କମିବାରେ ଲାଗିଛି ଜଙ୍ଗଲ। ବୃଦ୍ଧି ପାଇବାରେ ଲାଗିଛି ଜନବସତି ଅଞ୍ଚଳ। ଏହାର ପ୍ରଭାବରେ ଜଂଗଲୀ ଜନ୍ତୁ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଭୁବନେଶ୍ୱର ଏମ୍ସ ନିକଟରେ ଏବେ ଜଙ୍ଗଲୀ ହାତୀଙ୍କୁ ଦେଖିବାକୁ ମିଳୁଛି।
ଫଳରେ ଏହାର ଆଖପାଖ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ନିକଟ ଚନ୍ଦକା ଡମପଡା ଅଭୟାରଣ୍ୟରୁ କିଛି ହାତୀ ଖାଦ୍ୟ ଅନ୍ୱେଷଣରେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନେଇ ନିକଟ କାଜୁ ଜଙ୍ଗଲକୁ ଆସିଥିଲେ। କିନ୍ତୁ ସକାଳ ହୋଇଯିବାରୁ ଆଉ ଫେରି ପାରି ନାହାଁନ୍ତି। ଫଳରେ ହାତୀ ପଲ ନିକଟସ୍ଥ କାଜୁ ଜଙ୍ଗଲରେ ରହିଯାଇଛନ୍ତି। ସକାଳେ ଏମ୍ସ ହସପିଟାଲକୁ ଆସିଥିବା କିଛି ରୋଗୀଙ୍କ ସଂପର୍କୀୟ ଜଙ୍ଗଲି ହାତୀଙ୍କୁ ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଙ୍କୁ ଘଉଡାଇବା କାର୍ଯ୍ୟରେ ଲାଗିଛନ୍ତି। ହାତୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ସିଯୁଆ, ପାତ୍ରପଡ଼ା ଅଶୀଙ୍ଗିନିଆ, ସରକନ୍ତରା, ଡୁମୁଡୁମା ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଅପରପକ୍ଷେ ଲୋକେ ସଜାଗ ରହିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।



