ସାମୂହିକ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସମାଗମ ହୋଇଛି। ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ବନ ବିଭାଗ ପକ୍ଷରୁ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ କରାଯାଉଛି।
ବର୍ତ୍ତମାନ ଧୀରେ ଧୀରେ ଦକ୍ଷିଣା ପବନ ସାଙ୍ଗକୁ କଇଁଛଙ୍କ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଛି। ଯେଉଁଥିପାଇଁ ତିନି ଦିନରେ ୨ଲକ୍ଷ ୧୯ ହଜାର ସାମୂହିକ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗୋଟିଏ କଇଁଛ ୧୨୦ରୁ ୧୫୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ରକୁ ଚାଲି ଯାଇଥାଏ। ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ରକୁ ଚାଲିଯାଆନ୍ତି।
ପ୍ରକାଶ ଥାଉ କି ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ୱର ମାସରେ ସୁଦୂର ଦେଶରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି। କିନ୍ତୁ ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନ ଥିଲା। କିନ୍ତୁ ଚଳିତ ବର୍ଷ ଗଣ ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ଥିବାରୁ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ସାଧାରଣତଃ କଇଁଛମାନେ ରାତିରେ ଆସି ଅଣ୍ଡାଦାନ କରୁଥିବା ବେଳେ ମଙ୍ଗଳବାର ଦିନବେଳା ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି।



