ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ବିରଳ ସ୍ଥିତି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚ ଥର ଭୂକମ୍ପ ହୋଇଛି। ଏହି ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି। ରବିବାର ସମୁଦ୍ରରେ ଭୂକମ୍ପ ହେବା ପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ରୁଷିଆର କାମଚାଟକା ଉପଦ୍ୱୀପ ପାଇଁ ସୁନାମି ଚେତାବନୀ ଜାରି କରିଛି। ରୁଷିଆରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ୭.୪ ଥିଲା ବୋଲି ରେକର୍ଡ କରାଯାଇଛି।
ରୁଷିଆର ସବୁଠାରୁ ବଡ଼ ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରଠାରୁ ୧୪୪ କିଲୋମିଟର ପୂର୍ବରେ ଥିଲା ଏବଂ ଏହାର ଗଭୀରତା ୨୦ କିଲୋମିଟର ଥିଲା। ପ୍ରକାଶ ଥାଉ କି, ଏହି ସହରର ଜନସଂଖ୍ୟା ୧ ଲକ୍ଷ ୮୦ ହଜାର। ଏହାର କିଛି ମିନିଟ୍ ପୂର୍ବରୁ, ନିକଟସ୍ଥ ଅଞ୍ଚଳରେ ୬.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଏହା ସହିତ ଆଉ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଧନଜୀବନ ହାନିର କୌଣସି ସୂଚନା ମିଳିନାହିଁ।
ଆମେରିକା ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ) ଅନୁଯାୟୀ, ରୁଷିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ତିନୋଟି ବଡ଼ ଭୂକମ୍ପ ରେକର୍ଡ କରାଯାଇଛି, ଯେଉଁଥିରୁ ଗୋଟିଏର ତୀବ୍ରତା ୭.୪ ଥିଲା। ସେହି ସମୟରେ, ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ଉପକୂଳର ସମାନ ଅଞ୍ଚଳରେ ୩୨ ମିନିଟ୍ ବ୍ୟବଧାନରେ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।
ଆମେରିକାର ଜାତୀୟ ସୁନାମି କେନ୍ଦ୍ର ରୁଷିଆ ଏବଂ ଆମେରିକାର ହାୱାଇ ପାଇଁ ସୁନାମି ଚେତାବନୀ ଜାରି କରିଛି। କାମଚାଟକା ଅଞ୍ଚଳ ପ୍ରଶାନ୍ତ ମହାସାଗର ସମ୍ମୁଖ ଭାଗରେ ଜାପାନର ଉତ୍ତର-ପୂର୍ବରେ ଏବଂ ଆମେରିକାର ଆଲାସ୍କା ରାଜ୍ୟର ପଶ୍ଚିମରେ ବେରିଂ ସାଗର ପାର୍ଶ୍ୱରେ ଅବସ୍ଥିତ ରହିଛି।
କାମଚାଟକା ଉପଦ୍ୱୀପ ପ୍ରଶାନ୍ତ ମହାସାଗର ଏବଂ ଉତ୍ତର ଆମେରିକୀୟ ଟେକ୍ଟୋନିକ୍ ପ୍ଲେଟର ମିଳନ ବିନ୍ଦୁ ବୋଲି ଆକଳନ କରାଯାଇଛି। ଫଳରେ ଏହା ଏକ ଭୂକମ୍ପ ପ୍ରବଣ କ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ୧୯୦୦ ମସିହାରୁ, ଏହି ଅଞ୍ଚଳ ୮.୩ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ସାତୋଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।


