ଭାରତୀୟ ଜନତା ପାର୍ଟି (ବିଜେପି) ପୂର୍ବରୁ କିଛି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ରବିବାର ଅବଶିଷ୍ଟ ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ଆଗକୁ ଦଳ କେବେ ରାଜ୍ୟ ସଭାପତି ପଦରେ କାହାଠି ମୋହର ମାରୁଛି ତାହା ଦେଖିବାକୁ ବାକି ରହିଲା।
ଅନୁଗୁଳ ପାଇଁ ବିଜେପି ସଭାପତି ଭାବେ ଯଯାତି କେଶରୀ ପଟ୍ଟନାୟକଙ୍କ ନାଁ ଘୋଷଣା ହୋଇଥିବା ବେଳେ ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଦଳ ପକ୍ଷରୁ ଗଜପତି ଜିଲ୍ଲା ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ଚୟନ କରାଯାଇଛି।
ଝାରସୁଗୁଡ଼ା ପାଇଁ ରଘୁନନ୍ଦନ ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା ନାଁରେ ଜିଲ୍ଲା ସଭାପତି ମୋହର ଲାଗିଥିବା ବେଳେ କୋରାପୁଟ ପାଇଁ ଶିବ ମୁଦୁଲି ଏଵଂ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି।
ପ୍ରକାଶ ଥାଉ କି ବିଜେପି ପୂର୍ବରୁ ଗଞ୍ଜାମରେ ସରୋଜ ସାବତ, ବାଲାଙ୍ଗୀରରେ ଶ୍ରୀବତ୍ସ ବେହେରା, ପୁରୀରେ ଦେବେନ୍ଦ୍ର ତରାଇ, ସୁନ୍ଦରଗଡ଼ରେ ଗିରିଶ ସାହୁ, ଢେଙ୍କାନାଳରେ ରାହାସ ବିହାରୀ ବେହେରା, କେନ୍ଦ୍ରାପଡ଼ାରେ ଶଶାଙ୍କ ଶେଖର ସେଠୀ, ବାଲେଶ୍ୱରରେ ଈଶ୍ୱର ଚନ୍ଦ୍ର ବେହେରା, କଟକ ନଗରରେ ସୁକାନ୍ତ ବିଶ୍ୱାଳ, କଳାହାଣ୍ଡିରେ ଯୁଗଳ ପୋଢ଼, ମୟୂରଭଞ୍ଜରେ ଜୁରିଲାଲ ମହନ୍ତ ଓ ଦେବଗଡ଼ରେ ଅରୁଣ କୁମାର ସାହୁଙ୍କୁ ଜିଲ୍ଲା ସଭାପତି କରିଥିଲା।


