TT Ads

ଆସନ୍ତା ୨୭ ତାରିଖରେ ମୋହନଲାଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଏମ୍ପୁରାନ ମୁକ୍ତିଲାଭ କରିବାକୁ ଯାଉଛି।ଏଥିପାଇଁ କେରଳର ବିଭିନ୍ନ ପ୍ରେକ୍ଷାଳୟଗୁଡ଼ିକରେ ଜୋରଦାର ପ୍ରସ୍ତୁତ ଚାଲିଛି।

ସିନେମା ମୁକ୍ତିଲାଭ ସମୟରେ ଭିଡ଼କୁ ଦୃଷ୍ଟିରୁ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ପରିସ୍ଥିତିକୁ ଏଡାଇବା ପାଇଁ କେରଳ ସରକାର ସତର୍କ ରହିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯିବ।

କେବଳ ଥିରୁବନନ୍ତପୁରମରେ, ବିଭିନ୍ନ ଥିଏଟରରେ ୧୫୦ ଜଣ ପୋଲିସ କର୍ମଚାରୀ ମୁତୟନ ହେବେ। ପ୍ରଶଂସକଙ୍କ ପ୍ରବଳ ଭିଡ଼ ଯୋଗୁଁ ହିଂସା ଏବଂ ଦୁର୍ଘଟଣାର ସମ୍ଭାବନାକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ସମସ୍ତ ସିନେମା ହଲରେ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ତେଲୁଗୁ ଫିଲ୍ମ ପୁଷ୍ପା ୨ ରିଲିଜ୍ ସମୟରେ ହାଇଦ୍ରାବାଦରେ ଦଳାଚକଟା ହୋଇ ଜଣେ ମହିଳାଙ୍କ ଜୀବନ ଯାଇଥିଲା।

ପ୍ରକାଶ ଥାଉ କି ଚର୍ଚ୍ଚିତ ମାଲାୟଲମ ଚଳଚ୍ଚିତ୍ର ଏମ୍ପୁରାନର ଟିକେଟ୍ ପ୍ରି-ବୁକିଂ ଆରମ୍ଭ ହେବାର କିଛି ମିନିଟ୍ ମଧ୍ୟରେ ଅନଲାଇନ୍ ଏବଂ ଅଫ ଲାଇନ୍ ଉଭୟରେ ବିକ୍ରି ହୋଇଯାଇଥିଲା। ସେପଟେ ମୋହନଲାଲଙ୍କ ପ୍ରଶଂସକମାନେ ମଧ୍ୟ ଥିଏଟରରେ ମହାନ ଉତ୍ସବର ଯୋଜନା କରୁଛନ୍ତି।

ପୃଥ୍ୱୀରାଜ ସୁକୁମାରନଙ୍କ ନିର୍ଦ୍ଦେଶିତ ଏମ୍ପୁରାନ୍ ଗୁରୁବାର, ମାର୍ଚ୍ଚ ୨୭ ତାରିଖରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ। ମୁରଲୀ ଗୋପୀଙ୍କ ଦ୍ୱାରା ଲିଖିତ ଏବଂ ଆଣ୍ଟୋନି ପେରୁମ୍ବାଭୁର, ଗୋକୁଲମ୍ ଗୋପାଳନ୍ ଏବଂ ସୁବାସ୍କରଣ ଅଲ୍ଲୀରାଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଆକ୍ସନ୍ ଥ୍ରୀଲର୍ ତାମିଲ, କନ୍ନଡ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।

ପଲିଟିକାଲ କମେଡି ସୋ’କୁ ନେଇ ଭଙ୍ଗାରୁଜା

TT Ads

Leave a Reply

Your email address will not be published. Required fields are marked *