ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ଅଭିଯୋଗ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମାହାଙ୍ଗା ପଡ଼ିଛି। ଅଭିଯୋଗକୁ ଆଧାର କରି ନୀତିଶ କୁମାରଙ୍କ ବିରୋଧରେ ବେଗୁସରାଇ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଓକିଲ ବିକାଶ ପାସୱାନ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଥିଲେ। ସେ ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଧାରା ୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ବିକାଶ ପାସୱାନ ଅଭିଯୋଗ କରି କହିଥିଲେ, ୨୦୨୫ ମାର୍ଚ୍ଚ ୨୦ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଏକ ଭିଡିଓ ଦେଖିବାକୁ ପାଇଥିଲି। ଏହି ଭିଡିଓଟି ଅନେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ଏହି ଭିଡ଼ିଓ ଅନୁଯାୟୀ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ସମୟରେ ଜାତୀୟ ସଙ୍ଗୀତ ବାଜୁଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହୋଇ ହସୁଥିଲେ । ଏଥିସହିତ ତାଙ୍କୁ ବାରମ୍ବାର ସ୍ପର୍ଶ କରି ହଇରାଣ ମଧ୍ୟ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା।


