କଟକଣା ସତ୍ତ୍ବେ ବେଆଇନ ଜମି ବିକ୍ରି ପାଇଁ ଅନୁମତି ଦେଇ ଫସିଛନ୍ତି ୧୮ ଜଣ ଅଧିକାରୀ। ପୂର୍ବରୁ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ସାରିଥିବା ବେଳେ ଏବେ ବିଡିଏ ଅଞ୍ଚଳରେ ଅନ୍ୟ ୧୮ ଜଣ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି

ପ୍ରାଥମିକ ପର୍ଯ୍ୟାୟରେ ସର୍ବନିମ୍ବ ୧୦୦ ପ୍ଲଟ୍‌ କିଣାବିକା ଅନୁମତି ଦେଇଥିବା ଅଧିକାରୀଙ୍କ ତାଲିକା କରାଯାଇଛି। ଏମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରର୍‌ଙ୍କୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏବେ ୧୮ ଜଣ ବର୍ତ୍ତମାନ ଓ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯାଇଛି।

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଖୋର୍ଦ୍ଧାର ବର୍ତ୍ତମାନ ସବ୍‌ରେଜିଷ୍ଟ୍ରାର୍‌ ଜ୍ଞାନରଞ୍ଜନ ସାହୁ। କଟକଣା ସମୟରେ ସେ ୫୪୮୯ ପ୍ଲଟ୍‌ କିଣାବିକା ଅନୁମତି ଦେଇଥିବା ଜଣା ପଡିଛି। ଏହା ପରେ ଅଛନ୍ତି ଜଟଣୀ ସବ୍‌ରେଜିଷ୍ଟ୍ରାର୍‌ ପ୍ରାଚୀ ପ୍ରିୟଦର୍ଶିନୀ। କଟକଣା ସମୟରେ ସେ ୪୧୦୪ ପ୍ଲଟ୍‌ ପାଇଁ ଅନୁମତି ଦେଇଥିଲେ।

ଏମାନଙ୍କ ସହ ଖଣ୍ଡଗିରିର ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ମନୋଜ କୁମାର ସେନାପତି (୩୭୪୦), ଜଟଣୀ ସବ୍‌ରେଜିଷ୍ଟ୍ରାର ବିଜ୍ଞେଶ ରଞ୍ଜନ ନାୟକ (୪୧୦୪), ଜଟଣୀ ପୂର୍ବତନ ସବ୍‌ରେଜିଷ୍ଟ୍ରାର ହୃଷୀକେଶ ତ୍ରିପାଠୀ (୧୭୬୫), ବାଲିଅନ୍ତାର ଦୁଇ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ଯୋଗୀନାଥ ଦାସ ଓ ସରୋଜ ପଣ୍ଡା, ବାଲିପାଟଣାର ବର୍ତ୍ତମାନ ସବ୍‌ରେଜିଷ୍ଟ୍ରାର୍‌ଙ୍କ ସହ ଦୁଇ ପୂର୍ବତନ ଅଧିକାରୀ, ଖୋର୍ଦ୍ଧାର ୫ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ଏହି ତାଲିକାରେ ରହିଛନ୍ତି।

ସେହିଭଳି ଅନୁଗୁଳର ପୂର୍ବତନ ସବ୍‌ରେଜିଷ୍ଟ୍ରାର ଦୋଳୋଗୋବିନ୍ଦ ସାହୁଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ପଞ୍ଜୀକରଣ ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ତାଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର୍‌ ଅନୁଗୁଳ ଏଡିଏମ୍‌ଙ୍କୁ ଚିଠି ଲେଖିଛନ୍ତି।

ବ୍ରହ୍ମପୁର-୧ ସବ୍‌ରେଜିଷ୍ଟ୍ରାର୍‌ କବିରାଜ ଆର୍ଯ୍ୟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର୍‌ ଗଞ୍ଜାମ ଏଡିଏମ୍‌ଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୨ ମସିହାରୁ ପାର୍ଟପ୍ଲଟ୍ ପଞ୍ଜୀକରଣ ଉପରେ କଟକଣା ଲାଗିଥିଲା। ଗତ ଡିସେମ୍ବରରେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଏହି ବେଆଇନ କାରବାର କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହାକୁ ନେଇ ତନାଘନା ହୋଇଥିଲା।

ମଲେଇ ଖାଉଛି ବିଡ଼ିଏ, ବିଏମସି ମୁଣ୍ଡରେ ଅଠା

ବଢ଼ିବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କଳେବର। ଏଥିରେ ଅଧିକ ଗ୍ରାମ ମିଶ୍ରଣ ସହ ଲୋକଙ୍କୁ ସୁଲଭ ଦରରେ ବିକଶିତ ଜମି ବିକ୍ରି କରାଯିବ
ବିଡିଏରେ ମିଶିବ ଆଉ ୧୪୩ ରାଜସ୍ୱ ଗ୍ରାମ। ବିଡିଏର ୧୫୦ତମ କର୍ତ୍ତୃପକ୍ଷ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ଗ୍ରାମଗୁଡ଼ିକ ମିଶିବା ପରେ ବିଡିଏ ଅଧିକାର କ୍ଷେତ୍ରରେ ଥିବା ମୋଟ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ। ଅନୁମୋଦନ ପରେ ଏହି ପ୍ରସ୍ତାବ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ, ୧୯୮୨ର ଧାରା ୩ ଅନୁଯାୟୀ ରାଜ୍ୟ ସରକାରଙ୍କ ନିକଟକୁ ବିଚାର ଓ ଅନୁମୋଦନ ପାଇଁ ପଠାଯିବ। ପ୍ରକାଶ ଥାଉକି, ୧୯୮୩ରେ ମାତ୍ର ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା। ପରେ ୨୦୦୨, ୨୦୦୩ ଏବଂ ୨୦୧୧ରେ ସମ୍ପ୍ରସାରଣ କରାଯାଇଥିଲା।
ଅନ୍ୟପକ୍ଷରେ ରାଜସ୍ୱ ବୃଦ୍ଧି କରିବାକୁ ବିଡିଏ ବିଭିନ୍ନ ଅଞ୍ଚଳରେ ଥିବା ଏହାର ଜମିକୁ ପ୍ଲଟିଂ କରି ବିକ୍ରି କରିବାକୁ ଯୋଜନା କରିଛି। ଏଥିପାଇଁ ଅନେକ ଜମିକୁ ନିଲାମ ପାଇଁ ଚିହ୍ନଟ କରାଯାଇଛି। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନ ଉପସ୍ଥାପିତ ହୋଇଥିଲା। ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬.୦୮ କୋଟିର ବଜେଟ୍‌ ଅନୁମୋଦନ କରାଯାଇଥିବା ବେଳେ ବିଶେଷ କରି ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି

ୱାକଫ୍ ବିଲକୁ କେମିତି ସମର୍ଥନ କଲେ ନିତିଶ ନାଇଡୁ

ବିନା ମଞ୍ଜୁରୀରେ ରାଜଧାନୀରେ ନିର୍ମାଣ ହୋଇଛି ୧୧,୮୦୬ ଘର। ବିଧାନସଭା ଅଧିବେଶନ ସମୟରେ ଏକ ଲିଖିତ ଉତ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି
୨୦୧୮ ରୁ ୨୦୧୯ ମଧ୍ୟରେ, ଏହି ଘରଗୁଡ଼ିକ ମଧ୍ୟରୁ ୭,୨୨୩ଟିକୁ ଏକ ସାଧାରଣ କ୍ଷମା ଯୋଜନା ମାଧ୍ୟମରେ ସଫଳତାର ସହ ନିୟମିତ କରାଯାଇଥିଲା। ଆହୁରି ୪,୫୮୩ ଘରକୁ ନିୟମିତ କରିବାକୁ ବାକି ଅଛି। କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ୨୦୧୫ ରୁ ୨୦୨୩ ମଧ୍ୟରେ ଅନଧିକୃତ କୋଠା ଯୋଜନା ଯୋଗୁଁ ବିଏମସିକୁ ୪୮ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ନିଗମ ୧୯୧ଟି ନିର୍ମାଣ ଭାଙ୍ଗି ଦେଇଥିଲା। ଏହା ସହିତ  ବିଡିଏ ୪୯୧ଟି ମାମଲା ଆରମ୍ଭ କରିଥିଲା।
ବିନା ମଞ୍ଜୁରୀରେ ଘର କରି ବିକ୍ରୟ ପରେ ଜଳାଶୟ ଉପରେ ଜବରଦଖଲ ଯୋଗୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି। କେବଳ ପାଞ୍ଚରୁ ୧୦ ପ୍ରତିଶତ କୋଠାର ଦଖଲ ପ୍ରମାଣପତ୍ର ଅଛି।
ଭୁବନେଶ୍ୱରରେ ବିଡିଏ ଅଧୀନରେ ଥିବା ବେଆଇନ ଘର ମଧ୍ୟରୁ ୧୯୧ଟି ଭାଙ୍ଗିବା ନିର୍ଦ୍ଦେଶ ଦିଆଯାଇଥିବା ନିର୍ମାଣ ଏବଂ ୧,୪୪୪ଟି ବିଏମସି ପଞ୍ଜିକୃତ ମାମଲା ରହିଛି। ଏଥିମଧ୍ୟରୁ ୬୩ଟି ବିଡିଏ ମାମଲା ପ୍ରତ୍ୟାହାର କରାଯାଇଛି। ୨୩୭ଟି ବିଚାରାଧୀନ ରହିଛି। ଯେତେବେଳେ ବିଏମସି ୪୫୧ଟି ମାମଲା ସମାଧାନ କରିଛି ଏବଂ ୯୯୩ଟି ଏପର୍ଯ୍ୟନ୍ତ ବିଚାରାଧୀନ ଅଛି।

ଭୁବନେଶ୍ୱର ସହରରେ ପ୍ରକଳ୍ପ ଅନୁମୋଦନ ଦାୟିତ୍ବ ବିଏମସି ହାତରେ ରହିଛି। ଏସବୁ ସତ୍ତ୍ୱେ ପ୍ରକଳ୍ପ ଅନୁମୋଦନ ଦେଉଛି ବିଡ଼ିଏ। ଏ ବାବଦରେ ରାଜସ୍ବ ମଧ୍ୟ ବିଡ଼ିଏ ନେଉଛି। କିନ୍ତୁ ତ୍ରୁଟିପୂର୍ଣ୍ଣ ପ୍ଲାନ୍ ଅନୁମୋଦନ ପାଇଁ ଯଦି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ସେଥିପାଇଁ ବିଏମସି ଦୋଷ ମୁଣ୍ଡାଉଛି
ଭୁବନେଶ୍ୱର ସହରରେ ନିର୍ମାଣଜନିତ ଯୋଜନା ଅନୁମୋଦନ ଦାୟିତ୍ବ ପୂର୍ବରୁ ବିଡ଼ିଏ ହାତରେ ରହିଥିଲା। ୨୦୧୫ରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)କୁ ଯୋଜନା ଅନୁମୋଦନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପୂର୍ବବତ୍ ଯୋଜନା ଅନୁମୋଦନ ପ୍ରଦାନ କରିଚାଲିଛି। ଏ ବାବଦରେ ଯେଉଁ ରାଜସ୍ବ ବିଏମସିକୁ ଆସିବା କଥା ତାହା ରାଜସ୍ବ ନେଉଛି ବିଡ଼ିଏ। କିନ୍ତୁ ତାହା ବିଡ଼ିଏ ପାଣ୍ଠିକୁ ଯାଉଛି।
ସୂଚନା ଅଧିକାର (ଆରଟିଆଇ) ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ ବିଡିଏ ୨୦୨୫ରୁ ୨୦୨୩ ପର୍ଯ୍ୟନ୍ତ ୨୮୫୮ ଟି ପ୍ରକଳ୍ପକୁ ମଞ୍ଜୁର କରିଛି। ୪୮.୧୪ କୋଟି ଟଙ୍କାର ରାଜସ୍ୱ ବିଡିଏ ପାଣ୍ଠିକୁ ପଠାଯାଇଛି, ଯାହା ଆଇନଗତ ଭାବରେ ଭୁବନେଶ୍ୱରର ନାଗରିକ ସଂସ୍ଥା ବିଏମସିର ହେବା କଥା।
ଗତ ୮ ବର୍ଷ ମଧ୍ୟରେ ବିଡ଼ିଏ ଦ୍ୱାରା ଅନୁମୋଦିତ ଅନେକ ପ୍ରକଳ୍ପର ବୈଧତା ଉପରେ ବାସିନ୍ଦାମାନେ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ପ୍ଲାନ୍ ଅନୁମୋଦନ ଜନିତ ତ୍ରୁଟି ପାଇଁ ସହରରେ ଅବାଧ ଗୃହ ନିର୍ମାଣ ବଢୁଛି ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି।