ପାରିବାରିକ ଦୁଶ୍ଚିନ୍ତାରେ ଜୀବନ ହାରିଛନ୍ତି ସ୍କୁଲ ଶିକ୍ଷକ।ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନିମଡିହା ଜଙ୍ଗଲରୁ ବୁଧବାର ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିକ୍ଷକ ଜଣକ ହେଉଛନ୍ତି ଅଁଳା ପଞ୍ଚାୟତ ଅଧୀନ ତେନ୍ତୁଳିଗାଁ ଗ୍ରାମର ହାଡ଼ିବନ୍ଧୁ ସୋରେନ (୪୧)।
ପୁରୁଣିଆ ପଞ୍ଚାୟତ ଅଧୀନ ସିଂହଡିହ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ହାଡ଼ିବନ୍ଧୁ। ତେବେ ପାରିବାରିକ କଳହରୁ ସ୍ତ୍ରୀ ଓ ଦୁଇପିଲାଙ୍କୁ ନେଇ କିଛିବର୍ଷ ହେବ ଅଲଗା ରହିଆସୁଥିଲେ। ପାରିବାରିକ ସମସ୍ୟାକୁ ନେଇ ଶିକ୍ଷକ ହାଡ଼ିବନ୍ଧୁ ସୋରେନ ଅଧିକାଂଶ ସମୟରେ ଦୁଶ୍ଚିନ୍ତାରେ ରହୁଥିବା ନେଇ ସହକର୍ମୀ ଶିକ୍ଷକମାନେ ସୂଚନା ଦେଇଛନ୍ତି। ବୁଧବାର ସକାଳେ ନିମଡିହା ଜଙ୍ଗଲରେ ହାଡ଼ିବନ୍ଧୁଙ୍କ ଝୁଲନ୍ତା ମୃତଦେହକୁ ଦେଖି ସ୍ଥାନୀୟଲୋକେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବରପାଇ ବୈଶିଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ପାରିବାରିକ ଅଶାନ୍ତି ପାଇଁ ସବୁବେଳେ ମାନସିକ ଚାପରେ ରହିଆସୁଥିବା ହାଡିବନ୍ଧୁ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ତେବେ ମୃତ୍ୟୁ ସମୟରେ ତାଙ୍କ ଉଲଗ୍ନ ଶରୀର ସନ୍ଦେହ ସୃଷ୍ଟି କରୁଛି।


