ଭୁବନେଶ୍ୱର, ୨୭/୧୨(ଓଡ଼ିଶା ଜାଗରଣ) : ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଶ୍ରୀ ଆହୁଜାଙ୍କୁ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାକୁ ବୃଦ୍ଧି କରାଯାଇ ୨୦୨୬ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ମୁଖ୍ୟ ଶାସନ ସଚିବ ପଦରେ ରହିବେ ବୋଲି ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ଜୁନ ୩୦ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ରୀୟ ଦେପୁଟେଶନରେ ଥିବା ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଉପସ୍ଥାପିତ କରାଯାଇଥିଲା।
ସେ ଯୋଗ ଦେବା ପରେ ନୂଆ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ମନୋଜ ଆହୁଜା। ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାରେ ସେ ବଡ଼ ଭୂମିକା ନିଭାଇଛନ୍ତି। ଏ ଭିତରେ ରାଜ୍ୟରେ ପ୍ରଥମଥର ନାଭାଲ ଡେ, ଡିଜି ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ବେଳେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁଯାଉଛି।

ଭୁବନେଶ୍ୱର, ୨୭/୧୨(ଓଡ଼ିଶା ଜାଗରଣ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିବା ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ ଚତୁରତାର ସହ ଖସି ଯାଇଛନ୍ତି।
ଖବର ନେବାରୁ ଜଣା ପଡ଼ିଛି ଯେ, ଥାନାରେ ହୋଇଥିବା ଏକ ମାମଲା ରଫାଦଫା କରିବା ପାଇଁ ଗୋଇରାପଦର ଗାଁର ପ୍ରଭା ପୁଝ।ରିଙ୍କ ଠାରୁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ମାଗିଥିଲେ ମୁକୁନ୍ଦ ଖେମୁଣ୍ଡି। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସୀ ଥିଲା।
କିନ୍ତୁ ଏଏସଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକ୍ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ଅଧିକାରୀ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖିଛଛି। ଏଏସଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ଭୁବନେଶ୍ୱର (ଓଡ଼ିଶା ଜାଗରଣ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରାଯାଇଛି।

ପ୍ରକାଶ ଥାଉ କି ଗତକାଲି ଭିଜିଲାନ୍ସ ପକ୍ଷରୁ କୋରାପୁଟ, ଜୟପୁର ସମେତ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥ‌ିବା ଭଡା ଘରେ ଚଢଉ କରାଯାଇଥିଲା। ଏହାସହ ରନସପୁରରେ ପୈତୃକ ଘର, ବୋରିଗୁମ୍ମା ମାର୍କେଟ କମ୍ପ୍ଲେକ୍ସ ସହ କୁମୁଲିର ଅଫିସରେ ମଧ୍ୟ ଚଢଉ କରାଯାଇଥିଲା। ଚଢ଼ାଉରେ ଭିଜିଲାନ୍ସର ୮ଟି ଟିମ୍ ସାମିଲ ରହିଥିଲେ। ଯେଉଁଥିରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର୍, ୫ ଜଣ ଏଏସଆଇ ସାମିଲ୍ ହୋଇଥିଲେ। ଚଢଉରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ବୋରିଗୁମ୍ମାରେ ଗୋଟିଏ ଦୁଇ ତାଲା କୋଠା ଥିବା ବେଳେ ବୋରିଗୁମ୍ମା, ଝିଲିମିଲିରେ ଦୁଇ ତାଲା କୋଠା ରହିଛି। ଏଥିସହ ଆଉ ଏକ କୋଠା, ୧୭ଟି ପ୍ଲଟ୍ ବୋରିଗୁମ୍ମାରେ ରହିଛି | ତାଙ୍କ ଘରୁ ନଗଦ ୧ଲକ୍ଷ ୫୫ହଜାର ଟଙ୍କା, ବ୍ୟାଙ୍କ୍ ଏବଂ ଇନ୍ମୁରାନ୍ସରେ ୮୪ ଲକ୍ଷ ଟଙ୍କା, ୧୫୨ଗ୍ରାମ ସୁନ ଗହଣା ଏବଂ ୩ଟି ଚାରି ଚକିଆଁ, ଗୋଟିଏ ଦୁଇଚକିଆ ଗାଡି ରହିଛି।

ବ୍ରହ୍ମପୁର, ୨୭/୧୨(ଓଡ଼ିଶା ଜାଗରଣ):
ଗଞ୍ଜାମ ଜିଲ୍ଲାର ଏକ ଇଭି ଶୋରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ଚଳିତ ଗାଡ଼ି ଜଳି ନଷ୍ଟ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଟାଉନ ଥାନାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଏକାଧିକ ଗାଡ଼ି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।
ଆଜି ସକାଳେ ଇଭି ଶୋ’ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ଶୋ’ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଇଭି ଶୋ’ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ନେବାରୁ ଜଣା ପଡ଼ିଛି ଯେ, ରେଡ୍ଡୀ ଗ୍ୟାରେଜ ନିକଟରେ ଥିବା ଶୋ ରୁମରୁ ଆଜି ସକାଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦମକଳ ଗାଡ଼ି ସହ ଅଗ୍ନିକ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

  1. ନୂଆଦିଲ୍ଲୀ, ୨୭/୧୨: ଅର୍ଥନୀତି ଉଦାରିକରଣର ଭୀଷ୍ମ ପିତାମହ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ ଆଉ ନାହାଁନ୍ତି। ଗୁରୁବାର ରାତି ୯ ଟା ୫୨ ମିନିଟରେ ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇ ଥିଲା। ବାୟସାଧିକ କାରଣରୁ ଶୁକ୍ରବାର ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲ ପରିସରରେ ତାଙ୍କର ପରଲୋକ ହୋଇଛି। ସେ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ। ପଞ୍ଜାବରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ କେମ୍ରିଜ୍ ବିଶ୍ଵବିଦ୍ୟାଳୟରୁ ୧୯୬୨ ମସିହାରେ ପିଏଚଡି ଲାଭ କରିବା ପରେ ଜଣେ ଅର୍ଥନୀତିର ପ୍ରଫେସର ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ବାଣିଜ୍ୟ ମନ୍ତ୍ରାଳୟର ପରାମର୍ଶଦାତା ଭାବେ କାମ କରିଥିଲେ। ୧୯୮୨ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ। ୧୯୮୫ରୁ ୧୯୮୭ ମସିହା ପର୍ଯ୍ୟନ୍ତ ଯୋଜନା ବୋର୍ଡର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ୧୯୯୧ ମସିହାରେ ପିଭି ନରସିଂହରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇ ପ୍ରଥମ ପର୍ଯ୍ୟିରେ ୫ କାର୍ଯ୍ୟ ତୁଲାଇ ଥିଲେ। ପରେ ପୁନର୍ବାର ୨୦୦୯ ମସିହାରେ ୟୁପିଏ ସରକାରରେ ଦ୍ଵିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର, ୨୬/୧୨ (ଓଡ଼ିଶା ଜାଗରଣ): ଭୁବନେଶ୍ଵରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବିଏମ୍‌ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ବଳ ଯେଉଁଭଳି ଭାବରେ ଉତ୍ତର ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଥିବା ପ୍ରତ୍ୟେକ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ଗଳିଛନ୍ତି, ସେଥିପାଇଁ ୫ ହଜାର ଉଠାଦୋକାନୀ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ପରିବାରର ୨୦ ହଜାର ଲୋକ ଭୋକ ଉପାସରେ ରହିବେ। ଏହାକୁ ବିରୋଧ କରି ଗୁରୁବାର ନିଖଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋଳାନୀ ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ଡାକରାରେ ପ୍ରାୟ ୫ ହଜାର ଉଠଦୋକାନୀ ଉତ୍ତର ବିଏମ୍‌ସି କାର୍ଯ୍ୟାଳୟକୁ ତିନିଦିଗରୁ ଘେରିଥିଲେ।

ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ସୁଦର୍ଶନ ପୃଷ୍ଟି, ବିଜୟ କୁମାର ସେନାପତି ଓ ଶରତ କୁମାର ସାହୁଙ୍କ ନେତୃତ୍ବରେ ୧ ହଜାରରୁ ଊର୍ଦ୍ଧ୍ଵ ଉଠାଦୋକାନୀ ଆପୋଲୋ ହସ୍ପିଟାଲ ଛଳରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ଦିଏମ୍‌ସିର ଉତ୍ତର ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ବିପିନ ଜେନା, ସୂର୍ଯ୍ୟମଣି ସାହୁ, ଲଲାଟ ଓଝା ଓ ମିନିରାଣୀ ଦାସଙ୍କ ନେତୃତ୍ବରେ ୧ ହଜାର ଉଠାଦୋକାନୀ କାଲିୟର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ବିଏମ୍‌ସିର ଦିକ୍ଷଣ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ପ୍ରଦୀପ କୁମାର ସାହୁ, ନିରଞ୍ଜନ ପାଣେ, ବାସୁଦେବ ପଣ୍ଡା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ମଙ୍ଗୁଳି ସାହୁ, ଜଗନ୍ନାଥ ବାବୁ, ଭାରତୀ ସେଠୀ, ପ୍ରଶାନ୍ତ କୁମାର ନାୟକ, ନାଲୁଆ ସାହୁ, ଦମୟନ୍ତୀ ପରିଡ଼ା ଓ ସବନମ ବିଦିଙ୍କ ନେତୃତ୍ବରେ ୩ ହଜାର ୨ଠାଦୋକାନୀ ଡମଣା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ଦିଏମ୍‌ସି ପଶ୍ଚିମ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରେ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧ ମଣ୍ଡଳୀ ବିଏମ୍‌ସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ଡେପୁଟି କମିଶନର ଶୁଭେନ୍ଦୁ ସାର, ଉତ୍ତର ବିଏମ୍‌ସି ଜୋନର ଜେଡ଼ିସି ଶଶିଭୂଷଣ ମହାନ୍ତିଙ୍କୁ ଭେଟି ସମ୍ପୂର୍ଣ ଉଚ୍ଛେଦ ବନ୍ଦ କରିବା ଏବଂ ଯିଏ ଯେଉଁଠି ବେପାର କରୁଛି, ସେହି ଜାଗାକୁ ଲେଣ୍ଡିଂ ଜୋନ ଘୋଷଣା କରିବା, ଉଠାଦୋକାନୀ ଆଇନକୁ କାର୍ଯ୍ୟକାରୀ କରିବା, ଉଚ୍ଛେଦ ପୂର୍ବରୁ ମହାସଂଘ ଓ ସ୍ଥାନୀୟ ସଂଘ ସହିତ ଆଲୋଚନା କରିବା, ବିଏମ୍‌ସି ଦେଇଥିବା ପରିଚୟ ପତ୍ର ୫ ବର୍ଷ ପୂରଣ ହୋଇଥିବାରୁ ତାହା ନୂତନ ପରିଚୟ ପତ୍ର ଓ ଭେଣ୍ଡିଂ ଜୋନ ସାର୍ଟିଫିକେଟ ପ୍ରଦାନ କରିବା, ପ୍ରତ୍ୟେକ ଦୋକାନୀଙ୍କୁ ୧୦ଫୁଟରେ ୮ଫୁଟ ଜାଗା ପ୍ରଦାନ କରିବା, ବିଏମ୍‌ସି ସ୍ଟାର୍ଡ଼ ସହିତ ମହାସଂଘର ସ୍ୱେଚ୍ଛାସେବୀମାନଙ୍କୁ ସାମିଲ୍ କରିବା, ଭେଣ୍ଡିଂ ଜୋନ ଚୟନ ସମୟରେ ସେହି ଅଞ୍ଚଳର ଉଠାଦୋକାନୀ କମିଟି ଓ ମହାସଂଘର ସହାୟତା ନେବା, ଟିଭିସି ନିର୍ବାଚନ ମାଧ୍ୟମରେ କରିବା ଏବଂ ବଳପୂର୍ବକ ଉଚ୍ଛେଦ ବନ୍ଦ କରିବା ଆଦି ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଲୋଚନା ସମୟରେ ମେୟର, ଦୁଇ ଡେପୁଟି କମିଶନର ଏହିସବୁ କଥାକୁ ହୃଦୟଙ୍ଗ କରି କହିଲେ ଯେ, ଆମ୍ଭେ କାହାରିକୁ ଉଚ୍ଛେଦ କରୁନାହୁଁ । ସମସ୍ତଙ୍କର ଜୀବନ ଜୀବିକା ରହିଛି । ଥଇଥାନ କରିବା ଆମର ଦାୟିତ୍ଵ । ତେଣୁ ସମସ୍ତଙ୍କୁ ଥଇଥାନ କରାଯିବା ସହ ୯ ଦଫା ଦାବିପତ୍ରକୁ ମାନି ନେଇଥିଲେ ଏବଂ ମହାସଂଘ ବିଏମ୍‌ସିକୁ ସବୁ କ୍ଷେତ୍ରରେ ସହଯୋଗ କରିବ ବୋଲି ଶ୍ରୀଯୁକ୍ତ ସାହୁ ବିଏମ୍‌ସି ଅଧୁକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀ ସାହୁ କହିଛନ୍ତି ଯେ, ଯଦି ବିଏମ୍‌ସି ତାର ପ୍ରତିଶ୍ରୁତିରୁ ଓହରିଯାଏ, ତେବେ ଆଗାମୀ ଦିନରେ ଦୁର୍ଗାର ଆନ୍ଦୋଳନ କରା‌ଯିବ ବୋଲି
ଚେତାବନୀ ଦେଇଥିଲେ ।

ଭୁବନେଶ୍ୱର, ୨୬/୧୨(ଓଡ଼ିଶା ଜାଗରଣ):
ପ୍ରକାଶ ପାଇଲା ୨୦୨୫ ବର୍ଷ ପାଇଁ ଇଂରାଜୀ କ୍ୟାଲେଣ୍ଡର୍।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଂରାଜୀ ନୂଆବର୍ଷ ଅବସରରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି l
କ୍ୟାଲେଣ୍ଡରଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଗୁରୁବାର ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି l ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ଇଂରାଜୀ ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱରସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ରଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ସକାଶେ ଉପଲବ୍ଧ ହେବ।

ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l

ଭୁବନେଶ୍ୱର, ୨୬/୧୨(ଓଡ଼ିଶା ଜାଗରଣ): ପୂର୍ବ ସରକାର ଓଡ଼ିଶାର ଛାତ୍ରଶକ୍ତିକୁ ଭୟ କରୁଥିଲେ। ଯେଉଁଥିପାଇଁ ଦୀର୍ଘ ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ କରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି। ଗୁରୁବାର କଟକରେ ଅନୁଷ୍ଠିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ରାଜ୍ୟସ୍ତରୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ତେବେ ଏଥର ନିଶ୍ଚିତ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସଭାରେ କହିଛନ୍ତି। ସେ ଆହୁରି କହୁଛନ୍ତି ଯେ, ରାଜ୍ୟରେ ବିଜେପି – ବିଜେଡି ସରକାର ଥିବା ବେଳେ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ନିର୍ବାଚନ ହେଉଥିଲା। କିନ୍ତୁ ବିଜେଡି ଏକକ ସରକାର କରିବା ପରେ ଏହି ନିର୍ବାଚନକୁ ବନ୍ଦ୍ କରିଛି। ଯାହା ଛାତ୍ର ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଏବିଭିପିର କର୍ମକର୍ତ୍ତାଙ୍କୁ ନିଷ୍ଠାପର ଭାବେ ଆଦର୍ଶଗତ ଦାୟିତ୍ବ ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର, ୨୬/୧୨(ଓଡ଼ିଶା ଜାଗରଣ) :
ସାଧାରଣ ନିର୍ବାଚନରେ ବିଜେଡ଼ିର ପରାଜୟ ପରେ ହାରିବାର କାରଣ କହିଲେ ଦଳର ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ। ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ଅବସରରେ ସେ କହିଛନ୍ତି ଯେ, ଆମେ ବା ବିଜେଡି ହରିନାହି କି ଲୋକଙ୍କ ବିଶ୍ୱାସ ହରାଇ ନାହିଁ। ବରଂ ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଗତ ନିର୍ବାଚନ ପୂର୍ବରୁ ବିଜେବି ଓଡିଶାବାସୀଙ୍କୁ ଯେଉଁଭଳି ଭୁଆଁ ବୁଲେଇଲା ତାକୁ ବିଜେଡି କାଉଣ୍ଟର କରି ପାରିଲା ନାହିଁ ବୋଲି କହିଛନ୍ତି। ଅପରପକ୍ଷେ ସେ ଆହୁରି କହିଛନ୍ତି ଯେ ବିଜେପି ମିଛ ପ୍ରତିଶ୍ରୁତି ଦେଇ ମଧ୍ୟ ଅଧିକ ଭୋଟ ପାଇ ନାହିଁ। ବରଂ ବିଜେଡି ଅଧିକ ଭୋଟ ପାଇଛି। ଏବେ ଲୋକେ ଜାଣି ଗଲେଣି ଓ ବୁଝି ଗଲେଣି ଯେ ବିଜେପି ମିଛ କହିଛି। ତେଣୁ ଆଗାମୀ ଦିନରେ ବିଜେଡିର ଦଳୀୟ କର୍ମୀମାନେ ଲୋକଙ୍କ ପାଖକୁ ଯାଇ ସତ କଥା ଜାଣନ୍ତୁ। ବିଜେଡି ସରକାର ବିଗତ ଦିନରେ ଯେଉଁ ଉନ୍ନତିମୂଳକ କାମ କରିଛି ତାର ପ୍ରଚାର କରନ୍ତୁ।
ପ୍ରକାଶ ଥାଉ କି ଗତ କିଛି ଦିନ ମଧ୍ୟରେ ବିଜେଡିର ବହୁ ନେତା ଦଳର ପରାଜୟ ନେଇ ଯେଉଁ କାରଣମାନ କହିଛନ୍ତି, ତାକୁ ଅନେକାଂଶରେ ସତ୍ୟ ବୋଲି ସ୍ବୀକାର କରିଛନ୍ତି ଦଳର ସୁପ୍ରିମୋ।

ବ୍ରହ୍ମପୁର, (ଓଡ଼ିଶା ଜାଗରଣ): ବିବହିତଙ୍କ ସହ ଜଣେ ବିବାହିତା ମହିଳାଙ୍କ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ଶେଷରେ ପରିସ୍ଥିତି ଏଭଳି ହେଲା ଯେ, ଉଭୟେ ଗଛରେ ଝୁଲିପଡ଼ି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମରେ। ଗାଁ ନିକଟ ପାହାଡ଼ ଉପରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ପ୍ରେମୀ ଯୁଗଳମାନେ ହେଲେ ପାଟପୁର ଥାନା ପାଟପୁରର ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଓ ପୁରୁଷ ଜଣଙ୍କ ହେଲେ ସେହି ଥାନା ଅନ୍ତର୍ଗତ ରାଧାଦେଈପୁର ଗ୍ରାମର ସୀମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ। ବିବାହିତ ଉଭୟଙ୍କ ସନ୍ତାନ ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଥିଲା। ଯାହାକୁ ସମାଜ ଗ୍ରହଣ କରି ନ ଥିଲା। ଯେଉଁଥିପାଇଁ ଉଭୟ ଗଡ ୧୯ ତାରିଖରୁ କେଉଁଆଡେ ପଳାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା।
ଗୁରୁବାର ସକାଳେ ପାହାଡ ଉପରେ ଥିବା ଏକ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖି ପୁଲିସ ଓ ଦୁଇଜଣଙ୍କ ପରିବାରକୁ କହିଥିଲେ। ପୁଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ଅନୁସନ୍ଧାନ ଜାରୀ ରଖିଛି।