ବଢ଼ିବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କଳେବର। ଏଥିରେ ଅଧିକ ଗ୍ରାମ ମିଶ୍ରଣ ସହ ଲୋକଙ୍କୁ ସୁଲଭ ଦରରେ ବିକଶିତ ଜମି ବିକ୍ରି କରାଯିବ।
ବିଡିଏରେ ମିଶିବ ଆଉ ୧୪୩ ରାଜସ୍ୱ ଗ୍ରାମ। ବିଡିଏର ୧୫୦ତମ କର୍ତ୍ତୃପକ୍ଷ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ଗ୍ରାମଗୁଡ଼ିକ ମିଶିବା ପରେ ବିଡିଏ ଅଧିକାର କ୍ଷେତ୍ରରେ ଥିବା ମୋଟ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ। ଅନୁମୋଦନ ପରେ ଏହି ପ୍ରସ୍ତାବ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ, ୧୯୮୨ର ଧାରା ୩ ଅନୁଯାୟୀ ରାଜ୍ୟ ସରକାରଙ୍କ ନିକଟକୁ ବିଚାର ଓ ଅନୁମୋଦନ ପାଇଁ ପଠାଯିବ। ପ୍ରକାଶ ଥାଉକି, ୧୯୮୩ରେ ମାତ୍ର ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା। ପରେ ୨୦୦୨, ୨୦୦୩ ଏବଂ ୨୦୧୧ରେ ସମ୍ପ୍ରସାରଣ କରାଯାଇଥିଲା।
ଅନ୍ୟପକ୍ଷରେ ରାଜସ୍ୱ ବୃଦ୍ଧି କରିବାକୁ ବିଡିଏ ବିଭିନ୍ନ ଅଞ୍ଚଳରେ ଥିବା ଏହାର ଜମିକୁ ପ୍ଲଟିଂ କରି ବିକ୍ରି କରିବାକୁ ଯୋଜନା କରିଛି। ଏଥିପାଇଁ ଅନେକ ଜମିକୁ ନିଲାମ ପାଇଁ ଚିହ୍ନଟ କରାଯାଇଛି। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନ ଉପସ୍ଥାପିତ ହୋଇଥିଲା। ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬.୦୮ କୋଟିର ବଜେଟ୍ ଅନୁମୋଦନ କରାଯାଇଥିବା ବେଳେ ବିଶେଷ କରି ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି


