୭ଜଣ ଦୋଷମୁକ୍ତ ହୋଇଥିଲେ। କିନ୍ତୁ ଦୋଷମୁକ୍ତ ହେବା ପରେ ସାଧ୍ୱୀ ପ୍ରଜ୍ଞା ଠାକୁର ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୮ ମସିହା ପବିତ୍ର ରମଜାନ ମାସୀ ସେପ୍ଟେମ୍ବର ୨୯ ତାରିଖରେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ। ପ୍ରଥମେ ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ୱାଡ୍‌) ଏହି ମାମଲାର ତଦନ୍ତ କରିଥିଲା ଏବଂ ପରେ ୨୦୧୧ରେ ଏହି ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା।

ଏଟିଏସ୍‌ ଅଭିଯୋଗ ଅନୁଯାୟୀ ମୁସଲମାନଙ୍କ ଦ୍ୱାରା ହିନ୍ଦୁଙ୍କ ଉପରେ କରାଯାଇଥିବା ପୂର୍ବ ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ଏହି ବିସ୍ଫୋରଣ ଷଡ୍‌ଯନ୍ତ୍ର କରାଯାଇଥିଲା। ଏଥିରେ ଅଭିନବ ଭାରତ ଗୋଷ୍ଠୀ ସମ୍ପୃକ୍ତ ଥିବା ଉଲ୍ଲେଖ କରାଯାଇଥିଲା। ଏଟିଏସ୍‌ ଦାବି ଅନୁଯାୟୀ ବିସ୍ଫୋରଣରେ ବ୍ୟବହାର ହୋଇଥିବା ମୋଟର ସାଇକେଲ୍‌ର ମାଲିକ ହେଉଛନ୍ତି ପ୍ରଜ୍ଞା ଠାକୁର ଯିଏ କି ଏହି ମାମଲାରେ ୨୦୦୮ରେ ଗିରଫ ହୋଇଥିଲେ।

ଅଦାଲତ ପକ୍ଷରୁ କୁହାଯାଇଛି ପୁରୋହିତ ବୋମା ଖଞ୍ଜିଥିବା ନେଇ ରେକର୍ଡରେ କୌଣସି ପ୍ରମାଣ ନାହିଁ। ବିଚାରପତି ଲାହୋଟି ମଧ୍ୟ କହିଛନ୍ତି, ପ୍ରଜ୍ଞା ଠାକୁର ଗାଡିର ମାଲିକ ବୋଲି କୌଣସି ଠୋସ୍‌ ପ୍ରମାଣ ନାହିଁ। ବିଚାରଣ ପ୍ରକ୍ରିୟାରେ ବାଇକ୍‌ଟି ପ୍ରଜ୍ଞା ଠାକୁରଙ୍କର ବୋଲି ପ୍ରମାଣ ହୋଇପାରିଲାନି। ଅଦାଲତ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାର ଦୁଇବର୍ଷ ପୂର୍ବରୁ ପ୍ରଜ୍ଞା ଠାକୁର ସାଂସାରିକ ମୋହମାୟା ଛାଡ଼ି ସନ୍ନ୍ୟାସୀ ହୋଇଯାଇଥିଲେ।

ଏକାଥରରେ ନିଟ୍‌ ପାସ୍‌ କଲେ ମାଆ, ଝିଅ

 

ପାଠ ପଢ଼ିବାର କୌଣସି ବୟସ ନ ଥାଏ। ଏହା ପ୍ରମାଣିତ କରିଛନ୍ତି ତାମିଲନାଡ଼ୁର ମାଆ ଝିଅ। ଏକା ସାଙ୍ଗରେ ନିଟ୍‌ ପରୀକ୍ଷା ଦେଇ ପାସ୍‌ କରିଛନ୍ତି ୪୯ ବର୍ଷୀୟ ମାଆ ଓ ଝିଅ। ଏହି ଖବର ଆସିବା ପରେ ଏବେ ସାରା ଦେଶରେ ସେହି ମାଆ ଜଣଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି
ଖବର ନେବାରୁ ଜଣାପଡ଼ିଛି ଯେ, ଝିଅ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ଫିଜିଓଥେରାପିଷ୍ଟ ଅମୁଥାଭଲ୍ଲୀ ମଣିଭନ୍ନନଙ୍କର ବି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା। ପଢ଼ା ପରେ ତାଙ୍କର ଡାକ୍ତରୀ ପଢିବାକୁ ଇଚ୍ଛାଥିଲେ ବି ବିଭିନ୍ନ ସମସ୍ୟା ପାଇଁ ତାଙ୍କ ସ୍ୱପ୍ନ ପୂରା ହୋଇ ନ ଥିଲା ଆଉ ସେ ଫିଜିଓଥେରାପିକୁ ବାଛିଥିଲେ। ମାତ୍ର ୩ ଦଶନ୍ଧି ପରେ ଝିଅର ମେଡିକାଲ ପ୍ରସ୍ତୁତି ଦେଖି ପୁଣିଥରେ ସେ ନିଟ୍‌ ପାଇଁ ଫର୍ମ ପୂରଣ କରିଥିଲେ। ମାଆ ଝିଅ ଏକାଥରରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି।
ସେ କହିଛନ୍ତି ଯେ, ତାଙ୍କ ସମୟର ସିଲାବସ୍‌ ଏବେ ବହୁତ ଜଟିଳ ଥିଲା ଏବଂ ପାଠପଢ଼ା ପୂରା ବଦଳିଯାଇଛି। ମାତ୍ର ଝିଅ ଠାରୁ ବହି ଆଣି ଏବଂ ଝିଅର ସାହାଯ୍ୟ ନେଇ ସେ ପୁଣିଥରେ ସେ ମନ ଲାଗଇ ପାଠ ପଢ଼ିଥିଲେ। ଝିଅ କୋଚିଂ ନେଉଥିବାରୁ ତା ଠାରୁ ବହି ଆଣି ପ୍ରସ୍ତୁତ ହେଉଥିଲେ। ଝିଅ ବି ମାଆର ସ୍ୱପ୍ନକୁ ପୂରା କରିବାକୁ ମାଆକୁ ସାହାଯ୍ୟ କରିଥିଲେ।
ଆଉ ଶେଷରେ ଝିଅ ସହ ମାଆ ଦୁଇ ଜଣ ଯାକ ନିଟ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି। ଆଉ ୪୯ ବର୍ଷୀୟା ମାଆ ଜଣଙ୍କ ନିଜ ଜିଲ୍ଲାରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ସିଟ୍‌ ପାଇଛନ୍ତି। ତେବେ ନିଟ୍‌ ପାସ୍‌ ପରେ ଝିଅକୁ ସବୁ ଶ୍ରେୟ ଦେଇଛନ୍ତି। ଝିଅଙ୍କୁ ଦେଖି ସେ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି କହିଛନ୍ତି ମାଆ।
ଅପରପକ୍ଷେ ଝିଅ ମଧ୍ୟ ମାଆଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି, ମୁଁ ଚାହୁଁଥିଲି କାହାକୁ ପଢ଼ାଇ କିମ୍ବା କେହି ମୋ ସହ ଏହି ପାଠପଢାରେ ସହଯୋଗ କରୁ ଯାହା ଫଳରେ ମୁଁ ରିଭାଇଜ୍‌ କରି ପାରିବି। ଯେହେତୁ ବାପା ଓକିଲ ସେ ଏଥିରେ ଆଗ୍ରହ ଦିଅନ୍ତିନି ମାତ୍ର ମାଆ ମେଡିକାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ସେ ଏହି କାମକୁ ମୋର ସହଜ କରିବା ସହ ସିଏ ବି ସଫଳ ହୋଇଛନ୍ତି।

ଭାରତକୁ ଝଟକା ପରେ ଝଟକା ଦେଉଛି ଆମେରିକା। ଏହିକ୍ରମରେ ୬ଟି ଭାରତୀୟ ପେଟ୍ରୋଲିୟମ୍‌ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଟ୍ରମ୍ପ୍‌ ସରକାର। ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିବାରୁ ସେଗୁଡ଼ିକ ଉପରେ ପ୍ରତିବବନ୍ଧକ ଲଗାଯାଇଛି।
ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି ବୋଲି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଟଙ୍କା ବ୍ୟବହାର କରୁଛି।
ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ଆମେରିକା ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ବ୍ୟବହାର କରେ ବୋଲି ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି।
ପ୍ରକାଶ ଥାଉ କି ଆମେରିକା ସରକାରଙ୍କ ପକ୍ଷରୁ ବୁଧବାର ଇରାନ ସହିତ ବ୍ୟବସାୟ କରୁଥିବା ୨୦ ଟି କମ୍ପାନୀକୁ ବ୍ୟାନ୍‌ କରାଯାଇଛି। ଯେଉଁଥିରେ ଭାରତର ୬ଟି କମ୍ପାନୀ ରହିଛି।
ପ୍ରତିବନ୍ଧକ ଲଗାଯାଇଥିବା କମ୍ପାନୀଗୁଡ଼ିକ ହେଲା ଆମେରିକା ଭାରତର ଆଲକେମିକାଲ୍‌ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌, ଗ୍ଲୋବାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ କେମିକାଲ୍‌ସ ଲିମିଟେଡ୍‌, ଜୁପିଟର୍‌ ଡାଏ କେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ରାମନିକଲାଲ୍‌ ଏସ୍‌ ଗୋସାଲିଆ ଆଣ୍ଡ୍‌ କମ୍ପାନୀ, ପର୍ସିଷ୍ଟେଣ୍ଟ୍‌ ପେଟ୍ରୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ କାଞ୍ଚନ ପଲିମର୍ସ କମ୍ପାନୀ।
ଆଲକେମିକାଲ୍‌ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୨୪ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଇରାନରୁ ୮୪ ମିଲିୟନ୍‌ ଡଲାର୍‌ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍‌ ଉତ୍ପାଦ କିଣିଥିବା ଅଭିଯୋଗ ହୋଇଛି। ସେହିଭଳି ଗ୍ଲୋବାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ କେମିକାଲ୍‌ସ ଲିମିଟେଡ୍‌ ୨୦୨୪ ଜୁଲାଇରୁ ୨୦୨୫ ଜାନୁଆରୀ ମଧ୍ୟରେ ଇରାନରୁ ମିଥାନଲ୍‌ ସମେତ ୫୧ ମିଲିୟନ୍‌ ଡଲାରରୁ ଅଧିକ ମୂଲ୍ୟର ଉତ୍ପାଦ କ୍ରୟ କରିଥିବା ଅଭିଯୋଗ ହୋଇଛି।
ଜୁପିଟର ଡାଏ କେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୨୪ ଜାନୁଆରୀରୁ ୨୦୨୫ ଜାନୁଆରୀ ମଧ୍ୟରେ ଇରାନରୁ ୪୯ ମିଲିୟନ୍‌ ଡଲାର୍‌ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍‌ ଉତ୍ପାଦ କିଣିଥିବା ଅଭିଯୋଗ କରିଛି ଆମରିକା ସରକାର। ରାମନିକଲାଲ ଏସ୍‌ ଗୋସାଲିଆ ଆଣ୍ଡ କୋ ୨୦୨୪ଜାନୁଆରୀରୁ ୨୦୨୫ ଜାନୁଆରୀ ମଧ୍ୟରେ ଇରାନରୁ ୨୨ ମିଲିୟନ୍‌ ଡଲାରରୁ ଅଧିକ ମୂଲ୍ୟର ଉତ୍ପାଦ କିଣିଥିବା ଅଭିଯୋଗ କରିଛି ଆମେରିକା।
ଆମେରିକା କହିଛି ଯେ ପର୍ସିଷ୍ଟେଣ୍ଟ ପେଟ୍ରୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ୨୦୨୪ ଅକ୍ଟୋବରରୁ ୨୦୨୪ ଡିସେମ୍ବର ମଧ୍ୟରେ ଇରାନରୁ ପ୍ରାୟ ୧୪ମିଲିୟନ୍‌ ଡଲାର୍‌ ମୂଲ୍ୟର ପେଟ୍ରୋକେମିକାଲ୍‌ ଉତ୍ପାଦ କିଣିଛି। ଯେଉଁଥିରେ ମିଥାନଲ୍‌ ମଧ୍ୟ ଅନ୍ତର୍ଭୁକ୍ତ।
କାଞ୍ଚନ ପଲିମର୍ସ – ଏହି କମ୍ପାନି ଇରାନରୁ ୧.୩ମିଲିୟନ୍‌ ଡଲାର୍‌ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍‌ ଉତ୍ପାଦ କିଣିଥିଲା। ତେବେ, ଭାରତ ସହିତ, ଆମେରିକା ଅନ୍ୟ ଦେଶର କମ୍ପାନିଗୁଡ଼ିକୁ ମଧ୍ୟ ନିଷିଦ୍ଧ କରିଛି। ଏଥିରେ ତୁର୍କୀ, ୟୁଏଇ, ଚୀନ୍‌ ଏବଂ ଇଣ୍ଡୋନେସିଆ ଅନ୍ତର୍ଭୁକ୍ତ। ଆମେରିକା ଏହା ମଧ୍ୟ କହିଛି ଯେ ଏହି ଦେଶଗୁଡ଼ିକର କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଛନ୍ତି ଏବଂ ଏହି କାରଣରୁ ସେମାନଙ୍କୁ ନିଷେଧ କରାଯାଇଥିବା ଜଣାପଡ଼ିଛି।
ତିବ୍ଦତ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମପୁତ୍ର ନଦୀର ଉପରମୁଣ୍ଡରେ ଚୀନ ଡ୍ୟାମ ନିର୍ମାଣ କରୁଛି। ଗ୍ରେଟ୍‌ ବ୍ୟାଣ୍ଡ ନାମକ ଏକ ସ୍ଥାନରେ ଚୀନ ଏହି ଡ୍ୟାମ ନିର୍ମାଣ କରୁଛି। ଏହି ଠାରୁ ବ୍ରହ୍ମପୁତ୍ର ନଦୀ ଏକ ବଡ଼ ମୋଡ଼ ନେଇ ଅରୁଣାଚଳ ପ୍ରଦେଶ ଦେଇ ଭାରତକୁ ପ୍ରବେଶ କରୁଛି। ଏହି ନଦୀ ସିୟାଙ୍ଗ ନାମରେ ପରିଚିତ
ଏହି ଡ୍ୟାମକୁ ଭାରତ ପାଇଁ ବଡ଼ ବିପଦ ବୋଲି କହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ। ଯଦି କେବେ ଚୀନ ଅଚାନକ ଏହି ଡ୍ୟାମରୁ ପାଣି ଛାଡେ ତେବେ ପୂରା ସିୟାଙ୍ଗ କ୍ଷେତ୍ର ପାଣିରେ ବୁଡିଯିବାର ଆଶଙ୍କା ରହିଛି। ଏହି ଡ୍ୟାମ୍‌ ନୁହେଁ ବରଂ ଏକ ୱାଟର ବମ୍‌ ବୋଲି କହିଛନ୍ତି ପ୍ରେମା ଖାଣ୍ଡୁ। ଏହି ଡ୍ୟାମ ନିର୍ମାଣ ହେବା ଫଳରେ ଆଗାମୀ ଦିନରେ ବ୍ରହ୍ମପୁତ୍ର ଓ ସିୟାଙ୍ଗ ନଦୀର ଜଳସ୍ତର କମିଯିବାର ଆଶଙ୍କା ରହିଛି। ଏହା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି ସେ ଆଶଙ୍କା କରିଛନ୍ତି।
ସେପଟେ ଏହି ଡ୍ୟାମ୍‌ ଏକ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳରେ ନିର୍ମାଣ ହେଉଛି ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି। ଯଦି କେତେବେଳେ ଭୂସ୍ଖଳନ କିମ୍ବା ଭୂମିକମ୍ପ ଆସେ ତେବେ ଏହି ଡ୍ୟାମ୍‌ ଭାଙ୍ଗିଯାଇପାରେ। ଫଳରେ ତଳିଆ ଅଞ୍ଚଳବାସୀ ସର୍ବାଧିକ କ୍ଷତିର ସମ୍ମୁଖୀନ ହେବେ।
ଅନ୍ୟପଟେ ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କିଛି ଅଲଗା ମତ ଦେଇ କହିଛନ୍ତି ଯେ, ବ୍ରହ୍ମପୁତ୍ର ନଦୀ ଏକ ବିଶାଳ ନଦୀ। ଏହା କେବଳ ତିବ୍ଦତ ନୁହେଁ ବରଂ ଭୂଟାନ, ଅରୁଣାଚଳ ଓ ଆସାମର ବର୍ଷା ପାଣିରେ ଭରିଯାଏ। ଯଦି ଚୀନ ପାଣି ଅଟକାଇଦିଏ ତେବେ ଏହା ଆସାମରେ ବାରମ୍ବାର ଆସୁଥିବା ବନ୍ୟାକୁ ରୋକି ପାରିବ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଚୀନ ସହ ଆଲୋଚନା କରିବା ନିହାତି ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।
ତେବେ ଚୀନର ଏହି ଡ୍ୟାମ୍‌ ନିର୍ମାଣକୁ ନେଇ କୌଣସି ଔପଚାରିକ ବୟାନ ଦେଇନାହିଁ ଭାରତ। ହେଲେ ସରକାର କହିଛନ୍ତି କି, ଏଡି ଯୋଜନା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ଚୀନ ସହ ଏନେଇ ଆଲୋଚନା ହୋଇଛି। ଭାରତର ବିଦେଶ ମନ୍ତ୍ରଣାଳୟ କହିଛି କି, ଚୀନକୁ ଏଭଳି କାମରେ ପାରଦର୍ଶିତା ରଖିବା ଦରକାର ଓ ବାଂଲାଦେଶ ଭଳି ବ୍ରହ୍ମପୁତ୍ର ତଳ ଭାଗରେ ଥିବା ଦେଶମାନଙ୍କ ସହ ଚୀନ ଆଲୋଚନା କରିବା ଦରକାର।
ଏହି ପ୍ରସଙ୍ଗରେ ଚୀନ ନିଜ ମତ ଉପସ୍ଥାନ କରି କହିଛି ଯେ, ଏହି ପରିଯୋଜନା ଚୀନ ଭାରତ ଓ ବାଂଲାଦେଶ ସହ ବନ୍ୟା ନିୟ୍‌ନ୍ତ୍ରଣ ଓ ଜଳସ୍ତର ନେଇ ସହଯୋଗ ଜାରି ରହିବ। ଭାରତ ବି ଏଭଳି ସ୍ଥିତିରୁ ମୁକୁଳିବା ପାଇଁ କିଛି ରଣନୀତି ପ୍ରସ୍ତୁତ କରିଛି।
ଅରୁଣାଚଳ ପ୍ରଦେଶ ଦେଇ ପ୍ରବାହିତ ହେଉଥିବା ସିୟାଙ୍ଗ ନଦୀର ଉପରମୁଣ୍ଡରେ ସିୟାଙ୍ଗ ପରିଯୋଜନା ନାମରେ ଏକ ଡ୍ୟାମ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହି ଡ୍ୟାମ୍‌ କେବଳ ବିଜୁଳି ଉତ୍ପାଦନ କରିବ ନାହିଁ ବରଂ ଯଦି ଚୀନ ପାଣି ଛାଡିଦିଏ କିମ୍ବା ବନ୍ଦ କରିଦିଏ ତେବେ ଏହି ବନ୍ଧ ସୁରକ୍ଷା କବଚ ହୋଇପାରିବ।
ବିଶ୍ୱ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ତୁର୍କୀ। ଅନ୍ୟତମ ପ୍ରମୁଖ ଡ୍ରୋନ୍‌ର ରପ୍ତାନିକାରୀ ଭାବେ ଖ୍ୟାତି ହାସଲ କରିଥିବା ତୁର୍କୀ ଭୟଙ୍କର ଓ ଶକ୍ତିଶାଳୀ ଡ୍ରୋନ୍‌ ନିର୍ମାଣ କରିଛି। ଇସ୍ତାନବୁଲରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିରକ୍ଷା ଶିଳ୍ପ ମେଳା ଆଇଡିଇଏଫ ୨୦୨୫ରେ, ତୁର୍କୀ ବିଶ୍ୱର ଦୁଇଟି ସବୁଠାରୁ ବିପଦପୂର୍ଣ୍ଣ ଅଣ-ପରମାଣୁ ବୋମା ଗଜାପା ପ୍ରଦର୍ଶନ କରିଛି। ଯାହାକୁ ନେଇ ତୁର୍କୀର ଶତ୍ରୁ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆତଙ୍କ ଖେଳି ଯାଇଛି।
ଏହି ବୋମାକୁ ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଏବଂ ବିକାଶ କେନ୍ଦ୍ର ବିକଶିତ କରିଛି। ଏହି ବୋମାର ବିଶେଷତ୍ୱ ହେଉଛି ଏହା ପ୍ରତି ମିଟରରେ ୧୦.୧୬ ଫ୍ରାଗମେଣ୍ଟ ହୋଇ ବିସ୍ଫୋରଣ କରିଥାଏ। ଯେତେବେଳେ ପାରମ୍ପରିକ ବୋମାଗୁଡ଼ିକର ଏପରି ପ୍ରଭାବ କେବଳ ୩ ମିଟର ପରିଧି ମଧ୍ୟରେ ରହିଥାଏ। ଏହାର ବହୁ-ଖଣ୍ଡ ଡିଜାଇନ୍‌ ଯୋଗୁ ବିସ୍ଫୋରଣ ପରିଧି ଏବଂ ପ୍ରଭାବ ଉଭୟ ବହୁତ ଘାତକ ହୋଇଥାଏ।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଗାଜାପ ଏବେ ପରୀକ୍ଷଣ ଏବଂ ପ୍ରମାଣପତ୍ର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଅତିକ୍ରମ କରିସାରିଛି ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ। ଦ୍ୱିତୀୟ ବୋମା ନେବ୍‌-୨କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବଙ୍କର ବଷ୍ଟର ବୋଲି ବିବେଚନା କରାଯାଉଛି। ଏହି ବୋମା ଏତେ ଶକ୍ତିଶାଳୀ ଯେ, ଏହା ଆମେରିକୀୟ କ୍ଷେପଣାସ୍ତ୍ର ସି-୩୫ ଗ୍ରେଡ ତୁଳନାରେ ଅଧିକ କଂକ୍ରିଟ୍ର କାନ୍ଥ ଭେଦ କରିପାରିବ। ସି-୩୫ ୨.୪ ମିଟର କଂକ୍ରିଟ କାନ୍ଥ ଭେଦ କରିବାରକୁ ସକ୍ଷମ ହୋଇପାରିବ।
ଗ୍ରେଡ୍‌ ସି-୩୫ ଗ୍ରେଡ୍‌ ଠାରୁ ନେବ୍‌-୨ ସି୫୦ ତିନି ଗୁଣା ଅଧିକ ଶକ୍ତିଶାଳୀ ବୋଲି ପରୀକ୍ଷଣରୁ ଜଣାପଡ଼ିଛି। ଏହା ୭ ମିଟର ପର୍ଯ୍ୟନ୍ତ ଘନ କଂକ୍ରିଟ୍‌ କାନ୍ଥ ଭେଦ କରିପାରିବ।
  ପରୀକ୍ଷଣ ସମୟରେ ଏଫ-୧୬କୁ ଏକ ଦ୍ୱୀପରେ ପକାଯାଇଥିଲା। ଯେଉଁଠାରେ ଏହା ୯୦ ମିଟର ଗଭୀରତା ପର୍ଯ୍ୟନ୍ତ ଭୂଗର୍ଭରେ ପ୍ରବେଶ କରିଥିଲା। ଏହା ଯୋଗୁ  ଭୂସ୍ଖଳନ ହେବା ସହିତ ଗ୍ୟାସ୍‌ ଲିକ୍‌ ଏବଂ ପଥର ଭାଙ୍ଗି ଯାଇଥିଲା। ଏହାର ସମୟ-ବିଳମ୍ବ ପ୍ରଯୁକ୍ତିବିଦ୍ୟା ଯୋଗୁ ଏହାର ବିସ୍ଫୋରଣ ୨୫ ମିଲିସେକେଣ୍ଡ ପରିବର୍ତ୍ତେ ୨୪୦ ମିଲିସେକେଣ୍ଡରେ ହୋଇଥିଲା। ଫଳରେ ଏହା ଅଧିକ କ୍ଷୟକ୍ଷତି କରିଥିଲା।
ପେଟ ଗ୍ୟାସ୍‌ ହେଉଥିଲେ ଚିନ୍ତା କରନ୍ତୁନି

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଅଧିକାଂଶ ଲୋକେ ଗ୍ୟାସ୍‌ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି। ତେବେ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇଁ କି ପ୍ରକାର ଦେଶୀ ଉପଚାର କରାଯାଇପାରିବ ସେ ବିଷୟରେ ଆସନ୍ତୁ ଜାଣିବା।

ଗ୍ୟାସ ବ୍ୟାଧିରୁ ମୁକ୍ତି ପାଇଁ ପ୍ରଥମ ଉପଚାର ହେଉଛି ଧନିଆ, ପାନମହୁରି ଏବଂ ଜିରା ଚା। ଏହି ତିନୋଟି ଔଷଧୀୟ ଉପାଦାନ ପାଚନକୁ ପ୍ରୋତ୍ସାହିତ କରେ, ପେଟ ଫୁଲା କମ କରେ ଏବଂ ଏସିଡିଟିକୁ ଶାନ୍ତ କରିଥାଏ। ଏହା ଏକ ଆୟୁର୍ବେଦିକ ଉପଚାର। ଆପଣଙ୍କୁ ଆବଶ୍ୟକ ସାମଗ୍ରୀ ହେଉଛି ଗୋଟିଏ ଚାମଚ ପାନମହୁରି, ଏକଚାମଚ ଧନିଆ ବିହନ, ଏକ ଚାମଚ ପାନମହୁରି, ଦୁଇ କପ ପାଣି। ଏହି ଚା ତିଆରି କରିବା ପାଇଁ, ଦୁଇ କପ ପାଣିରେ ଏହି ତିନୋଟି ବିହନ ମିଶାଇ ଆରମ୍ଭ କରନ୍ତୁ। କମ୍‌ ଆଞ୍ଚରେ ୫-୭ ମିନିଟ୍‌ ପାଇଁ ଫୁଟାନ୍ତୁ । ଖାଇବା ପରେ ଛାଣି ଗରମ ପିଅନ୍ତୁ।

ସେହିଭଳି ତ୍ରିଫଳା ହେଉଛି ତିନୋଟି ପବିତ୍ର ଫଳରୁ ତିଆରି ଏକ ପ୍ରାଚୀନ ଆୟୁର୍ବେଦିକ ଔଷଧ। ଶରୀରକୁ ଥଣ୍ଡା ରଖିଥାଏ ଆଁଳା। ଏହା ଭିଟାମିନ୍‌-ସି ରେ ଭରପୂର ଏବଂ ପେଟର ଆସ୍ତରଣକୁ ଶାନ୍ତ କରେ ଏବଂ ଏସିଡ୍‌ ଦ୍ୱାରା କ୍ଷତିଗ୍ରସ୍ତ ଟିସୁକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ।

ତୃତୀୟ ଔଷଧି ହେଉଛି ହରିତକୀ ଯାହା ବାତକୁ ସନ୍ତୁଳିତ କରେ ଏବଂ ପାଚନ ଶକ୍ତିକୁ ଶକ୍ତିଶାଳୀ କରିଥାଏ। ପାଚନ, ଏସିଡିଟି ଏବଂ ପ୍ରଦାହରେ ଧୀରେ ଧୀରେ ଉନ୍ନତି ଦେଖିବା ପାଇଁ ଏହାକୁ ପ୍ରତିଦିନ ରାତିରେ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଆପଣଙ୍କର ତୃତୀୟ ଉପଚାର ହେଉଛି ଶୁଖିଲା ଅଦା ଏବଂ ଗୁଡ଼। ଆୟୁର୍ବେଦରେ ଅଦାକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ। ଯାହାଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ।

ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ ଅଦା ପାଚନ ତନ୍ତ୍ର ପାଇଁ ଲାଭଦାୟକ। ଏହା ପାଚନ ଶକ୍ତି ବୃଦ୍ଧି କରେ ଏବଂ ପେଟ ଫୁଲିବା ଏବଂ ଅସ୍ୱସ୍ତିକୁ ହ୍ରାସ କରେ। ଅନ୍ୟପକ୍ଷରେ, ଗୁଡ଼ ପାଚନ ଏନଜାଇମକୁ ସକ୍ରିୟ କରେ ଏବଂ ଅନ୍ତନଳୀ ଗତିକୁ ସମର୍ଥନ କରେ। ଦୁଇ ଚାମଚ ଶୁଖିଲା ଅଦା ପାଉଡର, ଏକ ଚାମଚ ଗ୍ରାଟେଡ୍‌ ଗୁଡ଼, ୧ ଚାମଚ ଘିଅ ସେବନ କଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିପାରେ।

ଗ୍ୟାସ୍‌ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣଙ୍କୁ ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବାକୁ ପଡିବ। ଯେପରିକି ପ୍ରତିଦିନ ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ ଏବଂ ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଯାହା ଆପଣଙ୍କୁ ପେଟ ସମସ୍ୟାରୁ ମୁକ୍ତି ଦେବ।

ସେହିଭଳି ଖାଇବା ପରେ ଟିକେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ ଏବଂ ଆପଣଙ୍କ ପାଚନ ତନ୍ତ୍ରକୁ ସଫା କରିବା ପାଇଁ ଉଷୁମ ପାଣି ପିଇଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ।

ଫୋନ୍‌ ପେ’, ଗୁଗଲ ପେ’ର ଆୟ ୫ ହଜାର କୋଟି

ଆମେମାନେ ଫୋନ୍‌ ପେ’ ଓ ଗୁଗଲ୍‌ ପେ’ ମାଧ୍ୟମରେ ମାଗଣା ସେବା ପାଉଛନ୍ତି। ଏଥିପାଇଁ ଆମକୁ କୌଣସି ଦେୟ ଦେବାକୁ ପଡ଼ୁନି। କିନ୍ତୁ ଅନେକ ସମୟରେ ପ୍ରଶ୍ନ ଆସେ ସେମାନେ ତାହାଲେ ରୋଜଗାର କରୁଛନ୍ତି କିଭଳି ବା ସେମାନଙ୍କ ଆୟ କେଉଁଠାରୁ ଆସୁଛି। ଆସନ୍ତୁ ଜାଣିବା ଗୁଗଲ୍‌ ପେ’ ଓ ଫୋନ୍‌ ପେ’ର ଆୟର ଉତ୍ସ କେଉଁଠି।
ସାରାବିଶ୍ୱ ତୁଳନାରେ ଭାରତରେ ସର୍ବାଧିକ ଲୋକେ ୟୁପିଆଇ ବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବ୍ୟବହାର କରୁଛନ୍ତି।
ସବୁଠାରୁ ବଡ଼କଥା ହେଉଛି ଏହି ଦୁଇଟି କମ୍ପାନି ଗ୍ରାହକ ବା ଉପଭୋକ୍ତାଙ୍କୁ ମାଗଣାରେ ସେବା ଯୋଗାଇ ଆସୁଥିବା ବେଳେ ଗତବର୍ଷ ଅର୍ଥାତ ୨୦୨୪ ପର୍ଯ୍ୟନ୍ତ ଏହି ଦୁଇଟି କମ୍ପାନୀ ୫ ହଜାର ୬୫ କୋଟି ଟଙ୍କା ଲାଭ କରିଛନ୍ତି।
ଲିଙ୍କଡିନରେ ଆଇଏସ୍‌ ବିସିର ଫାଉଣ୍ଡିଂ ପାର୍ଟନର ମୃଣାଳ ଝାବେରୀ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଗୁଗୁଲ୍‌  ପେ’ ଓ ଫୋନ ପେ’ର ରେଭିନ୍ୟୁ ବାବଦରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଦୁଇଟି କମ୍ପାନୀ ଛୋଟ ଛୋଟ ଦୋକାନୀମାନଙ୍କ ଠାରୁ ସର୍ବାଧିକ ଲାଭ ଉଠାଉଛନ୍ତି। ଦୋକାନରେ ଲାଗିଥିବା ଭଏସ ଅପରେଟିଂ ମେସିନରୁ ଏମାନେ ବିଶେଷ ଲାଭ ଉଠାଇଥାନ୍ତି।
ଆପଣମାନେ ୟୁପିଆଇରେ ଟଙ୍କା ପ୍ରଦାନ କରିବା ପରେ ଦୋକାନରୁ ଯେଉଁ ସ୍ୱର ଶୁଣାଯାଏ ଫୋନ ପେରେ ୧୦୦ ଟଙ୍କା ପ୍ରାପ୍ତହେଲା ସେହି ମାଧ୍ୟମରେ ଏହି ଦୁଇ କମ୍ପାନି ଦୋକାନୀମାନଙ୍କ ଠାରୁ ମାସିକ ୧୦୦ ଟଙ୍କା ଆଦାୟ କରିଥାନ୍ତି। ଦେଶରେ ୩୦ ଲକ୍ଷରୁ ଅଧିକ ଦୋକାନରେ ଏହି ଭଏସ ମେସିନ ଲାଗିଛି। ଯେଉଁଥିରୁ ଏହି ଦୁଇ କମ୍ପାନୀ ମାସିକ ୩୦ କୋଟି ଓ ବାର୍ଷିକ ୩୬୦ କୋଟି ଟଙ୍କା ଆଦାୟ କରିଥାନ୍ତି ବୋଲି ସେ ଉଲ୍ଲେଖ କରିଥାନ୍ତି।
ସେମାନଙ୍କ ଅନ୍ୟତମ ରୋଜଗାରର ପନ୍ଥା ହେଉଛି ସ୍କ୍ରାଚ୍‌ କାର୍ଡ। ସ୍କ୍ରାଚ୍‌ କାର୍ଡ ମାଧ୍ୟମରେ ଗ୍ରାହକଙ୍କୁ ୧୨ ଟଙ୍କାର କ୍ୟାସବ୍ୟାକ ବା କୁପନର ଲୋଭ ଦେଖାଯାଇଥାଏ। ଏଥିରେ ଗ୍ରାହକ ଖୁସି ନ ଥାନ୍ତି କେବଳ ବ୍ରାଣ୍ଡସ ପାଇଁ ବିଜ୍ଞାପନର ଏକ ଚାଲାକ ମାଧ୍ୟମ ଅଟେ। ବ୍ରାଣ୍ଡସଗୁଡିକ ନିଜର ପ୍ରଚାର ପାଇଁ ଏସବୁ କାର୍ଡ ପାଇଁ ୟୁପିଆଇ କମ୍ପାନିଙ୍କୁ ଦେୟ ଦେଇଥାନ୍ତି। ଏଥିରୁ ଗୁଗ୍‌ଲ ପେ’ ଓ ଫୋନ ପେ’ ଲାଭ କରିଥାନ୍ତି।
ଏସବୁ କମ୍ପାନୀଗୁଡ଼ିକ ୟୁପିଆଇର ବିଶ୍ୱସନୀୟତାକୁ ସଫ୍ଟୱେର ଏ-ଏ ସେବାକୁ ପରିବର୍ତ୍ତନ କରିଛି। ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଜିଏସଟି ସହାୟତା, ଇନଭଏସ ମେକର ଓ କ୍ଷୂଦ୍ର ଋଣ ଭଳି ସୁବିଧା ପ୍ରଦାନ କରିଥାନ୍ତି।  ୟୁପିଆଇର ମୂଳ ଢାଞ୍ଚ କେବଳ ଏକ ଆକର୍ଷଣ, ହେଲେ ମୁଖ୍ୟ ଲାଭ ସଫ୍ଟୱେର ଓ ଆର୍ଥିକ ସେବାରୁ ଆସୁଥିବା ଜଣାପଡ଼ିଛି।

ଗତ ବୁଧବାର ଏନ୍‌ସିବି ପକ୍ଷରୁ ବିଦେଶୀ ନିଶାଦ୍ରବ୍ୟ ସିନ୍ଥେଟିକ୍‌ ଡ୍ରଗ୍‌ସ ଜବତ ପରେ ଏବେ କମିସନରେଟ୍‌ ପୁଲିସ ପାଇଁ ଚିନ୍ତା ବଢ଼ିଯାଇଛି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଉପଲବ୍ଧ ହେଉଥିବା ଏହି ନିଶାଦ୍ରବ୍ୟ ଭୁବନେଶ୍ୱରକୁ କିଭଳି ଆସିଲା ତାକୁ ନେଇ ଚିନ୍ତାରେ ପଡ଼ିଛି ପୁଲିସ। କେବଳ ପୁଲିସ ନୁହେଁ ଅବକାରୀ ବିଭାଗ, ଏନ୍‌ସିବି ପାଇଁ ମଧ୍ୟ ଏହା ଏବେ ଚିନ୍ତାର କାରଣ ପାଲଟିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୟୁରୋପରୁ ଭୁବନେଶ୍ୱର ଆସୁଥିବା ସିନ୍ଥେଟିକ୍‌ ଡ୍ରଗ୍ସ (ଏଲ୍‌ଏସ୍‌ଡି)କୁ ଜବତ କରିଛି ନାର୍କୋଟିକ କେ୍‌ଣ୍ଟ୍ରାଲ ବ୍ୟୁରୋ(ଏନ୍‌ସିବି) ଯେଉଁ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ତା’ର ଲିଙ୍କ୍‌ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ରହିଛି କି ନାହିଁ ତାକୁ ନେଇ ଏନ୍‌ସିବି ତଦନ୍ତ ଆରମ୍ଭ କରିଛି।  ମୈତ୍ରୀ ବିହାର ଏଲ୍‌ଆଇସି କଲୋନୀରୁ ଗିରଫ ହୋଇଥିବା ଛାତ୍ର ଆର୍ଯ୍ୟମାନ ପଟ୍ଟନାୟକଙ୍କ ସମ୍ପର୍କୀୟ ଏବଂ ସହପାଠୀକୁ ନେଇ ପୁଲିସ ତଦନ୍ତ କରୁଛି।
 କ’ଣ ଏହି ସିନ୍ଥେଟିକ୍‌ ଡ୍ରଗ୍ସ: ଆମେମାନେ ସାଧାରଣତଃ ଡ୍ରଗ୍‌ସ ଭିଷୟରେ ଜାଣିଛେ ହେଲେ। ସିନ୍ଥେଟିକ୍‌ ଡ୍ରଗ୍ସ ବିଷୟରେ କମ୍‌ ଜାଣିଛନ୍ତି। ତେବେ କ’ଣ ଏହି ସିନ୍ଥେଟିକ୍‌ ଡ୍ରଗ୍‌ସ ବା ଏଲ୍‌ଏସ୍‌ଡି। ଏଲ୍‌ଏସ୍‌ଡିର ଇଂରାଜୀରେ ପୂରା ନାମ ହେଉଛି ଲାଇସରଜିକ ଏସିଡ୍‌ ଡାଇଥାଇଲାମାଇଡ୍‌। ଯାହା ସିନ୍‌ଥେଟିକ୍‌ ଡ୍ରଗ୍ସ ଭାବେ ଜଣା। ଛୋଟ ପେପର ଭଳି ଏକ ଚିପ୍‌ ଭଳି ଦେଖାଯାଉଥିବା ଦେଖାଯାଉଥିବା ଏହି ନିଶାଦ୍ରବ୍ୟ ଅତ୍ୟନ୍ତ ଭୟଙ୍କର। ଏହାକୁ ଜିଭରେ ରଖିବା ପରେ ମଣିଷନିଜର ନିୟନ୍ତ୍ରଣ ହରାଇ ବସେ। ଏମିତି କି ଅସ୍ୱାଭାବିକ ଆଚରଣ ପରିଲକ୍ଷିତ ହୁଏ।
ଏହାକୁ ସେବନ କରିବାର ମାତ୍ର କିଛି ସମୟ ମଧ୍ୟରେ ଦେହରୁ ପ୍ରଚୁର ଝାଳ ବାହାରିଥାଏ। ଏଥିସହିତ ନିଦ ଓ ଭୋକ ମଧ୍ୟ ନ ଲାଗିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏହାକୁ ବାରମ୍ବାର ବ୍ୟବହାର କଲେ ରକ୍ତଚାପ, ହୃଦଘାତ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି। ତେବେ ଏଭଳି ନିଶା ଭାରତରେ ବା ଓଡ଼ିଶାରେ କ୍ୱଚିତ୍‌ ଦେଖା ଦେଇଥାଏ।
ଏହି ଡ୍ରଗ୍ସ କିଭଳି ଭୁବନେଶ୍ୱରକୁ ଆସିଲା ତାକୁ ନେଇ ଏବେ ପୁଲିସର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। କିଛି ନୂଆ ଚ୍ୟାନେଲ୍‌ ଦେଇ ଏହା ଓଡ଼ିଶାକୁ ଆସିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଏ ନେଇ ପୂରା କମିସନରେଟ୍‌ ପୁଲିସର ବିଶେଷଜ୍ଞମାନେ  ତଦନ୍ତ କରୁଛନ୍ତି।
ଅପରପକ୍ଷେ ସିନ୍ଥେଟିକ୍‌ ଡ୍ରଗ୍ସ ନିଶାରେ ଅଧିକାଂଶ ତରୁଣ ଯୁବକମାନେ ପଡ଼ିବାର ଆଶଙ୍କା ରହିଛି। ତେବେ ଜଣେ ମାନସିକ ରେଗା ବିଶେଷଜ୍ଞଙ୍କ କହିବାନୁଯାୟୀ ସାଧାରଣ ଗଞ୍ଜେଇ, ମଦ ନିଶାରେ ପଡ଼ୁଥିବା ନିଶାଡ଼ିଙ୍କୁ ଜାଣିବା ସହଜ ହୋଇଥାଏ। କିନ୍ତୁ ସିନ୍ଥେଟିକ୍‌ ଡ୍ରଗ୍ସ, ବ୍ରାଉନ୍‌ସୁଗର କିମ୍ବା କୋକେନ ଭଳି ନିଶା ସେବନ କରୁଥିବା ପିଲାଙ୍କୁ ଚିହ୍ନିବା ବା ଜାଣିବାକୁ ସମୟ ଲାଗିଥାଏ।
ଅଧିକାଂଶ ଟିନ୍‌ଏଜ୍‌ର ଯୁବକମାନେ ଏହି ନିଶାରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ଆପଣଙ୍କ ପିଲା ଯଦି ଅସ୍ୱାଭାବିକ ଆଚରଣ କରୁଛି କିମ୍ବା ଅନ୍ୟ ସାଙ୍ଗମାନଙ୍କ ସହ ଅଧିକାଂଶ ସମୟ ଏକୁଟିଆ ବିତାଉଛି ତେବେ ତା ପ୍ରତି ନଜର ରଖନ୍ତୁ। ବିଶେଷକରି ଏକ ନିର୍ଦ୍ଦିଷ୍ଟ ସମୟରେ ଯଦି ସେ ନିସ୍ତେଜ ରହୁଛି କାହା ସହିତ କଥା ହେଉନାହିଁ ତେବେ ଆପଣ ତା ପ୍ରତି ଧ୍ୟାନ ଦିଅନ୍ତୁ। ଆବଶ୍ୟକସ୍ଥଳେ ତା ସହ କାଉନ୍‌ସେଲିଂ କରନ୍ତୁ। ଏହି ନିଶାରେ କବଳିତ ହେବା ପରେ ତାକୁ ବାଟକୁ ଫେରାଇ ଆଣିବା କାଠିକର ପାଠ ହୋଇ ପଡ଼ିବ ।
ଅନେକ ସମୟରେ ନବଜାତ ଶିଶୁକୁ ନେଇ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳେ। ପିଲାର ବିକୃତ ରୂପକୁ ଦେଖି ଅନେକ ରାକ୍ଷାସ ପିଲା ଏବଂ ଏଲିଅନ ସନ୍ତାନ ବୋଲି କହିଥାନ୍ତି। କିନ୍ତୁ ଏହା ପଛରେ ରହିଥାଏ ଡାକ୍ତରୀ କାରଣ। କେଉଁ ସ୍ୱାସ୍ଥ୍ୟଗତ କାରଣ ପାଇଁ ଏଭଳି ଶିଶୁ ଜନ୍ମ ହୋଇଥାନ୍ତି ଆସନ୍ତୁ ଜାଣିବା।
ଗତ ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ରିୱା ଜିଲ୍ଲା ତେଓଁଥର ତହସିଲର ଢକରା ସୋନୌରୀ ଗାଁର ପ୍ରିୟଙ୍କା ପଟେଲ ଜନ୍ମ ଦେଇଥିବା ଶିଶୁକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପିଲା ସ୍ୱାଭାବିକ ଭାବରେ ଦେଖାଯାଉ ନ ଥିଲା ବରଂ ଅନ୍ୟଗ୍ରହ ଅର୍ଥାତ୍‌ ଏଲିଅନ୍‌ ପରି ଦେଖାଯାଉଥିଲା। ଯାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇଥିଲା।
ଡାକ୍ତରଙ୍କ କହିବା ଅନୁସାରେ, ଶରୀରର ଚର୍ମଗୁଡ଼ିକ ଫାଟି ଯାଇଥିଲା। ଯାହା ଦେଖିବାକୁ ଏକ ଏଲିଅନ ପରି ଥିଲା। ଶିଶୁଟିର ଅବସ୍ଥା ଗମ୍ଭୀର ହେବା ପରେ ଡାକ୍ତରମାନେ ତାକୁ ରିୱାର ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।
ଅପରପକ୍ଷେ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ଶିଶୁ ରୋଗ ବିଭାଗର ଡାକ୍ତର ନବୀନ କୁମାରଙ୍କ କହିବା ଅନୁସାରେ ନବଜାତକ ଶିଶୁଟି ଏକ ଦୁର୍ଲଭ ରୋଗରେ ପୀଡିତ, ଯାହାକୁ ମେଡିକାଲ ଭାଷାରେ “ହାର୍ଲେକ୍ୱିନ୍‌ ଇକଥିଓସିସ୍‌’ କୁହାଯାଏ। ଶିଶୁ ଗର୍ଭରେ ଥିବା ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। ଜିନ୍‌ କାରଣରୁ ଏହି ରୋଗ ହେଲେ ଶିଶୁର ଚର୍ମ ମୋଟା ହୋଇ ଫାଟି ଯାଇଥାଏ।
ହାର୍ଲେକ୍ୱିନ୍‌ ଇକଥିଓସିସ୍‌ ହେଉଛି ଇକଥିଓସିସ୍‌ ବର୍ଗର ସବୁଠାରୁ ଗମ୍ଭୀର ରୋଗ। ଯାହା ଏକ ଚର୍ମ ରୋଗ ଅଟେ। ଏଥିରେ ଶରୀରର ପ୍ରାୟ ସମସ୍ତ ଅଂଶରେ ଚର୍ମ ମୋଟା ହୋଇଯାଏ ଏବଂ ହୀରା ଆକୃତିର ପ୍ଲେଟରେ ବିଭକ୍ତ ହୋଇଯାଏ। ଯାହା ଗଭୀର ଫାଟ ଦ୍ୱାରା ଅଲଗା ହୋଇଥାଏ। ଏହି କଠୋର ଚର୍ମ ଶିଶୁର ଆଖିପତା, ନାକ, ପାଟି ଏବଂ କାନର ଆକୃତିକୁ ପ୍ରଭାବିତ କରେ ଏବଂ ହାତ ଓ ଗୋଡର ଗତିକୁ ସୀମିତ କରିଦିଏ। ଏହି ରୋଗରେ ପୀଡିତ ନବଜାତ ଶିଶୁଙ୍କୁ ତୁରନ୍ତ ନିଓନାଟାଲ୍‌ ଇଣ୍ଟେନ୍ସିଭ୍‌ କେୟାର ୟୁନିଟ୍‌ରେ ଯତ୍ନ ନେବା ଆବଶ୍ୟକ।
ସମସ୍ତ ପ୍ରକାର ଯୋଜନା ସତ୍ତ୍ୱେ ଦେଶରେ ସଡ଼କ ଦୁର୍ଘଟଣା କମିବାର ନାଁଗନ୍ଧ ଧରୁନି। ସରକାରୀ ରିପୋର୍ଟ ମୁତାବକ ଦେଶରେ ପ୍ରତି ଘଣ୍ଟାରେ ୬ ଜଣ ମୃତ୍ୟୁ ଘଟୁଛି। ଏ କଥା ଆମେ କହୁନାହୁଁ; ଖୋଦ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏ ନେଇ ସୂଚନା ଦେଇଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ୨୦୨୫ ବର୍ଷର ପ୍ରଥମ ୬ ମାସ  ଅର୍ଥାତ୍‌ ଜାନୁଆରୀରୁ ଜୁନ୍‌ ମଧ୍ୟରେ ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି।
ସେହି ସମୟରେ, ୨୦୨୪ ମସିହାରେ ରାଜପଥରେ ୫୨,୬୦୯ ଗୁରୁତର ଦୁର୍ଘଟଣା ରେକର୍ଡ କରାଯାଇଥିଲା। ଦୁର୍ଘଟଣା ରୋକିବା ପାଇଁ, ସରକାର ଏଟିଏମ୍‌, ସଡ଼କ ସୁରକ୍ଷା ଅଡିଟ୍‌ ଏବଂ କଠୋର ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ଏହା ସହିତ, ଜନସଚେତନତା ଅଭିଯାନ ମଧ୍ୟ ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ କିଛି ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜପଥ ଏବଂ ଏକ୍ସପ୍ରେସୱେରେ ଆଡଭାନ୍ସଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ସ୍ଥାପନ କରିଛି। ଏଥିରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ, ଟ୍ରାନ୍ସ-ହରିଆଣା, ପୂର୍ବ ପେରିଫେରାଲ୍‌ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ରୁଟ୍‌ ଅନ୍ତର୍ଭୁକ୍ତ ରହିଛି ବୋଲି ସୂଚନା ଦେଇଛନ୍ତି।
ଏହି ସିଷ୍ଟମରେ ଇଲେକ୍‌ଟ୍ରୋନିକ୍‌ ମନିଟରିଂ ଉପକରଣ ସଜ୍ଜିତ, ଯାହା ଦୁର୍ଘଟଣା କିମ୍ବା ଜରୁରିକାଳୀନ ପରିସ୍ଥିତି ବିଷୟରେ ତୁରନ୍ତ ସୂଚନା ପ୍ରଦାନ କରେ। ଏହା ସାହାଯ୍ୟରେ ଘଟଣାସ୍ଥଳକୁ ତୁରନ୍ତ ସାହାଯ୍ୟ ପଠାଯାଇପାରିବ ଏବଂ ଯାହା ଜୀବନ ରକ୍ଷା କରିବାରେ ସାହାଯ୍ୟ କରେ ବୋଲି ଗଡକରୀ କହିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ୧,୧୨,୫୬୧ କିଲୋମିଟର ଜାତୀୟ ରାଜପଥର ସଡ଼କ ସୁରକ୍ଷା ଅଡିଟ୍‌ କରାଯାଇଛି।
ପ୍ରକାଶ ଥାଉ କି ୨୦୨୨ ମସିହାରେ ଦେଶରେ ୪.୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଦୁର୍ଘଟଣାର କାରଣ ସାଧାରଣତଃ – ଦ୍ରୁତ ଗତି, ବିନା ହେଲମେଟରେ ବାଇକ୍‌ ଚଲାଇବା ପ୍ରମୁଖ ବୋଲି କୁହାଯାଇଛି । ସରକାର ଏବେ ନିରନ୍ତର ସଡ଼କ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ଏବଂ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ।