ସମୟ ଓ ସୁବିଧା ଦୃଷ୍ଟିରୁ ଆମେ ଅନଲାଇନ ବ୍ୟାଙ୍କ କାରବାରକୁ ଆପଣେଇ ନେଇଛେ। ସେହି ଅନୁଯାୟୀ ଠକମାନେ ମଧ୍ୟ ସାଇବର ଠକେଇର ଜାଲ ବିଛାଇ ନିମିଷକ ମଧ୍ୟରେ କୋଟିକୋଟି ଟଙ୍କା ଲୁଟି ନେଉଛନ୍ତି। ଭାରତରେ ପ୍ରତିଦିନ ଅନେକ ବ୍ୟକ୍ତି ସ୍କାମରଙ୍କ ଜାଲରେ ଫସି ଲୁଟ୍ର ଶିକାର ହେଉଛନ୍ତି ଲୋକେ।
୨୦୨୪-୨୫ର ପ୍ରଥମ ୧୦ ମାସରେ ‘ଡିଜିଟାଲ ଫାଇନାନ୍ସିଆଲ ଫ୍ରଡ୍’ ଯୋଗୁ ଲୋକେ ୪୨୪୫ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ଏହି ସୂଚନା ଦିଆଯାଇଛି। ପୂର୍ବରୁ ୨୦୨୨-୨୩ରେ ଏଭଳି ଠକେଇର ପ୍ରାୟ ୨୦ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ଏଥିରେ ସ୍କାମର୍ ୨୫୩୭ କୋଟି ଟଙ୍କା ଲୁଟି ନେଇଥିଲେ | ୨୦୨୩-୨୪ରେ ମଧ୍ୟରେ ୨୮ ଲକ୍ଷ ଠକେଇ ମାମଲା ରୁଜୁ ହୋଇଥିଲା। ଏହା ମାଧ୍ୟମରେ ଲୋକେ ୪୪୦୩ କୋଟି ଟଙ୍କା ହରାଇ ଥିଲେ।
ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଠକେଇ ସମ୍ବନ୍ଧିତ ମାମଲା ପାଇଁ ଆର୍ବିଆଇ ‘ପ୍ରଡ ରିପୋର୍ଟି ସିଷ୍ଟମ’ ପ୍ରସ୍ତୁତ କରିଛି। ବ୍ୟାଙ୍କ, ନନ୍-ବ୍ୟାଙ୍କ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରମେଣ୍ଟ ଇସୁଅର୍ସ ଏବଂ ନନ୍-ବ୍ୟାଙ୍କି କ୍ରେଡିଟ୍ କାର୍ଡ ଇସୁଅର୍ସ ମାଧ୍ୟମରେ ଲୋକେ ଠକେଇ ଘଟଣାର ରିପୋର୍ଟ ଦେଇପାରିବେ। ଆର୍ଥିକ ଠକେଇର ତତ୍କାଳ ରିପୋର୍ଟ ଏବଂ ଏହାକୁ ବନ୍ଦ କରିବା ପାଇଁ ‘ସିଟିଜେନ ଫାଇନାନ୍ସିଆଲ ସାଇବରଫ୍ରଡ୍ ରିପୋର୍ଟି ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ’ ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ୧.୩ ନିୟୁତ ଅଭିଯୋଗକୁ ଆଧାର କରି ସିଷ୍ଟମ ମାଧ୍ୟମରେ ୪୩୮୬ କୋଟି ଟଙ୍କା ଫେରାଇ ଅଣାଯାଇଛି।
ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଜିଟାଲ ଠକେଇକୁ ରୋକିବା ପାଇଁ ଆରବିଆଇ, ସରକାର ଏବଂ ଏନପିସିଆଇ ଅନେକ ପଦକ୍ଷେପ ନେଇଛି।


