ଶିବରାତ୍ରୀ ଅବସରରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠାଇବା ସମୟରେ ଅଧା ବାଟରେ ଖସି ପଡିଲେ ସେବାୟତ। ଘଟଣାସ୍ଥଳରେ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁହଁ , ଅଣ୍ଟା ଓ ଆଖିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ବୁଧବାର ମହାଶିବରାତ୍ରୀ ମହାଦୀପ ଉଠା ଯିବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ନିତିକାନ୍ତିରେ ବିଳମ୍ବ ଯୋଗୁ ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିଲା। ହଜାର ହଜାର ଭକ୍ତଙ୍କ ଗହଣରେ ସେବାୟତ ମହାଦୀପ ନେଇ ଉଠିଥିଲେ। କିନ୍ତୁ ପ୍ରାୟ ୧୫ ଫୁଟ ଉପରକୁ ଯାଇଛନ୍ତି କି ନାହିଁ ହାତ ଚିକ୍କଣ ଥିବାରୁ ଖସି ପଡ଼ିଥିଲେ ସେବାୟତ। ତଳେ ପଡିଯିବାରୁ ତାଙ୍କର ମୁହିଁ, ଆଖି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ଆହତ ସେବାୟତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ମନ୍ଦିର ପରିସରରେ ରକ୍ତ ଛିଟା ଲାଗିଥିବାରୁ ଲିଙ୍ଗରାଜଙ୍କ ମହାସ୍ନାନ କରାଯାଇଥିଲା ଓ ଅନ୍ୟଜଣେ ସେବାୟତ ମହାଦୀପ ନେଇ ଉଠିଥିଲେ।
ମହାଦୀପ ତେଲ ପାଇଁ ହାତ ଚିକ୍କଣ ହୋଇଥିବାରୁ ସେବାୟତ ଖସି ପଡିଥିବା ସେବାୟତଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏଭଳି ଘଟଣା ପାଇଁ ଅନେକ ନୀତି ଅନିୟମିତତାକୁ ଦାୟୀ କରିଛନ୍ତି। ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍ ରାଣା କହିଛନ୍ତି ଯେ ଏଭଳି ଘଟଣାର କାରଣ ତୁରନ୍ତ ଖୋଜି ବାହାର କରାଯିବ।


