ବର୍ଷ ଆରମ୍ଭ ହେଲା ଅପରାଧରୁ। ଜାନୁଆରୀ ମାସରେ ରାଜ୍ୟରେ ୧୧୧ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହି ମାସରେ ୧୫୦୯ ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସବୁଠୁ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି ଦଙ୍ଗା ଓ ଗୋଷ୍ଠୀ ସଂଘର୍ଷ। ୨୦୨୫ ଜାନୁଆରୀ ମାସରେ କେବଳ ୧୦୧ ଟି ଦଙ୍ଗା ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ସେହିଭଳି ସାଇବର ଅପରାଧ ମଧ୍ୟ ପୂର୍ବଭଳି ବୃଦ୍ଧି ପରିଲକ୍ଷିତ ହୋଇଛି। ଗୋଟିଏ ମାସରେ ୧୯୪ ଟି ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡ଼ିଛି। ସେହିଭଳି ମହିଳାଙ୍କ ଉପରେ ଅସଦାଚରଣ ନେଇ ଏହି ମାସରେ ୬୫୫ ଟି ଅଭିଯୋଗ ଆସିଥିବା ବେଳେ ୭୯ ଯୌନ ନିର୍ଯ୍ୟାତନା, ୧୪୯ ଜଣ ମହିଳାଙ୍କୁ ସର୍ବସାଧାରଣରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ୧୧ ଟି ମାମଲା ହୋଇଛି ଯେଉଁଥିରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ନେଇ ଅଭିଯୋଗ ହୋଇଛି। ସେହିଭଳି ମହିଳାଙ୍କୁ ହଇରାଣ କରିବା ମାମଲା ୩୨ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତୁଳନାତ୍ମକ ଭାବେ ଦେଖିଲେ ୨୦୨୪ ବର୍ଷ ରାଜ୍ୟରେ ୧୨୫୮ ଟି ହତ୍ୟା, ୩୫୬ ଡକାୟତି, ୧୭୮୦୫ ଟି ଚୋରି, ୧୪୭୧ଟି ଦଙ୍ଗା, ୨୫୦୧ ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଥିଲା। ଗତବର୍ଷ ୭୨୯୯ ଟି ଅସଦାଚରଣ, ୧୦୮୨ଟି ଯୌନ ନିର୍ଯ୍ୟାତନା, ୧୮୩୯ ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ବିଧାନସଭା ଅଧିବେଶନରେ ସୋମବାର ବିଧାୟକ ରମେଶ ବେହେରା ପଚାରିଥିବା ଅପରାଧ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରେ ଏହା ଉଲ୍ଲେଖ କରିଛନ୍ତି।


