ଷ୍ଟକ୍‌ ବଜାରରେ ଆଜି ଥିଲା ସପ୍ତାହର ଶେଷ କାରବାର। ଏଥିରେ ସାଂଘାତିକ ଭାବେ ମାଡ଼ ହୋଇଛି ସେୟାର୍‌ ବଜାର। ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ୱର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ପ୍ରଭାବରେ ଭାରତୀୟ ଷ୍ଟକ ବଜାର କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଆଜିର ସେୟାର ବଜାର ରେକର୍ଡ କରିଛି।

ନିଫ୍ଟି-୫୦ ଏବଂ ସେନସେକ୍ସ ଗତବର୍ଷ ସେପ୍‌ଟେମ୍ବର ମାସରେ ଥିବା ନିଜ ନିଜର ସର୍ବୋଚ୍ଚ ସ୍ତରରୁ ଏପର୍ଯ୍ୟନ୍ତ ୧୬ ପ୍ରତିଶତ ହ୍ରାସ ପାଇସାରିଲେଣି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି। ବଜାର ବନ୍ଦ ସମୟରେ ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ୨୯ଟି ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଗୋଟିଏ ମାତ୍ର ଷ୍ଟକ୍‌ ସାମାନ୍ୟ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଥିଲା। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୮୭ ପ୍ରତିଶତ ବା ୪୨୨ ପଏଣ୍ଟ ହ୍ରାସ ପାଇ ଶେଷରେ ୨୨,୧୨୨ରେ ପହଞ୍ଚିଥିଲା। ବଜାର ବନ୍ଦ ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୫ଟି କାରବାର ବୃଦ୍ଧି କରିଥିବା ବେଳେ ୪୫ଟି ଷ୍ଟକ୍‌ରେ ହ୍ରାସ ପରିଲକ୍ଷିତ ହୋଇଥିଲା।
ନିଫ୍ଟିରେ ସର୍ବାଧିକ ହ୍ରାସ ଟେକ ମହିନ୍ଦ୍ରାରେ ଦେଖାଯାଇଛି ଯାହାକି ୬.୩୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କରେ ୬.୨୫ ପ୍ରତିଶତ, ୱିପ୍ରୋରେ ୫.୮୭ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୩୩ ପ୍ରତିଶତ ଏବଂ ଭାରତୀ ଏୟାରଟେଲରେ ୪.୮୭ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ଏଚ୍‌ଡିଏଫସି ବ୍ୟାଙ୍କରେ ସର୍ବାଧିକ ୧.୭୮ ପ୍ରତିଶତ, ଶ୍ରୀରାମ ଫାଇନାନ୍ସରେ ୧.୭୬ ପ୍ରତିଶତ, କୋଲ ଇଣ୍ଡିଆରେ ୧.୩୭ ପ୍ରତିଶତ, ଟ୍ରେଣ୍ଟରେ ୦.୯୮ ପ୍ରତିଶତ ଏବଂ ହିଣ୍ଡାଲକୋରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି।

ଓଡ଼ିଆ ସିନେମା ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କ ବରମୁଣ୍ଡା ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଞ୍ଚିଛି। ଗୁରୁଗାଁ ମେଦାନ୍ତ ହସପିଟାଲରୁ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି। ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସିନେ ତାରକାଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ତାଙ୍କ ଶୁଭେଚ୍ଛୁ ମାନେ ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନ ଦାସ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ବନା ଦେଇଛନ୍ତି। ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଉତ୍ତମଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ରାଷ୍ଟ୍ରପତି । ଅପରାହ୍ନରେ ତାଙ୍କ ମରଶରୀରକୁ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ।

ପ୍ରକାଶ ଥାଉ କି ଲିଭର ସୋରସିସ ରୋଗରେ ପୀଡିତ ଉତ୍ତମଙ୍କୁ ଗତ ଫେବୃଆରୀ ୮ ତାରିଖରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୁରୁବାର ଦେହାନ୍ତ ହୋଇଯାଇଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ୬୬ ବର୍ଷ ବୟସରେ ମେଦାନ୍ତ ତାଙ୍କର ପରଲୋକ ହୋଇଯାଇଛି। ସେ ଗତ ଫେବୃଆରୀ ୬ ତାରିଖ ବାବୁସାନ ଫିଲ୍ମ ବ୍ୟାନର୍‌ରେ ଚାଲିଥିବେ ‘ବୋଉ ବୁଟୁ ଭୂତ’ ଫିଲ୍ମର ସୁଟିଂ ସେଟ୍‌ରେ କାମ କରୁଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଓ ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ୍‌କୁ ପଠା ଯାଇଥିଲା। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ।
ପ୍ରକାଶ ଥାଉ କି ଶ୍ରୀ ମହାନ୍ତି ୧୯୫୭ ମସିହାରେ ବାରିପଦା ସହରରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ଗ୍ରାଜୁଏସନ ପାଠ୍ୟକ୍ରମ ଶେଷ କରିବା ପରେ ବଡ଼ଭାଇ ଅରୁଣ ମହାନ୍ତି ତାଙ୍କୁ କୋଲକାତାର ଏକ ଅନୁଷ୍ଠାନରେ ଚାର୍ଟାାଡ୍‌ ଆକାଉଣ୍ଟାଣ୍ଟ ପାଠ୍ୟକ୍ରମ ପାଇଁ ନାଁ ଲେଖାଇଥିଲେ। କିନ୍ତୁ ତାଙ୍କର ପିଲାବେଳୁ ଅଭିନୟ ପ୍ରତି ଥିଲା ଅହେତୁକ ଦୁର୍ବଳତା। ସ୍କୁଲ, ଏବଂ କଲେଜରେ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ ଉତ୍ତମ।
ଅଭିମାନ ଚଳଚ୍ଚିତ୍ରରୁ ନିଜର ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରି ଇତି ମଧ୍ୟରେ ୧୩୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଉତ୍ତମ। ସେହିଭଳି ୩୦ଟି ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଗୋଟିଏ ହିନ୍ଦି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି।
ସେ ୧୯୮୭ ମସିହାରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ବିହାହ କରିଥିଲେ। ରାମାୟଣ, ଚିହ୍ନା ଅଚିହ୍ନା, ନିଝୁମ୍‌ ରାତିର ସାଥୀ, ଦଣ୍ଡା ବାଳୁଙ୍ଗୁ, ବଗୁଲା ବଗୁଲି ଭଳି ବହୁ ସିନେମାରେ ଅଭିନୟ କରି କୃତିତ୍ୱ ଛାଡ଼ି ଯାଇଛନ୍ତି ଉତ୍ତମ। ଯେ ପକ୍ଷୀ ଉଡେ଼ ଯେତେଦୂର, ସାରା ଆକାଶ, ଉତ୍ତର ଦାୟୀ ଭଳି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ଉତ୍ତମ। ଓଡ଼ିଶାରେ ଘରେ ଘରେ ପରିଚିତ ଅଭିନେତା ଉତ୍ତମ ବିଭିନ୍ନ ସମୟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ହୋମଗାର୍ଡକୁ ପ୍ରେମ ଓ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଥିବା କୁଜଙ୍ଗ ଥାନା ଇନ୍ସିପେକ୍ଟର ତପନ ନାହାକଙ୍କ ସମେତ ଜଣେ ଅତିରିକ୍ତ ଏସ୍‌ପିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା ହୋମଗାର୍ଡ।
ସେ କହିଛନ୍ତି ଯେ, ଇନ୍ସିପେକ୍ଟର ଯେତେବେଳେ ଏଏସ୍‌ଆଇ ଥିଲେ ସେବେଠାରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସେ ଇନ୍ସିପେକ୍ଟର ହେବା ପରେ ତାଙ୍କ ସହ କୌଣସି ସମ୍ପର୍କ ରଖୁ ନ ଥିଲେ। ଯେଉଁଥିପାଇଁ ସେ ଥାନାରେ ଅଭିଯୋଗ କରିଥିଲେ। ମାମଲାରେ ଇନ୍ସିପେକ୍ଟର ଗିରଫ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କିନ୍ତୁ ପୀଡ଼ିତା ହୋମଗାର୍ଡ ଏବେ ଜଣେ ଅତିରିକ୍ତ ଏସ୍‌ପିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି ଯେ, ସେ ଯେତେବେଳେ ଇନ୍ସିପେକ୍ଟରଙ୍କ ନାଁରେ ଅଭିଯୋଗ କଲେ ମାମଲା ପ୍ରତ୍ୟାହାର ପାଇଁ ଏସ୍‌ପି ତାଙ୍କ ଉପରେ ଚାପ ପକାଉଥିଲେ। ଏମିତି କି ୨୫ ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ମଧ୍ୟ ଦେଖାଇବା ସହ ଚାକିରୀରୁ ନିଲମ୍ବନ କରିବାର ଧମକ୍‌ ଦେଇଥିଲେ ବୋଲି କହିଛନ୍ତି ପୀଡ଼ିତା ହୋମଗାର୍ଡ।
ତେବେ ସେ ସିଧା ସଳଖ ନ କହି ଜଣେ କନ୍‌ଷ୍ଟେବଳ ମାଧ୍ୟମରେ କହିଥିଲେ ବୋଲି ପୀଡ଼ିତା କହିଛନ୍ତି। ଏମିତି କି ଏକ ଅଜଣା ନମ୍ବରରୁ ତାଙ୍କ ବାପା ମାଆଙ୍କୁ ଧମକ୍‌ ଦିଆଯାଉଥିବା ଅଭିଯୋଗ କରିଛନ୍ତି ହୋମଗାର୍ଡ। ଏମିତି କି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଗଣମାଧ୍ୟମ ମାଧ୍ୟମରେ ସୁରକ୍ଷା ଲୋଡ଼ିଛନ୍ତି। ଅପରପକ୍ଷେ ହୋମଗାର୍ଡଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା। ସେ କହିଛନ୍ତି ଯେ, ହୋମଗାର୍ଡ ଯାହାସବୁ ଅଭିଯୋଗ ଆଣିଛନ୍ତି ତା’ର କିଛି ପ୍ରମାଣ ଅଛି କି। ଏମିତି କି ଭେଟିବାକୁ ଯିବାର କୌଣସି ବ୍ୟକ୍ତି ଦେଖିଥିବାର କିମ୍ବା ପ୍ରମାଣ ଥିଲେ ଦିଅନ୍ତୁ। ତେଣୁ ହୋମଗାର୍ଡ ଯାହାସବୁ କହୁଛନ୍ତି ତାହା ମିଛ ବୋଲି କହିଛନ୍ତି ଏସ୍‌ପି ଶ୍ରୀ ଉଦ୍‌ଗାତା।

ପୁଲିସ ଓ ସରକାରଙ୍କ ପକ୍ଷରୁ ସାଇବର ଠକେଇ ନେଇ ଯେତେ ସତର୍କ କରାଯାଉଛି, ସେହି ଅନୁଯାୟୀ ନୂଆ ନୂଆ ଠକେଇ ତରିକା ଆପଣାଉଛନ୍ତି ସାଇବର ଠକ। ଏବେ ନୂଆ ପ୍ରକାର ଠକେଇ ତରିକା ଆପଣାଇଛନ୍ତି ଠକ୍।

ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଯେ, ଆପଣଙ୍କ ପାଖକୁ କୌଣସି ଓଟିପି ଆସିବ ନାହିଁ କିମ୍ବା କୌଣସି ଲିଙ୍କ୍ ମଧ୍ୟ କ୍ଲିକ୍ ନ କଲେ ମଧ୍ୟ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ସବୁ ଟଙ୍କା ଖାଲି ହୋଇଯାଇପାରେ। ଏ ନେଇ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି।

ଆସନ୍ତୁ ଜାଣିବା କେମିତି ହୋଇପାରିବ ସେଭଳି ଠକେଇ? ପ୍ରଥମେ ଆପଣଙ୍କ ଫୋନ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ ଆସିବ। ବିପରୀତ ପଟୁ କେହି କହିପାରେ ଆପଣଙ୍କ ଜଣେ ପରିଚିତ ଲୋକ ଜରୁରୀ କଥା ହେବାକୁ ଚାହୁଁଛନ୍ତି। ସେହିଭଳି ଅନ୍ୟଜଙ୍କଙ୍କୁ ମଧ୍ୟ ସମାନ କଥା କହି କଲ୍ ମର୍ଜିଂ କରାଇବେ। ଫଳରେ ଚତୁରତାର ସହ ଠକ ଆପଣଙ୍କ ଆକାଉଣ୍ଟ୍ ଖାଲି କରିଦେଇ ପାରିବ।
ଏଥିରୁ ରକ୍ଷାପାଇବା ପାଇଁ କୌଣସି ଅଜଣା ନମ୍ବରରୁ କଲ୍ ରିସିଭ କରନ୍ତୁ ନାହିଁ। ଯଦି କଲ୍ ମାର୍ଜିଂ କରିବାକୁ ଚାହୁଁଛି ତେବେ ସତର୍କ ରୁହନ୍ତୁ। ଯଦି କୌଣସି ଓଟିପି ଆସୁଛି ତାକୁ କାହା ସହ ସେୟାର କରନ୍ତୁ ନାହିଁ। କୌଣସି ଅଜଣା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ।

ଶିବରାତ୍ରୀ ଅବସରରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠାଇବା ସମୟରେ ଅଧା ବାଟରେ ଖସି ପଡିଲେ ସେବାୟତ। ଘଟଣାସ୍ଥଳରେ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁହଁ , ଅଣ୍ଟା ଓ ଆଖିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ବୁଧବାର ମହାଶିବରାତ୍ରୀ ମହାଦୀପ ଉଠା ଯିବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ନିତିକାନ୍ତିରେ ବିଳମ୍ବ ଯୋଗୁ ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିଲା। ହଜାର ହଜାର ଭକ୍ତଙ୍କ ଗହଣରେ ସେବାୟତ ମହାଦୀପ ନେଇ ଉଠିଥିଲେ। କିନ୍ତୁ ପ୍ରାୟ ୧୫ ଫୁଟ ଉପରକୁ ଯାଇଛନ୍ତି କି ନାହିଁ ହାତ ଚିକ୍କଣ ଥିବାରୁ ଖସି ପଡ଼ିଥିଲେ ସେବାୟତ। ତଳେ ପଡିଯିବାରୁ ତାଙ୍କର ମୁହିଁ, ଆଖି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ଆହତ ସେବାୟତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ମନ୍ଦିର ପରିସରରେ ରକ୍ତ ଛିଟା ଲାଗିଥିବାରୁ ଲିଙ୍ଗରାଜଙ୍କ ମହାସ୍ନାନ କରାଯାଇଥିଲା ଓ ଅନ୍ୟଜଣେ ସେବାୟତ ମହାଦୀପ ନେଇ ଉଠିଥିଲେ।
ମହାଦୀପ ତେଲ ପାଇଁ ହାତ ଚିକ୍କଣ ହୋଇଥିବାରୁ ସେବାୟତ ଖସି ପଡିଥିବା ସେବାୟତଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏଭଳି ଘଟଣା ପାଇଁ ଅନେକ ନୀତି ଅନିୟମିତତାକୁ ଦାୟୀ କରିଛନ୍ତି। ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍ ରାଣା କହିଛନ୍ତି ଯେ ଏଭଳି ଘଟଣାର କାରଣ ତୁରନ୍ତ ଖୋଜି ବାହାର କରାଯିବ।

ସୁଦାନରେ ଏକ ଏକ ସାମରିକ ବିମାନ ଖସି ପଡିବାରୁ  ଘଟି ୪୬ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଏହି ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ଏହାପଛରେ ଗୃହଯୁଦ୍ଧର ପରିଣାମ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ବିମାନଟି ମଙ୍ଗଳବାର ୱାଡି ସୟଦନା ଏୟାରବେସରୁ ଉଡ଼ାଣ ଭରିବା ସମୟରେ ସେନାର ଆଣ୍‌ଟୋନୋଭ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉ କି ୨୦୨୩ ମସିହାରୁ ସୁଦାନରେ ଗୃହଯୁଦ୍ଧ ଲାଗିରହିଛି। ଏଠାରେ ସେନା ଏବଂ କୁଖ୍ୟାତ ଅର୍ଦ୍ଧସାମରିକ ଦଳ ରାପିଡ୍‌ ସପୋର୍ଟ ଫୋର୍ସ ମଧ୍ୟରେ ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇଥିଲା। ଏହି ସଂଘର୍ଷ ସହରାଞ୍ଚଳ, ବିଶେଷକରି ଦାରଫୁର ଅଞ୍ଚଳକୁ ଧ୍ୱଂସ କରୁଛି ଏବଂ ଜାତିଗତ ହିଂସା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ଅଧିକାର ସଂଗଠନଗୁଡ଼ିକ ଏହି ଘଟଣାଗୁଡ଼ିକୁ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ବୋଲି କହିଛନ୍ତି।

ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଇନ୍ସପେକ୍ଟରଙ୍କ ପାଇଁ ମାହାଙ୍ଗା ପଡ଼ିଲା। ହୋମଗାର୍ଡଙ୍କୁ ପ୍ରତାରଣା କରିବା ଅଭିଯୋଗରେ ନିଲମ୍ବନ ହେଲେ ଇନ୍ସପେକ୍ଟର ତପନ ନାହାକ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ।

ଜଗତସିଂପୁର ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡ ପୁଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ବିବାହିତ ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍‌ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ। ଧୀରେ ଧୀରେ, ହୋମଗାର୍ଡ ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସମ୍ପର୍କ କ୍ରମେ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା। କିନ୍ତୁ, ପରେ କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ।
ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏ ନେଇ ମହିଳା ହୋମଗାର୍ଡ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଜଗତସିଂହପୁର ପୁଲିସ ଅଧୀକ୍ଷକ (ଏସପି) ଭବାନୀ ଶଙ୍କର ଉଦଗାତା କହିଛନ୍ତି ଯେ ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବୁଧବାର କଟକ ପୁଲିସ ମହାନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି।

କୋଇଲା ଚୋରାଚାଲାଣ ନେଇ ପୁଲିସକୁ ସୂଚନା ଦେବାରୁ ମାଫିଆମାନେ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ। ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ।
ଧାମରା ରେଳପଥରୁ ତିହିଡି ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ କୋଇଲାର ବ୍ୟାପକ ଚୋରା ଚାଲାଣ ହେଉଥିଲା। ସେହି ଗ୍ରାମର ଅବନି ନାୟକ ବିଭିନ୍ନ ସମୟରେ ଏହାକୁ ବିରୋଧ କରି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ୧୦ରୁ ଉର୍ଦ୍ଧ୍ବ କୋଇଲା ବୋଝେଇ ପିକଅପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା। ଏ ନେଇ ସେ ବିରୋଧୀ କରିବା ସହ ପୋଲିସକୁ ଖବର ଦେଇଥିଲେ। ଯାହାକୁ କେନ୍ଦ୍ରକରି କୋଇଲା ମାଫିଆଙ୍କ ସହ ଅବନୀଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ୬/୭ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ। ମାଫିମାନଙ୍କ ଆକ୍ରମଣରେ ଅବନୀଙ୍କ ମୃତ୍ୟୁ ହୋଇଥିଲା। ମାରି ସାରିବା ପରେ ଏକ ଘରର ବାହାରପଟୁ କବାଟ ବନ୍ଦ କରି ଚାଲିଯାଇଥିଲେ। ଏହା ମଙ୍ଗଳବାର ବିଳମ୍ୱିତ ରାତିରେ ଘଟିଥିଲା ବେଳେ ବୁଧବାର ବିଳମ୍ବରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆରଡ଼ି ଶୈବପୀଠରେ ଶିବରାତ୍ରୀ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ ଏତେ ମାତ୍ରାରେ ବଢିବା ସହ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣ ଆହତ ହୋଇଛନ୍ତି। ଠେଲାପେଲାରେ ଆହତଙ୍କ ମଧ୍ୟରେ ୫ ଜଣ ମହିଳା ରହିଥିବା ବେଳେ ୬ ଜଣ ଶିଶୁ ରହିଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି।

ପ୍ରକାଶ ଥାଉ କି ପବିତ୍ର ଜାଗରଯାତ୍ରା ପାଇଁ ବୁଧବାର ସକାଳୁ ସକାଳୁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। କିନ୍ତୁ ଘୋର ଅବ୍ଯବସ୍ଥା ପାଇଁ ନୀତିକାନ୍ତି ଓ ଜଳସେବାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଦର୍ଶନ ସମୟରେ ଭକ୍ତଙ୍କ ମଧ୍ଯରେ ପେଲାଠେଲା ଓ ଦଳାଚକଟା ହୋଇଥିଲା। ଏଭଳି ହୋଇଥିଲା ଯେ ଶ୍ରଦ୍ଧାଳୁ ବ୍ଯାରିକେଡ ଛାଡି ମନ୍ଦିର ମୁଖ୍ୟ ଗର୍ଭଗୃହରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ। ପୁଲିସ ସହ ଶ୍ରଦ୍ଧାଳୁଙ୍କ ଠେଲାପେଲା ହୋଇଥିଲା। କିଛି ଅଣ ସେବାୟତ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଭିଡ ପାଇଁ ମହାପ୍ରଭୁଙ୍କ ପହିଲି ଭୋଗ ୧ ଘଣ୍ଟ ବିଳମ୍ବ ହୋଇଥିଲା। ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ସୃଷ୍ଟି ହୋଇଛି।