ଦିନସାରା ଫାର୍ମ ହାଉସରେ କାମ ସାରି ସୋଇଥିଲେ। ନିଘୋଡ଼ ନିଦରେ ଶୋଇଥିବା ବେଳେ ଶୁଭିଲା ପ୍ରଚଣ୍ଡ ଶବ୍ଦ। କିଛି ଭାବିବା ପୂର୍ବରୁ ଶିକାରୀଙ୍କ ବନ୍ଧୁକରୁ ଗୁଳି ଆସି ବାଜିଥିଲା ଫାର୍ମ ହାଉସ୍ ମାଲିକଙ୍କ କାନମୁଣ୍ଡରେ। ମାତ୍ର କିଛି ସମୟ ମଧ୍ୟରେ ଉଡିଗଲା ପ୍ରାଣ ବାୟୁ।
ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ। ମୃତକ ହେଲେ ଫାର୍ମ ହାଉସ୍ ମାଲିକ ଗୋବିନ୍ଦ ନାୟକ। ଖବର ନେବାରୁ ଜଣାପଡ଼ିଛି ଯେ, ଢେଙ୍କାନାଳ ଜିଲ୍ଲା ଭାପୁର ଫାଶୀ ଗ୍ରାମରେ ଥିବା ଫାର୍ମ ହାଉସରେ ଗୋବିନ୍ଦ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ଶିକାରୀଙ୍କ ଗୁଳିରେ ଫାର୍ମ ହାଉସ ମାଲିକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଢେଙ୍କାନାଳ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ଜଣେ ଶିକାରୀଙ୍କୁ ଅଟକ ରଖିଛି। ତେବେ କାହିଁକି ସେ ଗୁଳି କରିଥିଲେ ତା’ର କାରଣ ନେଇ କିଛି ଜଣା ପଡିନାହିଁ।


