ଏବେ ଭାରତରେ ସୁନାଦର ଆକାଶ ଛୁଆଁ ହେବାରେ ଲାଗିଛି। ଖୁବଶିଘ୍ର ସୁନା ଦଶଗ୍ରାମ ପ୍ରତି ଦର ଲକ୍ଷେ ଟଙ୍କା ଛୁଇଁବାକୁ ଯାଉଛି। ଏପରିସ୍ଥଳେ କେଉଁ ଦେଶରୁ ଶସ୍ତାରେ ଓ ସୁବିଧାରେ ସୁନା ଆଣିପାରିବେ ଆସନ୍ତୁ ଜାଣିବା।
ଦୁବାଇ ହେଉଛି ସୁନା ସହର। ସେଠାରେ ସୁନା ଉପରେ କୌଣସି ଭାଟ୍ କିମ୍ବା ଆମଦାନୀ ଶୁଳ୍କ ନାହିଁ। ତେଣୁ, ଦୁବାଇ ସୁନା ବଜାରରେ ସୁନା ମୂଲ୍ୟ ଭାରତ ତୁଳନାରେ ଯଥେଷ୍ଟ କମ୍। ଦୁବାଇ ପରେ ସିଙ୍ଗାପୁର ସହରରେ ଶସ୍ତାରେ ସୁନା ମିଳେ। ସିଙ୍ଗାପୁର ଏକ ପ୍ରମୁଖ ସୁନା ବାଣିଜ୍ୟ କେନ୍ଦ୍ର ହୋଇଥିବା ବେଳେ ସେଠାରେ କମ୍ ଟିକସ ଏବଂ ଉଚ୍ଚମାନର ସୁନା ଉପଲବ୍ଧ ହୋଇଥାଏ।
ଭାରତ ତୁଳନାରେ ବ୍ୟାଙ୍କକର ସୁନା ବଜାର ଭଲ। ଏଠାରେ ସୁନାର ମୂଲ୍ୟ ଭାରତ ତୁଳନାରେ କମ୍ ଏବଂ ଏହାର ଶୁଦ୍ଧତା ମଧ୍ୟ ଭଲ। ସେହିଭଳି ସ୍ୱିଜରଲ୍ୟାଣ୍ଡ ସୁନା ବିଶୋଧନ ଏବଂ ସଂରକ୍ଷଣ ପାଇଁ ଜଣାଶୁଣା। ଏଠାରେ ସୁନାର ଶୁଦ୍ଧତା ଭଲ ଏବଂ ମୂଲ୍ୟ ମଧ୍ୟ ତୁଳନାତ୍ମକ ଭାବରେ କମ୍। ଏହା ବ୍ୟତୀତ, ହଂକଂରେ ଟିକସ ଛାଡ଼ ଯୋଗୁ, ସୁନାର ମୂଲ୍ୟ ବହୁତ କମ୍ ରହିଛି।
ବିଦେଶରୁ ସୁନା କିଣି ଭାରତକୁ ଆଣିବାକୁ ଚାହୁଁଥିବା ଲୋକେ ଏଥିପାଇଁ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା କିଛି ନିୟମ ପାଳନ କରିବା ଆବଶ୍ୟକ। କିନ୍ତୁ ଅନେକ ଲୋକ ବିଦେଶରୁ ସୁନା ଆଣି ନ ଥାନ୍ତି କାହିଁକି ? ଯଦି କୌଣସି ବ୍ୟକ୍ତି ବିଦେଶରୁ ସୁନା ଆଣିବାକୁ ଚାହାନ୍ତି, ତେବେ ସେ ଆମଦାନୀ ଟିକସ ବିନା ମାତ୍ର ୨୦ ଗ୍ରାମ ସୁନା ଅର୍ଥାତ୍ ଦୁଇଭରି ସୁନା ସାଙ୍ଗରେ ଆଣିପାରିବେ।
ସେହିଭଳି ମହିଳା ଯାତ୍ରୀମାନେ ବିନା ଟିକସରେ ୪୦ ଗ୍ରାମ ସୁନା ଅର୍ଥାତ୍ ୪ ଭରି ସୁନା ସାଙ୍ଗରେ ଆଣିପାରିବେ। ଭାରତକୁ କେବଳ ଅଳଙ୍କାର ଆକାରରେ ସୁନା ଅଣାଯାଇପାରିବ, ବାର୍ ଏବଂ ମୁଦ୍ରା ନିଷିଦ୍ଧ। ଏହା ସହିତ, ସୁନା କିଣିବାର ବିଲ୍ ମଧ୍ୟ ଥିବା ଆବଶ୍ୟକ ହୋଇଥାଏ, ଯେଉଁଥିପାଇଁ ବିଦେଶରୁ ସୁନା ଆଣିବାକୁ ଅନେକ ଆଗ୍ରହ ପ୍ରକାଶ କରନ୍ତି ନାହିଁ।


