TT Ads
ଗତ ୪ ବର୍ଷ ଭିତରେ ଭାରତ ସବୁଠାରୁ କମ୍‌ ଦାମ୍‌ରେ କିଣୁଛି କଞ୍ଚାଦେଲ। ଭାରତ କିଣୁଥିବା ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍‌ ଏବେ ୬୮ ଡଲାର ସ୍ତରକୁ ଖସିଆସିଛି। ଏତେ ଅନୁକୂଳ ସ୍ଥିତି ସତ୍ତ୍ବେ ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ଚଢ଼ା ଦରରେ କିଣିବାକୁ ପଡୁଛି।
ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚରେ ଅଶୋଧିତ ତେଲ ଦର ୭୨.୪୭ ଡଲାର ସ୍ତରକୁ ଖସିଥିଲା। ୨୦୨୩-୨୪ରେ ଓମାନ ଓ ଦୁବାଇ ଜରିଆରେ ମଗାଯାଉଥିବା ତେଲ ଦର ଉଚ୍‌ଚ ସ୍ତରରେ ରହିଥିଲା। ବ୍ରେଣ୍ଟ କ୍ରୁଡ୍‌ ଦାମ୍‌ ତା’ଠାରୁ କମ୍‌ ଥିଲା। ଭାରତୀୟ ବିଶୋଧନାଗାରଗୁଡିକରେ ଏହି ତେ?ଳଗୁଡିକୁ ବିଶୋଧନ କରାଯାଉଛି। ଭାରତ ମଗାଉଥିବା ତେଲର ଦାମ୍‌ କମ୍‌ କରିବା ଲାଗି ବିଭିନ୍ନ ଦେଶରୁ ତେଲ ମଗାଇବାକୁ ପେଟ୍ରୋଲିୟମ୍‌ ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତବର୍ଷ ସୁପାରିସ କରିଥିଲା। ମଧ୍ୟପ୍ରାଚ୍ୟ ଦେଶଗୁଡିକ ‘ଏସିଆ ପ୍ରିମିୟମ୍‌’ ଅସୁଲ କରୁଥିବାରୁ, ସେଠାରୁ ମଗାଯାଉଥିବା ତେଲ ଦାମ୍‌ ଅଧିକ ରହୁଛି। ଓପେକ୍‌ ରାଷ୍ଟ୍ରଗୁଡିକ ବିକ୍ରି ମୂଲ୍ୟ ବାହାରେ କିଛି ନିର୍ଦ୍ଦିଷ୍ଟ ଦେଶଠାରୁ ଏହି ପ୍ରିମିୟମ୍‌ ଅସୁଲ କରୁଛନ୍ତି।
ରୁଷ୍‌-ୟୁକ୍‌ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ରୁଷରୁ ବିପୁଳ ତେଲ କିଣାଯାଉଥିଲା। ତେଣୁ ଭାରତର ତେଲ ବାସ୍କେଟ୍‌ ହିସାବରେ ପରିବର୍ତ୍ତନ ଆଣିବାକୁ ଦାବି ହୋଇଥିଲା। ୨୦୨୩ ମାର୍ଚ୍ଚରେ ଭାରତ ଏହାର ସର୍ବାଧିକ ତେଲ ରୁଷ୍ରୁ ମଗାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଘୋଷଣା କରିବା ପରେ ବିଶ୍ୱ ଅର୍ଥନୀତି ମନ୍ଥର ହେବାର ଆଶଙ୍କା ଥିବାରୁ ତୈଳ ଦର କମୁଛି। ତାହାର ପ୍ରଭାବରେ ବ୍ରେଣ୍ଟ୍‌ କ୍ରୁଡ୍‌ ଶସ୍ତା ହୋଇଛି।
ଅନ୍ୟପକ୍ଷରେ, ଭାରତରେ ତେଲ ବିପଣନ କମ୍ପାନିଗୁଡିକ ଏବେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୫ ଟଙ୍କା ଲାଭ କରୁଥିବା ଜଣାପଡିଥିଲା। ସେହି ଲାଭର କିଛି ଅଂଶକୁ ଗ୍ରାହକଙ୍କୁ ଦେବା ଲାଗି ତେଲ କମ୍ପାନି କିମ୍ବା ସରକାର କେହି ଚାହୁନାହାନ୍ତି। ଅଧିକ ଟିକସ ଅସୁଲ କରିବା ଲାଗି କେନ୍ଦ୍ର ସରକାର ଲିଟର ପିଛା ଉତ୍ପାଦ ଶୁଳ୍କ ୨ ଟଙ୍କା ବଢ଼ାଇ ଦେବା ପରେ ପେଟ୍ରୋଲ ଓ ଡିଜେଲ ଦର କମିବାର ଯେଉଁ ସମ୍ଭାବନା ଥିଲା ତାହା ପ୍ରାୟ ଦୂର ହୋଇଯାଇଛି।
OJ Ads

Leave a Reply

Your email address will not be published. Required fields are marked *