ଗୁଣିଗାରେଡ଼ିକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଖାରିପଲ୍ଲୀ ଗାଁର ପୁରୁଣା ଗୋଷ୍ଠୀକନ୍ଦଳ ଉଗ୍ର ରୂପ ନେଇଥିଲା। ପରିଣାମରେ ଗୋଷ୍ଠୀକନ୍ଦଳ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ହେଲେ ଖଦାଳ ବେହେରା (୬୫) ଓ ରତ୍ନାକର ବେହେରା (୪୦) ଏବଂ ରମେଶ ବେହେରା(୪୫)। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅରୁଣ  ବେହେରା(୩୦), ଭିକାରୀ ବେହେରା (୧୮), ଜଗନ୍ନାଥ ବେହେରା(୧୮)। ଗତ ୫ ବର୍ଷ ତଳେ ଗାଁରେ ଲଗାତାର କିଛିଲୋକଙ୍କ ମୃତ୍ୟୁକୁ ନେଇ ଗାଁ ଲୋକେ ଗୁଣିବିଦ୍ୟାର ସାହାରା ନେଇଥିଲେ। ଯାହାକୁ ନେଇ ଗାଁରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ରକରି ଛକାପଞ୍ଝା ଲାଗି ରହିଥିଲା। ମଙ୍ଗଳବାର ସନ୍ଧ୍ୟାରେ ତାହା ଉଗ୍ର ରୂପ ନେଇଥିଲା। ପରିସ୍ଥିତି ହଣାହଣି ପର୍ଯ୍ୟନ୍ତ ଯାଇଥିଲା। ହତ୍ୟାକାଣ୍ଡ ପରେ ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ବିଳମ୍ବିତ ରାତିରେ ଗାଁର କିଛିଲୋକଙ୍କ୍‌ୁ ଅଟକ ରଖିଛି। ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୂୟନ କରାଯାଇଛି ଓ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।
ବର୍ତ୍ତମାନ ଓଡ଼ିଶାରେ ଖାଲିପଡ଼ିଛି ୬୭ଟି ଆଇଏଏସ୍‌ (ଭାରତୀୟ ପ୍ରଶାସନିକ ସେବା) ଏବଂ ୬୯ଟି ଆଇପିଏସ୍‌ (ଭାରତୀୟ ପୁଲିସ ସେବା ପଦବୀ)। ଯାହା ରାଜ୍ୟ ବିକାଶର ଅନ୍ୟତମ ପରିପନ୍ଥୀ ହୋଇପାରେ। 
ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୬୯ଟି ଭାରତୀୟ ବନ ସେବା (ଆଇଏଫଏସ) ପଦବୀ, ୨୫୩ଟି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଏବଂ ଓଡ଼ିଶା ପୁଲିସ ସେବା (ଓପିଏସ) ପଦବୀ, ୨୭୪ଟି ଓଡ଼ିଶା ଅର୍ଥ ସେବା (ଓଏଫଏସ) ପଦବୀ, ୬୧୧ଟି ଓଡ଼ିଶା ବନ ସେବା (ଓଏଫଏସ) ପଦବୀ ଖାଲିପଡ଼ିଛି। ସେହିପରି ୨୬୩ଟି ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ପଦବୀ ଖାଲିପଡ଼ିଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ରାଜ୍ୟରେ ପ୍ରଶାସନିକ ଖାଲି ପଦବୀର ସ୍ଥିତି ସମ୍ପର୍କରେ ଉଠାଯାଇଥିବା ଏକ ପ୍ରଶ୍ନର ଆନୁଷ୍ଠାନିକ ଉତ୍ତର ଦେଇ ଏଭଳି ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହି ପରିସ୍ଥିତି ଓଡ଼ିଶାରେ ଶାସନ ଏବଂ ସେବା ପ୍ରଦାନର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିବା ଦ୍ୱାରା ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ସୁଗମ ଶାସନ ଏବଂ ସାଧାରଣ ସେବାର ପ୍ରଭାବଶାଳୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ସମୟର ଆବଶ୍ୟକତା।
ଓଡ଼ିଶାରେ ଅମଲାତାନ୍ତ୍ରିକ ଅଭାବ ସମସ୍ୟା ଦୀର୍ଘ ଦିନ ଧରି ଚିନ୍ତାର ବିଷୟ ହୋଇଆସିଛି। ନିଯୁକ୍ତି ଏବଂ ପଦୋନ୍ନତିରେ ବିଳମ୍ବ ସମସ୍ୟାକୁ ଆହୁରି ସଙ୍କଟଜନକ କରୁଛି।

ଅନୁଗୁଳ ଜିଲ୍ଲା କଙ୍କରେଇ ପିଢ଼ଖମଣ ଗ୍ରାମର ନିଖୋଜ ଥିବା ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ନେବାରୁ ଜଣା ପଡ଼ିଛି ପାଲଲହଡା ଅଞ୍ଚଳର ପଟାଟାଙ୍ଗର ଗ୍ରାମର ଜଣେ ବ୍ୟକ୍ତି ଗତ ୮ ବର୍ଷ ହେଲା ପରିବାର ନେଇ ପିଢ଼ଖମଣ ଗ୍ରାମରେ ରହି ମଜୁରୀ କାମ କରନ୍ତି। ତାଙ୍କ ପାଞ୍ଚ ବର୍ଷର ଝିଅ ଗତ ୧୩ ତାରିଖ ଦିନ ୨ ଟାରେ ଘର ଅଗଣାରେ ଖେଳୁଥିଲେ। ରଞ୍ଜନଙ୍କ ପତ୍ନୀ କିଛିସମୟ ପରେ ଖୋଜିବା ବେଳକୁ ପାଇ ନଥିଲେ। ଗତକାଲି ଭୋର ୬ ଟାରେ ସ୍ଥାନୀୟ ଲୋକମାନେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ।

ସନ୍ଦେହରେ ମୃତଦେହ ଥିବା ୫୦ ଫୁଟ ଦୂରରେ ଭଡାରେ ରହୁଥିବା ଜେରେଙ୍ଗ ଗ୍ରାମର ବାବୁଲା ଜେନା(୪୦)ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳେଇଛି। ନାବାଳିକାକୁ ଡାକିନେଇ ବାବୁଲା ଦୁଷ୍କର୍ମ କରିବା ପରେ ହତ୍ୟା କରି ଘର ସମ୍ମୁଖ ମହୁଲ ବଣରେ ମୃତଦେହ ଫିଙ୍ଗି ଦେଇଥିବାର ପୁଲିସ ସନ୍ଦେହ କରୁଛି।

ପ୍ରକାଶ ଥାଉ କି ବାବୁଲା ନିଜ ସ୍ତ୍ରୀକୁ ଛାଡ଼ି ୫ ବର୍ଷ ପୂର୍ବରୁ ସମ୍ପର୍କୀୟ ଭାଉଜକୁ ନେଇ ଗାଁରୁ ଫେରାର ହୋଇଥିଲେ। ସେହିଦିନଠାରୁ ବାବୁଲା କଙ୍କରେଇ ଅଞ୍ଚଳରେ ଭଡ଼ାରେ ରହି ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିଲେ।

ସାରାରାଜ୍ୟରେ ରକ୍ତର ହୋଲି, ୫ ଜଣଙ୍କୁ ହତ୍ୟା

 ବର୍ଷ ଆରମ୍ଭ ହେଲା ଅପରାଧରୁ। ଜାନୁଆରୀ ମାସରେ ରାଜ୍ୟରେ ୧୧୧ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହି ମାସରେ ୧୫୦୯ ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସବୁଠୁ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି ଦଙ୍ଗା ଓ ଗୋଷ୍ଠୀ ସଂଘର୍ଷ। ୨୦୨୫ ଜାନୁଆରୀ ମାସରେ କେବଳ ୧୦୧ ଟି ଦଙ୍ଗା ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ସେହିଭଳି ସାଇବର ଅପରାଧ ମଧ୍ୟ ପୂର୍ବଭଳି ବୃଦ୍ଧି ପରିଲକ୍ଷିତ ହୋଇଛି। ଗୋଟିଏ ମାସରେ ୧୯୪ ଟି ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡ଼ିଛି। ସେହିଭଳି ମହିଳାଙ୍କ ଉପରେ ଅସଦାଚରଣ ନେଇ ଏହି ମାସରେ ୬୫୫ ଟି ଅଭିଯୋଗ ଆସିଥିବା ବେଳେ ୭୯ ଯୌନ ନିର୍ଯ୍ୟାତନା, ୧୪୯ ଜଣ ମହିଳାଙ୍କୁ ସର୍ବସାଧାରଣରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ୧୧ ଟି ମାମଲା ହୋଇଛି ଯେଉଁଥିରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ନେଇ ଅଭିଯୋଗ ହୋଇଛି। ସେହିଭଳି ମହିଳାଙ୍କୁ ହଇରାଣ କରିବା ମାମଲା ୩୨ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତୁଳନାତ୍ମକ ଭାବେ ଦେଖିଲେ ୨୦୨୪ ବର୍ଷ ରାଜ୍ୟରେ ୧୨୫୮ ଟି ହତ୍ୟା, ୩୫୬ ଡକାୟତି, ୧୭୮୦୫ ଟି ଚୋରି, ୧୪୭୧ଟି ଦଙ୍ଗା, ୨୫୦୧ ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଥିଲା। ଗତବର୍ଷ ୭୨୯୯ ଟି ଅସଦାଚରଣ, ୧୦୮୨ଟି ଯୌନ ନିର୍ଯ୍ୟାତନା, ୧୮୩୯ ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ବିଧାନସଭା ଅଧିବେଶନରେ ସୋମବାର ବିଧାୟକ ରମେଶ ବେହେରା ପଚାରିଥିବା ଅପରାଧ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରେ ଏହା ଉଲ୍ଲେଖ କରିଛନ୍ତି।

କିଛିଦିନ ଧରି ରାଜଧାନୀରେ ବଢୁଥିବା ଏଟିଏମ୍ ଲୁଟରେ ନିୟନ୍ତ୍ରଣ ଆଣିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏନ କାଉଣ୍ଟରରେ ବିହାରୀ ଲୁଟେରା ଆହତ ହୋଇଛି। ତାକୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଏନକାଉଣ୍ଟରରେ ଆହତ ଯୁବକ ହେଲା ଦୀପକ କୁମାର। ଦୀପକ ଜଣେ ଆନ୍ତଃରାଜ୍ୟ ଲୁଟେରା। ତା ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ସ୍ପେଶାଲ ସ୍କ୍ୱାଡ ମୁଖ୍ୟ ହିମାଂଶୁ ସ୍ବାଇଁଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର କରାଯାଇ ଥିବା ଜଣାପଡ଼ିଛି। ଦୀପକ କୁମାର ବିହାରରେ। କିନ୍ତୁ ସେ ଓଡିଶାର ବିଭିନ୍ନ ଏଟିଏମ୍ କୌନ୍ତରକୁ ଟାର୍ଗେଟ କରି ଲୁଟପାଟ କରୁଥିଲା। ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୁଲିସ ସହ ମୁହଁ ମୁହିଁ ହୋଇଥିଲା।ସେ ପ୍ରଥମେ ପୁଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୁଲିସର ପାଲଟା ଗୁଳି ମାଡ଼ରେ ସେ ଆହତ ହୋଇଛି। ଆକ୍ରମଣରେ ପୁଲିସ ଗୁଳି ଦୀପକର ଗୋଡ଼ରେ ବାଜିଛି। ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଡଗଡ଼ ଅଞ୍ଚଳରେ ଏଟିଏମରେ ଅଠା ମାରି ଟଙ୍କା ଲୁଟି ନେଉଥିଲା ଅଭିଯୁକ୍ତ। ଯାହାର ସିସିଟିଭି ସ୍ପେଶାଲ ସ୍କ୍ବାଡ ହାତରେ ଲାଗିଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ହାତରେ ପଡ଼ିଥିଲା। କାର୍ଯ୍ୟରେ ଯୋଗଦେବାର ମାତ୍ର ଦୁଇ ଦିନ ମଧ୍ୟରେ ଏଭଳି ଏନକାଉଣ୍ଟର ଅପରାଧୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।

କୋଇଲା ଚୋରାଚାଲାଣ ନେଇ ପୁଲିସକୁ ସୂଚନା ଦେବାରୁ ମାଫିଆମାନେ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ। ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ।
ଧାମରା ରେଳପଥରୁ ତିହିଡି ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ କୋଇଲାର ବ୍ୟାପକ ଚୋରା ଚାଲାଣ ହେଉଥିଲା। ସେହି ଗ୍ରାମର ଅବନି ନାୟକ ବିଭିନ୍ନ ସମୟରେ ଏହାକୁ ବିରୋଧ କରି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ୧୦ରୁ ଉର୍ଦ୍ଧ୍ବ କୋଇଲା ବୋଝେଇ ପିକଅପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା। ଏ ନେଇ ସେ ବିରୋଧୀ କରିବା ସହ ପୋଲିସକୁ ଖବର ଦେଇଥିଲେ। ଯାହାକୁ କେନ୍ଦ୍ରକରି କୋଇଲା ମାଫିଆଙ୍କ ସହ ଅବନୀଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ୬/୭ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ। ମାଫିମାନଙ୍କ ଆକ୍ରମଣରେ ଅବନୀଙ୍କ ମୃତ୍ୟୁ ହୋଇଥିଲା। ମାରି ସାରିବା ପରେ ଏକ ଘରର ବାହାରପଟୁ କବାଟ ବନ୍ଦ କରି ଚାଲିଯାଇଥିଲେ। ଏହା ମଙ୍ଗଳବାର ବିଳମ୍ୱିତ ରାତିରେ ଘଟିଥିଲା ବେଳେ ବୁଧବାର ବିଳମ୍ବରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦିନସାରା ଫାର୍ମ ହାଉସରେ କାମ ସାରି ସୋଇଥିଲେ। ନିଘୋଡ଼ ନିଦରେ ଶୋଇଥିବା ବେଳେ ଶୁଭିଲା ପ୍ରଚଣ୍ଡ ଶବ୍ଦ। କିଛି ଭାବିବା ପୂର୍ବରୁ ଶିକାରୀଙ୍କ ବନ୍ଧୁକରୁ ଗୁଳି ଆସି ବାଜିଥିଲା ଫାର୍ମ ହାଉସ୍ ମାଲିକଙ୍କ କାନମୁଣ୍ଡରେ। ମାତ୍ର କିଛି ସମୟ ମଧ୍ୟରେ ଉଡିଗଲା ପ୍ରାଣ ବାୟୁ।

ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ। ମୃତକ ହେଲେ ଫାର୍ମ ହାଉସ୍ ମାଲିକ ଗୋବିନ୍ଦ ନାୟକ। ଖବର ନେବାରୁ ଜଣାପଡ଼ିଛି ଯେ, ଢେଙ୍କାନାଳ ଜିଲ୍ଲା ଭାପୁର ଫାଶୀ ଗ୍ରାମରେ ଥିବା ଫାର୍ମ ହାଉସରେ ଗୋବିନ୍ଦ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ଶିକାରୀଙ୍କ ଗୁଳିରେ ଫାର୍ମ ହାଉସ ମାଲିକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଢେଙ୍କାନାଳ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ଜଣେ ଶିକାରୀଙ୍କୁ ଅଟକ ରଖିଛି। ତେବେ କାହିଁକି ସେ ଗୁଳି କରିଥିଲେ ତା’ର କାରଣ ନେଇ କିଛି ଜଣା ପଡିନାହିଁ।

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆସିଛି ଗୁରୁଡିଝାଟିଆ ଥାନା ଗୋବାରା ପଞ୍ଚାୟତ ଓରାଙ୍ଗବାଡ଼ି ଗ୍ରାମରୁ।
ଖବର ନେବାରୁ ଜଣାପଡ଼ିଛି ଯେ, ଜମିବାଡ଼ିକୁ କେନ୍ଦ୍ରକରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଏପରି ହୋଇଥିଲା ଯେ, ଗ୍ରାମ ୩୮ ବର୍ଷୀୟ ବିକ୍ରମ ଓ ସେହି ଗ୍ରାମର କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଠେଙ୍ଗାରେ ପିଟିଥିଲେ। ଏହାକୁ ତାଙ୍କ ସ୍ତ୍ରୀ ଦେଖୁଥିଲେ ମଧ୍ୟ କିଛି କରି ପାରି ନ ଥିଲେ। ଓଲଟା ବିକ୍ରମଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ ଆକ୍ରମଣକାରୀ। ବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ କଟକ SCB ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଗୁରୁଡ଼ିଝାଟିଆ ଥାନା ପୁଲିସ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ପରିସ୍ଥିତିର ଅନୁଧ୍ୟାନ କରୁଛି। ଗ୍ରାମର କିଛି ଲୋକଙ୍କୁ ପୁଲିସ ଅଟକ ରଖିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ଗତ କିଛିଦିନ ଧରି ରାଜଧାନୀରେ ଆପର୍ଟମେଣ୍ଟ ଲୁଟେରାଙ୍କ ଉତ୍ପାତରେ ଅତିଷ୍ଠ ହୋଇ ପଡ଼ିଥିଲେ ଲୋକେ। ଏପରିସ୍ଥଳେ ପାହାଳ ଥାନା ଅଞ୍ଚଳରେ ଥିବା ଏକ apartment ନିକଟରେ ଜଣେ ଆପାର୍ଟମେଣ୍ଟ ଲୁଟେରାକୁ ପୁଲିସ ଏନକାଉଣ୍ଟର କରିଛି। ଏଥିରେ ଅର୍ଜୁନ ଥାନାରୁ ନାମକ ଜଣେ ଲୁଟେରା ଗୁରୁତର ଆହତ ହୋଇଛି।

ଅର୍ଜୁନକୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ଅନ୍ୟ ୪ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ତେବେ ଅର୍ଜୁନର ବ୍ୟାଗରୁ ସୁନା ଅଳଙ୍କାର, ମୋବାଇଲ୍ ସମେତ ଟଙ୍କା ଜବତ କରିଛି ପୁଲିସ୍।
ଖବର ନେବାରୁ ଜଣା ପଡ଼ିଛି ଯେ ପାହାଳ ଥାନା ଅନ୍ତର୍ଗତ ଏକ ଅପାର୍ଟମେଣ୍ଟ ଞ୍ଚଳରେ ରବିବାର ବିଳମ୍ୱିତ ରାତିରେ ପୁଲିସ ପାଟ୍ରୋଲିଂ କରିବା ବେଳେ ଅର୍ଜୁନ ଖସିଯିବା ପାଇଁ ଚେଷ୍ଟା କରୁଥିଲା। ପୁଲିସ ଅଟକାଇବାକୁ ଚେଷ୍ଟା କରିବା ବେଳେ ଅର୍ଜୁନ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇ। ଏଥିରେ ଜଣେ ପୁଲିସ ଘାଇଲା ହୋଇ ପଡିଥିବା ବେଳେ ଟିମରେ ଥିବା ଅନ୍ୟ ୫ ଜଣ ଅର୍ଜୁନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇ ଥିଲା। ପୁଲିସ ଗୁଳି ଅର୍ଜୁନର ବାମ ଗୋଡ଼ରେ ବାଜିବାରୁ ସେ ଆହତ ହୋଇପଡ଼ିଛି। ତାକୁ ଘଟଣାସ୍ଥଳରୁ ପୁଲିସ ଗିରଫ କରିଛି। କେନାଲ ରୋଡ ଅଞ୍ଚଳରେ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରକୁ ସେ ପ୍ରଥମେ ଗୁଳି କରିଥିଲା। ପୁଲିସ ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା। ପୁଲିସ ଏନ କାଉଣ୍ଟରରେ ଅର୍ଜୁନ ଆହତ ହୋଇଛି। ପୁ ଅର୍ଜୁନର ବାମ ଗୋଡ଼ରେ ବାଜିଛି। ଅର୍ଜୁନଙ୍କୁ ପୁଲିସ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଏମ୍ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳଆ ଖମାର ଗ୍ରାମର ଏକ ବନ୍ଦ ଘରୁ ୩ଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ମୃତକମାନେ ହେଲେ ଶଙ୍କର୍ଷଣ ଦାସ, ସୁବର୍ଣ୍ଣ ଦାସ ଓ ସନ୍ତୋଷ ଦାସ। ତିନିଜଣ ସମ୍ପର୍କରେ ବାପା, ଝିଅ ଓ ନାତି। ଘଟଣାସ୍ଥଳରୁ ପୋଲିସ ଏକ ମିନି ଡାଏରୀ ଜବତ କରିଛି ପୁଲିସ। ବନ୍ଦ ଘର ବାହାରେ ବୃଦ୍ଧ ଜେଜେ ମାଆ ଥିବା ଜଣା ପଡିଛି। ଏମିତି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡିନାହିଁ। ଘଟଣାସ୍ଥଳରୁ ମୃତଦେହ ୩ ଟି ଉଦ୍ଧାର କରାଯାଇଥିବା ବେଳେ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏନେଇ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିଲେ ମଧ୍ୟ ଏଯାଏଁ ମୃତ୍ୟୁର କାରଣ ଜାଣି ପାରିନି। ପାରିବାରିକ କଲହରୁ ଏହି ଆତ୍ମହତ୍ୟା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।