ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ରାଜନୀତିକ ସ୍ଥିତିକୁ ନେଇ ଚର୍ଚ୍ଚା କ୍ରମେ ଜୋର୍ ଧରୁଛି। ଥରୁର ଗତ କିଛିଦିନ ତଳେ ମୋଦୀଙ୍କ ବୈଦେଶିକ ନୀତିକୁ ନେଇ ପ୍ରଶଂସା କରିବା ଦ୍ୱାରା ଅଧିକ ଚର୍ଚ୍ଚିତ ହୋଇଥିଲେ।
ଏବେ ବିଜେପି ସାଂସଦ ତଥା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଥରୁରଙ୍କୁ ପ୍ରଶଂସା କରିବା ଘଟଣା ଏହି କଳ୍ପନାଜଳ୍ପନାକୁ ଆହୁରି ଇନ୍ଧନ ଯୋଗାଇଛି। ଜୟଶଙ୍କର ଶନିବାର କହିଛନ୍ତି ଯେ, ମୁଁ ସର୍ବଦା ଥରୁର ଏବଂ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରେ। ବିଶେଷକରି ସରକାର ସହ ଜଡିତ ପ୍ରସଙ୍ଗରେ ଥରୁରଙ୍କ ନିଷ୍ପତ୍ତି ବେଶ୍ ଉଲ୍ଲେଖନୀୟ। ବିଜନେସ୍ ଟୁଡେ ମାଇଣ୍ଡ୍ରଶ୍ ୨୦୨୫କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତରରେ ଏସ୍ ଜୟଶଙ୍କର ଏହି ବିବୃତି ଦେଇଛନ୍ତି। ଯେଉଁଥିରେ ଥରୁରଙ୍କୁ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସରକାରଙ୍କ ନୀତିକୁ ପ୍ରଶଂସା କରିବା ବିଷୟରେ ଉଲ୍ଲେଖ କରାଯାଇଥିଲା।
ଶଶି ଥରୁର ସମ୍ପ୍ରତି ରାଇସିନା ଡାଏଲଗରେ ସ୍ୱୀକାର କରିଥିଲେ ଯେ, ୟୁକ୍ରେନ ଯୁଦ୍ଧ ସମୟରେ ଭାରତର ନୀତିକୁ ବିରୋଧ କରି ସେ ଭୁଲ କରିଥିଲେ। ସେ କହିଥିଲେ, ତିନି ବର୍ଷ ପରେ, ମୁଁ ଅନୁଭବ କରୁଛି ଯେ, ମୁଁ ନିରାଶ ହୋଇଛି, କାରଣ ଏହା ସ୍ପଷ୍ଟ ଯେ, ଭାରତର ନୀତି ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରଖିଛି। ଆମର ପ୍ରଧାନମନ୍ତ୍ରୀ ଉଭୟ ଦେଶର ରାଷ୍ଟ୍ରପତି – ୟୁକ୍ରେନ ଏବଂ ରୁଷିଆକୁ ବିଭିନ୍ନ ସମୟରେ ଆଲିଙ୍ଗନ କରିପାରିବେ ଏବଂ ଉଭୟ ସ୍ଥାନରେ ତାଙ୍କୁ ଗ୍ରହଣ କରାଯାଇ ପାରେ।
ଭାରତ ସରକାରଙ୍କ ନୀତି ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ, ଯୁଦ୍ଧ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଦେଖାଯାଇଥିଲା। ସେହିଭଳି ସାଂସଦ ତଥା ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଫ୍ଲାଇଟରେ ଏକାଠି ଆସିବା ସମୟରେ ଉଭୟଙ୍କ ଏକ ଫଟୋ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହୋଇଥିଲା, ଯାହା ଭିନ୍ନକିଛି ସୁଚଉଥିଲ।
ଯାହା ବି ହେଉ ଉଭୟଙ୍କ ପ୍ରଶଂସାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ଚାଲିଛି। ଥରୁର ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷେ ଥରୁର ଦୀର୍ଘଦିନ ଧରି କଂଗ୍ରେସ ପ୍ରତି ସନ୍ତୁଷ୍ଟ ନ ଥିବା ତାଙ୍କ ବିଭିନ୍ନ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।



